Parameswar Ojha

Abstract Thriller

0.6  

Parameswar Ojha

Abstract Thriller

ଅପହଞ୍ଚ ସ୍ବପ୍ନ

ଅପହଞ୍ଚ ସ୍ବପ୍ନ

9 mins
241


ତେବେ ତା ସବୁ ତାକୁ କ'ଣ ଠକି ଦେଇଛନ୍ତି ? !

ନା ମ ତା ସବୁ ଏମିତି ନୁହେଁ ତା ଭାବନା ସଂପୂର୍ଣ୍ଣ ଭୁଲ୍ ।

ହୋଟେଲ୍ ମ୍ୟାନେଜରକୁ ପଚାରିଲା । ସେ କହିଲେ - ସାର୍ କାଲି ରାତି ବାରଟାରୁ କୁଆଡେ ଯାଇଛନ୍ତି ଏ ପର୍ଯ୍ୟନ୍ତ ଫେରି ନାହାନ୍ତି ।

ଫୋନ୍ ବି ଲାଗୁନି , କୋଡ଼ିଏ ଥର ଲଗେଇ ସାରିଲାଣି । ଏଥର ଭାଙ୍ଗି ପଡ଼ିଲା ସମୃଦ୍ଧି । ତାକୁ ଅଣାୟତ୍ତ ପରି ଲାଗିଲା ପରିସ୍ଥିତି । କ'ଣ କରିବ କଣ ନ କରିବ ଭାବୁ ଭାବୁ ।

ଅପେକ୍ଷା କଲା ରାତି ପର୍ୟ୍ୟନ୍ତ ସବୁର ଦେଖା ନଥିଲା । ରାତି ପାହି ସକାଳ ହେଲା । ଏଥର ସମୃଦ୍ଧି କୁ ସବୁକିଛି ଅନ୍ଧାର ଦେଖାଗଲା । ସେ ବହୁତ କିଛି ବୁଝି ସାରିଥିଲା । ସେ ସଭିଙ୍କୁ ପଛରେ ଛାଡି ଯାହାକୁ ଭରଷା କରି ତା ହାତ ସବୁ ଦିନ ପାଇଁ ଧରିଥିଲା ସେ ମଣିଷ ତାକୁ ଧୋକା ଦେଇଛି ।

ସମୃଦ୍ଧି ଡେରି ନକରି ଏଥର ଥାନା ମୁହାଁ ହେଲା । ଭାଗ୍ୟ ଭଲ ତା ଭ୍ୟାନିଟି ଚୋରା ପକେଟ୍ ରେ ୫୦୦ ଟଙ୍କା ରଖି ଦେଇଥିଲା ସେ । ନହେଲେ ଅଟୋ ଭଡ଼ା ଦେବାକୁ ବି ତା ପାଖରେ ପଇସା ନଥାନ୍ତା ।

ହୋଟେଲ ରୁ ବାହାରିଲା ବେଳକୁ ମ୍ୟାନେଜର ଅଟକାଇଲେ । ପଇସା ବାକି ଅଛି ଦୁଇ ଦିନର । ପଇସା ୨୦୦୦ ଦିଅ ତାପରେ ଯିବ । 

ସମୃଦ୍ଧି କାନ୍ଦି ପକାଇଲା , ଆଉ କିଛି ଉପାୟ ନଥିଲା ତା ପାଖେ କାନ୍ଦି କାନ୍ଦି ସବୁ ସତ କଥା କହିଲା ମ୍ୟାନେଜରକୁ । ମ୍ୟାନେଜର ଟି ଭଲ ଲୋକ ଥିଲେ ସମୃଦ୍ଧି କୁ ଯିବାକୁ ଦେଲେ ।

କହିଲେ - ଏମିତି ହଠାତ୍ ନିଷ୍ପତ୍ତି ନେବାଟା ତମର ଠିକ୍ ହେଲାନି । 

ଅଧ କିଲୋମିଟର ପରେ ଅଟୋ ଧରିଲା ସମୃଦ୍ଧି ।

- " ଚାଲ ପୋଲିସ ଷ୍ଟେସନ । "

ଅଟୋ ଗଡିଲା ।

ଅଟୋ ରେ ବସିବା ସହିତ ସମୃଦ୍ଧି ର ଆଖି ଖୋଜି ବୁଲୁଥିଲା ତାକୁ କାଳେ କୋଉଠି ଦେଖା ହୋଇଯିବ ସବୁ । କିନ୍ତୁ ନା ଦୁର ଦୁର ଯାଏ ତାର କିଛି ବି ଚିହ୍ନ ବର୍ଣ୍ଣ ନଥିଲା । ସମୃଦ୍ଧି ର ହାତ ମୁଠା ଶକ୍ତ ହୋଇ ଯାଉଥିଲା ଆପେ ଆପେ । ଇଛା ହେଉଥିଲା ଯଦି ସାମ୍ନାରେ ମିଳନ୍ତା ସେ ଲୋକଟା ଏବେ ତା ଦୁଇ ଗାଲରେ ଦୁଇ ଥାପଡ୍ ବସେଇ କଲର ଧରି ଘୋଷାଡି ଘୋଷାଡି ନେଇଯାନ୍ତା ଥାନାକୁ । ଲୋକ ଙ୍କ ସାମ୍ନାରେ ତାକୁ ବେଜିତ୍ କରି ତାର ଅସଲ ମୁଖା ଖୋଲି ଦିଅନ୍ତା ।

ଛି ... ଘୃଣା ଆସୁଥିଲା ନିଜ ଉପରେ । ଏଇ କେଇଟା ଦିନ ଭିତରେ ଲୋକଟାକୁ ଏତେ ଭରଷା କରି ଦେଇଥିଲା ଯେ ନିଜକୁ ରୋକି ପାରିଲାନି ମୋଟେ । କି ଅବିଶ୍ବାସ ର ଅଣୁ ଟିଏ ବି ନଥିଲା ତା ମନରେ ସର୍ବତ୍ର ପାଇଁ । କିନ୍ତୁ ସେ ନିରୁପାୟ , ଖାଲି ତା ଭିତର ଟା ହାହାକାର କରିବା ବ୍ୟତୀତ ଆଉ କିଛି ସେ କରିପାରୁ ନଥିଲା । ଧସେଇ ପସି ଆସିଲା ମନକୁ ତା ସହିତ ବିତେଇ ଥିବା ଦିନ ଆଉ ମୁହୂର୍ତ୍ତ ଗୁଡା ।

ମେସେଜ , ହ୍ବାଟସପ ଚାଟିଙ୍ଗ୍ , ଘଣ୍ଟା ଘଣ୍ଟା ଗପ ସପ ...

ଏଇ କାଲିତ ସଂଧ୍ୟା ରେ ଏମିତି ଦୁହେଁ ଗୋଟିଏ ଅଟୋରେ ହାତ ଧରା ଧରି ହୋଇ ବସି ବୁଲୁଥିଲେ ଏ ମାର୍କେଟ ସାରା ।

କେତେ ମିଠା ମିଠା କଥା ନୂଆ ଭରଷା , ପ୍ରେମ .. ତା ସହ ମିଶି ସବୁକିଛି ପାଇଗଲା ପରି ଲାଗୁଥିଲା ତାକୁ , ହେଲେ । 

***

ନାରୀ ମାୟା ବଢ଼ି ପାଣି ।

ବାଃ ... କିଏ ଲେଖିଥିଲେ ଏହି କଥାଟି କେଜାଣି ? 

ସେତେବେଳେ କ'ଣ ପୁରୁଷ ଚରିତ୍ର ଟି ତାଙ୍କ ଆଖି କୁ ଦେଖା ଗଲାନି କି ? ଯଦି ପୁରୁଷ ଚରିତ୍ର ଟିକୁ ଠିକ୍ ସେ ସମୀକ୍ଷା କରି କଥା ଟା ଲେଖିଥାନ୍ତେ ତେବେ ନାରୀ ମାୟା ପରି ପୁରୁଷ ମାୟା ବି କୋଉ ସୁନାମି ଠାରୁ କମ୍ ନୁହେଁ ଏଥିରେ ସେ ଏକମତ ହୋଇଥାନ୍ତେ ।

ସର୍ବତ୍ର ପଟ୍ଟନାୟକ । 

ପ୍ରଥମ ବନ୍ଧୁତା ଅନୁରୋଧ ସହିତ ମେସେଞ୍ଜର ରେ ଯେତେବେଳେ ପ୍ରଣାମ ଜଣେଇଲେ ସେତେ ବେଳେ ସେ ଜଣେ ଭଦ୍ର ନମ୍ର ଶାନ୍ତଶିଷ୍ଟ ମଣିଷ ବୋଲି ସମୃଦ୍ଧି ଅନୁମାନ କରିଥିଲା । ସେଥିପାଇଁ ଫେସବୁକ ରେ ତାଙ୍କୁ ବନ୍ଧୁ କରିଥିଲା । ଚେହେରା ବି ଖୁବ୍ ନିରୀହ ଲାଗୁଥିଲା ପ୍ରୋଫାଇଲ୍ ରେ । 

ଧିରେ ଧିରେ ସଂପର୍କ ଆଗକୁ ବଢିଲା । ଗୋଟେ ମଣିଷ ର ମନକୁ ଜିତିବାକୁ ଆଉ ତାକୁ ଆପଣାର କରିବାକୁ ବେଶି ସମୟ ଲାଗେନି । କେବଳ ତା ମୁତାବକ ତା ମନକୁ ବୁଝି ନିଜକୁ ଉପସ୍ଥାପିତ କରି ପାରିଲେ ହେଲା । ଆଉ ଏଇ କାଇଦା ସର୍ବତ୍ର ପଟ୍ଟନାୟକ ଙ୍କୁ ବେଶ୍ ଭଲ ଭାବେ ଜଣାଥିଲା ।

ସମୃଦ୍ଧି ଥିଲା ସନ୍ଦେହ ର ଗନ୍ତାଘର ଟିଏ ଏତେ ସହଜରେ , କାହାକୁ ବିଶ୍ବାସ କରୁନଥିଲା । ଏତେ ଶିଘ୍ର କାହାକୁ ଭରସି ପାରୁନଥିଲା ହେଲେ ସର୍ବତ୍ର ପାଖରେ ସେ ହାରିଗଲା । ତାର ବିଶ୍ବସ୍ଥ ପ୍ରିୟ ମଣିଷ ଟେ ହେବାକୁ କ'ଣ କ'ଣ ସେ କରିଛି ତା'ର ହିସାବ ନାହିଁ । 

ତାର ଆଧାର କାର୍ଡ , ପରିବାର ଫଟୋ , ଘର ଗାଡି ସବୁ ଦେଖାଇଛି ଭିଡିଓ କଲିଙ୍ଗ ରେ । ଏମିତି କି ଅସୁବିଧା ବେଳେ କିଛି ଟଙ୍କା ବି ପଠାଇଛି ଆକାଉଣ୍ଟ ରେ ମୋବାଇଲ ରିଚାର୍ଜ ବି କରିଛି ବାରମ୍ବାର ନ କହିବା ସତ୍ୱେ । କେତେବେଳେ ଅନ୍ଲାଇନ କାର୍ ବୁକିଂ କରି ମାର୍କେଟ ଯିବା ପାଇଁ ପଠାଇଛି ଆଉ କେତେବେଳେ ସିନେମା ଯିବା ପାଇଁ । 

ବୋଧେ ବେଶ୍ ଭଲ ଭାବେ ତାଙ୍କୁ ଜଣାଥିଲା ଯେ ବଡ ମାଛ ପାଇବାକୁ ହେଲେ ଛୋଟ ମାଛ କୁ ଥୋପ କରି ବ୍ୟବହାର କରିବାକୁ ହୁଏ ।

ସମୃଦ୍ଧି ପୁରାପୁରି ତା ଅକ୍ତିଆର କୁ ଆସିଯିବା ପରେ ସର୍ବତ୍ର ତାକୁ ସିଧାସଳଖ ବିବାହ ପ୍ରସ୍ତାବ ଦେଇଥିଲା । 

ସେ ବିଧବା ଟେ ଜାଣି ମଧ୍ୟ । ହଁ ତାର ସ୍ବାମୀ ମରିବା ର ୩ବର୍ଷ ହୋଇଗଲାଣି। ଅଭିଷେକ ବେସରକାରୀ କମ୍ପାନୀ ଜବ୍ ଟେ କରୁଥିଲେ । ହଠାତ୍ ଦିନେ ଖବର ଆସିଲା ଉଚ୍ଚା ଯାଗାରୁ ଖସିପଡିବାରୁ ଅଭିଷେକ ଙ୍କ ମୁଣ୍ଡ ରେ ଶକ୍ତ ଆଘାତ ଲାଗିଛି । ମାସେ ଡାକ୍ତରଖାନାରେ ଚିକିତ୍ସିତ ପରେ ଅଭିଷେକ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଥାନା କଚେରୀ ଦୌଡ଼ି ଦୌଡ଼ି କିଛି ଲାଭ ହେଲାନି । ଟଙ୍କା ପଚାଶ ହଜାର ଦେଇ କେସ୍ କୁ ଦବେଇ ଦିଆଗଲା । ଏକେଲା ସ୍ତ୍ରୀ ଲୋକ ଆଉ କେତେ ପାରିଥାନ୍ତା ?

ସର୍ବତ୍ର ତା ଜୀବନରେ ଆସିବା ବର୍ଷେ ହୋଇଯିବ 

ଠିକ୍ ଏକେଲା ବେସାହାରା ବେଳେ ତା ଜୀବନରେ ସର୍ବତ୍ର ଙ୍କ ପ୍ରବେଶ ତାକୁ ନୂତନ ଆଶାର ଆଲୋକ ପରି ପରିଷ୍କାର ଦିଶୁଥିଲା । ବାସ୍ ସେ ସର୍ବତ୍ର ସାଥିରେ ବଢିଥିଲା ଆଗକୁ ଆଗକୁ । ପ୍ରିୟ ଆପଣାର ମଣିଷ ଟେ ହୋଇ ଯାଇଥିଲା ଯେଣୁ ସେ ତାଙ୍କୁ ସ୍ନେହ ରେ ସବୁ ବୋଲି ଡାକୁଥିଲା । 

ବିବାହ ପାଇଁ ସେ ପ୍ରଥମେ ଅମଙ୍ଗ ହେଉଥିଲା କିନ୍ତୁ ତା'ର ଦରଦୀ କଣ୍ଠରେ ଭାରି ଭାରି କଥା ସୁଣି ପରେ ରାଜି ହୋଇ ଯାଇଥିଲା ।

ପଚାରିଥିଲା - ତମେ ଚାକିରି କରିଛ ମୋତେ କାଇଁ ବାହା ହେବ ? ଗୋଟେ ଭଲ ଝିଅ କୁ ନ ବାହା ହୋଇ ?

ସେ ଉତ୍ତର ଦେଇଥିଲା - କେବଳ ଭଲ ଝିଅକୁ ବାହାହେବା ଅପେକ୍ଷା , ଜଣେ ଭଲ ଏବଂ ସାହାରା ଖୋଜୁଥିବା ମଣିଷ କୁ ବାହାହେବା ବହୁତ ଭଲ । ଈଶ୍ଵର ପ୍ରସନ୍ନ ହେବେ । "

ଆଉ କିଛି ଉତ୍ତର ନଥିଲା ସମୃଦ୍ଧି ପାଖରେ । କଥା ଗୁଡିକ ଏମିତି କହୁଥିଲା ସେ ମଣିଷ କୁ ବଶ କରିଦେଉଥିଲା ସଂପୂର୍ଣ୍ଣ ଭାବେ ।

କୋଉଠି କେତେ ବେଳେ ପହଞ୍ଚି ବାକୁ ହେବ ପଚାରିଲା ତାକୁ ସମୃଦ୍ଧି ।

ସମୃଦ୍ଧି ତା ଘର ଠୁ ଟିକେ ଦୁର ବସ୍ ଷ୍ଟପ୍ ରେ ଛିଡା ହୋଇଥିବ ସେ କାର୍ ଆଣି ଆସିବ । ହଁ ସେମିତି ହିଁ ହେଲା । ଆସିଲା ସେ ପଛ ପଟ ସିଟ୍ ରେ ବସିଥିଲା , କାର୍ ଡ଼୍ରାଇଭର ଚଳଉଥିଲା । ସତରେ ସମୃଦ୍ଧି ତାକୁ ଦେଖୁ ଦେଖୁ ମୋହିତ ହୋଇଗଲା । ଭିଡିଓ କଲିଂ ରେ ଦେଖିଥିଲା ତାକୁ କିନ୍ତୁ  ସାମ୍ନା ରୁ ଦେଖିଲା ସେ ବହୁତ ସୁନ୍ଦର ଆଉ ହ୍ୟାଣ୍ଡସମ ଲାଗୁଥିଲା ।

କାର୍ ଖୋଲି ଦେଇ କହିଲା - ବସ ,

ସମୃଦ୍ଧି ତା ସୁଟକେଶ କୁ ତା ହାତକୁ ବଢ଼େଇ ଦେଲା ପରେ ବସିଲା ତାଙ୍କ ପାଖେ । କାର୍ ଯାଇ ଲାଗିଲା ହୋଟେଲ୍ ଅମ୍ରିତାଂଶୁ ସାମ୍ନାରେ ।

ହୋଟେଲ୍ ସାମ୍ନା ରେ ପହଞ୍ଚୁ ପହଞ୍ଚୁ ସମୃଦ୍ଧି ପଚାରିଲା - ଏଠି କ'ଣ ? ଆମେ ଘରକୁ ଯିବାନି କି ? 

ସର୍ବତ୍ର ଅତି ଚାଲାଖିରେ ଉତ୍ତର ଦେଇଥିଲା - ' କଥାଟା ବାବାଙ୍କୁ ଜଣେଇନି ଏବେ ହଠାତ୍ ଜଣେଇଲେ ସାଙ୍ଗେ ସାଙ୍ଗେ ଘରୁ ବାହାର କରିଦେବେ ନହେଲେ ଅଲଗା କରିଦେବେ ମୋତେ । ତମେ ତ ଜାଣ ମୋ ବାବା କେତେ ରାଗି ? '

ସମୃଦ୍ଧି ଆଶ୍ଚର୍ଯ୍ୟ ହୋଇ ପଚାରିଲା 

- ' ହେଲେ ତୁମେ ତ କହୁଥିଲ , ବାବା ମାମା ଦୁହେଁ ରାଜି ଅଛନ୍ତି ବୋଲି ? '

ବହୁତ ଆଗରୁ କଣ୍ଠସ୍ଥ କରିଥିବା କଥାକୁ ସୁଣେଇଲା  

- ' ଆରେ ସରି ସରି ଆଁ , ମୁଁ ତମକୁ ଏଇ କଥାଟା ହିଁ କେବଳ ମିଛ କହିଥିଲି । ମୁଁ ରହି ପାରିନଥାନ୍ତି ମୁହୂର୍ତ୍ତେ ତୁମ ବିନା ସେଥିପାଇଁ । 

କିଛି ସମୟ ଚୁପ୍ ରହି ଅସନ୍ତୋଷ ମୁହଁ କରି ପୁଣି କହିଲା 

' ହଉ ଛାଡ଼ ତମେ ଯଦି ମୋତେ ଅବିଶ୍ବାସ କରୁଛ । ଆମ ଘରର ବୋହୂ ବଦଳରେ କେବଳ ମୋ ସ୍ତ୍ରୀ ହୋଇ ରହିବାକୁ ଚାହୁଁଛ ତେବେ ଏବେ ଚାଲ । ତମ ଖୁସି ପାଇଁ ମୁଁ ସବୁଥିରେ ରାଜି । ' 

ସମୃଦ୍ଧି ସର୍ବତ୍ର ର ହାତ ଧରି କହିଥିଲା - ' ଯଦି ଅବିଶ୍ବାସ ତମ ପ୍ରତି ଥାନ୍ତା ତେବେ ସବୁ ପଛରେ ଛାଡି ତମ ସାଥିରେ ଆସିନଥାନ୍ତି । '

ତାପରେ ସର୍ବତ୍ର ସମୃଦ୍ଧି କାନ୍ଧରେ ହାତ ପକାଇ ଛାତି ପାଖକୁ ଭିଡ଼ି ଆଣି କହିଲା

- ' ମୋ ପ୍ରିୟ ସ୍ତ୍ରୀ ଶୁଣ , ମାମାକୁ କଥାଟା କହିଛି ସେ ଖାଲି ବାବା ଙ୍କୁ ବୁଝେଇ ଦିଅନ୍ତୁ ତାପରେ ଆମେ ଚାଲିଯିବା ଆମ ଘରକୁ , ଉଁ ? ' 

ଠିକ୍ ଅଛି କହି ସମୃଦ୍ଧି ଟିକେ ସ୍ଥିର ହୋଇଥିଲା ।

ତାପରେ ଦୁହେଁ ହୋଟେଲ ରୁମ୍ ୪୦୨ କୁ ଗଲେ । ଟିକେ ଗାଧୋଇ ଫ୍ରେସ୍ ହେଲା ପରେ ମଗାଇଥିବା ଚିଙ୍ଗୁଡ଼ି ନାନ୍ ଖାଇ ଖଟରେ ଗଡୁଥିଲେ ।

ପଚାରିଲା ସମ୍ଭୃଦ୍ଧି - ' ସବୁ ଆମେ ବାହାହେବା କୋଉଦିନ ? '

ସର୍ବତ୍ର ସମ୍ଭୃଦ୍ଧି ଗାଲ ରେ ଗୋଟେ ଚୁମା ଟେ ଦେଇ କହିଲା

- ' ବାହା ନହେଲେ ମୋ ସ୍ତ୍ରୀ ର‌ ମନ ମାନିବନି ଲାଗୁଛି , ଠିକ୍ ଅଛି । କାଲି ଚାଲ ବାହା ହୋଇ ପଡିବା । କ'ଣ ଏଥର ଖୁସି ତ ? ' 

ସାଙ୍ଗେ ସାଙ୍ଗେ ସମୃଦ୍ଧି ସର୍ବତ୍ର ଉପରେ ଲୋଟି ପଡ଼ିଥିଲା । ତାକୁ ଲାଗୁଥିଲା ବହୁତ କିଛି କୁ ଛାଡି ଆସିଲି ସତ ହେଲେ ଏଠି ସବୁକିଛି ପାଇ ଯାଇଛି ।

ସତ କୁ ସତ ତା ପରଦିନ ଦୁହେଁ ଯାଇ ବାହା ହୋଇଥିଲେ। ହେଲେ କୋର୍ଟରେ ନୁହେଁ ମନ୍ଦିରରେ ।

ସମୃଦ୍ଧି ପଚାରିଲା - କୋର୍ଟରେ କାହିଁକି ନୁହେଁ ?

ସର୍ବତ୍ର ସଫେଇ ଦେଇଥିଲା - ମୁଁ ଯୋଉ ଚିହ୍ନା ଓକିଲ ସହ କଥା ହୋଇଥିଲି ସେ କିଛି ଦିନ ଛୁଟି ରେ ଅଛି । ସେ ଆସିଯାଉ ତାପରେ କୋର୍ଟରେ ଆଉଥରେ ବାହା ହୋଇଯିବା । କୋର୍ଟ କଚେରୀ କାଗଜ ପତ୍ର କଥା କୋଉଠି ଯଦି ଭୁଲ୍ ଭଟକା ହେବ ପରେ ଅସୁବିଧା । ବୁଝିଲତ ? ' 

ସମୃଦ୍ଧି ଭଳି ଯାଇଥିଲା । ହନୁମାନଙ୍କୁ ସାକ୍ଷୀ ରଖି ଉଭୟେ ବରଣ ମାଳା ପିନ୍ଧି ଥିଲେ । ଆଉ ଦ୍ବିତୀୟ ଥର ପାଇଁ ସମୃଦ୍ଧି ପିନ୍ଧିଲା ସିନ୍ଦୂର । ପ୍ରଥମ ଥିଲା ଅଭିଷେକ ନାଁ ରେ ଦ୍ବିତୀୟ ଟି ସର୍ବତ୍ର ଙ୍କ ନାଁ ରେ ଭରିଥିଲା ସିନ୍ଥି । ତଥାପି ସେ ଖୁସି ଥିଲା । ଭାବିଥିଲା ସ୍ବାମୀ ଙ୍କ ମୃତ୍ୟୁ ପରେ ତା ଜୀବନଟା ଦୂର୍ବିସହ ହୋଇଯିବ । ବିଧବା ର ପରିଚୟ ରେ ତମାମ ଜୀବନ କୁ ବେସାହାରା ରେ ଖାଣ୍ଟି ଚକଟି ସାରିବ। ହେଲେ ଇଶ୍ବର ସେଇ ଜୀବନକୁ ମଧୁମୟ ସୁଖମୟ କରିବାକୁ ଦେବତୂଲ୍ୟ ମଣିଷ ଟି ସହ ତାର ସଂପର୍କ ଯୋଡ଼ି ଦେଲେ ।

 ତାର ଦେହ ମନ ପ୍ରାଣ ସବୁକିଛି ଅର୍ପଣ କରି ଦେଇଥିଲା ସର୍ବତ୍ର ପାଖେ ।

କିନ୍ତୁ ସେ ଆପଣାର ଆତ୍ମୀୟ ଲାଗୁଥିବା ଲୋକଟା ଯେ କୃତଘ୍ନ ସାଜିବ ସେ କଥା କିଏ ଜାଣିଥିଲା ?

ତିନି ଦିନ ପରର ଘଟଣା , ସମୟ ଦିନ ଦୁଇଟା ବତିଶି ସମୃଦ୍ଧି ଯେତେବେଳେ ଆଖି ଖୋଲିଲା । ସେତେବେଳେ ତା ମୁଣ୍ଡ ଟି ଭାରି ଭାରି ଲାଗୁଥିଲା । ବିଛଣା ରୁ ଉଟିଛି ତ ନିଜକୁ ସମ୍ଭାଳି ନ ପାରି ପୁଣି ପଡ଼ିଗଲା ଆଉ ଯେତେବେଳେ ଆଇନା କୁ ଦେଖିଲା ଚମକି ପଡ଼ିଲା ସେ । ତା ବେକରେ ସୁନାର ମଙ୍ଗଳସୂତ୍ର କାନରେ ପେଣ୍ଡି ନାହିଁ । ଖାଲି ସେତିକି ନୁହେଁ ହାତର ସୁନା ପଟିର ଚୁଡ଼ି ବି ନାହିଁ । ପାଦରେ ରୂପା ପାଉଁଜି ବି ।

ସବୁ ବି କୋଉଟି ଦେଖା ଯାଉନଥିଲାପ । ଗାଧୁଆଘର ସାମ୍ନା ରେ କବାଟ ଠକ୍ ଠକ୍ କରି ଡାକିଲା । କିନ୍ତୁ କିଛି ଆବାଜ୍ ଆସିଲାନି । ପ୍ରକୃତରେ ଗାଧୁଆ ଘର ବାହାର ପଟୁ ବନ୍ଦ ଥିଲା । ସେ ଚମକି ପଡ଼ିଲା , ନିଜ ବ୍ୟାଗ୍ ଚେକ୍ କଲା ତା ଭ୍ୟାନିଟି ରେ ଥିବା ଦଶ ହଜାର ଟଙ୍କା । ଆଉ ଏଟିଏମ୍ କାର୍ଡ ବି ଗାୟବ ଥିଲା । ହୋଟେଲ ସାରା ଯେତେ ଯୁଆଡେ ଖୋଜିଲା ସବୁ ତାଙ୍କୁ କୋଉଠି ମିଳିଲେନି ।

***

ଅଟୋ ଟି ଥାନା ସାମ୍ନାରେ ପହଞ୍ଚି ସାରିଥିଲା । ସମ୍ଭୃଦ୍ଧି ଯେତେବେଳେ ଥାନାରେ ତା ଅଭିଯୋଗ ପତ୍ର ଦାଖଲ କଲା । 

ସେତେବେଳେ ସର୍ବତ୍ର ର ଫଟୋ ଦେଖି ଥାନା ର ଭାରାପ୍ରାପ୍ତ ଅଧିକାରୀ କହିଲେ - " ଇଏତ ଗୋଟେ ଠକ , ହାରାମି , ପକ୍କା ବଦମାସ୍ ଲୋକଟା । ଖାଲି ତମେ ନୁହେଁ ବହୁତ ମହିଳା ଫଶିଛନ୍ତି ୟାରି ଜାଲରେ ।

କଳାହାଣ୍ଡି , ଖୋର୍ଦ୍ଧା , ପୁରୀ , ରାଉଲକେଲା , କେନ୍ଦ୍ରାପଡ଼ା , ଢେଙ୍କାନାଳ, ଅନୁଗୁଳ ଏହି ସବୁ ଜିଲାରେ ୟାର ନାଁ ରେ ଅଭିଯୋଗ ଅଛି । ଖୋଜା ଚାଲିଛି ଏଇ ଆସାମୀ କୁ ଅତି ଚତୁରତା ସହ ନିଜ ବେଶ ପୋଷାକ ରେ ପରିବର୍ତ୍ତନ କରି ନାମ ଠିକଣା ବଦଳ କରି ରହୁଛି ।

କେତେବେଳେ ଫ୍ରେଞ୍ଚ୍ କଟ୍ ଦାଢ଼ି ରଖୁଛି ତ କେତେବେଳେ ମୁହଁ ଭର୍ତ୍ତି ଦାଢୀ  ଆଉ କେତେବେଳେ ନିଶ ଦାଢୀ କାଟି ଦେଇ ଲଣ୍ଡା ବି ହୋଇ ଯାଏ ନିଜକୁ ଗୋପନ ରଖିବାକୁ । ଏବେ ଏକା ବାପା ମା କେହି ନାହାନ୍ତି ।

ଅସଲି ନାଁ ସମରେଶ ମାନଧାତା । ଜନ୍ମସ୍ଥାନ ରାଞ୍ଚି , ତା ବିଷୟରେ ଅନୁସନ୍ଧାନ ପରେ ଆମେ ଜାଣିବାକୁ ପାଇଲୁ ଯେ ବହୁତ ବଦ୍ ଖର୍ଚ୍ଚି ଟେ ସେ । ନାମିଦାମୀ କମ୍ପାନୀ ର ଶାର୍ଟ୍ ପ୍ୟାଣ୍ଟ୍ ଯୋତା ଚଷମା ....ପିନ୍ଧିବା ସପ୍ତାହକୁ ଥରେ ପାର୍ଲର ରେ ପାଁସ /ହଜାରେ ଖର୍ଚ୍ଚ କରିବା । ପ୍ରତିଦିନ ଶାର୍ଟ୍ ପ୍ୟାଣ୍ଟ୍ ପିନ୍ଧିବା‌ ପୂର୍ବରୁ ଆଇରନ୍ କରିବା । ଦେଢ ଲକ୍ଷ ର ବାଇକ୍ ଚଢିବା , ଆଇଫୋନ୍ ଆଉ ଲ୍ୟାପଟପ୍ ଧରି ବୁଲିବା ... ପାଖରେ ପଇସା , ଯୋଗ୍ୟତା ଥାଉ କି ନ ଥାଉ ସେଥିପ୍ରତି ତାର କିଛି ପରବାଏ ନଥାଏ ।

ସିଏ ଗୋଟେ ଏମିତି ଅମଣିଷ ଥିଲା , ନିଜ ବାପା ମା ପଛେ ପଖାଳ ଶାଗ ଖାଉଥାନ୍ତୁ ସିଏ କିନ୍ତୁ ରୁଟି ଚିଙ୍ଗୁଡ଼ି , ମଟନ୍ ଭାତ ଖାଇବ । ଏମିତି ସେଠପତୀ ପୁଅ ପରି ନଖାଇଲେ ନଚଳିଲେ ତାର ହେଉନଥିଲା । ହେଲେ ସେଥିପାଇଁ ମାର ଚୁଡ଼ି ବିକିବାକୁ ପଡୁ କି ବାପାଙ୍କ ପକେଟରୁ ପ୍ରତିଦିନ ଚୋରି କରିବାକୁ , କୋଉଥିରେ ସେ ପଛାଉନଥିଲା  କି ତା ଉପରେ କିଛି ଫରକ୍ ପଡୁନଥିଲା । 

ବାପା ମା'ଙ୍କ ଅନ୍ତେ ସେମାନେ ଛାଡ଼ି ଯାଇଥିବା ସମ୍ପତ୍ତିକୁ ଏମିତି ଅବାଟରେ ଖର୍ଚ୍ଚ କରି ଉଡେଇ ଦେଲା ପରେ । ମୁଣ୍ଡରେ ଖଳ ପ୍ରକୃତିର ମନ୍ଦ ଉଦ୍ଦେଶ୍ୟ ଟେ ଢୁକିଲା । ଖାଲି ତମେ ନୁହଁ ସେ ଯାହାକୁ ଫସେଇଛି ସମସ୍ତେ ଜଣେ ଜଣେ ବିଧବା , ଅନ୍ୟର ମାନସିକତା କୁ ନେଇ ବେଶ୍ ଭଲ ଭାବରେ ସେମାନଙ୍କ ଭାବନା ସହ ଖେଳି ପାରୁଥିଲା ଲୋକଟା । କେବଳ ବିଧବା ମାନଙ୍କୁ ହିଁ ପସଉଥିଲା ତା ଜାଲରେ ‌ । ବୋଧେ ସ୍ବାମୀ ଛାଡି ଯାଇଥିବା ଧନ ସମ୍ପତ୍ତିର ଭରପୁର ଫାଇଦା ଉଠେଇବା ପାଇଁ । ସବୁ ସରଳ ନିରୀହା ମହିଳା ମାନେ ହିଁ ଏ ଭଳି ଠକ କୁ ଭରଷା କରି ତା ଜାଲରେ ଫସି ଯାଇଛନ୍ତି । ଯେମିତି ତୁମେ ଫସିଗଲ ।" 

ପୋଲିସ୍ ଅଧିକାରୀ ଏତିକି କହୁ କହୁ ଦି କପେ ଚା' ପିଇ ସାରିଥିଲେ । ସମୃଦ୍ଧି ଆବାକାବା ହୋଇ ପୋଲିସ ଅଧିକାରୀ ଙ୍କ ମୁହଁ କୁ ଚାହିଁଥିଲା । ଆଉ ଗୋଟେ ଦୀର୍ଘ ଶ୍ବାସଟେ ତା ଛାତି ଟାକୁ ଦୋହଲେଇ ଦେଇ ବାହାରକୁ ଚାଲି ଆସିଥିଲା । 

ଥାନାଧିକାରୀ ସିନା ଗୋଟିଏ ଧୋକାବାଜ୍ କଥା କହୁଥିଲେ ହେଲେ ସମ୍ଭୃଦ୍ଧିର ଭରଷା ସବୁ ପୁରୁଷଙ୍କ ଉପରୁ ଉଠି ସାରିଥିଲା ।


_____________୦୦୦___________

✍️ ପରମେଶ୍ବର ଓଝା

ମହାକାଳପଡ଼ା

କେନ୍ଦ୍ରାପଡ଼ା

ମେଲ୍-- ojhaparameswar@gmail.com

ମୋ -- ୬୩୫୫୧୩୩୩୦୧


Rate this content
Log in

Similar oriya story from Abstract