Er.Siddhartha Sankar Tripathy

Abstract Romance Inspirational

4.2  

Er.Siddhartha Sankar Tripathy

Abstract Romance Inspirational

ଅପଦେବତାର ଅଭିଶାପ

ଅପଦେବତାର ଅଭିଶାପ

5 mins
364



ଅଣ୍ଟା ହଲେଇ କାନ୍ଧଉପରେ ଗରାଟିଏ ଧରି ଗ୍ରାମ ନିକଟସ୍ଥ ପୁଷ୍କରିଣୀରେ ସ୍ନାନ କରିବାକୁ ଅଗ୍ରସର ହେଉଥିଲା ପ୍ରମୋଦ କନ୍ୟା ରିମା। ପାଦର ପାଉଁଜିକୁ ଟାଣ ମାଟିରେ ପିଟି ଶବ୍ଦ ତରଙ୍ଗ ସୃଷ୍ଟି କରିବା ସହ ଫେରିଫେରି ଚାହୁଁଥିଲା ପଛକୁ । ଆଜି କାଇଁ କେଉଁଠି ତା ରୂପଯୌବନର ଉତ୍ତାଳତରଙ୍ଗ ଦେଖିବାକୁ ରୁଦ୍ରଟା ନଜର ଆସୁନାହିଁ।

 ପୋଖରୀ ତୁଠ ପଥରରେ ଶୀତରେ ଫାଟସୃଷ୍ଟି ହୋଇଥିବା ପାଦର ଏଡିକୁ ଘସିବାରେ ଲାଗିଲା। ପଥରରେ ପାଉଁଜି ବାଡେଇ ହୋଇ ଅଦ୍ଭୁତ ବାଦ୍ୟଯନ୍ତ୍ରର ରାଗିଣୀର ଭ୍ରମ ସୃଷ୍ଟି କରୁଥିଲା। ରୁଦ୍ରର ଦେଖା ନାହିଁ, ବୋଧେ କେଉଁଠି ବ୍ୟସ୍ତ ଥିବ। ବୁଦ୍ଧିଜାଣିବା ଦିନରୁ ଭଲ ପାଉଛନ୍ତି ଦୁହେଁଦୁହିଙ୍କୁ। ଯୌବନର ସ୍ପର୍ଶ ପାଇଲା ଦିନଠୁ ଜଗନ୍ନାଥଙ୍କ ତୁଳସୀପତ୍ର ଖଣ୍ଡିଆ ହୋଇପାରେ କିନ୍ତୁ ରୁଦ୍ର ସହ ପୋଖରୀ ପାଖରେ ଦୁଇପଦ କଥାବାର୍ତ୍ତା କେବେ ବନ୍ଦ ନାହିଁ। ହେଲେ ଆଜି ତା'ର ବ୍ୟତିକ୍ରମ। ବ୍ୟସ୍ତ ହୋଇପଡୁଥିଲା ରିମା।

ଓଃ, ଏ ଶିତୁଆ ପବନଟା ବି ଅଭଦ୍ର

 ଲୁଗାଟା କାନ୍ଧଉପରୁ ଖସି ଆସି କୋଳରେ। ପବନର ମତୁଆଲା ଛୁଆଁ ଗ୍ରୀବାରେ ସୁନ୍ଦର ଚୁମ୍ବନ ଦେଉଛି।

ହଠାତ୍,.....

ଚମକିଉଠି ପଛକୁ ଅନେଇଲା ରିମା। ଏ....ରୁଦ୍ର......ତ...ମେ ?

ଛାଡନା, କିଏ ଦେଖିନେବ। ଏଇଟା ଆଲିଶାନ ବଙ୍ଗଳାର ଧିମା ଆଲୁଅର ବାସର ଗୃହ ନୁହେଁ, ଏଇଟା ଆମ ଗାଆଁ ମାନେ ଶେରଗଡର ପୋଖରୀ ତୁଠ । ଶାଢିକାନିଟାକୁ ଉପରକୁ ଟେକି ଅନାବୃତ ଶରୀର ଢାଙ୍କି ଢାଙ୍କି କହୁଥିଲା ରିମା। ପାଖରେ ବସିଗଲା ରୁଦ୍ର।

ରିମା କହୁଥିଲା, ଶୁଣ ରୁଦ୍ର,  ମୁଁ କ୍ରୀଡାମୟୀ ଶାନ୍ତ ସଲିଳା ନଦୀ, ଆଉ ତମେ ଅଶାନ୍ତ ସମୁଦ୍ର। ନାରୀତ୍ବ ହିଁ ମୋର ଏକମାତ୍ର ପରିଚୟ। ଆମ ବାହାଘରର ସହମତି ଉଭୟ ଘର ପକ୍ଷରୁ ହୋଇଯାଇଛି।

କିନ୍ତୁ ଏ ନଦୀ ସମୁଦ୍ରର ଅଶ୍ଳିଳତା କେବଳ ବାହାଘର ପରେ। ତା ପୁର୍ବରୁ ଏପରି ଅପଚେଷ୍ଟା କରି ନିଜକୁ ନିନ୍ଦିତ କରିବାର ପ୍ରୟାସ କେବେ ବି କରିବ ନାହିଁ। ତେବେ ହିଁ ଆମର ବୈବାହିକ ଜୀବନ ସୁଖର ଜଳକଲ୍ଲୋଳରେ ଉଦବେଳିତ ହୋଇଉଠିବ।

 ରୁଦ୍ର କହିଉଠିଲା, ଶୁଣ ରିମା ଆମ ବାହାଘର ପରେ ଭୁବନେଶ୍ବର ଚାଲିଯିବା। ସେଇଠି ସରକାରୀ ଜାଗାରେ କୁଡିଆଟିଏ କରିବା। ଖଣ୍ଡଗିରୀରେ ପଞ୍ଚତାରକା ଅଟ୍ଟାଳିକାର ନିର୍ମାଣ କାର୍ଯ୍ଯ ଚାଲିଛି। ମୁଁ କଥା ହୋଇଆସିଛି। ସେଇଠି କାମକରିବା ଓ ଆମର ସଂସାର ତରୀକୁ ଆଗକୁ ବଢେଇ ନେବା।

ରୁଦ୍ର କହୁଥିଲା, ଶୁଣ ରିମା, ସଂସାରରେ କେତେ ପୁଅ କେତେ ଝିଅଙ୍କୁ ଭେଟନ୍ତି ।ସେଥିରେ କାହାର କିଛି ଫରକ ପଡେନାହିଁ। କାହାର କିଛି ଯାଏ ଆସେ ନାହିଁ।

କିନ୍ତୁ ତମପରି ଝିଅ ଯେତେବେଳେ ମୋପରି ପୁଅକୁ ଭେଟେ, ଶେରଗଡରେ ଅଦିନିଆ ଝଡର ଆଭାସ ହୁଏ, ଗାଆଁ ଟୋକାଙ୍କ ଆଖିରେ ଈର୍ଷାର ନାଲିବତୀ ଜଳିଉଠେ। ସେହି ସୁନ୍ଦରୀ ମୋର ଅର୍ଦ୍ଧାଙ୍ଗିନୀ। ତାଠାରୁ ଅଧିକ ମୋର ଆଉ କ'ଣ ଦରକାର ?

ରିମା କହିଉଠିଲା, ହଉ ରୁଦ୍ର ତମେ ଯାଅ ବହୁତ ବିଳମ୍ବ ହେଲାଣି ମୁଁ ଗାଧୋଇ ଘରକୁ ଯିବି। ମୁଁ ଥିଲେ ତମ ସ୍ନାନରେ ବ୍ୟାଘାତ ଘଟୁଛି କି ? ପଚାରିଲା ରୁଦ୍ର। ଧେତ୍ , ତମେ ଯାଅ କହି ରୁଦ୍ରର ପେଟକୁ କହୁଣୀରେ ହାଲକା ଭାବରେ ମାରିଦେଲା ରିମା ।ହସିହସି ଆଗକୁ ବଢୁଥିଲା ରୁଦ୍ର ।

କିଛିଦିନ ପରେ.......

ବାହାହୋଇ ସହରକୁ ଚାଲିଲେ ରୁଦ୍ର ଓ ରିମା । କାମରେ ଲାଗିପଡିଲା ରୁଦ୍ର। ସୁନ୍ଦର ସଂସାର, ସୁନ୍ଦର ଜୀବନଚର୍ଯ୍ୟା । କିଛିଦିନ ବେଶ୍ ଖୁସିରେ ବିତିଗଲା।

ହଠାତ୍ ଦୂରାରୋଗ୍ଯ ବ୍ୟାଧିରେ ଆକ୍ରାନ୍ତ ହେଲା ରୁଦ୍ର। ଡାକ୍ତରଖାନାର ବେଡ୍ ନମ୍ବର ୧୧ ବନିଗଲା ରୁଦ୍ରର ଘର। ଘର ଚଳେଇବା ସହ ରୁଦ୍ରର ଚିକିତ୍ସା ପାଇଁ ଅଣ୍ଟା ଭିଡିଲା ରିମା।

ରୁଦ୍ରର ବଳିଷ୍ଠ ଚେହେରା କ୍ଷୀଣ ହେବାରେ ଲାଗିଲା। ରୁଦ୍ରକୁ ଦେଖି ରିମାର ମନେପଡୁଥିଲା ଛୋଟବେଳର କଥା। ଗାଆଁର ନିଷ୍କପଟ ଝିଅଟି ଗାଆଁ ଦାଣ୍ଡରେ ଖେଳିବା ସମୟରେ ଅଶ୍ଳୀଳ ଇଙ୍ଗିତ କରୁଥିବା ଛୁଆଗୁଡାକୁ ସାବାଡ କରିଦେଉଥିଲା ରୁଦ୍ର। ଗାଆଁ ପୁଅଙ୍କର ଛାଇ ବି ପଡୁ ନଥିଲା ରୁଦ୍ର ଭୟରେ। କିଛି ନବୁଝି ଅଜଣା ଖୁସିରେ ପୁଲକିତ ହୋଇଉଠୁଥିଲା ଛୋଟଝିଅ ରିମା।

କିନ୍ତୁ.......

ଆଜି......

ନିଜ ଶରୀରର ରକ୍ଷାରେ ନିଜେ ଅସମର୍ଥ ରୁଦ୍ର। ଏପଟେ ରୁଦ୍ରର ଡାକ୍ତରଖାନାର ଖର୍ଚ୍ଚ, ସେପଟେ ନିଜର ଭରଣପୋଷଣ।

ହଠାତ୍ ଦିନେ...

ଖାଇବାଛୁଟିରେ ଅଟ୍ଟାଳିକା ମାଲିକ ରତନଲାଲ ପହଞ୍ଚିଲେ ରିମାଘରେ। କାମରୁ ଫେରି ରିମା ସ୍ନାନ ପାଇଁ ଉଦ୍ୟତ ହେଉଥିଲା। ଛଅହାତିଆ କସ୍ତା ଶାଢୀଟି ଶରୀରର ଅର୍ଦ୍ଧେକ ଅଂଶକୁ ଢାଙ୍କିବାରେ ସମର୍ଥ ଥିଲା। ରତନଲାଲଙ୍କ ହାତ ରିମାର ଫୁଙ୍ଗୁଳା ପିଠିସାରା ଘୁରିବା ସହ କସ୍ତା ଶାଢୀଟିକୁ ଅନାବୃତ କରିବାରେ ଚେଷ୍ଟିତ ଥିଲା। ରିମା ପ୍ରତିବାଦ କରି କହିଲା, ବାବୁ.....!

   ରତନଲାଲ କହିଲେ ଏ...ରିମା...ଏ ଦୁନିଆ ଦୁଇଦିନିଆ। ତମେ କଳିଯୁଗର ଝିଅ। ଗରୀବ ସ୍ୱାମୀ ଅପେକ୍ଷା ଧନାଢ୍ଯ ବ୍ୟକ୍ତି ତମକୁ ସୁଖୀ କରିପାରେ ଏକଥା ବୁଝିବାର ବୟସ ତମର ନିଶ୍ଚୟ ଅଛି। ଆଜି ଆମ ମିଳନ ପ୍ରଥମ କିନ୍ତୁ ଶେଷ ନୁହେଁ। ଆମ ଦୈହିକ ଘନିଷ୍ଠତା ଆମ ମନର ମିଳନକୁ ଦୃଢରୁ ଦୃଢତର କରିବ।

ପାଣିଗ୍ଲାସେ ଦେଲୁ କହି ରତନଲାଲ ପରିବେଶକୁ ସହଜ କରିଦେଲେ। ରିମା ଯନ୍ତ୍ରବତ୍ ପାଣିଗ୍ଲାସ ଟିଏ ନେଇଆସିଲା। ରତନଲାଲ ଝୁଲାମୁଣିରୁ ବୋତଲ ବାହାରକରି ଆକଣ୍ଠ ପାନକଲେ। ତାପରେ ଶୁଭଉଦଘାଟନ ପାଇଁ ଅତିଥି ଫଳକ ଉପରୁ କପଡା ଅନାବରଣ କଲା ପରି, ରିମା ଶରୀରର କସ୍ତା ଶାଢିଟି ଅନାବରଣ କଲେ। ହିନ୍ଦିଚଳଚ୍ଚିତ୍ର ଖଳନାୟକ ଟିନୁଆନନ୍ଦର ଦାନ୍ତ ପରି ଦାନ୍ତରେ ରିମାର ଶରୀରସାରା କ୍ଷତାକ୍ତ କରିଚାଲିଲେ ରତନଲାଲ।

ରିମା ଚଳଚ୍ଚିତ୍ର ପରି ଦେଖିଚାଲିଥିଲା ସବୁକିଛି। ଅସହ୍ଯ କଷ୍ଟରେ କେବଳ ମଝିରେ ମଝିରେ "ଓଃ" କହୁଥିଲା ଓ ଏହି " ଓଃ " ପଦକ ରତନଲାଲଙ୍କ କାମବାସନାକୁ ଦ୍ୱିଗୁଣିତ କରୁଥିଲା।

   କିଛିସମୟ ପରେ ଆତ୍ମତୃପ୍ତିର ନିଶ୍ବାସ ମାରି ରତନଲାଲ ଟଙ୍କା ପାଞ୍ଚହଜାର ରିମାହାତରେ ଗୁଞ୍ଜି ଚାରିଆଡକୁ ନିଘାକରି ସେ ସ୍ଥାନଛାଡି ଚାଲିଗଲେ। ରିମାର ଆଖିକୋଣରେ ଥିଲା କେଇବୁନ୍ଦା ଶୁଷ୍କ ଅଶୃ।

ନିଜକୁ ପ୍ରସ୍ତୁତ କରି ଡାକ୍ତରଖାନା ଚାଲିଗଲା ରିମା। ରୁଦ୍ରର ହାତଟାକୁ ଭିଡିଧରିଲା ଖୁବ୍ ଜୋରରେ। ରୁଦ୍ରର ଦୁର୍ବଳ ଶରୀରଟା କେବଳ ଥରୁଥିଲା। ରିମାର ହାତସ୍ପର୍ଶରେ ତା'ର କିଛି ଫରକ ପଡୁନଥିଲା। ସ୍ନାୟବିକ ଦୁର୍ବଳତା ଅନୁଭବ କରିବା ସହ ଛୋଟ ଅବୋଧ ଶିଶୁ ପରି ଜୁଳୁଜୁଳୁ ଅନୋଉଥିଲା ସେ। ରିମା ଔଷଧ ଓ କିଛି ତରଳ ଖାଦ୍ୟର ବ୍ୟବସ୍ଥା କରି ଫେରିଆସିଲା।

ପରଦିନ.......

କାମକୁ ଗଲା ରିମା। ମୁରୁକି ହସୁଥିଲେ ରତନଲାଲ। କିଛିସମୟ ପରେ ରିମାକୁ ନିଜ କକ୍ଷକୁ ଡକାଇ କିଛି ପ୍ରଶାଧନ ସାମଗ୍ରୀ ତା ହାତରେ ଜୋରଜବରଦସ୍ତ ଧରାଇଦେଇ ଘରକୁ ଚାଲିଯିବାକୁ ଇସାରା କଲେ ଓ ଘରକୁ ଯାଇ ସଜେଇ ହେବାକୁ ଆଦେଶ ଦେଲେ। ଚାଲିଗଲା ରିମା। ଘରକୁ ଯାଇ ନିଜକୁ ସଜେଇବା ସମୟରେ ଭାବୁଥିଲା ରିମା, ପୌରାଣିକ ପୃଷ୍ଠା ବିଦୀର୍ଣ୍ଣ କରୁଥିବା କଦାକାର ଯମରାଜ ପଛରେ ଦୌଡି ସ୍ୱାମୀର ଜୀବନଭିକ୍ଷା କରୁଥିବା ସାବିତ୍ରୀ ସତୀ ନା ସ୍ୱାମୀର ଜୀବନ ବଞ୍ଚାଇବା ପାଇଁ ରତନଲାଲକୁ କୁମାରୀଲଜ୍ଜା ସମର୍ପି ସାରିଥିବା କଳିଯୁଗର ରିମା।

ରତନଲାଲଙ୍କ ସ୍ପର୍ଶରେ ଚମକିଉଠିଲା ରିମା। ରତନଲାଲ ଓ ରିମାର ମିଳନ ସମୟରେ ଡାମରା କାଉଟା କା କା ରାବି ନୂତନ ଆଗନ୍ତୁକର ସୂଚନା ଦେଉଥିଲା।ଧିରେଧିରେ ଡାକ୍ତରଖାନାର ଖର୍ଚ୍ଚ ବଢିବାସହ ରିମାର ଗ୍ରାହକ ବଢିବାରେ ଲାଗିଲେ। ଚର୍ଚ୍ଚିତ ଚେହେରା ହୋଇଗଲା ରିମା।

କ'ଣ ପାଇଁ ?

ଶରୀର ଭୋକ ?

ନଥିଲା....

ପ୍ରତିପତ୍ତିଶାଳୀ ?

ଚିନ୍ତା ବି କରିନଥିଲା।

ଝିଅଟିଏ କେବେ କ'ଣ ଖୁସିରେ ଏସବୁ କରିପାରେ ?

ବୋଧେ ନା।

ସେ ବି ତ ଚାହିଁଥିଲା ଜନନୀ, ଭଗିନୀ, ଜାୟା ହେବାକୁ।

କିନ୍ତୁ.........

ପରିସ୍ଥିତି ବନେଇସାରିଥିଲା ଗାଉଁଲି ଝିଅକୁ ଖଣ୍ଡଗିରୀର ରିମାବାଈ ।

କାହା ପାଇଁ ?

ରୁଦ୍ର ପାଇଁ ।

ନିଜକୁ ନିଜେ କହୁଥିଲା ରିମା। ଛୋଟ ଝୋପଡିଟି ବନିଯାଇଥିଲା ସୁଉଚ୍ଚ ଅଟ୍ଟାଳିକା ।ସୁସ୍ଥ ହେଉଥିଲା ରୁଦ୍ର। ଡାକ୍ତରଖାନା ନଯାଇ ଉତ୍ତମ ଚିକିତ୍ସାର ସୁବିଧା ଉପଲବ୍ଧ ଥିଲା ରୁଦ୍ର ପାଇଁ। ଶେରଗଡର କସ୍ତାଶାଢୀ ପିନ୍ଧା ରିମାର ଥିଲା ଅଭାବ ଭିତରେ ପ୍ରାଚୁର୍ଯ୍ୟ । ଖଣ୍ଡଗିରୀର ପାଟଶାଢୀ ପିନ୍ଧା ରିମାବାଈର ଥିଲା ପ୍ରାଚୁର୍ଯ୍ୟ ଭିତରେ ଅଭାବ।

ରୁଦ୍ର ! ତମେ ଧୈର୍ଯ୍ଯ, ସହିଷ୍ଣୁତାର ଅଚଳ ମହାମେରୁ। ଅପପ୍ରଚାରକୁ ଆତ୍ମସ୍ଥ କରି, ସ୍ତ୍ରୀର କୁସ୍ଛାରଟନାକୁ କର୍ଣ୍ଣପାତ ନକରି ଶୀବଙ୍କ ପରି ଗରଳକୁ କଣ୍ଠସ୍ଥକରି ତମେ ଦୌଡି ଆସିଛ ମୋ ପାଖକୁ। ଆଜି ତମେ ସୁସ୍ଥ। କିନ୍ତୁ ମୁଁ ଅସୁସ୍ଥ। ଆଜି ମୁଁ ମହାକାଳଫଳ। ବାହାରଟା ସୁନ୍ଦର। ଭିତରଟା.........?????

ତମେ ମୋ ଜୀବନର ପ୍ରଥମ ପ୍ରେମ, ପ୍ରଥମ ପୁରୁଷ। ତମେ ସେହି ଶେରଗଡର ପୋଖରୀ ହିଡରେ ମୋତେ ପ୍ରେମର ରଙ୍ଗତୁଳୀ ଧରେଇ ଦେଇଥିଲ, ସେଇ ରଙ୍ଗତୁଳୀରେ ମୁଁ ଆଜି ତମ ଛବି ବିବର୍ଣ୍ଣ କରିଦେଇଛି, କିନ୍ତୁ ଏଇଥିପାଇଁ ଦାୟୀ ସମୟ ଓ ପରିସ୍ଥିତିର ତାଡନା। ମୋ ଜୀବନର ଛବି ଅନ୍ୟପ୍ରକାର ହୋଇଗଲା କାରଣ " *କେଉଁ ଅପଦେବତାର ଅଭିଶାପ* " ।

ରୁଦ୍ର ! ପଙ୍କିଳ ପୋଖରୀରେ ପଦ୍ମ ତୋଳୁତୋଳୁ ମୋ ପାଦ ଧସିଯାଇଛି ଓ ସେଇ ଅପଦେବତାର ଅଭିଶାପ ମୋ ପାଦଟାକୁ ଭିତରକୁ ଟାଣି ନେଉଛି। ସବୁ ତ ତମକୁ ବର୍ଣ୍ଣନା କଲି। ଗ୍ରାହକ ପହଞ୍ଚିଯିବେ, ଫେରିଯାଅ ଏଥର।

ରୁଦ୍ର କିଛିଟଙ୍କା ବଢେଇଦେଇ କହିଲା, ହେ ରିମାବାଈ ! ଆଜି ମୁଁ ତମର ଗ୍ରାହକ। ଗୋଟିଏ ଅନୁରୋଧ ତମେହିଁ ମୋର ସାତଜନ୍ମର ସାଥି ହେବ। ହାତଟାକୁ ଜାବୁଡି ଧରିଥିଲା ରିମା। ପାଣିଟିକେ ଆଣି ଆସିବାକୁ ଅନୁରୋଧ କରିବା ସହ କସ୍ତା ଶାଢୀ ପିନ୍ଧି ଆସିବାକୁ ଅନୁରୋଧ କଲା ରୁଦ୍ର। ସେୟା କଲା ରିମା । ଆକଣ୍ଠ ପାଣି ପିଇଲେ ଦୁହେଁ। ମୁଣ୍ଡରେ ଓଢଣା ଦେଇ ସିନ୍ଦୁର ମାଖିଦେଲା ରୁଦ୍ର। ତଳେ ଛିଣ୍ଡା ମଶିଣା ଉପରେ ଦୃଢ ଆଲିଙ୍ଗନରେ ଥିଲେ ଦୁହେଁ। ଶରୀର ଥିଲା ନିଷ୍ପନ୍ଦ, ନିଷ୍ପ୍ରାଣ।

ବାହାରେ ଭିକାରୀଟି ଗାଇ ଗାଇ ଯାଉଥିଲା :

" ଯାହା ମୁଁ କରଇ, ଯାହା ମୁଁ କହଇ, ଯାହା ମୁଁ ଚିନ୍ତଇ ମନେ,

ଜଗତର କର୍ତ୍ତା ପରମେଶ୍ଵର, ଜାଣୁଛନ୍ତି ପ୍ରତିକ୍ଷଣେ ।।।



Rate this content
Log in

Similar oriya story from Abstract