Sambit Srikumar

Abstract Classics Inspirational

4.5  

Sambit Srikumar

Abstract Classics Inspirational

ଅନଶନ

ଅନଶନ

6 mins
226


କେତେକ ଦୃଶ୍ୟଶ୍ରାବ୍ଯ ଗଣମାଧ୍ୟମରେ ବାରମ୍ବାର ଗୋଟିଏ ଖବର ପ୍ରସାରିତ ହେଉଥିଲା। ଅବଶ୍ୟ ଏଇ ଖବରଟି ରାଜ୍ୟବାସୀଙ୍କ ପାଇଁ କେତେ ମହତ୍ତ୍ବ ରଖୁଥିଲା ତାହା ଆକଳନ କରିବା ଦୂରୁହ ବ୍ଯାପାର ଥିଲା। ଏତେ ଖାସ୍ ଖବର ମଧ୍ୟ ନଥିଲା ଯାହାକି ସମ୍ପୃକ୍ତ ଚ୍ୟାନେଲ୍ ଗୁଡ଼ିକର ଦର୍ଶନାଦୃତି ବା ଟିଆରପି ବୃଦ୍ଧିରେ ସହାୟକ ହେବ। କିନ୍ତୁ ଲଙ୍କାରେ ହରିନାମ ପରି ଖବରଟି ଥିଲା ଅବିଶ୍ବସନୀୟ। 

ରାଜଧାନୀ ଭୁବନେଶ୍ଵର ଉପକଣ୍ଠରେ ଅବସ୍ଥିତ ପୁରୁଣାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ଜନପ୍ରିୟ ରାଜନେତା ପୂର୍ବତନ ଲୋକ ପ୍ରତିନିଧି ଶ୍ରୀଯୁକ୍ତ ଗନ୍ଧର୍ବ ଗଡ଼ନାୟକ ନିର୍ବାଚନ ସମ୍ପର୍କିତ ହିଂସା ରୋକିବା ଲାଗି ଆମରଣ ଅନଶନ ଆରମ୍ଭ କରିଛନ୍ତି ଗାନ୍ଧୀ ଜୟନ୍ତୀର ପାବନ ଅବସରରେ। ସତ୍ଯ ଓ ଅହିଂସା ବଳରେ ସାମାଜିକ ଜୀବନଧାରାରୁ ହିଂସାକୁ ଦୂରେଇ ଦେବାକୁ ଏହା ତାଙ୍କର ଏକମାତ୍ର ଉପାୟ। ତେଣୁ ଆଜିର ଦିନରେ ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧାନସଭା ପ୍ରାଙ୍ଗଣରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ସନ୍ନିକଟରେ ଆମରଣ ଅନଶନ ଜାରି ରଖିଛନ୍ତି। 

ଗନ୍ଧର୍ବ ଗଡ଼ନାୟକ! ଏଇ ନାଁ ଟା ହିଁ ଯଥେଷ୍ଟ କେବଳ ପୁରୁଣାଗଡ଼ କାହିଁକି ସମଗ୍ର ରାଜ୍ୟ ପାଇଁ। ନାଁ ଟା ଶୁଣିବା ମାତ୍ରେ ଲୋକଙ୍କ ମୁହଁରେ ଏକ ଭିନ୍ନ ଧରଣର ଭାବ ସ୍ବତଃ ଫୁଟି ଉଠେ। ଏଇ ଭାବଟା ବିତୃଷ୍ଣା କି ବିରାଗ କିମ୍ବା ଭୟ ଅଥବା ଅସୂୟା ଠିକ୍ ଭାବେ କହି ହେବ ନାହିଁ। କିନ୍ତୁ କେହିବି ଏଇ ନାମକୁ ନେଇ କେବେ ବି ଖୁସି ପ୍ରକଟ କରିବା ଦେଖାଯାଏ ନାହିଁ। ହଁ, କଦବା କ୍ବଚିତ୍ କେହି କେହି କିଛି ସୁଖଦ ଅନୁଭୂତି ଲାଭ କରିଥିବେ ନିଶ୍ଚୟ। ନହେଲେ ଜନପ୍ରିୟ ରାଜନେତାର ଶିରିପା ତ ଏମିତି ତୁଛାଟାକୁ ବନ୍ଧା ହୋଇନଥିବ! 

ବାବୁ ଗନ୍ଧର୍ବ ଗଡ଼ନାୟକ ଚାରି ଚାରି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଓଡ଼ିଶା ବିଧାନ ସଭାକୁ ଏଇ ପୁରୁଣାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରୁ। ଯଦିଓ ଏକାଦିକ୍ରମେ ନୁହେଁ, ହାର୍ ଜିତ୍ ତ ଲାଗିଛି ଜୀବନରେ। ଏଥର ସିଏ ଜିତିଲେ ତ ଆରଥରକୁ ତାଙ୍କର ଚିରଶତ୍ରୁ ବାନାମ୍ବର ବଳିୟାର ସିଂହ। ବାଘବଜାରୀ ଖେଳ ପରି ଚାଲିଛି ଏଇ ଛକାପଞ୍ଝାର ରାଜନୈତିକ ଚାଲ୍ ଜୀବନର ପଶାପାଲିରେ। ତେଣୁ ସେ କେତେବେଳେ ମାନ୍ୟବର ବିଧାୟକ ସାଜିଥାନ୍ତି ତ ପୁଣି କେତେବେଳେ ପୂର୍ବତନର ଆଖ୍ୟା ଲାଭ କରିଥାନ୍ତି। 

କିନ୍ତୁ ଗତଥର ନିଜର ଜ୍ବାଇଁଙ୍କ ଠାରୁ ସ୍ଵଳ୍ପ ବ୍ଯବଧାନରେ ପରାଜୟ ବରଣ କରିଛନ୍ତି। କଥାଟା ଅନେକଙ୍କ ମଗଜରେ ଢୁକିବା ବି କାଠିକର ପାଠ। ଯେବେ ନିଜର ଝିଅ ତାଙ୍କର ଇଛା ବିରୁଦ୍ଧରେ ଯାଇ ରାଜନୈତିକ ପ୍ରତିଦ୍ୱନ୍ଦୀ ବାନାମ୍ବର ବଳିୟାର ସିଂହଙ୍କ ପୁଅକୁ ବିବାହ କରିଥିଲେ ସେବେଠାରୁ ବାପା ଆଉ ଝିଅଙ୍କ ମଧ୍ୟରେ ଅହିନକୁଳ ସମ୍ପର୍କ। ଥରୁଟିଏ ତ ଝିଅ ତାଙ୍କୁ ପଚାରି ପାରିଥାଆନ୍ତା! ଏତେ ସ୍ନେହ ଶ୍ରଦ୍ଧାରେ ଝିଅର ଲାଳନପାଳନ କରିଥିଲେ କଣ ଏଇ ଦିନ ଦେଖିବାକୁ? ଯଦିଓ ସେ ଜାଣନ୍ତି ଯେ, ଝିଅ ତାଙ୍କର ରାଜନୀତିରେ ବଳି ପଡିଯାଇଛି ତଥାପି ନିଜର ରାଗ ଶାନ୍ତ କରିବାକୁ ଯାଇ ଝିଅ ପାଇଁ ଶୁଦ୍ଧିକ୍ରିୟା କରି ବାପାର ଦାୟିତ୍ଵ ନିର୍ବାହ କରି ପକାଇଲେ। 

ଏଠି କେବଳ ମୌକା ଖୋଜା ହୁଏ ହିଂସା କାଣ୍ଡ ଭିଆଇବା ସକାଶେ। କଥା କଥାକେ ଗୁଳି ଫୁଟେ, ବୋମାମାଡ଼ ହୁଏ। ଛୁରୀ ଭୁଜାଲି ଖଣ୍ଡା ଚାଲିବା ପୁରୁଣା କଥା ହୋଇଗଲାଣି। ସାଧାରଣ ହସଖୁସି ଥଟ୍ଟା ପରିହାସ ଗମାତ ରୂପନିଏ ରାଜନୈତିକ ପ୍ରତିହିଂସାର। ଜଳିଯାଏ ବଖରା ବଖରା ଘର। ଧାନ ଚାଉଳ ଟଙ୍କା ପଇସା ଗୋରୁଗାଈ କିଛି ବି ବାଦ୍ ପଡନ୍ତି ନାହିଁ ଏଇ ହିଂସା ଆଉ ପ୍ରତିହିଂସାର ଦାବାନଳରୁ। ରାସ୍ତାରୋକ କରି ରାଜଧାନୀ ଭୁବନେଶ୍ଵରକୁ ବାହ୍ୟ ଜଗତ ଠାରୁ ବିଛିନ୍ନ କରି ପକାନ୍ତି ବାଦୀ ଆଉ ପ୍ରତିବାଦୀ କର୍ମୀ ଓ ସମର୍ଥକ। 

କାଳେ କାଳେ ରାଜନୀତି ହେଉଛି ଏକ ଲାଭଜନକ ବ୍ଯବସାୟ। ଯଦି ମୁଣ୍ଡରେ ବୁଦ୍ଧି ଅଛି ଅର୍ଥ ବିନିଯୋଗ କରିବାର ଆବଶ୍ୟକତା ହିଁ ନାହିଁ। ବିନା କୌଣସି ପୁଞ୍ଜି ନିବେଶରେ କେବଳ ଲାଭ ହିଁ ଲାଭ ଏଠି। ଲୋକଙ୍କ ଠାରୁ ଚାନ୍ଦା ଆଦାୟ କରି ସେଇ ଅର୍ଥରେ ସମାଜସେବା କରି ଲୋକମାନଙ୍କ ବିଶ୍ୱାସ ଭାଜନ ହୋଇ ସଠିକ୍ ସମୟରେ ରାଜନୀତି ମଇଦାନରେ ଲମ୍ଫ ପ୍ରଦାନ କରିବା ହେଉଛି ଆଦର୍ଶ ନେତାଙ୍କ ଲକ୍ଷଣ। ଯଦି ଭାଗ୍ୟକୁ କୌଣସି ରାଜନୈତିକ ଦଳର ପୃଷ୍ଠପୋଷକତା ମିଳିଗଲା ତେବେ ହାତୀ ସୁନା କଳସୀ ଢାଳିଲା ଜାଣ। 

ବାବୁ ଗନ୍ଧର୍ବ ଗଡ଼ନାୟକ ପିଲାଟି ଦିନରୁ ବେଶ୍ ବୁଦ୍ଧିମାନ। ଛାତ୍ର ଜୀବନରେ ଛାମୁଆ ନେତାଙ୍କ ବୋକଚା ବୋହିବା ସହିତ ପଦସେବା ମଧ୍ୟ କରିଛନ୍ତି। ନେତାଙ୍କ ପିଲାମାନଙ୍କୁ ସ୍କୁଲରେ ଛାଡିବା ଠାରୁ ଆରମ୍ଭ କରି ସେମାନଙ୍କର ତମାମ ଅଳି ଅର୍ଦ୍ଦଳି ସହିଛନ୍ତି, ସେବାଯତ୍ନ କରିଛନ୍ତି। କେବଳ ନେତାଙ୍କ ସେବା ନୁହେଁ ପାର୍ଟି ପାଇଁ ମଧ୍ୟ ଅନେକ କାମ କରିଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ଆନ୍ଦୋଳନରେ ସାମିଲ ହୋଇ କାରାବରଣ କରିଛନ୍ତି। ପୁଲିସ୍ ଠାରୁ ମାଡ ଖାଇ ଲହୁଲୁହାଣ ହୋଇଛନ୍ତି। "ସେବା କାର୍ପଣ୍ୟ ପୂଣ୍ୟ ବଳେ, କିବା ଅସାଧ୍ୟ ମହୀ ତଳେ!" 

ବିରାଡ଼ି କପାଳକୁ ଶିକା ଛିଡ଼ିବା ପରି ପୁରୁଣାଗଡ଼ର ପ୍ରତିନିଧିତ୍ବ କରୁଥିବା ସୋସିଆଲିଷ୍ଟ ପାର୍ଟିର ଟାଣୁଆ ନେତା ଭଜରାମ ନାଏକଙ୍କ ଅକାଳ ବିୟୋଗ ବାବୁ ଗନ୍ଧର୍ବଙ୍କ ନିମନ୍ତେ ଭାଗ୍ୟୋଦୟ ସାବ୍ୟସ୍ତ ହେବ ବୋଲି ନିୟତି ଭିନ୍ନ କେହିବି ଜାଣିନଥିଲେ। ଦେଶ ସ୍ବାଧୀନ ହେବାର ପୂର୍ବରୁ ହିଁ ପୁରୁଣାଗଡ଼ ହିଂସା ପ୍ରବଣ ଅଞ୍ଚଳ ଭାବେ ପରିଗଣିତ ହେଉଥିଲା। ଏଥିରେ ଆଜି ବି କିଛି ପରିବର୍ତ୍ତନ ଘଟି ନାହିଁ। ଭଜରାମ ବାବୁଙ୍କ ମୃତ୍ୟୁ ପରେ ବହୁ ଉଦୀୟମାନ ନେତା ଏଠାରେ ପ୍ରାର୍ଥୀ ହେବାକୁ ଅମଙ୍ଗ ହେବାରୁ ଶେଷ ମୁହୂର୍ତ୍ତରେ ହାଇକମାଣ୍ଡ ଗନ୍ଧର୍ବ ବାବୁଙ୍କ ପ୍ରାର୍ଥୀତ୍ୱରେ ମୋହର ମାରିଲେ। ଏହି ନିଷ୍ପତ୍ତିରେ ଅନେକ ପୁରୁଖା ନେତା ଓ ରାଜନୈତିକ ପଣ୍ଡିତମାନେ ବିସ୍ମିତ ହୋଇ ଯାଇଥିଲେ। 

ଭଜରାମ ବାବୁଙ୍କ ଆବର୍ତ୍ତମାନରେ ପ୍ରାପ୍ତ ଦଳୀୟ ଟିକେଟ୍ ଗନ୍ଧର୍ବ ବାବୁଙ୍କ ଜୀବନର ନିର୍ଣ୍ଣାୟକ ମୋଡ଼ ଥିଲା। ଏହି ସୁଯୋଗର ସଦୁପଯୋଗ କରିବା ସହିତ କଳ, ବଳ, ଛଳ, କୌଶଳ ପ୍ରୟୋଗ ପୂର୍ବକ ରେକର୍ଡ ସଂଖ୍ଯକ ଭୋଟ୍ ବ୍ଯବଧାନରେ ବିଜୟଶ୍ରୀ ମଣ୍ତିତ ହୋଇଥିଲେ ସିଏ। ପଞ୍ଚ ତିରିଶି ହଜାର ଭୋଟ୍ ବ୍ଯବଧାନ ସେସମୟରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ପ୍ରାର୍ଥୀ ଭାବେ ଗଣମାଧ୍ୟମରେ ତାଙ୍କର ଚର୍ଚ୍ଚା ନଥିଲା କିନ୍ତୁ 'ଡାର୍କ ହର୍ସ' ହୋଇ ଭୋଟ୍ ରାଜନୀତିରେ ପୋଖତ ଖେଳାଳିଙ୍କୁ ଚିତପଟାଙ୍ଗ କରିଦେଇଥିଲେ। ଅବଶ୍ୟ ଏଥିପାଇଁ ଦଳୀୟ ପାଣ୍ଠି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। 

ଅନାମଧେୟ କର୍ମୀରୁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ପ୍ରଥମ ପ୍ରୟାସରେ ବାଜିମାତ୍ କରିବା ସଭିଙ୍କ ଭାଗ୍ୟରେ ଜୁଟେ ନାହିଁ। ତାଙ୍କ ଉପରେ ଭାଗ୍ୟଦେବୀ ପ୍ରସନ୍ନ ଥିଲେ ଏବଂ ପଞ୍ଚମରେ ଦେବଗୁରୁ ବୃହସ୍ପତି ବିରାଜମାନ କରୁଥିଲେ। ସବୁ ଅସାଧ୍ୟ ସାଧନ କରିବା ପାଇଁ ଏତିକି ଯଥେଷ୍ଟ ଥିଲା। ତତସହିତ ବାବୁ ଗନ୍ଧର୍ବ ଥିଲେ ଏକ ବ୍ଯତିକ୍ରମ ଏବଂ ଧୁରୀଣ ବ୍ଯକ୍ତିତ୍ବ। ତାଙ୍କ ଉପରେ ବିଶ୍ୱାସ କରି ହାଇକମାଣ୍ଡ ନେଇଥିବା ଜୁଆଡି ନିଷ୍ପତ୍ତିକୁ ସଠିକ୍ ପ୍ରମାଣିତ କରିଥିଲେ ସେ। ସେବେଠାରୁ ଆଉ ପଛକୁ ଫେରି ଚାହିଁବା ପାଇଁ ତାଙ୍କୁ ଫୁରୁସତ୍ ମିଳିନାହିଁ।

କେବେ ରାଜ୍ୟରେ କ୍ଯାବିନେଟ୍ ପାହ୍ୟାରେ ମନ୍ତ୍ରୀପଦ ତ ଆଉ କେତେବେଳେ ପଡୋଶୀ ରାଜ୍ୟମାନଙ୍କରେ ପ୍ରଭାରୀ ଓ ପର୍ଯ୍ଯବେକ୍ଷକ ଭାର ସମ୍ଭାଳିଛନ୍ତି ବାବୁ ଗନ୍ଧର୍ବ। ଏମିତି ଅନେକ ପଦପଦବୀ ମଣ୍ଡନ କରିଛନ୍ତି ସିଏ ତାଙ୍କର ଦୀର୍ଘ ରାଜନୈତିକ ଜୀବନରେ। ରାଜ୍ୟ ରାଜନୀତିରେ ଦବଦବା ପ୍ରତିପାଦନ କରିବା ନିମନ୍ତେ କେବେ ବି ଦିଲ୍ଲୀ ଦରବାର ପାଇଁ ଲାଳାୟିତ ହୋଇନାହାନ୍ତି। ଅର୍ଥାତ୍ ସାଂସଦ ହେବାକୁ ମନ ବଳାଇ ନାହାନ୍ତି। ଯଦିଓ ସାଂସଦ ପ୍ରାର୍ଥୀମାନେ ଜିତିବା ପାଇଁ ତାଙ୍କ ଉପରେ ନିର୍ଭରଶୀଳ। 

ସମସ୍ତ ଗୁଣଗ୍ରାମ ଥାଇ ମଧ୍ୟ କିନ୍ତୁ ଗୋଟିଏ କଥା ସେ ପ୍ରବଳ ମାତ୍ରାରେ ପ୍ରତିକ୍ରିୟାଶୀଳ। ସରଳ ଭାଷାରେ କହିବାକୁ ଗଲେ, 'ବଦରାଗି'! ଭଙ୍ଗା ଇଟାଖଣ୍ଡର ଜବାବ ପ୍ରକାଣ୍ଡ ଶିଳାଖଣ୍ଡରେ ଦିଅନ୍ତି। ଯଦି କିଏ ତାଙ୍କୁ ପଦେଅଧେ କଟାକ୍ଷ କରେ, ଅପଶବ୍ଦର ମହାସାଗରରେ ଡୁବେଇ ମାରନ୍ତି ତାକୁ। ଯେ କେହିବି ତାଙ୍କର ଚେଲା ଚାମୁଣ୍ଡା କର୍ମୀ ଅବା ସମର୍ଥକଙ୍କ ସହିତ କୌଣସି ଝାମେଲା କରନ୍ତି ତାହାଙ୍କର ବଂଶନାଶ ଯିବା ଆଉ ଘରଡିହରେ ବିଲୁଆ ଡେଇଁବା ଟା ଏକରକମ ଥୟ। 

ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଗନ୍ଧର୍ବ ଗଡ଼ନାୟକ ହିଂସା କାଣ୍ଡ ରୋକିବା ସକାଶେ ଆମରଣ ଅନଶନରେ ବସିଥିବା କଥା ହଜମ ହେଉନଥିଲା ତାଙ୍କୁ ଭଲ ଭାବରେ ଜାଣିଥିବା ଲୋକଙ୍କ ପାଇଁ। 'ହନୁ ମଲା ବେଳେ ସତ କହିବା' ନ୍ୟାୟରେ ପରିଣତ ବୟସରେ ତାଙ୍କର ଏପରି ଅପ୍ରତ୍ୟାଶିତ ଆଚରଣ ତଥ୍ଯାଭିଜ୍ଞ ମହଲରେ ଭୃକୁଞ୍ଚନ ସୃଷ୍ଟି କରିଥିଲା। ସମ୍ମୁଖ ଭାଗରେ କେହି କିଛି ବି କହୁନଥିଲେ ମଧ୍ୟ ଭିତରେ ଭିତରେ ସୈତାନ୍ ଚଣ୍ଡୀପାଠ କରୁଛି ବୋଲି ତାତ୍ସଲ୍ୟ କରୁଥିଲେ। ପୃଥୁଳକାୟ ଶରୀର ବିଶିଷ୍ଟ ଏବଂ ଭୋଜନ ବିଳାସୀ ବାବୁ ଗନ୍ଧର୍ବ ଅନାହାରରେ କେତେ ଦିନ କଣ, କେତେ ଘଣ୍ଟା ବି ରହି ପାରିବେ ନାହିଁ ବୋଲି ସମର୍ଥକଙ୍କ ମଧ୍ଯରେ ଚାପା ଗୁଞ୍ଜରଣ ଖେଳି ଯାଉଥିଲା। 

ରାଜଧାନୀ ଭୁବନେଶ୍ଵରର ବକ୍ଷସ୍ଥଳିରେ ଅବସ୍ଥିତ ବିଧାନ ସୌଧ। ସମ୍ମୁଖରେ ମହାତ୍ମା ଗାନ୍ଧୀଙ୍କ ବିଶାଳକାୟ ପ୍ରତିମୂର୍ତ୍ତି। ସେଇଠି ବଛା ବଛା ବିଶ୍ବସ୍ତ ସମର୍ଥକଙ୍କ ଗହଣରେ ଗନ୍ଧର୍ବ ଗଡ଼ନାୟକ ଅନଶନରେ ବସି ରହିଛନ୍ତି। ଏଠି ଅନଶନ କରିବାର ଏକ ବିଶେଷ କାରଣ ରହିଛି। ପୁରୁଣାଗଡ଼ରେ ଯେତେ ଯାହା କଲେ ମଧ୍ୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା କଷ୍ଟ। କିନ୍ତୁ ରାଜଧାନୀରେ ଛିଙ୍କିଲେ ମଧ୍ଯ ଗଣମାଧ୍ୟମରେ ଚର୍ଚ୍ଚାର ଖୋରାକ ଯୋଗାଇବ। ଦିବସର ବୟସ ବଢ଼ିବା ସହିତ ସାଥି ଓ ସହକର୍ମୀଙ୍କ ସମର୍ଥନ ବଢିବାରେ ଲାଗିଛି। ଜଠରରେ କ୍ଷୁଧାର ଜ୍ବାଳା, ଚହଟଚିକ୍କଣ ମୁଖମଣ୍ଡଳରେ ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି। କିନ୍ତୁ ଅନଶନର ତାତ୍ପର୍ଯ୍ୟ ଏବଂ ଉଦ୍ଦେଶ୍ଯ ବିଷୟରେ ଦମ୍ଭୋକ୍ତି ପରେ ଦମ୍ଭୋକ୍ତି ପ୍ରକାଶ କରି ଚାଲିଛନ୍ତି ସିଏ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସାମ୍ନାରେ। 

ଦୂରଦର୍ଶନ ପରଦାରେ ବାପାଙ୍କ ମଳିନ ବିଷର୍ଣ୍ଣ ମୁଖମଣ୍ଡଳ ଅବଲୋକନ କରି ଏକମାତ୍ର କନ୍ୟା ସୁଲଗ୍ନା ବିଚଳିତ ହୋଇ ପଡୁଛନ୍ତି। ବିକଳ ହୋଇ ନିଜର ବିଧାୟକ ପତି ବିକାଶଙ୍କୁ ନେହୁରା ହେଉଛନ୍ତି ଟିକେ ବାପାଙ୍କ ପାଖକୁ ଯାଇ ଦେଖା କରିବା ନିମନ୍ତେ। କିନ୍ତୁ ପତିଦେବ ନଛୋଡ଼ବନ୍ଧା। ସ୍ପଷ୍ଟ ଦିବାଲୋକରେ ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କ ସହିତ ଭେଟଘାଟ ହେଲେ କର୍ମୀମାନଙ୍କୁ ଭୁଲ୍ ବାର୍ତ୍ତା ଯିବ। ସେମାନଙ୍କର ମନୋବଳ ଭାଙ୍ଗି ଯିବ। ଶ୍ବଶୁରଙ୍କର ପଛେ ଯାହା ହୋଇଯାଉ କିନ୍ତୁ ସିଏ ତାଙ୍କର ପୁରୁଷାନୁକ୍ରମିକ କର୍ମୀ ତଥା ସମର୍ଥକଙ୍କ ସହିତ ଦଗା ବାଜି କରି ପାରିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଲେ। 

ପତିଦେବଙ୍କ ଝିଙ୍ଗାସ ବଚନ ଶୁଣି ନିଜକୁ ଧିକ୍କାର କରିବାକୁ ଲାଗିଲେ ସୁଲଗ୍ନା। ଏଇ ସ୍ବାର୍ଥପର ପତିଙ୍କ ପାଇଁ ସିଏ ଦିନେ ମର୍ଯ୍ୟାଦାର ସମସ୍ତ ସୀମା ସରହଦ ଉଲ୍ଲଘଂନ କରି ଜନ୍ମଦାତାଙ୍କ ମୁହଁରେ କଳା ବୋଳି ଦେଇଥିଲେ। ବାପାଙ୍କର ଚିର ପ୍ରତିଦ୍ୱନ୍ଦୀଙ୍କ ପୁଅ ବିକାଶ ଯେ ଛଦ୍ମବେଶୀ ପ୍ରେମିକ ସାଜି ପ୍ରେମର ଫାଶରେ ଫସାଇ ଦେଇଥିଲେ ତାହା ଏବେ ମର୍ମେ ମର୍ମେ ଅନୁଭବ କରୁଥିଲେ ସିଏ। ଲୁଚିଛପି ମନ୍ଦିର ପରେ ଅଦାଲତରେ ବିବାହ କରିବା ଦ୍ବାରା ଯେ ବାପାଙ୍କ ମନକୁ କେତେ କଷ୍ଟ ହୋଇଥିବ, ତାହା ଚିନ୍ତା କରିବା କ୍ଷଣି ଅମାନିଆ ଲୁହ ଧାର ଧାର ହୋଇ ବହିଗଲା ତାଙ୍କର ଚକ୍ଷୁ ଯୁଗଳରୁ। 

ନା ଆଉ ବାପାଙ୍କୁ ସେ ଅଧିକ କଷ୍ଟ ସହିବାକୁ ଦେବେ ନାହିଁ ବୋଲି ମନେ ମନେ ବଜ୍ର ଶପଥ କରି ନେଲେ ସୁଲଗ୍ନା। ଅଦିନିଆ ଝଡ଼ ପରି ଘରୁ ବାହାରି ସିଧାସଳଖ ଚାଲିଲେ ଗୋଟିଏ ପ୍ରସିଦ୍ଧ ଭୋଜନାଳୟ ଅଭିମୁଖେ। ବାପାଙ୍କ ମନ ପସନ୍ଦର ଖାଦ୍ୟ ସାମଗ୍ରୀ ପାର୍ଶଲ୍ ପାଇଁ ଅର୍ଡ଼ରଟା ଦେଇ ବିଧାନସଭା ପ୍ରାଙ୍ଗଣରେ ପହଞ୍ଚାଇବାକୁ ଅନୁରୋଧ କଲେ। ସନ୍ଧ୍ୟା ନଇଁ ଆସୁଥିଲା। ସୂର୍ଯ୍ୟଦେବ ପଶ୍ଚିମ ଆକାଶରେ ଅସ୍ତ ଯାଉଥିଲେ। ଭୁବନେଶ୍ୱର ମହାନଗରୀର ରାଜରାସ୍ତାରେ ନିଅନ୍ ଆଲୁଅ ଜଳି ଉଠୁଥିଲା। ତଥାପି ବାବୁ ଗନ୍ଧର୍ବଙ୍କ ଆମରଣ ଅନଶନ ଜାରି ରହିଥିଲା। 

କିଛି ସମୟର ବ୍ୟବଧାନରେ କେହି ଜଣେ ସମର୍ଥକ ତାଙ୍କ ବାମ କାନରେ ଫିସ୍ ଫିସ୍ ହୋଇ କିଛି କହୁଥିବାର ଅସ୍ପଷ୍ଟ ଶୁଣା ଯାଉ ଯାଉଥିଲା। ଗଣମାଧ୍ୟମର ପ୍ରତିନିଧିମାନେ ବାହୁଡ଼ି ଯାଇଥିଲେ ଆପଣା ଆପଣା ଗନ୍ତବ୍ୟମାର୍ଗରେ। ମୁଷ୍ଟିମେୟ ସମର୍ଥକଙ୍କ ଗହଣରେ ବାବୁ ଗନ୍ଧର୍ବ ପ୍ରସିଦ୍ଧ ଭୋଜନାଳୟର ଦାମୀ ବ୍ୟଞ୍ଜନର ସ୍ବାଦ ନେଉ ନେଉ ଆଗାମୀ କାଲିର କାର୍ଯ୍ୟପନ୍ଥା ସମ୍ବନ୍ଧରେ ବିଚାରବିମର୍ଶ ଚାଲୁ ରଖିଥିଲେ। ଗୁପ୍ତଚର ଠାରୁ ବାପାଙ୍କ ହାନିଲାଭ ବୁଝି ଆତ୍ମତୃପ୍ତିର ସ୍ମିତହାସ୍ୟ ରେଖା ଫୁଟି ଉଠୁଥିଲା ସୁଲଗ୍ନାଙ୍କ ଚାରୁ ଚନ୍ଦ୍ରବଦନରେ ।



Rate this content
Log in

Similar oriya story from Abstract