ଅହଂକାର
ଅହଂକାର
ଆମେ ସମସ୍ତେ ଜାଣିଛନ୍ତି ଯେ ଜନ୍ମରୁ ମହାମୂର୍ଖ ଥିବା କାଳିଦାସ ନିଜ ସ୍ତ୍ରୀ ଙ୍କ ଦ୍ବାରା ଅପମାନିତ ହୋଇ ବାଗ୍ ଦେବୀ ସରସ୍ବତୀଙ୍କର ଶରଣାପନ୍ନ ହୋଇଥିଲେ ଏବଂ ତାଙ୍କୁ ଆରାଧନା କରି ତାଙ୍କରି ଆଶୀର୍ବାଦ ଲାଭକରି ପରବର୍ତ୍ତୀ ସମୟରେ ଜଣେ ବଡ ପଣ୍ଡିତରେ ପରିବର୍ତ୍ତିତ ହୋଇ ନିଜର ଜ୍ଞାନ ଗାରିମାରେ ସଂସାରରେ ଅତୁଳନୀୟ ହୋଇଥିଲେ । ସଂସ୍କୃତରେ ରଚିତ ତାଙ୍କର ରଘୁବଂଶମ୍, ମେଘଦୂତମ୍, ଋତୁସଂହାରମ୍ ଭଳି ଅନେକ ଗୁଡିଏ ମହାକାବ୍ୟ ତାଙ୍କୁ ଆଜି ମଧ୍ୟ ଅମର କରି ରଖିଛି। ସେଇ ମହାପଣ୍ଡିତ କିନ୍ତୁ ନିଜର ଗୋଟିଏ ଛୋଟ ଭୁଲ୍ ପାଇଁ ମା’ ସରସ୍ବତୀଙ୍କ ଠାରୁ ଅଭିଶାପ ପାଇଥିଲେ ଯେ ସେ ସବୁ ସ୍ଥାନରେ ବିଦ୍ୟା ବୁଦ୍ଧିରେ ଜିଣିବେ ମାତ୍ର ବିଦ୍ୟା ନଗରୀରେ ନୁହେଁ ।
ଭାରତର ସବୁ ରାଜ୍ୟରେ ନିଜର ଜ୍ଞାନର ପରୀକ୍ଷା ଦେଇ ସେ ଯେତେବେଳେ ଜଣେ ଦିଗ୍ ବିଜୟୀ ପଣ୍ଡିତ ଭାବରେ ଖ୍ୟାତିଲାଭ କଲେ ତାଙ୍କ ମନରେ ଅହଂକାର ଆସିଲା। ଥରେ ସେ ବିଦ୍ୟାନଗରୀରେ ନିଜର ଜ୍ଞାନର ପରୀକ୍ଷା କରିବାକୁ ଇଚ୍ଛା କରି ସେଠାକୁ ଯାତ୍ରା କଲେ। ବିଦ୍ୟାନଗରୀ ଖୁବ୍ ସୁନ୍ଦର ସ୍ଥାନଟିଏ ଥିଲା । ନଗରୀରେ ପ୍ରବେଶ କରି ଚାରିଆଡେ ବୁଲାବୁଲି ତା’ର ଶୋଭା ଦର୍ଶନ କରି ସେ ମନ୍ତ୍ରମୁଗ୍ଧ ହୋଇ ଭୋକ ଶୋଷ ଭୁଲିଗଲେ। ସଞ୍ଜ ଲାଗି ଆସୁଛି, ଏଇ ସମୟରେ ସେ ଖୁବ୍ ତୃଷାତୁର ହୋଇ ପାଣି ଟୋପେ ପିଇବା ପାଇଁ ଚାରି ଆଡକୁ ଦୃଷ୍ଟି ପକାଇଲା ବେଳକୁ ତାଙ୍କ ଦୃଷ୍ଟି ପଥାରୂଢ ହେଲା ବଡ ବାମ୍ଫି ଟିଏ। ସେଠାରେ ଦଉଡି ପକାଇ ମାଠିଆରେ ପାଣି କାଢୁଥିଲେ ଜଣେ ଅବଗୁଣ୍ଠନବତୀ ମହିଳା। କାଳିଦାସ ତାଙ୍କ ପାଖରେ ପହଞ୍ଚି ପିଇବା ପାଇଁ ପାଣି ମାଗିଲେ। ମହିଳା ଜଣକ ଜଣେ ଅପରିଚିତ ବ୍ୟକ୍ତିଙ୍କୁ ଦେଖି ହଡବଡେଇ ଗଲେ। କାଳିଦାସଙ୍କ ଅନୁରୋଧ ରକ୍ଷାକରି ସେ ପାଣି ପିଇବାକୁ ଦେବାକୁ ସେ ରାଜି ହେଲେ ,କିନ୍ତୁ ତା’ ପୂର୍ବରୁ ନମ୍ରତାର ସହ ପଚାରିଲେ ପ୍ରଶ୍ନଟିଏ ।
-ମହାଶୟ ! ତୁମେ ତ ଏଠିକାର ଲୋକ ଭଳି ଜଣା ପଡୁନାହଁ । “ କିଏ ତୁମେ ? ତୁମର ପରିଚୟ କ’ଣ ” କାଳିଦାସ ତ ମହାପଣ୍ଡିତ, ନିଜର ପଣ୍ଡିତପଣିଆ ଦେଖାଇ ସେ ଉତ୍ତର ଦେଲେ - “ ମୁଁ ଜଣେ ପରିବ୍ରାଜକ “ ମହିଳା ଜଣକ ତତ୍ କ୍ଷଣାତ୍ କହିଲେ - ପରିବ୍ରାଜକ?
କୋଉ ପରିବ୍ରାଜକ? ଏଇ ପୃଥିବୀରେ ତ ମାତ୍ର ଦୁଇଜଣ ପରିବ୍ରାଜକ ଅଛନ୍ତି , ସେମାନେ ହେଲେ ସୂର୍ଯ୍ୟ ଆଉ ଚନ୍ଦ୍ର, ଯିଏ ଉଦୟରୁ ଅସ୍ତ ହେବା ଯାଏଁ ଅହରହ ପୃଥିବୀ ଚାରିପଟେ ପରିକ୍ରମା କରୁଥାନ୍ତି।ହେଲେ ତୁମେ କିଏ ? କାଳିଦାସ ପୁଣି କହିଲେ- ମୁଁ ଜଣେ ଅତିଥି । ମହିଳା ଜଣକ ତୁରନ୍ତ ପ୍ରଶ୍ନ କଲେ- ଅତିଥି? କୋଉ ଅତିଥି? ଏଇ ପୃଥିବୀରେ ତ ମାତ୍ର ଦୁଇଜଣ ଅତିଥି ଅଛନ୍ତି, ସେମାନେ ହେଲେ ଧନ ଏବଂ ଯୌବନ, ଯିଏ ଖୁବ୍ କ୍ଷଣସ୍ଥାୟୀ ହୋଇଥିବା ହେତୁ ଅତିଥି ବୋଲି ବିବେଚିତ ହୁଅନ୍ତି । ହେଲେ ତୁମେ କିଏ? ନିଜ ଅସହିଷ୍ଣୁତାକୁ ଚାପିରଖି ଏଥର କାଳିଦାସ କହିଲେ – ମୁଁ ଜଣେ ସହନଶୀଳ ବ୍ୟକ୍ତି । ଏହା ଶୁଣି ମହିଳା ଜଣକ କହିଲେ – ଏଇ ବ୍ରହ୍ମାଣ୍ଡରେ ମାତ୍ର ଦୁଇଜଣଙ୍କୁ ସହନଶୀଳ ବୋଲି କୁହନ୍ତି, ସେମାନେ ହେଲେ” ଭୂମି ଏବଂ ବୃକ୍ଷ” ଯିଏ ଯେତେ ହାଣି ,କାଟି, ପଥର ମାରି, କର୍ଷଣକରି ଯାହା ଇଚ୍ଛା ତାହା ଅତ୍ୟାଚାର କରୁ ପଛେ ସେମାନଙ୍କୁ କୌଣସି ପତିବାଦ ନକରି, ସେମାନଙ୍କ ଉପରେ କୌଣସି ଆକ୍ରୋଶ ନରଖି ସେମାନେ ନିଜର ଶସ୍ୟ, ଫୁଲ, ଫଳ ଦେଇ ନିଜ ଗୁଣରେ ଜୀବଜଗତକୁ ପାଳନ ପୋଷଣ କରନ୍ତି । ହେଲେ ତୁମେ କିଏ? ଏବେ ଆଉ ଟିକିଏ ସତର୍କ ହୋଇ କାଳିଦାସ କହିଲେ – ମୁଁ ଜଣେ ହଟ୍ଟବାଦୀ, ତୁମ ପାଖରୁ ପାଣି ନପିଇ ଫେରିବି ନାହିଁ । ଏବେ ମହିଳା ଜଣକ ହସିଲେ ଆଉ କହିଲେ – ଏଇ ବ୍ରହ୍ମାଣ୍ଡରେ ମାତ୍ର ଦୁଇଜଣ ହଟ୍ଟବାଦୀ ଅଛନ୍ତି,ସେମାନେ ହେଲେ “ ନଖ ଏବଂ କେଶ” । ସେମାନେ ବଢନ୍ତି, ଆମେ କାଟି ଚାଲୁଥାଉ , କିନ୍ତୁ ଯେତେଥର କାଟିଲେ ମଧ୍ୟ ସେମାନେ ଅମାନିଆ ହୋଇ ହଟ୍ଟ କରି ପୁଣି ବଢୁଥାନ୍ତି । ଏତେବେଳ ଯାଏଁ ଧୈର୍ଯ୍ୟ ଧରି ବସିଥିବା କାଳିଦାସଙ୍କର ଏଥର ଧୈର୍ଯ୍ୟଚ୍ୟୁତି ଘଟିଲା । ସେ ଚିତ୍କାର କରି ଉଠିଲେ – ମୁଁ ଜଣେ ମହାମୂର୍ଖ ।
ମହିଳା ଜଣକ ଏଥରକ ମୁହଁ ଖୋଲି ହସିଲେ ଆଉ କହିଲେ- ଏଇ ପୃଥିବୀରେ ମାତ୍ର ଦୁଇଜଣ ମହାମୂର୍ଖ ଅଛନ୍ତି, ଜାଣିଲେ କି ମହାଶୟ ! ପ୍ରଥମ ଜଣକ ହେଲେ ରାଜା , ଯିଏ ନିଜର କୌଣସି ଜ୍ଞାନ ଗାରିମା ନଥାଇ ରାଜ୍ୟ ଶାସନ କରି ନିଜକୁ ବଡ ବୋଲି ଭାବନ୍ତି ଏବଂ ଦ୍ୱିତୀୟ ଜଣକ ହେଲେ ମହାମନ୍ତ୍ରୀ, ଯିଏ ସବୁ ବୁଦ୍ଧିବିଦ୍ୟା ଥାଇ ମଧ୍ୟ ସେଇ ମୂର୍ଖ ରାଜାଙ୍କୁ ପାଗଳ ଭଳି ସମର୍ଥନ କରି ପ୍ରଶଂସା ଓଜାଡୁ ଥାଆନ୍ତି । ମହିଳାଙ୍କ ଠାରୁ ଏମିତି ଚମତ୍କାର ଉତ୍ତର ସବୁ ଶୁଣି କାଳିଦାସଙ୍କର ଗର୍ବ ଭାଙ୍ଗିଗଲା ଏବଂ ସେ ନିଜକୁ ତୁଚ୍ଛ ମନେକରି ଲମ୍ବ ହୋଇ ସେହି ମହିଳାଙ୍କର ପାଦତଳେ ପଡି ପ୍ରଣିପାତ ଜଣାଇଲେ । କିଛି ସମୟ ପରେ ଧୀରେ ଧୀରେ ଆଖି ଖୋଲି ସେ ଦେଖିଲା ବେଳକୁ ତାଙ୍କ ସମ୍ମୁଖରେ ଉଭା ହୋଇଛନ୍ତି ସ୍ୱୟଂ ମା’ ସରସ୍ବତୀ । ସେଇଠି ବାଗ୍ ଦେବୀଙ୍କର ଚରଣ ସ୍ପର୍ଶ କରି କାଳିଦାସ ବାରମ୍ବାର କ୍ଷମା ପ୍ରାର୍ଥନା କଲେ ଏବଂ ଜୀବନରେ କେବେ ବି ଅହଂଭାବ ରଖିବେ ନାହିଁ ବୋଲି ପ୍ରତିଜ୍ଞା କଲେ।