Abinash Pani

Abstract

4  

Abinash Pani

Abstract

ବୋଉ ଆଶାର ମହାବାହୁ...

ବୋଉ ଆଶାର ମହାବାହୁ...

3 mins
17


ବୋଉ.. ବୋଉ...। କାଇଁ ଘରେ ନାହିଁ ତ... ଯାଇଥିବ ବୋଧେ ପାଖ ପଡିଶା ଘରର ମାଉସୀଙ୍କ ଘରକୁ। କୁଆଡେ ଆଉ ଯିବ... ନୂଆ ସହର... ନୂଆ ଜାଗା...ତା ମନକୁ ପାଇଛି ବୋଧେ। ହେଲେ କାଇଁ ମାଉସୀଙ୍କ ଘର ବି ତାଲା ପଡିଛି। ବୋଧେ ବୋଉ ଆଉ ଘରବାଲା ମାଉସୀ ଦି ଜଣ ଯାକ ଜଗନ୍ନାଥ ମହାପ୍ରଭୁଙ୍କ ସନ୍ଧ୍ୟା ଆରତୀ ଦେଖିବାକୁ ଯାଇଛନ୍ତି। 

"ଦ୍ଵିତୀୟ ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧ ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମହାପ୍ରଭୁଙ୍କ ମନ୍ଦିର, ପୁରୀ ବଡ଼ଦେଉଳ ଭଳିଆ ଭିଡ଼ ନୁହେଁ...କି ଏଠି ଏତେ କାଇଦା କଟକଣା ନାହିଁ...ଛୁଆ ବେଳେ ମୋ ବାପା ମତେ ଆଣିଥିଲେ ଏଇଠିକି...ତୋ ବାପାଙ୍କୁ କହି କହି ତ ଦିନେ ଆଣିଲେନି... ଯା' ହଉ...ମୋ ପୁଅ ଚାକିରି କଲା ବୋଲି ସିନା ...."ଏମିତି କେତେ କଣ କଥା କହି ଯାଉଥାଏ ଟ୍ରେନରେ ମୋ ସାଙ୍ଗରେ ଆସିଲା ବେଳେ।

ହଁ...ଯାଉ ଟିକେ ବୁଲି ପଡ଼ି ଆସିବ। କୋଉ କଟକରେ ଥିଲା ବେଳେ କୁଆଡେ ଯାଇପାରେ କି... ସେଇ ଘରେ ପଡ଼ି ରହି କାମ କରୁଥିବ... ନହେଲେ ଚୁପ୍ ହେଇକି ବସିଥିବ। ମୁଁ ସରକାରୀ ଚାକିରି ପାଇଲା ପରେ ସମସ୍ତେ ଏବେ କହୁଛନ୍ତି... ଯା' ହଉ ମାନୁ ଜୀବନ ଯାକ କଷ୍ଟ କରିଥିଲା ବୋଲି ଆଜି ପୁଅଟାକୁ ମଣିଷ କରିଦେଲା।

ସତରେ କି କଷ୍ଟ ନ କରିଛି ବୋଉ ମୋର... ପାଠ ଦି ଅକ୍ଷର ପଢିଥିଲା ବୋଲି ଆଜି ତା ପୁଅକୁ ଅଫିସରଟେ କରିଦେଲା।

ଆଜି ମନେ ପଡୁଛି... ଘରେ ଡାଲି କି ତରକାରୀ ହେଇ ନଥିବ...କଲେଜ ଗଲା ବେଳକୁ ପଖାଳ ଭାତକୁ ଆମ୍ବୁଲ ଲଙ୍କା ଦଳିଦବ... ଆଉ କହିବ "ବାବୁରେ...ଖାଲି ଥରେ ସିଭିଲ ସର୍ଭିସ ଯଦି ହେଇଯାଏ...ୟେ ଖାଇବାର ସୁଆଦ ଆଉ ପାଇବୁନି..."।ଏତିକି କହିଦେଇ ହସି ଦିଏ... ଆଉ ତାର ସେଇ ପଦିକ କଥାରେ ମୁଁ ଖାଇଦେଇ ଉଠି ଯାଏ।

ମୁଁ ଚାଲିଲି...

 ଏତିକି ବେଳକୁ ପଛରୁ ଡାକେ..."ଲ୍ୟାବ୍ ନୋଟ୍ ଟା ଛାଡ଼ିଗଲୁରେ ବାପା...."

ପୁଣି ମୁଁ ଗଳି ସେ ମୁଣ୍ଡରୁ ସାଇକେଲ ବୁଲେଇକି ଆସେ...

"ସବୁଦିନ କିଛି ନା କିଛି ଭୁଲି ଯିବ... ଯା... ଚଞ୍ଚଳ ପଳେଇ ଆସିବୁ...ଦୁଷ୍ଟ ହବୁନି..."

" ଆଲୋ ଝିଅ...ମୁଁ କଣ ଛୋଟ ଛୁଆ ହେଇଛି ଯେ ଦୁଷ୍ଟ ହେବି....," କହି ଦେଇ ମୁଁ ପଳାଏ କଲେଜ।

"ବାବୁ ତୁ ମନ ଲଗେଇ ପଢ଼ୁଛୁ ଟି? ଓପି୍ଏସସି ପାରୀକ୍ଷା ସହଜ ନୁହେଁ... କେତେ କେତେ ଛୁଆ ବାହାରେ କୋଚିଂ ନଉଛନ୍ତି... ଆମ ପାଖରେ ପଇସା ଥିଲେ, ତୁ ବି କୋଚିଂ ନେଜେ ଥାଆନ୍ତୁ...."

ତା... ଛଳ ଛଳ ଆଖିରେ ଏଇ କଥା ପଦକ କେଜାଣି କୋଉଠୁ ଏତେ ଆତ୍ମବଳ ସଂଚାର କରିଦିଏ ମୋ ମନ ଭିତରେ ଯେ ପ୍ରାଇଭେଟ ଚାକିରୀ କରିକି ବି ରାତି ଅଧା ଯାଏଁ ପଢେ ବସିକି ମୁଁ।

ମୁଁ ହାଇଦ୍ରାବାଦରେ ଚାକିରୀ କରୁଥିଲା ବେଳେ କରୋନା ରୋଗ ସକାଶେ ଲକଡାଉନ ଚାଲିଥାଏ... ପାଖାପାଖି ୧୦ ମାସ ମୁଁ ସେମିତି ବୋଉକୁ ଦେଖି ନଥାଏ। 

ନୂଆକରି ବାପାଙ୍କୁ ସ୍କ୍ରିନ ଟଚ ଫୋନ୍ ଦେଇଥିଲି ଯେ... ଭିଡ଼ିଓ କଲରେ ବୋଉ ଦିନେ କହିଲା... "ଏତେ ଟେକନୋଲୋଜି ବାହାରୁଚି... ଏମିତି କିଛି ବାହାରୁନି ଯେମିତି ଭିଡ଼ିଓ କଲରେ ଛୁଇଁ ହୁଅନ୍ତା" ଏତିକି କହିଦେଇ ଆଖି ଛଳ ଛଳ କରିଦିଏ।

" ବ୍ୟସ୍ତ ହ'ନି...ମୁଁ ଯିବି ଜଲଦି... " ବାସ... ଏତିକି କହି ଦେଇ ଫୋନ୍ ରଖିଦିଏ ମୁଁ। 

ଭୁବନେଶ୍ୱରରେ ଥାଇ ଚାକିରୀ କରି ପଢିଲା ବେଳେ ମଝିରେ ମଝିରେ ଛୁଟିରେ ଘରୁକୁ ଗଲେ... ରାତି ଅଧରେ ଉଠିପଡ଼ି ମୋ ପାଖକୁ ଆସେ... ଆଉ କୁହେ... " ବାପାରେ... ମନ କଷ୍ଟ କରିବୁନି କାରଣ ମୁଁ ତୋ ପ୍ରିପେ୍ୟାରେସନରେ କିଛି ସାହାଯ୍ୟ କରି ପାରୁନି। ତୁ ନିଜେ ରୋଜଗାର କରୁଛୁ ଆଉ ନିଜେ ପଢ଼ୁଛୁ"

ଆଉ ଯୋଉଦିନ ରେଜଲ୍ଟ ବାହାରିଲା... ତା ଗୋଡ ତଳେ ଲାଗୁ ନଥାଏ... ସମସ୍ତଙ୍କୁ କହୁଥାଏ ମୋ ପୁଅ ଏବେ ବଡ ଅଫିସର ହେଇଗଲା। ଆଉ ଟ୍ରେନିଂ ବେଳେ ମୁଁ ଯେତେ ଜୋତା ସଫା କରିକି ରଖିଲେ ବି ସେ ତା ହାତରେ ପୋଛିକି ରଖିଦବ ମୋ ପାଖରେ। 

ଟ୍ରେନିଂ ପରେ ମୁଁ ବାରିପଦା ଆସିଲି... ଗାଡ଼ିରେ ବସିଲା ବେଳକୁ କହିଲା ମୋ ଧନ ଏଥର ମତେ ବାରିପଦା ରଥଯାତ୍ରାକୁ ନବ... ହରି ବଳଦେବ ଜୀଉଙ୍କୁ ଦେଖିବାରେ ମୋର ଭାରି ଇଚ୍ଛା।

ହେଲେ ଏତେ ବେଳ ଯାଏଁ ଗଲା କୁଆଡେ। ଘଣ୍ଟାକୁ ଦେଖେ ତ ସନ୍ଧ୍ୟା ୭. ୩୦ ହେଲାଣି। ଏ ଯାଏଁ ତ ମନ୍ଦିର ଖୋଲା ନଥିବ। 

ଏତିକି କହି ଦେଇ ମୁହଁରେ ହାତ ମାରି ଦେଲାରୁ ମନେ ପଡିଲା... ଏବେ କିଛି ଦିନ ତଳେ କହିଥିଲା ପା... ତୁ ଆଉ ମୋ ପୁଅ ଭଳିଆ ଦେଖା ଯାଉନୁ... ଦାଢ଼ିରେ ତା ମୁହଁ ଘୋଡେଇ ହେଇ ପଡିଛି... କିଏ ତତେ ଆଉ ମାନୁ ପୁଅ ବୋଲି କହିବ... "

ଆରେ ହେଇ... ଯାଏଁ ଦାଢ଼ି... କାଟି ଦିଏଁ ନହେଲେ ଏଇନେ ଆସିବ ଆଉ ପୁଣି ପାଟି କରିବ।

ଏତିକି କହି ଦେଇ ଆଇନା ଆଗରେ ଦେଖେତ... ଦାଢ଼ି ସିନା ବଢିଛି ହେଲେ ଚୁଟି ତ ବଢ଼ିନି... ମାସେ ତଳେ ଲଣ୍ଡା ହେଇଥିଲି ଆଉ...।

ଆଉ ମାସକ ତଳେ ଯେମିତି କାନ୍ଦୁଥିଲି... ସେମିତି ନୁହେଁ କିନ୍ତୁ ଆଖିକୁ ଓଦା କରିଦେଇ ମାଠିଆ ମୁହଁରେ ଅଜାଡି ଦେଲା ଭଳି ଲୁହ ଢାଳି ହେଇଗଲା... ଆଉ ଆଇନାରେ ଅବିକଳ ତା'ରି ମୁହଁ ଭଳିଆ ଦେଖାଯାଉଥିବା ମୁହଁଟିକୁ ଦେଖି କହି ପକେଇଲି...

" ସେ ଆଉ କଣ ଫେରିବ ନା ମହାବାହୁଙ୍କ ବାରିପଦା ରଥ ଯାତ୍ରା ଦେଖି ପାରିବ "


Rate this content
Log in

Similar oriya story from Abstract