Lopamudra Parida

Action Inspirational

4  

Lopamudra Parida

Action Inspirational

ଅକର୍ମଣ୍ୟ

ଅକର୍ମଣ୍ୟ

5 mins
419


ଦୁନିଆ ଖୋଜିଲା ପରେ ତା ' ଠିକଣା ପାଇଛି ।

ମେଘମୁକ୍ତ ଆକାଶ । ଆଜି ରବିବାର ଆଜି ହି ଯିବି ଭାବିଛି ।

ହଜିଯାନ୍ତି ଲୋକେ ପରିବେଶ, ବୟସ,ସମୟ ଚକ ଆଉ ପରିସ୍ଥିତି ବଦଳୁ ବଦଳୁ ।ପୁଣି ମିଳିଛି ଯେତେବେଳେ ଭାଗ୍ଯ ।ଭେଟି ଦବା ।କିଏ ଜାଣେ କାଲି କିଏ ଥିବ କିଏ ବା ନୁହେଁ ।

ମୁଁ ଋତୁ, ଋତୁରାଜ । ଥାଉ ଥାଉ ମୁଁ ଏଠି ମୋ ଗପ କହିବାକୁ ଆସିନି ଆଜି । ନିଜ ଗପ କିଏ କଣ କହେ ,ଦାଣ୍ଡ ଘାଟରେ ଗଡାଏ !ନାଃ ।କହିପାରିବାକୁ ସାହାସ ଦରକାର, ଭାରି କଡା ପାଠ । ଗପି ହୁଏ, ପକ୍ଷୀ ପରି,ନଦୀ ପରି  ଅନ୍ଯର ଗୁଣ ଅବଗୁଣ । ପାହାଡିକାନ୍ଥି ନୀଳ ଜଳବେଣୀ ପରି ଛଳଛଳେଇ ବହିଯାଉଥିବା ସାଲୁରି ନଦୀ କୂଳରେ ଥିଲା ଆମ କଲେଜ ।ଅଳ୍ପ ଗୁଳ୍ମାକୀର୍ଣ୍ଣ, କଙ୍କରିଳ ଉପତ୍ଯକା, ସହ ପାର୍ବତ୍ଯ ଲତାକୁନ୍ଜ,ଦୁର୍ବାଦଳର ସବୁଜ ଛୁଆଁ । ଏବେ କାଳେ ନିର୍ଜନ ମଣିଷସାନିଧ୍ଯ ଶୂନ୍ଯ ସେଇ ସ୍ବର୍ଗ ରେ ବଳିଛି ଭଗ୍ନାବିଶେଷ ଆଉ କିଛି ଖପରାଲି ଚାଳିଆ । ଆମେ ସବୁ ନିଜ ନିଜର ଜିନିଷପତ୍ରର ଜଞାଳ ଭିତରେ ଏକ ଧାଉଡିଆ ହେଇ ଦଉଡୁଛୁ ।ଆମ ଚିକିଟାବସା ଅଠାଳିଆ କାନ୍ଥରେ ଆମ ସୁକୁମାର ସ୍ମୃତି ସବୁ ଧରାଶାୟୀ ।କୃଷ୍ଣାତିଥି ରେ କ୍ବାଟର ଘରର ଦି ହାତିଆ ରନ୍ଧା ଘର କୋଣରୁ ଛିଟିକେ ଏବେ ବି ଏକ ମଳିନ ଚତୁଷ୍କୋଣି ଆକାଶର ଛାଇ ଦରଛଡା ସିମେଣ୍ଟ ମେଜିଆରେ ମୂର୍ଚ୍ଛା ଗଲା ପରି ସେଇ ଟିକକ ମତେ ମୋ ହଜିଲା ମିଠାଳିଆ ଦିନ ସବୁକୁ ଖୋଜିବାକୁ ଉସକାନ୍ତି ,ଆଉ ଥରେ ଭୋଗିନେବାକୁ ଅତୀତ । ଅତୀତ ସବୁବେଳେ ଦର୍ପଣ ପରି ।ଦେଖେଇଦିଏ କୋଉଠି କଣ ଛାଡିଲୁ । ଏବେ ଲୋକେ ମିଳିବା ସହଜ ।ଟିକେ ଆଙ୍ଗୁଳି ଟିପ୍ ଟାପ୍ ଚଳେଇବାକୁ ହେବ ଯନ୍ତ୍ର ସବୁରେ ।

ସିଏ କିନ୍ତୁ ମିଳୁ ନଥିଲା ।ଥିଲେ ସିନା ମିଳିଥାନ୍ତା ଏ ସବୁରେ !

ତଥାପି ଚେଷ୍ଟା ଛାଡିଲିନି । ଭାରତୀ ଚତୁର୍ଥ ଶ୍ରେଣୀର ସାଙ୍ଗ ଆମର।ଗୋଟିଏ ସାହି ତ।ରାକ୍ଷୀ ବାନ୍ଧି ଥିଲା ପିଲାଦିନେ । ଭାବିଲି ପଚାରି ଦେଖେ ।ସତକୁ ସତ ତାରିଠୁ ନମ୍ବର ତ ପାଇଲିନି, ଠିକଣା ଟି ପାଇଲି । ସିଏ ବି ସାତ ଆଠ ବର୍ଷ ତଳେ ରହୁଥିବା ପୁରୁଣା ଘରର । ଆଜିକାଲି ପୁଣି ଫୋନ ନଥିବା ଲୋକ କିଏ ଥାଏ ! ଆଶ୍ଚର୍ଯ୍ୟ ହେଲି । ସିଏ ଦୋ ଦୋ ଚିହ୍ନା ହେଲାନି ।ଦେଖୁ ଦେଖୁ ପାଟିଟେ କରି ଭାରି ଗୋଟେ ଖୁସି ହେଲା ।ଆଉ ସେ ଖୁସି ମୋ ଭିତରକୁ ଉଛ୍ଛୁଳି ଆସିଲା ।କିନ୍ତୁ ସେଇ ଚିତ୍କାର ଉଲ୍ଲାସ ଟେ ପରେ ସିଏ ମୂର୍ତ୍ତିବତ ପଡିରହିଲା ।

ଏବେ ପ୍ରଥମ ଆଳାପ ମତେ ହି ଆରମ୍ଭ କରିବାର ଥିଲା ।ସୌଜନ୍ୟବୋଧରୁ କୁଣ୍ଠିତ ଲାଗୁଥିଲେ ବି ପଚାରିଲି ," ତୁ ତ ବହୁତ ବଡ କାରବାର ଚଳେଇଥିଲୁ, ଖୁବ୍ ସ୍ବଚ୍ଛଳ ଥିଲୁ ଶୁଣିଥିଲି ପୁଣି ଏମିତି ? କଣ ? କେମିତି? କାହିଁକି? " 

ଏ ଅବସ୍ଥା ରେ ତାର ଦିନାତିପାତ ମତେ ଉଦ୍ରିକ୍ତ କରୁଥିଲା ଭିତରୁ, ଅଜଣା କିନ୍ତୁ କଣ୍ଟା ଫୋଡା କୌତୁହଳ ରେ ।ଅନ୍ଯର ଘାଆ ,ନିଜ ପାଇଁ ଗପ ଖୋରାକ ନିତି । ତା' ମୁହଁର ଧାର ତୀକ୍ଷ୍ଣ କଠୋର ହେବାର ଆଶଙ୍କା ଟେ ମୁଁ ପୋଷୁ ଥିଲି ଯେ, ସିଏ କିନ୍ତୁ ଆଦ୍ରଶୂନ୍ଯ ନିର୍ମେଘ ସକାଳ ପରି ନିର୍ଲିପ୍ତ ଦିଶିଲା । ତା ଅବସ୍ଥା ମୋ ଚେତନାକୁ ବ୍ଯଥାରେ ସିକ୍ତ କରୁଥିଲା ।ସିଏ କିନ୍ତୁ ସେମିତି ସ୍ଥିର ଭାବକୁ ଅକ୍ଷୁର୍ଣ୍ଣ ରଖି କହିଲା, " ଆରେ ଏତେ ଦିନେ ଭେଟିଛୁ । ସବୁ କଥା କଣ ଏକାଥରେ ପଚାରିଦବୁ ? କହିବି ରହ ସବୁ କହିବି ।ବସ ତ ଆଗେ ।" ୟା ଭିତରେ ତା ସ୍ତ୍ରୀ ଯାହାକୁ ମୁଁ ଭାଉଜ ଡାକି ନମସ୍କାର କରିଥିଲି ଟିକକ ଆଗରୁ, ସିଏ ଘସରା କାଚ ଗିଲାସଟିଏରେ ଲେମ୍ବୁ ଚିନି ପଣା ନୁହେଁ ଶୁଦ୍ଧ ସାଦା ପାଣି ଗିଲାସେ ଧରି ଠିଆହେଇଥିଲେ ଦୁଃଖ ର ଅଟଳ ମୂର୍ତ୍ତି ପରି । ଇଏ ପୁଣି ଟିକେ ଟାଣି ଓଟାରି ହସିଲା ପରି କିଛି ଚେଷ୍ଟା କଲା ଆଉ କହିଲା ," କଣ ଅଛି ଘରେ ଯଦି ଋତୁ ପାଇଁ ଦିଟା ବାଢୁନ ରମା ? ନା ନାଇଁ ? ଏତେ ଦିନେ ଆସିଛି ତ ।" ତା ସ୍ବର ଟା ଶେଷ ଆଡକୁ ଏମିତି ଭାଙ୍ଗିଖସି ପଡୁଥିଲା ଯେ ମୁଁ ଆପେ କହିଲି, " ନାଇଁ ନାଇଁ ଭାଉଜ ତମେ ଏଇଠି ଆମ ସାଙ୍ଗରେ ବସ ।କଥା ହବା ।ସେ ସବୁ ବିଲକୁଲ ଦରକାର ନାହିଁ ।ମୁଁ ସତ କହୁଛି ।" ଭାଉଜ ବି ଏକ ଅପ୍ରସ୍ତୁତ ପରିସ୍ଥିତି ରୁ ରକ୍ଷା ପାଇଲା ପରି ଅଳ୍ପ ଆସ୍ବସ୍ତ ଆଉ ଅଳ୍ପ ବିକଳ ଦିଶିଲେ ।ଏକାଠି ଏଇ ସବୁ ଭାବ କେତେ କଦାକାର କରିପାରେ ଆଗରୁ ଝାଉଁଳା ମୁହଁ ଟିକୁ ।ଭଲ ଲାଗିଲାନି । କୋଣକୁ ଡେରା ଟୁଲ୍ ଟିରେ ହାଲକେଇ ବସିଲେ ଓଢଣାଟି ସଜାଡି ନେଇ ।ସିଏ ଗପୁଥିଲା

ଭୁବନେଶ୍ବରରେ ପ୍ରତିଷ୍ଠିତ ବ୍ଯବସାୟୀ । ନାଆଁକରା ଜମିବାଡି,ପ୍ରତିପତ୍ତି, ଲୋକ ,ଧନ,ଜନ ବଳ ।ଲକ୍ଷ୍ମୀ ପ୍ରତ୍ଯକ୍ଷେ ବରଦା । ରାଜଥାଟରେ ଗଡୁଥିଲା ଚକ ।ଦୁଇ ଭାଇ ଯେମିତି ରାମଭରତ ହେଇ ଚଳୁଥିଲେ ।ୟାର ଗୋଟିଏ ପୁଅ ,ସାନର ଦୋଟି ।ଈଶ୍ବର ସବୁ ସୁଖ ତକ ଖୋଜିଲୋଡି ଏଇଠି ଓଜାଡି ଦେଇଥିଲେ ।ଦ୍ବାରକା ପୁରୀର ବୈଭବ, ଐଶ୍ଚଯ୍ଯ ।

ଦିନେ ଗୋଟେ କାଳ ସକାଳରେ ପୁଅ ଖେଳିବାକୁ ଦାଣ୍ଡ କୁ ଯାଇ ଫେରିଲା ଗୋଡଟେ ହରେଇ ଶନିଦଶା ଦଂଶନରେ।

ଲୋଭର କୋଉ ଜିଭ ରେ ମୋଡି ହେଇ ସାପ ହେଇଗଲା ଭାଇ ।ଖିର ଦେଇ ପାଳି ଥିବାରୁ ଚୋଟ ଥିରେ ଥିରେ ମାରିଲା ।ଶହେ ସହସ୍ର ଥର ଚୋଟ ।ଅବିଶ୍ବାସ ର ବିଷ ଉଦ୍ଗାରି ରାତାରାତି କୋଉ ପ୍ରେତଶକ୍ତିର ଉତ୍ ପ୍ରେରଣାରେ ରେ ସବୁ ସଂପତ୍ତି ନିଜ ନାଁରେ କରେଇନେଲା । ଲୋକ ଦେଖିଣାଆ କୁ ଭାଇ, ଭାଉଜ ଆଉ ଅଧାଜୀବନର ପୁଅଟିକୁ ଘରୁ ତଡିଦେଲାନି ସିନା ମହଲ ରୁ ବାରିପଟକୁ ଫିଙ୍ଗି ଦେଲା ।ଏକର ଏକର ରେ ଥିବା ବିରାଟ ପ୍ରାସାଦର ଉଚ୍ଚ ପାଚେରୀ ବାହାରକୁ ଏଇ କୁଚକ୍ର ର ବାସ୍ନା ବି ଆସୁନଥିଲା । ଟେର୍ ପାଇନଥିଲେ କେହି ଆଉ ଦୁସ୍ଥ ପରିବାର ଟି ଧରି ଇଏ ତଡି ହେଇଯାଇଥିଲା ନିଜ ତିଆରି ଆଭିଜାତ୍ଯ ର କୁହେଳିରୁ ମାଟିଖାଇ । ପାଦଦେଇଥିଲା ଏଇ ଟାଇଲ ଛପର ସର୍ଭ୍ଯାଣ୍ଟ କ୍ବାଟର ପଛ ଗାଈ ଗୁହାଳରେ ।ଯା ହେଉ ଗାଈ ସବୁ ଆଗରୁ ମରି ସାରିଥିଲେ ।ଏମାନଙ୍କ ପାଇଁ କାନ୍ଥ ଉଠିଥିଲା ଦୟାର । ଏବେ ଚିନ୍ତା ୟାର ଗଣ୍ଠିକୁ ପୁଳା ପୁଳା କରି ଖାଇବା ଆରମ୍ଭ କରିସାରିଥିଲେ ।ଦୁଇ ଦୁଇ ଥର ହୃଦୟ ଆଘାତ ଆଉ ଥରେ ବ୍ରେନ୍ ଷ୍ଟ୍ରୋକ ରେ ହାତ ପାଦ ଅଚଳ ହେଇ ମୁହଁ ବଙ୍କା ହେଇସାରିଥିଲା ।ଖଟରେ ସବୁ । ହଁ ଏବେ ବି ଭାଇ ଆସେ ।ହସ୍ତଖତ କରେଇନବାକୁ କେଉଁ କାଗଜରେ କେମିତି ଯୋଉଟା ଏବେ ବି ତାଙ୍କ ଅକ୍ତିଆର ବୋଲି ଲେଖା ଅଛି କାଗଜ ପଟା ରେ ।ଧମକ ଦେଇ କହିଯାଏ," ବାହାରକୁ କଥା ଗଲେ ଗୁହାଳରେ ନିଆଁ ଧରିଯିବା କିଛି ନୂଆ କଥା ନୁହେଁ ।" 

ସିଏ କହିଚାଲଥିଲା କୁହ,ଲୁହ,କ୍ଷୋଭ, ଦମ୍ଭ ସବୁକୁ ଆଳ କରି ।ଫାଟିପଡିଥାନ୍ତା ବୋଧେ ଆଉ ଟିକେକୁ ଲାର୍ଭା ତା ମନର ।

ଅପ୍ରସ୍ତୁତ ଦିଶିଲେ ଭାଉଜ ।ତାର ଅନର୍ଗଳ ଦୁଃଖ ବଖାଣରେ ସବୁ ସତ ଥଙ୍ଗେଇ ଥଙ୍ଗେଇ ଓଗାଳିପକଉଥିବା ଦେଖି ।କାନ୍ଥ ମାନଙ୍କର କାନ ଭାରି ତୀକ୍ଷ୍ଣ କାଳେ ।

ନାରୀ ଟିଏ ତ ।ସବୁ କଥାକୁ ବେଶୀ ବେଶୀ ଡର ।ଏଠି ତ ଚାରିପଟେ କଟମଟ ଅନ୍ଧାର । ଦି ପଟେ ଦିଟି ଖଟିଆରେ ଅଧା ଅଧା ଶୋଇଥିବା ଚମଛାଉଣୀରେ ତାଙ୍କ ପୁରା ସଂସାର ।ସେତକ ପାଇଁ ସିଏ ସମ୍ଭାଳି ହେଇ ଚାଲିଛନ୍ତି ଯାହା ।

ବିକଳାଙ୍ଗ ସଂସାର ର ବୋଝକୁ ସିଏ ଚିରାପଣତର କୋଉ କୋଣରେ ସାଇତିଛନ୍ତି ଭାବିହୁଏନା । ଆଛ୍ଛା ସଂସାର ନା ସନ୍ଯାସ କେଉଁଟି ଭଲ ,କିଏ କହିପାରିବ ନାନା ହରଫରେ ବର୍ଷାକ୍ଲାନ୍ତ ସର୍ପିଳ ପଥଭୂମି ନା ଅବିଶ୍ରାନ୍ତ ଫୁଟୁଥିବା ହାଣ୍ଡିପାଣି । ଏମିତି କିଛି ପ୍ରଶ୍ନ ଆବୋରି ଥିଲା ମତେ ଫେରିବା ବାଟରେ ।

ଇଛ୍ଛା ମୃତ୍ୟୁ ବରଦାନ ଦେଇଥାନ୍ତେ ଯଦି ଈଶ୍ବର, କେତୋଟି କ୍ଷେତ୍ର ରେ ତାହା ସତରେ ବରଦାନ ହିଁ ସାବ୍ଯସ୍ତ ହନ୍ତା ।ତେବେ କେବଳ ସେତିକି ବେଳେ ହି ମିଳୁଥାନ୍ତା ଶକ୍ତି ଟି ଯେତେବେଳେ ଅସହ୍ୟ ଆଉ ଅଲୋଡା ହେଇପଡନ୍ତା ଜୀବନ ଚକ ତେବେ ଚଳନ୍ତା। ନହେଲେ ତ କଥା ସରନ୍ତା , ଅପବ୍ଯବହାର କଣ କମ ହୁଅନ୍ତା ମତେ ଲୌହ ଫାଟକ ଖୋଲି ଭିତରକୁ ଆସିବାକୁ ଅନୁମତି ଦେଇଥିବା ଚୌକିଦାର ଟି ଯୋଗକୁ ପୁରୁଣା ବଫାଦାର ଥିଲା ।ସୁଯୋଗ ଉଣ୍ଡି ଟୋପି ତଳୁ ଖାଲି ଏତିକି କହିଲା, " ବାବୁ ଏଠୁ ଆମ ବଡବାବୁଙ୍କୁ ବଞ୍ଚେଇ ନିଅ ବାବୁ । " ଲୁହକୁ ବୋହିବାକୁ ଦେଲାନି ସିଏ ପଶୁଥିବା କାର୍ କୁ ସାଲ୍ଯୁଟ କରୁ କରୁ । ମୁଁ ବସ୍ ରେ ଯାଇଥିଲି । ମୋର ମନେ ପଡୁଥିଲା କଲେଜର ଫେରୱେଲ ଦିନ । ସମସ୍ତେ ସମସ୍ତିଙ୍କୁ ବିଦାୟୀ ଦୃଶ୍ୟ ରେ । ମୁଁ ଭାବବିହ୍ବଳ ହେଲା ବେଳରେ ସିଏ ମୋ କାନ୍ଧ ରେ ହାତ ଗୁଡେଇ କହୁଥିବା କଥା ," ଆରେ ମୋ ଋତୁ ଅଛି ମାନେ ମୋର ସବୁ ଅଛି ।ତୋ ଭଳିଆ ସାଙ୍ଗ ଭାଇ ଠୁ ବଳି ।ମୁଁ ଜାଣେ ତୁ ମତେ କେବେ ଭୁଲିବୁନି ।ମୋ ବିଶ୍ବାସ କହେ ଯୋଉଠି ଥା ମତେ ଖୋଜିନବୁ ହି ।" ତା ପରେ ହସୁଥିଲା ଠୋ ଠୋ ରଜା ହସ । ରଜା ଟେ ହି ତ ଥିଲା ସିଏ ଅନ୍ତରରୁ, ଆଭିଜାତ୍ଯ ରୁ । " ମୁଁ କଣ ସତରେ ତାକୁ ଖୋଜିନେଇ ପାରିଥିଲି ଏଥର ?" ପିଟିହେଉଥିଲା ପ୍ରଶ୍ନ ଟା ମୋ ଭିତରେ । ବସ୍ ଷ୍ଟାଣ୍ଡ କୋଉ ପଛରେ ରହିଯାଇଥିଲା ।ଦିଗହୀନ ଚାଲୁଥିଲି ମୁଁ ।ଆକାଶ ମେଘମ୍ଲାନ । ନୈଶ୍ଯ ନିରବତା ସ୍ଥିର ,ଅକ୍ଷତ ।


Rate this content
Log in

Similar oriya story from Action