Abinash Pani

Tragedy

3.9  

Abinash Pani

Tragedy

ପ୍ରତିଶୃତି ଜନ୍ମ ଜନ୍ମାନ୍ତରର

ପ୍ରତିଶୃତି ଜନ୍ମ ଜନ୍ମାନ୍ତରର

5 mins
508



ଶୀତ ଦିନିଆ ସକାଳ। ସକାଳ ନୁହେଁ ମ....

ସୂର୍ଯ୍ୟ ଆସି ମୁଣ୍ଡ ଉପରେ ହେଲେଣି ଏପଟେ କଣ ଏ ଟୋକାଟାର ମୁଣ୍ଡରେ କିଛି ପଶୁଛି? ଏ ବାବୁ.... ଧନ ଗାଧେଇ ପଡ଼ି ଯାଉନୁ , ଦିନ ଆସି ୧୧ ଟା ବାଜିଲାଣି ତୋର କଣ ଗାଧେଇବା ବେଳ ହେଇନି? ବୋଉ ବାଡ଼ି ପଟରୁ ପାଟି କରୁଥାଏ। କିନ୍ତୁ ଶାନ୍ ସେ କଥାକୁ ତିଳେ ହେଲେ ନ ଶୁଣି ମଜ୍ଜି ଯାଇ ଥାଏ ଇଣ୍ଡିଆ , ଇଂଲଣ୍ଡ ଟେଷ୍ଟ ମ୍ୟାଚ ଦେଖାରେ।

 ହଁ ବୋଉ ଯାଉଛି ଯାଉଛି ଖାଲି ଏତିକି ମଝିରେ ମଝିରେ କହି ଦେଇ ପୁଣି ସେଇ ଟିଭି ଆଗରେ ବସି ଥାଏ। ଆଙ୍ଗୁଠିର ନଖ ଗୁଡ଼ାକ କେତେବେଳେ ଯେ ଦାନ୍ତ ଛୁରୀରେ କଟି ରକ୍ତ ବାହାରିଲାଣି, ସେ କଥା ବି ତାକୁ ଅଜଣା ଥାଏ। କେମିତି ବା ନ ହବ! ତାର ସବୁଠୁ ପସନ୍ଦର ଖେଳାଳି ସୌରଭ ଗାଙ୍ଗୁଲି ପରା ସେଞ୍ଚୁରି ମାରିବା ଉପରେ.....


 ଚଉକା..... ୟୀ... ୟେଶ୍..... ଏତିକି କହି ଦେଇ ସାର୍ଟକୁ ଖୋଲି ଦେଇ ଖୁସିରେ ନାଚି ଯାଉ ଯାଉ ନଜର ପଡ଼ିଗଲା ବାଡ଼ି ପଟ ଝରକା ଉପରେ। ଝରକା ସେପଟୁ ମାନି ଶାନ୍ କୁ ଚାହିଁ ହସୁଛି।

 ଏଇ..... ତତେ କିଏ କହିଲା ଆମ ଘର ଝରକା ପାଖକୁ ଆସିବାକୁ? ହାଁ? ବେଶୀ ଗୋଟେ ଯାଉଛୁ ନା ଦେଖିବୁ? କଡ଼ା ଗଳାରେ ସିନା ମାନିକୁ ଶାନ୍ ପାଟି କଲା, ହେଲେ ପ୍ରକୃତରେ ତାକୁ ଲାଜ ଲାଗିଥିଲା। ଯା' ହେଲେ ବି ଝିଅ ପିଲାଟା ଆଗରେ ।


ହଉ.... ଆଉ ଆସିବିନି। ମନ ଦୁଃଖରେ ମୁହଁ ଫୁଲେଇ କହି ଦେଇ ଚାଲିଗଲା ମାନି।

ମାନି ଏଇ ଆମ ପଡିଶା ଘରର ଝିଅ । ପିଲା ବେଳୁ ତାର ମୋର ଯମା ପଡେନି। କିନ୍ତୁ ବୋଉର ସେ ଭାରି ପସନ୍ଦ। ଯେତେବେଳେ ଦେଖ ମାନି ଆସି ବୋଉ ପାଖରେ ବସିଥିବ। କେତେ ଥର ବୋଉ ମଜାରେ ମଜାରେ କହି ବି ଦିଏ ମା ଲୋ .... ଆମ ଘର ବୋହୂ ହବୁ ?


ଲାଜେଇ ଯାଏ ମାନି ମୁହଁରେ ହାତ ଦେଇ ହସି ହସି ପଳାଏ ତାଙ୍କ ଘରକୁ। କିନ୍ତୁ ହଠାତ୍ ଆଜି ଶାନ୍ ଏ ସବୁ କଥା କାହିଁକି ମନେ ପଡୁଛି? ସବୁ କିଛି ଛାଡ଼ି ଅନେକ ଦୂର ପାହାଡ଼ ପର୍ବତ ଘେରା ଏକ ସୁନ୍ଦର ଜାଗାକୁ ଚାଲି ଆସିଛି ଶାନ। ସୁଦୂର ସିକ୍କିମକୁ।

ଦେଖ୍ ମାନି... ତୋର ଇଏ ଯୋଉ ପ୍ରେମ ନାଟକ ନା.... ଆଉ କାହା ଆଗରେ ଦେଖେଇବୁ। ସବୁ ବେଳେ କଣ ଗୋଟେ କଲେଜ୍ ରେ ମୋ ପାଖକୁ ଚାଲି ଆସୁଛୁ? କଲେଜରେ ତୁ ମତେ ଆଉ ମୁଁ ତତେ ଚିହ୍ନିନି ବୁଝିଲୁ? ଥରେ ରାଗରେ ମାନିକୁ କ୍ଲାସ୍ ଆଗରେ ଜୋର୍ ରେ ପାଟି କରି କହି ଥିଲା ଶାନ୍। ମାନି କାନ୍ଦି କାନ୍ଦି ପକେଇଥିଲା ସିନା କିନ୍ତୁ ସେ କେବେ କଣ ଶାନକୁ ଛାଡିକି ରହି ପାରିବ? ଯୋଉ ଦିନ ଶାନ ଖୁସିରେ ପଦେ କଥା କହି ଦିଏ ନା ସେ ଦିନ ମାନିର ଯେମିତି ଲଟେରୀ ଲାଗି ଗଲା ଭଳିଆ ଦିନ କଟିଯାଏ। ମୁହଁରେ ସିନା ଶାନ୍ କୁ କିଛି କହି ପାରେନି କିନ୍ତୁ କେମିତି ଗୋଟେ ଅହେତୁକ ଭଲ ପାଇବା ତାର ତା' ପାଇଁ।

ଥରକର କଥା ଶାନ୍ ଘରେ ଜିଦ୍ ଧରି ବସିଥାଏ ଯେ ସେ ସାମ୍ବାଦିକତା ପଢ଼ିବା ପାଇଁ ଦିଲ୍ଲୀ ଯିବ।କିନ୍ତୁ ବାପାଙ୍କର ବି ଗୋଟେ ଜିଦ୍। ମୁଁ ତତେ ଏତେ ଦୂରକୁ ପଠେଇ ପାରିବିନି । ଯାହା ପଢ଼ିବା କଥା ଏଇଠି ପଢ଼, କଣ ଓଡ଼ିଶାରେ କଣ ପାଠ ପଢା ନାହିଁ କି?

ଉତ୍ତରରେ ଶାନ୍ ଏତିକି କହି ପାରେ... ମୋ ଇଚ୍ଛାକୁ କେବେ ତ ଗୁରୁତ୍ବ ଦିଅ। ସେହି ସମୟରେ ମାନି ଆସି ଥିଲା ଘରକୁ ବାପାଙ୍କୁ ଏମିତି ବୁଝେଇ ଦେଲା ଯେ ଶାନ୍ ର ଦିଲ୍ଲୀ ଯିବା ସ୍ଥିର ହେଇଗଲା।


 ମାନି ମୁଁ ମାନୁଚି ଆମେ ପିଲା ବେଳର ସାଙ୍ଗ କିନ୍ତୁ ତୁ ଏମିତି ବାହାଘର କଥା ସବୁବେଳେ କଣ କହୁଛୁ? ତୁ ଏସବୁ କଥା ମୋତେ କେବେ ବି କହିବୁନି ଶାନ ପ୍ରଥମ ଥର ଯେବେ ଦିଲ୍ଲୀରୁ ଫେରିଥିଲା ମାନିକୁ ଏମିତି କହି ଦେଇ ଥିଲା। କିନ୍ତୁ ମାନି ମନ ଉଣା କରି ନଥିଲା।


ଅଦିନରେ ବାପା ଚାଲିଗଲେ । ବେଡ଼ି ଉପରେ କୋରଡ଼ା ଭଳି ଲୋକ ବାର କଥା କହୁଥା'ନ୍ତି । ଲୋକ କଣ? ନିଜ କୁଟୁମ୍ବ ପରା ନାନା କଥା କହିଯାଉଥାଆନ୍ତି।

 ଦେଖ! ଟୋକାଙ୍କୁ ପାଠ ପଢ଼ା ଭୂତ ସବାରିଚି। ବୋପା ଆସି ଗାତରେ ପୁଅ ମନ ଯାଇ ଖାତାରେ । ମା ଟା ପାଖରେ ରହିଲେ ହୁଅନ୍ତାନି? ବାହାରିଛି ଦିଲ୍ଲୀ ଯିବ। ହୁଁ। ପୋଡ଼ାମୁହାଁ .... ଵୋପାକୁ ଖାଇଲା, ଦିନି ରତନା ୟାରି କଥା ଭାବି ଭାବି ଚାଲିଗଲା। ପିଉସୀ ନାନୀ କହୁଥିବାର ଶୁଣିଲି।


ଭାବୁଥିଲି... ଯାଇକି କହି ଦିଅନ୍ତି କି ଦି' କଥା.....


ସେପଟେ ବୋଉ ମତେ ଲକ୍ଷ୍ୟ ରଖିଥିଲା , ଆଙ୍ଗୁଠି ଠାରି ମନା କଲା କିଛି ନ କହିବାକୁ। ଭଗାରିରେ ଘର କରିଛେ ଯେତେବେଳେ କଥା ତ ଶୁଣିବାକୁ ପଡ଼ିବ। ଏପଟେ ଶାନର ଦିଲ୍ଲୀ ଯିବାର ଦିନ ପାଖେଇ ଆସିଲାଣି। କେତେ ଦିନ ଆଉ ରହିବି? ବହିରେ କଣ ଡୋରି ବନ୍ଧା ହବ ନା କଣ? ବୋଉ ତୁ ମୋ ସାଙ୍ଗରେ ଚାଲ୍ । ଘର ଭଡ଼ାଟେ ନେଇ ଆମେ ସେଇଠି ରହିବା। ଶାନ୍ ବୋଉକୁ କହିଲା।

ସେପଟୁ କିଏ ଜଣେ କହିଲା ବୋଉ ଯିବେନି। ମୁଁ ପା ଅଛି। ମୁଁ ରହିବି ବୋଉ ପାଖରେ। ଆଲୋ ମାନି ତୁ କେତେବେଳେ ଆସିଲୁ? କହି ପକେଇଲି। ମାନି ଆଉ ସେ ମାନି ହେଇନଥାଏ, ଯାହାର ଦି ସରିଆ ବେଣୀ ସବୁ ବେଳେ ବନ୍ଧା ହେଇଥାଏ ଆଉ କଥା କଥାରେ କାନ୍ଦି ପକାଏ। ତା' ସୁନ୍ଦର ସୁନ୍ଦର ବଡ଼ ବଡ଼ ଆଖି, ଉଜ୍ଜ୍ୱଳ ମୁହଁ ଦେଖି ଶାନ୍ କଣ ଭାବୁଥିଲା କେଜାଣି? କିନ୍ତୁ ଭାରି ଖୁସି ଥିଲା। ମାନି କିଛି ନ କହି ତାକୁ ଚୁପ୍ କରି ବୋଉ ପାଖକୁ ଚାଲିଗଲା। ବୋଉ ମୋ ଡ୍ରେସ୍ ପତ୍ର ଆଟାଚିରେ ରଖୁଥାଏ। ସେ ତା'ରି ସାଙ୍ଗରେ ମିଶି ସଜଡ଼ା ସଜଡ଼ି କଲା।


ସମୟ ଗଡ଼ି ଚାଲିଲା ଆଉ ତା ଅନୁପସ୍ଥିତିରେ ବୋଉକୁ ଯଦି କିଏ ସମ୍ଭାଳି ଥିଲା ତାହେଲେ ସିଏ ମାନି ।


ଆଜି କେଜାଣି କାଇଁ ଶାନ ୧୦ ବର୍ଷ ତଳର ସେଇ ପୁରୁଣା କଥାକୁ ବାରମ୍ବାର ମନେ ପକେଇ ଚାଲିଥାଏ। ଅତୀତର ସ୍ମୃତିକୁ ବାରମ୍ବାର ରୋମନ୍ଥନ କରି ବୋଧେ ସେ ନିଜକୁ ଆଶ୍ୱାସନା ଦବାକୁ ଚେଷ୍ଟା କରୁଥାଏ। ସେତେବେଳେ ଯଦି ସେ ମାନିକୁ କହି ଦେଇଥାଆନ୍ତା ଯେ ସେ ତାକୁ ଭଲପାଏ ବୋଲି। ତେବେ ହୁଏତ କିଛି ଫରକ୍ ପଡ଼ିଥାଆନ୍ତା ତା ଜୀବନରେ ଆଜି।


ନା...... ଆଉ କଣ ସେ ପାସୋରି ଯାଇଥିବା ଦିନ ଫେରିବ? ଏମିତି ଏଣୁ ତେଣୁ କଥା ବସି ଭାବୁଥାଏ ଶାନ୍।


ଶୀତ ଶେଷ ସମୟ। ଝରକା ବାଟ ଦେଇ ଡ୍ରଇଂ ରୁମକୁ ମଝିରେ ମଝିରେ ଦଲକାଏ ହେମଳିଆ ପବନ, ଶାଲ ଘୋଡ଼ା ଶରୀରକୁ ଥରେଇ ଦଉଥାଏ। ସେଇଠି ସେତେବେଳୁ କଫି କପ୍ ଟା ଥୁଆ ହେଇଛି ଯେ ଶୁଖିକି ଅଠା ହେଲାଣି। ହଠାତ୍ ସେପଟ ଘରୁ ଛୋଟ ଛୁଆର କାନ୍ଦ ଶୁଣି ବ୍ୟସ୍ତ ହେଇପଡ଼ିଲା ଶାନ୍। ଆରାମ ଚୌକିରୁ ସେ ଧଡ୍ କରି ଉଠି ପଡ଼ି ଦୌଡ଼ି ଗଲା ଭିତର ଘରକୁ। ଉଠିଲା ବେଳେ ବୋଧେ ଶାନ୍ ର ଜଙ୍ଘ ଉପରେ କଣ ଥିଲା କି କଣ କାଚ ଭାଙ୍ଗିଲା ଭଳି ଶବ୍ଦ ହେଲା। ସେ ଯାହା ବି ହେଇଥାଉ ।


ନାଇଁ ଲୋ ମା... ନାଇଁ...। ଶୋଇ ପଡଲୋ। ନାଁ..... ଇଁ ଲୋ.... କିଏ ମାଇଲା ମୋ ମା କୁ? ଶୋଇପଡ ...ଶୋଇପଡ। କହି ଛୁଆଟାକୁ ଶୁଆଇ ଦେଇ ଆସିଲା। ଆଉ ପୁଣି ଥରେ ସେଇ ଜାଗାରେ ଯୋଉଠୁ ସେ ଉଠିଯାଇଥିଲା। ଆଉ ଆସିକି ଦେଖେ ତ ମାନିର କାଚ ଫ୍ରେମ୍ ଦିଆ ଫଟୋ ଭାଙ୍ଗିଯାଇଛି। ଭଙ୍ଗା କାଚ ଭିତରେ ଥିବା ମାନିକୁ ସାଉଁଟି ଆଣୁ ଆଣୁ ଆଖି ତାର ଚାଲି ଗଲା ପୁଣି ସେଇ କାନ୍ଥକୁ.... ଯୋଉଠି ମାନିର ଗୋଟେ ବଡ଼ ଫଟୋରେ ଫୁଲ ମାଳ ପିନ୍ଧାହେଇଛି।


ସେତେବେଳେ ଯାଇଁ ତା ପାଟିରୁ କିଛି ବାହାରିଲା...କଣ ଏଇ ଦିନ ପାଇଁ ମୁଁ ତୋ ସହିତ ପିଲା ବେଳୁ ଝଗଡ଼ା କରି ଆସୁଥିଲି? କଣ ଏଇଥି ପାଇଁ ତୁ ମତେ ଏତେ ଭଲ ପାଉଥିଲୁ ଯେ ମାତ୍ର ଅଢେଇ ବର୍ଷରେ ମତେ ଏକା କରି ଚାଲିଯିବୁ?


ମୁଁ ସେଇଠି ଥିଲି.... ଚୁପ୍ ଚାପ୍ ସବୁ ଆଜି ପର୍ଯ୍ୟନ୍ତ ଦେଖି ଆସୁଥିଲି। କିଛି କହିନି ପଦେ ମୁଁ ଶାନକୁ। ପ୍ରତିଟି ମୁହୂର୍ତ୍ତରେ ମୁଁ ଶାନ ଆଉ ମାନିଙ୍କର ଉପସ୍ଥିତିକୁ ଅନୁଭବ କରିଛି। ଶାନ୍ ର କୁନି ଝିଅ ପ୍ରତିଶୃତିକୁ ବି ଦେଖୁଛି।

କାରଣ ମୁଁ ସମୟ ଆଉ କିଛି ନୁହେଁ। କିନ୍ତୁ ଆଜି କାଇଁକି ଭାବୁଚି କହିଦେବି ଯେ ମାନି ସିନା ତତେ ଛାଡ଼ି ଆର ପାରିକୁ ଚାଲିଗଲା କିନ୍ତୁ ଦେଇଯାଇଛି ତତେ ଜନ୍ମ ଜନ୍ମାନ୍ତରର ପ୍ରତିଶୃତି ।

  



Rate this content
Log in

Similar oriya story from Tragedy