ସତ ସ୍ବପ୍ନ
ସତ ସ୍ବପ୍ନ


ଆଖି ରେ ଆଖିଏ ନିଦ । ଜମା ମନା କରୁଥିଲା ଉଠିବାକୁ। ମୋବାଇଲ ତା ଚାର୍ଜର୍ ପ୍ଲଗ୍ ରୁ କାଢି ଦେଖେ ତ' ୬ ଟା ୨୨। ପୁଣି ଥରେ ମନ କଲି ଶୋଇପଡିବି ହେଲେ ନଜର ପଡ଼ିଗଲା ଝରକା ସେପାଖକୁ। ନିର୍ବିକାର ଭାବରେ କାହାରିକୁ ଖାତିର ନ କରି ବର୍ଷି ଚାଲିଛି । କିନ୍ତୁ କାହାରିକୁ ହଇରାଣ କଲା ଭଳିଆ ନୁହେଁ ସାରା ଆକାଶକୁ ଧୂଆଁ ମୟ କରି ଦେଇ ଛାଟି ଚାଲିଛି। ସତେ ଅବା ଯେମିତି କେହି ପାଣି ସ୍ପ୍ରେ କରୁଛି।
ବୋଧେ ରାତି ସାରା ଏମିତି କାହାକୁ ନା ଜଣେଇ ପଶି ଆସିଛି କୁଣିଆ ଭଳିଆ। ଆହା ! ଝରକାଟା ବନ୍ଦ କରି ନଥିଲି ଯେ ପଢା ଟେବୁଲ୍ ଉପରେ ପଡ଼ିଥିବା କାଗଜ ଗୁଡା ସବୁ ଓଦା ହୋଇ କୋତରା ହେଇ ଗଲାଣି।
ଚାଲି ଗଲି ଝରକା ପାଖକୁ .......ସ୍ଲାଇଡିଂ ଝରକା ଟା ତ, ଭିତର ଆଡୁ ଦେଇ ହଉନି। କେଜାଣି କେତେ ଜଣ ଏ ରୁମ୍ ରେ ରହିଥିବେ କିନ୍ତୁ ମତେ ଭାରି ଭଲ ଲାଗୁଚି ରୁମ୍ ଟା। ଝରକା ର ଗୋଟେ କୋଣ ରୁ ଚାହିଁ ଦେଖେ ତ... ଯେମିତି ଆଖି ଆଗରେ ଗୋଟେ ଧୂଆଁଳିଆ ଆସ୍ତରଣ ପଡି ଯାଇଛି। ଆରେ.. ସତେ ଏମିତି ନା ମୋ ଭ୍ରମ!
ଏଠି ମୋର ଏଇଟା ପ୍ରଥମ ସକାଳ ଆଉ ପ୍ରଥମ ବର୍ଷା କାଇଁ କେବେ ତ ଆମ କଟକରେ ଏମିତି ହବା ଦେଖିନି । ହଁ କଲା ମେଘ ଘୋଟି ଆସେ ଆଉ ମାଠିଆ ମୁହଁରେ ଅଜାଡ଼ି ଦେଲା ଭଳିଆ ବର୍ଷି ଯାଏ।
କାଇଁ ମୋ ଆଖି ଧୋକା ଖାଉନି ତ? ତଥାପି ଚଷମା ଲଗେଇ ଦେଖିଲି। ସେଇଆ ବରଂ ଆହୁରି ସଫା ଦେଖା ଗଲା ଯେ ପାହାଡ଼ ଯେମିତି ବରଫର ଚାଦର ଘୋଡି ହେଇ ପଡ଼ିଛି। ୟୁନିଭର୍ସିଟି ବସ୍ ର କାଚରେ ସେମିତି ବୁନ୍ଦା ବୁନ୍ଦା ହେଇ ପାଣି ଲାଗି ଚାଲି ଥାଏ ଆଉ ସେ ବି ତାକୁ ଆନନ୍ଦରେ ଗ୍ରହଣ କରି ଚାଲି ଥାଏ । ସିକ୍ୟୁରିଟି ରୁମ୍ ବି ସଫା ସଫା ଦେଖା ଯାଉ ଥାଏ । ବୋଧେ ଡ଼ିଉଟି ବଦଳିବାର ସମୟ ଜଣେ ସିକ୍ୟୁରିଟି ଗାର୍ଡ ରେନି କୋର୍ଟ ପିନ୍ଧି ଆସି ପହଂଚି ସାରି ଥାଆନ୍ତି। ଆଉ ସିଆଡେ ଧ୍ୟାନ ଦେଲିନି।
ଚାଲି ଆସିଲି କବାଟ ପାଖକୁ। ଛିଟିକିଣିଟା ଖୋଲି ବାଲକୋନୀକୁ ଆସି ଦେଖେ ତ କେତେଟା ଘର ଚଟିଆ ତଳୁ କଣ ଖୁଣ୍ଟି ଖାଉଛନ୍ତି। ଆରେ ହଁ ହଁ କାଲି ପା କାହାର ଗୋଟେ ଜନ୍ମଦିନ ମନେଇ ଥିଲେ କେକ୍ ଗୁଣ୍ଡ ଆଉ କ୍ରିମ୍ ପଡ଼ିଥିଲା ତଳେ । ପାଖକୁ ଗଲି ଯେ, ଡରିକି ଉଡ଼ି ଗଲେନି । ଆରେ ଡର ଭୟ କିଛି ନାହିଁ ! କେମିତି ବା ରହିବ? ଏ ଜାଗା ହିଁ ତାଙ୍କୁ ସେତିକି ସ୍ନେହ ଦେଇଛି। ବୋଧେ ଦକ୍ଷିଣା ପବନ ହଁ... ସେଇଆ ବୋଧେ। ଫୁଙ୍ଗୁଳା ଦେହଟାକୁ ସମ୍ପୂର୍ଣ୍ଣ ଥରେଇ ଦଉ ଥାଏ। ପିନ୍ଧିଥିବା ଖୋର୍ଦ୍ଧା ଗାମୁଛାକୁ ଆଉଥରେ ଟାଇଟ୍ କରି ଭିଡ଼ି ଦେଲି, କାରଣ ଭରଷା ନାହିଁ ନା ।କେହି ଜଣେ ବି ଦେଖାଯାଉ ନାହାଁନ୍ତି। ଗୋଟେ ଫ୍ଲୋର୍ ରେ ପାଖା ପାଖି ବତିଶିଟା ରୁମ୍ । ହେଲେ ଜଣଙ୍କ ରୁମ୍ ରୁ ବି ଶୋର୍ ଶବ୍ଦ ଶୁଭୁନି। ବାଲକୋନିର ଷ୍ଟିଲ୍ ରେଲିଂ କୁ ଧରି ତଳକୁ ଅନେଇ ଦେଖେ ତ... ବୁଲା କୁକୁରଟେ ଜାକିଜୁକି ହୋଇ ତା ଛୁଆଙ୍କ ସାଙ୍ଗରେ ଶୋଇଚି। ହସି ଦେଲି।
କୋହଲା ପାଗ ସାଙ୍ଗକୁ ଦକ୍ଷିଣା ପବନ, ରୁମ ମୂଳ ଟାଙ୍କୁରେଇ ଦଉଥାଏ । ନା ... ଆଉ ଠିଆ ହେଇ ହବନି। ଚାଲି ଆସିଲି ପୁଣି ରୁମ୍ ଭିତରକୁ । ଏକ ଅଜବ ଅନୁଭବ ଅନୁଭୂତ ହେଲା। ଲାଇଟ୍ ଲଗେଇ ପୁଣି ଥରେ ରୁମ୍ ଚାରିଆଡ଼େ ଚାହିଁଲି।
ନା.... ଇଏ ତ ମୋ ରୁମ୍ ନୁହଁ। ହଁ ରୁମ୍ ଚିହ୍ନା ଚିହ୍ନା ଲାଗୁଛି ସତ ଆଉ ଜିନିଷ ଗୁଡା ବି ମୋର ହେଲେ ଇଏତ ମୋର ସେଇ ସେଣ୍ଟ୍ରାଲ ୟୁନିଭର୍ସିଟି ର ରୁମ୍ ନମ୍ୱର୍ ଏ-୩୩୦ ନୁହେଁ। ଘଣ୍ଟାକୁ ଚାହିଁ ଦେଖେ ତ ସକାଳ ୧୦ ଟା ୧୩। କଣ ଏତେ ଶୀଘ୍ର ଦଶଟା ବାଜି ଗଲା? ମୁଁ କ୍ଲାସ୍ କରିବାକୁ ଯିବିନି କି? ଯାଏଁ ଆଇ କାର୍ଡ ଟା ବ୍ୟାଗ୍ ରେ ରଖେଁ। ଏତିକି କହି ଥାକ ଉପରୁ କାର୍ଡ ଆଣି ଦେଖେ ତ ସେଇଟା ୟୁନିଭର୍ସିଟିର ନୁହେଁ... ଈ ଟିଭି ଭାରତର ଆଇ ଡି କାର୍ଡ । ଆଉ ବ୍ୟସ୍ତ ହେଲିନି କି ଆଉ ୟୁନିଭର୍ସିଟି ଯିବା ପାଇଁ ତରତର ହେଲିନି, କାରଣ ମୁଁ ଜାଣି ସାରି ଥିଲି ଯେ ମୁଁ ମୋ ଅତୀତକୁ ସ୍ବପ୍ନ ଆକାର ରେ ଦେଖୁ ଥିଲି।
ହଁ.... ଆଜି ଜୁଲାଇ ୨୧ ୨୦୨୦। ଠିକ୍ ତିନି ବର୍ଷ ତଳେ ଏଇ ଦିନ ଏମିତି ଏକ ସପ୍ନ ନୁହେଁ ସତସତିକା ସ୍ବପ୍ନ ମୁଁ ଦେଖିଥିଲି କୋରାପୁଟରେ। ମୋ କୋରାପୁଟରେ।