ଅନୁତାପ
ଅନୁତାପ
କରୋନା ପାଇଁ ସାରା ଦେଶ ଲକଡାଉନ । ଡହଳ ବିକଳ ଓଡ଼ିଆ ପ୍ରବାସୀ । ଦାଦନ ଙ୍କ ଦୁଃଖ କହିଲେ ନସରେ, ଓଳିଏ ଖାଇଲେ ଆର ଓଳି ଉପାସ । ସରକାରଙ୍କ ସହାୟତା ସତେ ପାଣିର ଗାର ପରି l ଯେଉଁମାନେ କମ୍ପାନୀ ଚାକିରୀ ଯେତିକି ପଇସା ରଖିଥିଲେ ସେ ବି ସାରିବାକୁ ବସିଲାଣି ମାସେ କାଳ ଘରେ ବସି ବସି ପାଗଳ ହେଇଗଲେଣି ସଭେଁ.. ସତେ ଲାଗୁଛି କରୋନା ସଂକ୍ରମଣ କରିବା ଆଗରୁ ସବୁ ମରିସାରିଥିବୁ l
ସୁରଜ ମହାନ୍ତି, ସୁରଟରେ ଗୋଟେ କପଡା କମ୍ପାନୀରେ କାମ କରନ୍ତି । ମାସକୁ କୋଡିଏ ହଜାର ଦରମା । ପରିବାର କହିଲେ ସ୍ତ୍ରୀ ଅନିତା, ତିନି ବର୍ଷର ଝିଅ ରିଆ l ହେଲେ ବି ସ୍ତ୍ରୀ ଛୁଆ ଚଳି ଯାଆନ୍ତି କଷ୍ଟେମଷ୍ଟେ l ଆଜି ସକାଳୁ ସେ ଖବର ପାଇଛି ଯେ ଆମ ନବୀନ ସରକାର ବସ ପଠାଉଛନ୍ତି ଆମକୁ ଓଡିଶା ଫେରେଇ ନେବେ l ଖୁସିରେ ପାଦ ଲାଗୁନି ସୁରଜର । ସେ ଦୌଡ଼ି ଯାଇଛି ସ୍ତ୍ରୀ ଅନିତା ପାଖକୁ........
"ଆରେ ଶୀଘ୍ର ରେଡି ହେଇଯାଅ, ଆମ ସରକାର ଆମପାଇଁ ବସ ପଠେଇଛନ୍ତି । ଆମେ ଗାଁ କୁ ପଳେଇବା । ସେଇଠି ବରଂ ଗାଁ ରେ ଚାଷ କରି ଚଳିବା ଆଉ ଏ ସୁରଟ ବାପରେ ବାପ "
"ମୁଁ ତମ ଗାଁ କୁ ଯିବାର ନାହିଁ l ତୁମ ବାପା ମା ସହ ମୁଁ ରହିପାରିବିନି ତମେ ଯାଅ ତମ ଗାଁ କୁ ଆମେ ମା ଝିଅ ଏଇଠି ରହିବୁ ନହେଲେ ମୁଁ ମୋ ଝିଅକୁ ନେଇ ବାପ ଘରେ ରହିବି l"
"ହଉ ହେଲା ତମେ ମାନେ ବାହାର ସେକଥା ପରେ ଦେଖିବା l"
"ତମେ ଆଗ କଥା କର ମୁଁ ତମ ଘରକୁ ଯିବିନି, ମୋ ବାପ ଘରକୁ ଯିବି l"
"ଠିକ ଅଛି ତମରି କଥା ରହୁ, ଏବେ ତ ବାହାର l"
ଯାହା ହେଉ ବହୁତ ସୁବିଧା ଅସୁବିଧା ଭିତରେ ପୁରା ପରିବାର ବସରେ ବସିଗଲେ ।
ତିନି ଜଣଙ୍କର ମୁହଁରେ ମାସ୍କ । ଝିଅ ବାରମ୍ବାର ତୁଣ୍ଡି ବାହାର କରି ଫିଙ୍ଗି ଦେଉଛି... । ଅନିତା ବାରମ୍ବାର ତା ମୁହଁରେ ମାସ୍କ ଆଣି ଲଗାଉଥାଏ । ଛୋଟ ପିଲା କଣ ବୁଝିବ ସେ କୋରୋନା ସାବଧାନତା ବିଷୟରେ? ପେଟରେ ତାର ଭୋକ ରେ ଜଳୁଛି । ମାସ୍କ ନଫିଙ୍ଗିବାକୁ କହି ବିରକ୍ତ ହୋଇ ଅନିତା ଚାରୋଟି ଉତ୍ତମ ମଧ୍ୟମ ଛେଚି ଦେଉଥାଏ ।ରିଆ ଭେଁ ଭେଁ ରଡିରେ ବସ ଟା କମ୍ପି ଉଠିଛି।
ଭୋକରେ ଅନିତାର ପେଟ ମଧ୍ୟ ଜଳୁଛି..
"ସମ୍ଭାଳ ତୁମ ପିଲାକୁ, ମୁଁ କଣ ସବୁ କରିବି କଥା କରିଛି । ବାପ ଝିଅ ଦିହେଁ...ଖାଇଯାଉନ ମତେ।ଖାଇବି ଖାଇବି କହିଲେ କୁଆଡୁ କ'ଣ ଆଣି ଖାଇବାକୁ ଦେବି ତାକୁl"
ବିଚରା ସୁରଜ କଣ କହିବ, ଛୁଆକୁ ଧରି ନିରବରେ ବସିଥାଏ ସେ । ବସ ଗୋଟେ ଜାଗାରେ ଅଟକିଲା, ବୋଧେ କିଛି ଖାଇବାକୁ ମିଳିଯିବ ଭାବି ସୁରଜ ତଳକୁ ଓଲ୍ହେଇଲା l
ଯାହାହେଉ କିଛି ମାସ୍କଧାରୀ ସ୍ବେଚ୍ଛାସେବୀ ରନ୍ଧା ଖାଦ୍ୟ ପାକେଟ ଧରି ପହଞ୍ଚିଲେ। ତିନୋଟି ପ୍ୟାକେଟ ସେମାନଙ୍କ ହାତରୁ ନେଇ ଗୋଟେ ପାଖ ଗଛ ମୂଳରେ ବସି ମନ ଆନନ୍ଦରେ ସ୍ତ୍ରୀ ଓ ଝିଅ ମିଶି ଖାଇନେଲେ । ଓହୋ ଟିକେ ଶାନ୍ତି ମିଳିଲା l
ଖାଇ ସାରିବା ପରେ ରିଆର କାନ୍ଦ ବି ବନ୍ଦ ହେଇଯାଇଥାଏ ।
ବସ ରେ ବସି ଭାବୁଥିଲା ସୁରଜ ....ଏହାପରେ କଣ ହେବ ? କେଉଁ କ୍ବାରାଣ୍ଟାଇନ୍ ସେଣ୍ଟରକୁ ସେମାନଙ୍କୁ ପଠାଯିବ? କଣ ଖାଇବାକୁ ମିଳିବ? ପାଖରେ କାଣି କଉଡିଟିଏ ବି ନାହିଁ...କଣ କରିବ ସେ। ତାପରେ ଅନିତାର ତ ଯେଉଁ ବ୍ୟବହାର, ନକହିବା ଭଲ l ତା ପରିବାରର ଜୀବନ-ମୃତ୍ୟୁ ସବୁ ନିର୍ଭର କରେ ଏହି ସ୍ବେଚ୍ଛାସେବୀ କରୋନା ଯୋଦ୍ଧାଙ୍କ ଉପରେ। ଏହି ସବୁ ଭାବୁ ଭାବୁ କେତେବେଳେ ନିଦ ଲାଗି ଯାଇଥିଲା ଆଖିରେ l
ଏହା ଭିତରେ ବସ ବ୍ରହ୍ମପୁର ବସଷ୍ଟାଣ୍ଡରେ ପହଂଚି ସରିଥାଏ l ତଳକୁ ଓଲେହି ସୁରଜ ଦେଖେ ତ ବାହାରେ ଘୋ ଘୋ, ସରକାରୀ ସ୍ଵେଛାସେବୀ ଲିଷ୍ଟ ବନାଉ ଥାନ୍ତି କିଏ କେଉଁ କ୍ୱାରାଣ୍ଟଇନ ସେଣ୍ଟରରେ ରହିବ l ପାଖରେ ଠିଆ ହୋଇଥିବା ଜଣେ ସ୍ବେଛାସେବୀକୁ କାକୁତି ମିନତି ହୋଇ କହିଲା...ମୋ ପରିବାରକୁ ଗୋଟିଏ କ୍ବାରାଣ୍ଟାଇନ ସେଣ୍ଟରରେ ରଖିବେ ଆଜ୍ଞା । ମୋର ଜଣେ ଛୋଟ ଛୁଆ ଆଉ ସ୍ତ୍ରୀ l ଯାହାହେଉ ସ୍ବେଛାସେବୀ ଜଣକ ନାଁ ଗାଁ ଘର ଠିକଣା ଲେଖି ରେଜିଷ୍ଟ୍ରସନ କରିଦେଇ ଗାଡ଼ିରେ ବସେଇଦେଲେ ଗୋପାଳପୁର କ୍ବାରାଣ୍ଟାଇନ ସେଣ୍ଟରକୁ l
କ୍ବାରାଣ୍ଟାଇନ ସେଣ୍ଟରରେ ସୁରଜ ଏବଂ ତା ପରିବାରକୁ ଗୋଟିଏ ସ୍ବତନ୍ତ୍ର କୋଠରୀ ମିଳିଲା। ଦି'ପହର ଖିଆପିଆ ପରେ ସୁରଜ ବିଶ୍ରାମ ନେଉ ନେଉ ଅନିତାଙ୍କୁ କହିଲା...
"ଭବିଷ୍ୟତ ଆମର ଅନ୍ଧକାର ହେଇଗଲାରେ । ଏବେ କ'ଣ କରିବା, କେମିତି ଚଳିବା ?"
'ଯାହା ହେଇଯାଉ ପଛେ ମୁଁ ତୁମ ଘରକୁ ଆଉ ଯିବି ନାହିଁ।" ସେ ମାଟିଆଉ ମାଡିବି ନାହିଁ l" ନିରବ ଥାଏ ସୁରଜ ।
ଚାରି ବର୍ଷ ତଳର କଥା।
ବାପା ମା ଙ୍କ ସତ ବିରୋଧ ସତ୍ୱେ ସୁରଜ ଅନିତାକୁ ବାହା ହେଇଥିଲା, ବୋଉ ର ଇଛା ବିରୁଦ୍ଧରେ ବାହାଘର ହେଇଥିବାରୁ ସେ ଅନିତା ଉପରେ ପ୍ରଥମେ ପ୍ରଥମେ ଟିକେ ଗେରେ ଗେରେ ହେଉଥିଲା, ଅନିତା କିନ୍ତୁ କିଛି ଆଡ଼ଜଷ୍ଟ ତ କରୁନଥିଲା ବରଂ ସୁରଜକୁ ସବୁବେଳେ ଶୁଣେଇ ଦେଉ ଥିଲା l ଯାହା ଦିନେ ଶାଶୁ ବୋହୂଙ୍କ ଜୋର ଝଗଡ଼ା ହେଇଗଲା, ଆଉ ତା ପରେ ଅନିତା
"ତୁମ ପରିବାର କିମ୍ବା ମୋତେ ଭିତରୁ ଜଣକୁ ବାଛି ବାକୁ ପଡିବ ବୋଲି ରୁକ ଠୁକ ଶୁଣେଇ ଦେଲା l"
ବିଚରା ସୁରଜ ନାଗଫାଶରେ ଫସି ହେଲା ଭଳି ବାବା ମା ଠୁ ଅଲଗା ରହିଲା କିନ୍ତୁ ବେଶୀ ଦିନ ଏକା ରହି ପାରି ନଥିଲା ସ୍ନେହର ଡୋରୀ ତାକୁ ପୁଣି ତା ଘରକୁ ଫେରେଇ ନେଲା । ହେଲେ ଅନିତା ଆଉ ଫେରି ନଥିଲା ଶାଶୁ ଘରକୁ। ଗର୍ବ ଅଭିମାନ ଜିଦି ରେ ଅଟଳ ରହି ସେ ତା ବାପା ଘରେ ରହିଲା l କେତେ ଦିନ ବା ଦୁହେଁ ଅଲଗା ରହିବେ । ଅନିତାର ବାପା ସୁରଟରେ କେଉଁ ଏକ ଚିହ୍ନା ଥ୍ରୋ ରେ ସୁରଜକୁ ଗୋଟେ ଚାକିରୀ କରେଇଦେଲେ । ଇଛା ନଥିଲେ ବି ସୁରଜକୁ ଘର ଛାଡିବାକୁ ପଡିଥିଲା l ଆଉ ସେବେ ଠୁ ଫେରିନି ଗାଁ କୁ, ଶଶୁରଙ୍କ ଧମକ ଥିଲା ଯଦି ନିଜ ଘରକୁ ଫେରିବ ଚାକିରୀ ତ ଯିବ, ମୋ ଝିଅକୁ ଟର୍ଚର କରିବା ବାହାନାରେ କେସ କରିଦେବି l ସେଇଦିନ ଠୁ ଛାତିକୁ ପଥର କରି ଏକ ଜିଅନ୍ତା କଣ୍ଢେଇ ପରି ଖାଲି କାମ କରିଚାଲେ ସେ l
ଯାହା ବି ହେଉ ଏଠି କ୍ବାରାଣ୍ଟାଇନ ସରିଲା ପରେ ଘରକୁ ଯିବି । ବାପା କେତେ ଖୁସି ହେଇଯିବେ, ନାତୁଣୀକୁ ପ୍ରଥମ ଥର ଦେଖିବେ ବହୁତ ଖୁସି ହେଇଯିବେ l
ହେଲେ ଅନିତା ର ଏକା ଜିଦ ଝିଅକୁ ନେଇ ବାପା ଘରେ ରହିବ । ସେ ଯାହା ହେଉ ବାପା ମା ଙ୍କୁ ଟିକେ ମୋ ରିୟାକୁ ଦେଖେଇବି l ଆଜି ପ୍ରଥମ ଥର ପାଇଁ ଗାଁ ଫେରୁଛି, ଯେତିକି ଖୁସି ହେଉଛି ।ଝଗଡାର ଚିତ୍ର ସେତିକି ବ୍ୟଥିତ କରି ପକଉଛି l
ସୁରଜ ଭାବନାରେ ବାଧାଦେଇ ଅନିତା କହିଲା...
"କ୍ବାରାଣ୍ଟାଇନ ପରେ ମୁଁ ଝିଅକୁ ନେଇ ଆମ ଘରକୁ ଯିବି, ତମେ ତମ ଘରକୁ।"
ସୁରଜ ରାଗିବ କି ହସିବ ଜାଣି ପାରିଲାନି, କହିଲା... କରୋନା ସିନା ମୋର ଚାକିରି ଖାଇଗଲା,ତମେ ତ ମୋର ସମ୍ପର୍କ ଖାଇ ଯାଇଚ। କେଉଁ ମୁହଁରେ ମୁଁ ଘରକୁ ଯିବି l"
"ସବୁ ତ ମୋରି ଦୋଷ। ସେ ଯା'ହେଉ ମୁଁ ତୁମଭଳି ପଳାତକ ନୁହେଁ ମୋ ବାପା ଭାଇ ମତେ ଜୀବନ ସାରା ପୋଷି ପାରିବେ।ତମେ ତମ କଥା ଚିନ୍ତା କର।" କର୍କଶ ଗଳା ରେ ଗର୍ଜନ କରି ଉଠିଲା ଅନିତା l ନିରବ ରହିଲା ସୁରଜ ।
ଭାବିଲା.....ଏହି ତଥାକଥିତ ଅର୍ଦ୍ଧାଙ୍ଗିନୀଟି ଯଦି ମନର ସଙ୍କୀର୍ଣ୍ଣତାକୁ ଟିକିଏ ଦୂରେଇ ଦେଇ ସହଯୋଗ କରିଥାନ୍ତା ତାହେଲେ ତାକୁ ସୁଦୂର ସୁରଟରେ ଏତେ ଯନ୍ତ୍ରଣା ଭୋଗିବାକୁ ପଡି ନଥାନ୍ତା। ଶାଗପେଜ ଖାଇ ଗାଁରେ ଜମି ଚାରିମାଣ ଚାଷକରି ତା ସାଙ୍ଗକୁ ଏକ୍ସଟ୍ରା କିଛି ରୋଜଗାର କରି ବାପା-ମାଆଙ୍କ ସେବାରେ ଆନନ୍ଦରେ ରହିପାରିଥାନ୍ତା। ହେଲେ କଣ କରିବ ହତଭାଗା ଟା ସେ , ଭାଗ୍ୟରେ ତ ଯନ୍ତ୍ରଣା ଲେଖା ହେଇଛି । ଭାଗ୍ୟ ରେଖାକୁ କେ ବା ପରିବର୍ତନ କରି ପାରିବ l
ସୁରଟ ଯିବା ସମୟରେ ବାପା ମା ମୋର କେତେ କାନ୍ଦି ଛନ୍ତି। ବାବାରେ, ସୁରଟରେ ପଚାଶ ହଜାର ରୋଜଗାର ଗାଁର ପାଞ୍ଚ ହଜାର ସହିତ ସମାନ। ଶାଗ ଭାତ ଖାଇ ଲେ ବି ଏଠି ଖୁସି l
ଏକା ପୁଅ ତୁ ମୋର। ଆମର ଏ ବାର୍ଦ୍ଧକ୍ୟ ବେଳେ ତୁ ଆମକୁ ଏତେ ସଜା ଦେନାରେ ଧନ l ଆଜି ବି ବାପାଙ୍କ ସେଇ ଛାତି ଫଟା ସ୍ୱର କାନରେ ପ୍ରତିଧ୍ୱନି ହେଉଛି l ଆଉ ଆଜି କରୋନା ମାଧ୍ୟମରେ ଭଗବାନ ଯେମିତି ତା ସମ୍ପର୍କର ମହତ୍ଵ ବିଷୟରେ ଚେତାଇ ଦେଇଛନ୍ତି। ଏହା ଭିତରେ ଚଉଦ ଦିନର କ୍ଵାରାଣ୍ଟାଇନ ସରିଆସିଲାଣି l ସତେ ଚଉଦ ବର୍ଷର ବନବାସର ଅନ୍ତ ହେଲା ଭଳି ଲାଗିଛି ତାକୁ। କାଲି ସକାଳୁ ସମସ୍ତେ ନିଜ ଘରକୁ ଯାଇପାରିବେ ବୋଲି ନୋଟିଫିକେସନ ବି ହେଇଗଲାଣି l
"ତମ ଘରୁ ତ କେହି ଆସିବେନି ମୁଁ ଜାଣିଛି, ଠିକ ଅଛି ମୁଁ ମୋ ବାପାଙ୍କୁ କହିଦେବି ତମକୁ ତମ ଘରେ ଛାଡି ଦେବେ l"
ତିରସ୍କାରର ଏ ପରିଭାଷା ଶୁଣି କେବଳ ନିରବ ରହିବା ଛଡା ଆଉ ସୁରଜ ପାଖରେ l ନିରବ ରହି ଲଗେଜ ସବୁ ପ୍ୟାକିଂ କରୁଥାଏ l
ସକାଳ ହେଲା l ତଳେ ଘୋ ଘା ଶବ୍ଦ,ପ୍ରାୟ ସମସ୍ତଙ୍କ ଆତ୍ମୀୟ ସଜନ ଆସି ପହଂଚି ଯାଇଥାନ୍ତି ଘରକୁ ପାଛୋଟି ନେବା ପାଇଁ l କିଛି କିଛି ଗାଡ଼ିରେ ବସି ନିଜ ନିଜ ଘରକୁ ଫେରୁଥାନ୍ତି l
ସୁରଜ ଭାବୁଥାଏ କଣ କରିବ, କେମିତି ନିଜ ଘରକୁ ଯିବ । ପାଖରେ ପଇସା ବି ବହୁତ କମ । ଭଞ୍ଜନଗରକୁ ଗାଡ଼ି ଭଡା କଲେ ହଜାରେ ଉପରେ ନେବ ବାପାଙ୍କୁ କିଛି କହିବାକୁ ମୁହଁ ନାହିଁ, ଅନ୍ୟମନସ୍କ ଭାବେ ଏଣେ ତେଣେ ଅନାଉଥାଏ l
" କଣ ଭାବୁଛ ତମ ବାପା ବୁଢା ଲୋକ ହେଲେଣି ନିଜେ ଚାଲି ପାରୁଥିବେ କି ନାହିଁ ଠିକ ନାହିଁ ତମକୁ ପୁଣି ନେବାକୁ ଆସିବେ । ଠିକ ଅଛି ମୋ ବାପା ତାଙ୍କ କାର ନେଇ ଆସିବେ ତମେ ଯଦି କହିବ ତମ ଘରେ ଛାଡି ଦେବା, ନଚେତ ତମେ ତମର ଗାଡ଼ି ଭଡା କରି ଯାଅ l" ତାଚ୍ଛଲ୍ୟ ଭଙ୍ଗୀରେ କହିପକେଇଲା l ନୀରବତା ଛଡା ଆଉ କିଛି ନଥିଲା ସୁରଜ ପାଖରେ l
ଏହା ଭିତରେ ଦିନ 10 ଟା ହେଇଗଲାଣି, ଅଧା ରୁ ଅଧିକା ଲୋକ ନିଜ ଲୋକଙ୍କ ସହ ନିଜ ନିଜ ଘରକୁ ଫେରିଗଲେଣି l ଅନିତା ବ୍ୟସ୍ତ ବ୍ୟସ୍ତ ହେଉଥାଏ l ବାପା କଣ ଏଯାଏଁ ଆସିଲେଣି ସକାଳୁ 7 ଟାରେ କହିଲେ ଅଧା ଘଣ୍ଟା ଭିତରେ ପହଁଚୁଛି । ଦିନ 10 ଟା ବାଜିଲାଣି, ଅନିତା ବ୍ୟସ୍ତତା ଆହୁରି ବଢ଼ିଯାଇ ଥାଏ ବାରମ୍ବାର ଫୋନ ଲଗାଉ ଥାଏ ବାପାଙ୍କୁ କିନ୍ତୁ କିଛି ରିପ୍ଲାୟ ନାହିଁ l କଣ ଅସୁବିଧା ହେଲାକି ! ମା ମୋବାଇଲ କୁ ଲଗେଇଲା ରିପ୍ଲାୟ ନାହିଁ । ଭାଇ ଭାଉଜ କେହି ଉଠେଇଲେନି l ଏବେ ଅନିତା ମନ ବିଷର୍ଣ୍ଣ ଦେଖା ଯାଉଥାଏ ।12 ଟା ବାଜିଲାଣି, କେହି ଆସିଲେନି। ନିରବରେ ଝିଅକୁ କୋଳରେ ଧରି ବସିଥାଏ ସୁରଜ । ଅନିତା ଚିଡ଼ ଚିଡ଼ ହେଉଥାଏ ଆଉ ଏଣେ ତେଣେ କଲ କରୁଥାଏ କିନ୍ତୁ କେହି ବି ତା ଫୋନ ଉଠାଉ ନଥାନ୍ତି l ଏବେ କଣ ବାପାଙ୍କ ମୋବାଇଲ ସୁଇଚ ଅଫ ମା ର ବି ସେଇଆ । ଧର୍ଯ୍ୟର ସୀମା ଉଲଂଘନ କରି ସାରିଥିଲା ଅନିତାର l ନିରବ ହେଇ ବସି ପଡିଲା, ମୁହଁ ବି ସୁଖୀ ଯାଇଥାଏ l ପ୍ରାୟ ଜଣେ ଦୁଇ ଜଣକୁ ଛାଡି ଦେଲେ ଆଉ କେହି ନାହାନ୍ତି l
"କଣ ହେଲା ଘରୁ କେହି ଆସିଲେନି l"
'"ଅଯୋଗ୍ୟ ସ୍ୱାମୀ, ତମକୁ ବାହା ହେଇ ମୋ ଜୀବନ ନଷ୍ଟ ହେଇଗଲା ମୋତେ ଗାଡ଼ି ଭଡା କରି ମୋ ଘରେ ଛାଡି ଦେଇ ଆସିବ ଚାଲ ମୁଁ କିଛି ଶୁଣିବାକୁ ଚାହେଁନି l"
"ଲକଡାଉନ ସମୟ ଗାଡ଼ି ମିଳୁନି, ମୁଁ କଣ କରିବି l" ସ୍ୱାମୀ ସ୍ତ୍ରୀ ଭିତରେ ଏହି ଝଗଡା ଭିତରେ ହଟାତ ସେଣ୍ଟର ଗେଟ ପାଖରେ ଗୋଟେ ଗାଡି ହର୍ଣ୍ଣ ବାଜିଉଠିଲା l
ହଟାତ ଝିଅକୁ ସୁରଜ ପାଖରୁ ଝାଂପି ନେଇ "ମୋ ବାପା ଆସିଗଲେ ମୁଁ ଚାଲିଲି । ତମେ ଏଇଠି ମର " କହି ଗେଟ ପାଖକୁ ଦୌଡ଼ି ଯାଉଥାଏ ହେଲେ ହଟାତ କି ଅଟକି ଗଲେ ଅନିତା, ଦୁଃଖ ଜର୍ଜରିତ ଉନମୁଳିତ ଲୋତକ ଭିଜା ଆଖିରେ ହଟାତ ଗେଟ ଆଡକୁ ଦେଖିଲା ସୁରଜ, ନିଜକୁ ବିଶ୍ୱାସ କରିପାରିଲାନି ସେ । ଛାତି ଭିତରର କୋହ ସତେ ବୁକୁ ଚିରି ବାହାରି ଆସିଲା...
ଗାଡିରୁ ଓହ୍ଲେଇ ତାଙ୍କ ଆଡକୁ ଆସୁଥିବା ଆଉ କେହି ନଥିଲେ ସେ ଥିଲେ ସୁରଜଙ୍କ ବାପା ସୁରେଶ ବାବୁ ..।
କୋହ ସମ୍ବରଣ କରି ନପାରି ସୁରଜ ବାପା ପାଖକୁ ଦୌଡ଼ି ଯାଇ ପାଦ ତଳେ ପଡି ଯାଇଛି ଆଉ ଭୋ ଭୋ ହେଇ କାନ୍ଦି ଉଠିଛି l
ବାପା ବି କୋହ ସମ୍ଭାଳି ନ ପାରି ପୁଅକୁ ଜୋରରେ ଛାତିରେ ଧରିଲେ ।
"ଆରେ ପାଗଳା ମୋତେ ଟିକେ ଖବର ଦେଇ ପାରିଲୁନି ଏତେ ପର ହେଇଗଲି । ଆଜି ପାଖ ଗାଁ ନଟ କହିଲା ତୁ ଏଇଠି ଅଛୁ ବୋଲି । ସିଏ ବି କେଉଁ ସେଣ୍ଟରରେ ଗୋଟେ ଥିଲା ଆଉ ଆଜି ତୋର 14 ଦିନ ସରିଲା ବୋଲି ମୋତେ ଦିନ ଏଗାରଟାରେ କହିଲା l"
ସୁରଜ ପାଖରେ କହିବାକୁ ଆଉ କିଛି ବାକ୍ୟ ନଥିଲା । ଅଶ୍ରୁ ର ବାରି ସତେ ଶ୍ରାବଣ ହେଇ ବୋହି ଯାଉଥାଏ l ଅନିତା ଇଆଡ଼େ ବିରକ୍ତିରେ ଗର ଗର ହେଉଥାଏ ।
"ବୋହୁ ମା ଏବେ ବି ରାଗିଛୁ, ଯିବୁନି ମୋ ସହ ଆମ ଘରକୁ । ଆରେ ମୋ ନାତୁଣୀକୁ ଟିକେ ଦେଲୁ ଦେଲୁ 3 ବର୍ଷ ହେଲାଣି ଖାଲି ଶୁଣିଥିଲି ତାକୁ ଟିକେ କୋଳ ରେ ଧରେ । ଟିକେ ଆଖି ପୁରେଇ ଦେଖେ l"
ପାଖକୁ ନାତୁଣୀ କୋଲେଇବା ପାଇଁ ବୋହୁ କୁ ହାତ ବଢ଼େଇଲେ " ତମ ହାତ ଅସନା ହେଇଛି, ମୋ ଝିଅକୁ ଇନଫେକ୍ସନ ହେବ । ତମର କଣ କମନ ସେନ୍ସ ନାହିଁ ହାତ ବଢ଼େଇ ଦେଉଛ l"
ଏତିକି କହି ଆଭଏଡ଼ କରି ବିରକ୍ତି ଭାବନାରେ ଦୁରେଇ ଠିଆ ହେଲା l ସୁରେଶ ବାବୁଙ୍କ ହୃଦୟଟା ସତେ ଫାଟି ଉଠିଲା..
ପ୍ରକୃତିସ୍ଥ ହେଇ ପୁଅ ଆଡକୁ ଅନେଇ କହିଲେ
" ବାବୁ ଦିନ ଗୋଟେ ହେଲାନି ଚାଲ ଘରକୁ ଯିବା ସକାଳୁ କଣ ଖାଇଥିବ । ତୋତେ ଦେଶୀ ମାଛ ଭଲ ଲାଗେ ବୋଲି ତୋ ବୋଉକୁ ବଜାରରୁ ଆଣି ଦେଇଆସିଛି, ଚାଲ ବାହାର ଯିବାl"
ବୋହୁ ଆଡକୁ ବି ଅନେଇ କହିଲେ ସୁରେଶ ବାବୁ l
"ମୋ ବାପା ଆସିଲେ ମୁଁ ଯିବି ତମେ ମାନେ ଯିବାର ଅଛିତ ଯାଅ l"
ବିରକ୍ତ ଢଙ୍ଗରେ କହିଲା ଅନିତା l ବୋହୁ ନାତୁଣୀକୁ ଛାଡି ଏକା ବି ଯିବେ କେମିତି l ଅନିତା ପୁଣି ତା ଘର ସମସ୍ତଙ୍କୁ ଲଗେଇଲା ବାପା ମା ନୁମ୍ବର ସୁଇଚ ଅଫ, ଭାଇ ଭାଉଜ ନମ୍ବର ରିଙ୍ଗ ହେଉଛି ହେଲେ କେହି ଉଠାଉ ନାହାନ୍ତି l
" ମା ରେ ଦିନ ଦୁଇଟା ହେଲାନି, ଶଙ୍କର ବାବୁ(ଅନିତା ର ବାପା ) ଙ୍କ ମୋବାଇଲ ସୁଇଚ ଅଫ । ସେ ଆସିବେ କି ନାହିଁ ଜାଣି ହେଉନି । ତୋତେ ମୋ ଅନୁରୋଧ ଆମ ଘରକୁ ଚାଲ । କାଲି ସକାଳୁ ନିଶ୍ଚୟ ତୋ ବାପା ଘରେ ଛାଡି ଦେଇ ଆସିବି l"
ଇଚ୍ଛା ନଥିଲେ ବି ଗାଡ଼ିରେ ବସିଲା ଅନିତା । ସୁରଜ ଜିନିଷ ଲୋଡ କରି ବସିଗଲେ । ଦିନ 3 ଟାରେ ଘରେ ପହଂଚି ଗଲେ l ଚାରି ବର୍ଷ ପରେ ପୁଅକୁ ପାଇ ଆତ୍ମହରା ହେଇ ଉଠିଲା ମା ଶାରଳା ଦେବୀ । ଲୋତକ ର ବନ୍ୟା ବୋହି ଯାଉଥାଏ ମା ଆଉ ପୁଅ ଦୁଇ ଜଣଙ୍କ ଆଖିରୁ l ପୁଅକୁ ଛାତିରେ ଜାବୁଡି ଧରି ସତେ ମା ହୃଦୟରେ ଥିବା ଚାରି ବର୍ଷର ଉଲ୍କା ପିଣ୍ଡ ଶାନ୍ତ ହେଇଗଲା l"
" ବୋହୁ ଲୋ କଣ ରାଗରେ ସେଦିନ କହିଦେଇଥିଲି, ଏ ବୁଢ଼ୀ ମାଟାକୁ କ୍ଷମା କରିଦେ । ମୋ ନାତୁଣୀ କୁ ଟିକେ ଦେ l" କହି ବୋହୁ ଅନିତା ପାଖକୁ ଗଲା କିନ୍ତୁ ଶାଶୁ ମା ଙ୍କୁ ଭୃକ୍ଷେପ ନ କରି ଝିଅକୁ ନେଇ ଘର ଭିତରକୁ ଚାଲିଗଲା l
"ଆରେ ଭାତ ବାଢ, ସମସ୍ତେ ଖାଇବେ । ଦିନ 3 ଟା ହେଲାନି । ଖାଇସାରିଲା ପରେ ଯାହା ସବୁ କଥା । ଭୋକରେ ଆଉଟୂ ପାଉଟୁ ହେଉଥିବେ ପିଲା ମାନେ l"
ସମସ୍ତେ ଏକାଠି ଖାଇଲେ କିନ୍ତୁ ଅନିତା ଆସିଲାନି ଖାଇବା ଜାଗାକୁ । ସୁରଜ ଅନିତା ର ଖାଦ୍ୟ ତା ରୁମରେ ଯାଇ ଦେଇ ଆସିଲା ଆଉ ନିଜେ ବସି ବାପା ମା ସଂଗେ ଅତି ଆନନ୍ଦରେ ଖାଇଲା l ଖିଆ ସରିଲା, ସୁରଜ ବାପା ମାଙ୍କ ସଂଗେ କେତେ ଗପ ଗପୁଥାଏ । ଅନିତା ତା ରୁମ ରେ ରେଷ୍ଟ ନେଉଥାଏ l
ହଟାତ ଅନିତା ମୋବଇଲ ଟୁଁ ଟୁଁ ହେଲା, ବୋଧେ କଣ ମେସେଜ ଆସିଥିବ ଓଃ ବାପା ଙ୍କ ମେସେଜ
"ବେଟା ମୁଁ ବାହାରିଥିଲି ତୋତେ ଆଣିବା ପାଇଁ ହେଲେ କରୋନା ରୋଗ କାଳେ ତୋ ଦେହରେ ଥିବ ଘରକୁ ଆସିଲେ ପୁଣି ଆମ ସମସ୍ତଙ୍କୁ ହେବ ତୋ ମା ତ ବୁଢ଼ୀ ହେଲାଣି ମୁଁ ବୁଢା ହେଲିଣି, ତୋ ଭାଇ ଭାଉଜ ସିଧା ମନା କରଦେଲେ । ଅନିତା ଆସିଲେ ଆମେ ଘରୁ ବାହାରିଯିବୁ । ଆମକୁ କରୋନା ନେବାର ନାହିଁ l କଣ ଆଉ କରିଥାନ୍ତି କହ ବେଟା ସେଇଥି ପାଇଁ ସୁଇଚ ଅଫ କରିଦେଲୁ ହେଲେ ତୁ ବ୍ୟସ୍ତ ହେନି ଦୁଇ ତିନି ଦିନ ଭିତରେ ତୋର କରୋନା ପରୀକ୍ଷା ମେଡିକାଲ ଯାଇ କରେଇ ନେବା ଆଉ ଯଦି ନେଗେଟିଭ ହେଲା ତାହେଲେ ତୋର ଯେତେ ଦିନ ଇଛା ରହିବୁ । ତେଣୁ ଦୁଇ ତିନି ଦିନ ଟିକେ ଆଡ଼ଜଷ୍ଟ କରୁଥା l"
ଅନିତା ଏକଦମ ନିରବ ହେଇଯାଇଥାଏ । ଆଖିରେ ଲୋତକ ଜକେଇ ଆସିଥାଏ । ସତେ ଆକାଶଟା ତା ଉପରେ ଛିଣ୍ଡି ପଡିଛି । ପାଦ ତଳୁ ମାଟି ଖସିଯାଉଛି, ସତେ ତାର ଗର୍ବ ଅହଂକାର ଜିଦି ଧମଣ୍ଡି ସବୁ କିଛି ଟାକୁ ତାଚ୍ଛଲ୍ୟ କରୁଛି । ହୃଦୟ ରେ କୁଠାର ଘାତ କରୁଛି lଏକ ଜୀବନ ଶୂନ୍ୟ କଣ୍ଢେଇ ଭଳି ଖଟରେ ପଡିଥାଏ ଅନିତା lଅନୁତାପର ଅଶ୍ରୁକୁ ରୋକି ପାରୁ ନଥାଏ l ହୃଦୟର ମଣିଷତ୍ୱଟା ତାକୁ ବାର ବାର ପଚାରୁଥାଏ
"ଏବେ ମଣିଷ ଚିହ୍ନିବାରେ ଆଉ ବାକି ରହିଲା କି ଅନିତା ମାଡାମ l"
" ଆରେ ମା ରେଡି ହେଇଯାଅ ଗାଡି ଆସିଗଲାଣି ତମ ବାପା ଘରକୁ ଛାଡି ଆସିବି ପରା l" ହଟାତ ଶଶୁରଙ୍କ ସ୍ୱରରେ ଅନିତାର ନିରବତା ଭାଙ୍ଗିଗଲା । ହଟାତ ଭାବ ବିହ୍ଵଳ ହେଇ ଶାଶୁ ଶଶୁର ପାଦ ତଳେ ଲୋଟିଗଲା ଅନିତା l ବାପା ବୋଉ ମୋତେ କ୍ଷମା କରିଦିଅ । ମଣିଷ ଚିହ୍ନି ବାରେ ମୋର ଭୁଲ ହେଇଯାଇଛି । ମୁଁ ଆଉ କୁଆଡେ ଯିବିନି l
ବୋଉ ଅନିତାକୁ କୋଳେଇ ନେଇ କପାଳରେ ଚୁମା ଆଙ୍କି ଦେଇ କହିଛି...ପାଗେଳୀଟା କେମିତି ଏତେ ଦିନ ଅଲଗା ହେଇ ରହିଲୁ?ଆଉ କୁଆଡେ ଛାଡିବିନି ତତେ।
ଅନିତା ଆଖିରୁ ଧାରଧାର ଲୁହ ବୋହିଯାଉଛି । ଅନୁତାପର ଅଶ୍ରୁ.... କଇଁ କଇଁ ହୋଇ କାନ୍ଦୁଛି ।
" ନାଁ ବୋଉ ମୁଁ ତୁମକୁ କି ବାପାଙ୍କୁ ଛାଡି ଆଉ କୁଆଡେ ଯିବି ନାହିଁ। ତୁମ ମାନଙ୍କ ପାଖରେ ସବୁଦିନ ପାଇଁ ରହିବି । ପର କିଏ ଆପଣା କିଏ ଆଜି ମୁଁ ଠିକ୍ ଚିହ୍ନି ପାରିଛି ।
ସୁରେଶ ବାବୁ, ସୁରଜଙ୍କ ଆଖିରେ ଆନନ୍ଦର ଅଶ୍ରୁ ବୋହିଯାଉଥାଏ l ଅଜାଡି ହେଇପଡୁଥିଲା ଖୁସି ଆଉ ଖୁସି l
ଦୀର୍ଘ ଚାରି ବର୍ଷର ନିରବ ଘର ସତେ ଆଜି କୋଳାହଳରେ ପରିପୂର୍ଣ୍ଣ ହେଇ ଉଠିଲା l ଆଉ ଏ କୋଳାହଳ ଥିଲା ସବୁ କୋଳାହଳର ଉର୍ଦ୍ଧରେ ll