Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Arabinda Rath

Drama


4.5  

Arabinda Rath

Drama


ଅଗ୍ନିବର୍ଷା

ଅଗ୍ନିବର୍ଷା

10 mins 957 10 mins 957

            

                          

  - ଓଃ ବାପା, ଆଜି ଦିନରେ ବି ଏମିତି ବେଶଭୂଷା ଧରି ଆସିଛ। ମୋ ସାଙ୍ଗ ମାନେ ଦେଖିଲେ କଣ ଭାବିବେ ମୋତେ? ଆଜି ଫଙ୍କସନ୍ ର ମେନ୍ ଆଟ୍ରାକ୍ସନ୍ ମୁଁ ଥିଲି। ଜାଣିଛ - - କେତେ ପିଲା ମୋ ସହ ସେଲ୍ଫି ଉଠେଇଛନ୍ତି, ମୋର କେତେ ପ୍ରଶଂସା କରିଛନ୍ତି। ମୁଁ ଭାବିଥିଲି ତୁମେ ଆଜି ସୁଟ୍ ବୁଟ୍ ପିନ୍ଧି ଆସିବ, ଦେଖିଲା ବେଳକୁ ସେଇ ଢିଲା ସାର୍ଟ କୁ ମାଟିଆ ରଙ୍ଗର ପ୍ଯାଣ୍ଟ? ତୁମକୁ କାଲି ଠାରୁ କେତେ ଥର କହିଥିଲି, ପୁରା ଫିଟ୍ ହୋଇ ମୋତେ କଲେଜରୁ ନେବାକୁ ଆସିବ। କିନ୍ତୁ ତୁମେ କଣ କେବେ ମୋ କଥା ଶୁଣ ଯେ ଆଜି ଶୁଣିବ! !  ମୋ ସାଙ୍ଗ ମାନଙ୍କ ସହ ତୁମକୁ ଦେଖା କରାଇଥା'ନ୍ତି- - କିନ୍ତୁ......ତୁମେ ତ .. ମୋ ମୁଡ୍ ପୁରା ଅଫ୍ କରିଦେଲ।

   ଜନାର୍ଦ୍ଦନଙ୍କୁ ଦେଖି ମିଲି ରାଗରେ ଗରଗର ହେବା ଆରମ୍ଭ କରି ଦେଇଥିଲା। ସେଦିନ କଲେଜରେ ବାର୍ଷିକ ଉତ୍ସବ ଥିଲା ଓ ମିଲିର ନାଚ ପ୍ରୋଗ୍ରାମ୍ ଥିଲା । ସେ ଖୁବ୍ ଭଲ ନାଚିଲା- -କଲେଜର ସବୁପିଲା ଓ ଅତିଥିମାନେ ଢେର ପ୍ରଶଂସା ମଧ୍ଯ କଲେ। ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା- - ମିଲି ପରି ଝିଅଟେ ପାଇବା କଷ୍ଟ। ପାଠଶାଠ, ନାଚଗୀତ ସବୁଥିରେ ସେ ଆଗୁଆ। ରୂପ ବି ଏମିତି ଯେ, ଦେଖିବା ଲୋକ ଦଣ୍ଡେ ଚାହିଁ ରହିବ, ସତେକି ଗୋଟେ ଚାଉଳରେ ଗଢା !!!

   ମିଲିର କଥା ଶୁଣି ଚିରାଚରିତ ହସହସ ମୁହଁରେ ଜନାର୍ଦ୍ଦନ କହିଲେ- - ଆରେ ମାଆ, ତୁ ସିନା ଦିନ କୁ ଦିନ ଆଧୁନିକା ହୋଇ ଚାଲିଛୁ, କିନ୍ତୁ ତୋ ବାପା କାଲି ଯେମିତି ଥିଲା ଆଜି ବି ସେମିତି ଅଛି।

   ମୁହଁ ଫୁଲେଇ ମିଲି କହିଲା - - ହୁଁ, ମୋ ବାପା କାଲି ବି ଭାଲୁ ଥିଲେ, ଆଜି ବି ଭାଲୁ ଅଛନ୍ତି। ଟିକେ ଅନ୍ଯ ପିଲା ମାନଙ୍କ ବାପା ମାନଙ୍କୁ ଦେଖ, କେମିତି ହିରୋ ପରି ଦିଶୁଛନ୍ତି। ଆଉ ତୁମେ- - - ଛାଡ..... ଛାଡ।


   ଧିର ମନ୍ଥର ଗତିରେ ସ୍କୁଟରରେ ମିଲିକୁ ବସାଇ ଘର ଅଭିମୁଖେ ବାହାରିଲେ ଜନାର୍ଦ୍ଦନ।


   ନିହାତି ସାଧାସିଧା ବ୍ଯକ୍ତିତ୍ବ ଥିଲା ଜନାର୍ଦ୍ଦନଙ୍କର । ସାଧାରଣ ଚାକିରି ଓ ଦୁଇବଖରା ଘରକୁ ଛାଡି ଦେଲେ ତାଙ୍କର ସମ୍ବଳ ଥିଲା ଗୋଟିଏ ପୁରୁଣା ସ୍କୁଟର। ମାଆଛେଉଣ୍ଡ ମିଲିର ଲାଳନପାଳନ ତାଙ୍କର ପରମ କର୍ତ୍ତବ୍ଯ ଥିଲା। ଝିଅକୁ ଭବିଷ୍ଯତରେ ଜଣେ ଉଚ୍ଚଶିକ୍ଷିତା, ସ୍ବାବଲମ୍ବୀ ନାରୀ ଭାବରେ ପ୍ରତିଷ୍ଠିତ କରିବାର ଶପଥ ନେଇ ସେ ଜୀବନନୌକା ବାହି ଚାଲିଥିଲେ । ପିଲାଟି ଦିନରୁ ଯେପରି ମିଲି ମନରେ କେବେ ମାଆର ଅନୁପସ୍ଥିତି ଅନୁଭୁତ ନ ହେବ ସେଥିପାଇଁ ସେ ବେଶ୍ ସଜାଗ ଥିଲେ । ତାଙ୍କର ସ୍ବପ୍ନକୁ ସାକାର କରିବା ଦିଗରେ ମିଲି ମଧ୍ଯ କୌଣସି ଅବହେଳା କରୁନଥିଲା। ଭଲପାଠ ପଢିବା ସହିତ, ନାଚଗୀତରେ ମଧ୍ଯ ସେ ଢେର ସଫଳତା ପାଇଥିଲା। କଲେଜର ଅଧ୍ଯାପକମାନେ ନିଶ୍ଚିତ ଥିଲେ ଯେ ମିଲି ଭବିଷ୍ଯତରେ କୌଣସି ଏକ ଉଚ୍ଚପଦବୀ ବିଶିଷ୍ଟ ଚାକିରି କରିବ। ବୟସ ବଢିବା ସହିତ ମିଲି, ଜନାର୍ଦ୍ଦନଙ୍କର ଏକୁଟିଆପଣକୁ ବୁଝି ପାରୁଥିଲା। ରାତିରେ ମାଆଙ୍କ ଫଟୋ ସାମନାରେ ସେ ବାପାଙ୍କୁ ଅନେକଥର ଗୁମୁରି କାନ୍ଦୁଥିବାର ଦେଖୁଥିଲା ; କିନ୍ତୁ ତାଙ୍କୁ ବୁଝାଇବାର ସାହାସ ତା ମନରେ ନଥିଲା।

   ମିଲି ନଜରରେ ଜନାର୍ଦ୍ଦନ ଥିଲେ ଜଣେ ନିହାତି ଭୟାଳୁ ଓ ସନ୍ଦେହୀ ମଣିଷ। ଏପରି ଏକ ମଣିଷ ,ଯାହାକୁ ସବୁ ସ୍ଥାନରେ ଭୟ ଗ୍ରାସ କରିଯାଏ। ତାଙ୍କର କଥା କହିବାର ଶୈଳୀ ଓ ହାବଭାବ ଦେଖିଲେ ଯେ କେହି ବି କହିଦେବ ଯେ, ସେ ଜୀବନରେ କେବେ କାହାସହ ସାଧାରଣ ପାଟିତୁଣ୍ଡ ମଧ୍ଯ କରି ନ ଥିବେ। କେବଳ ସେତିକି ନୁହଁ, ମିଲି ଯଦି କେବେ ତାଙ୍କ ନଜର ଉହାଡରୁ ଦୂରକୁ ଚାଲିଯାଏ, ସେ ଭୀଷଣ ବ୍ଯସ୍ତ ହୋଇପଡନ୍ତି। ଦୁନିଆଯାକର କାମଧାମ ଛାଡି "ମିଲି କୁଆଡେଗଲା?” ପ୍ରଶ୍ନରେ ଆଖପାଖ ଲୋକଙ୍କୁ ମଧ୍ଯ ବ୍ଯସ୍ତ କରି ପକାନ୍ତି।ସେ କାହା ସହିତ ମିଶୁଛି,କୁଆଡେ ଯାଉଛି ଆଦି ପ୍ରତି ତାଙ୍କର ସଦାବେଳେ ତୀକ୍ଷ୍ଣ ନଜର। ତାଙ୍କର ଏ ପ୍ରକୃତି ପାଇଁ କଲେଜ୍ ରେ ସାଙ୍ଗମାନେ ମିଲିକୁ ଥଟ୍ଟାପରିହାସ କରନ୍ତି। ଲୋକମାନଙ୍କ ମନରେ ଥିବା ଭାବନା ବିଷୟରେ ସେ ଜନାର୍ଦ୍ଦନଙ୍କୁ ଜଣାଏ, ମାତ୍ର କୌଣସି ପ୍ରତିକ୍ରିୟା ପାଏନାହିଁ। ସେ ମିଲିକୁ ବୁଝାଇ କୁହନ୍ତି- - ତୁ ପିଲାଲୋକ, ବଡ ହେଲେ ଜାଣିବୁ। ଦୁନିଆର ସବୁ ବାପା ମାନେ ମୋ ପରି ଡରନ୍ତି,ସେଥିରେ ନୂଆ ଜିନିଷ କିଛି ନାହିଁ।   ମିଲି ବୁଝି ପାରେନି, କେମିତି ସେ ବଦଳାଇ ପାରିବ ତା ବାପାଙ୍କୁ। ରୋଷେଇ କଲେ କାଳେ ଚେଙ୍କା ଲାଗିଯିବ ବୋଲି ମିଲିକୁ ସେ କେବେ ରୋଷେଇ କରିବାକୁ ଦିଅନ୍ତିନି। ଏତେ ବଡ ହେବା ପରେ ମଧ୍ଯ ଗାଡି ଚଲାଇବା ଶିଖାଇଲେନି, କାଳେ ଦୁର୍ଘଟଣା ହୋଇଯିବ । ! ସାଙ୍ଗସାଥୀଙ୍କ ଘରକୁ ଛାଡିବା ଦୂରର କଥା, ଯଦି ସାଙ୍ଗ ମେଳରେ ମିଲି ବେଶି ସମୟ ବିତାଏ, ତାକୁ ଆକଟ କରି ସେ କୁହନ୍ତି- - ମାଆ ଲୋ, ଏ ଦୁନିଆଟା ବହୁତ ଖରାପ। ନିଜେ ସାବଧାନ ନ ରହିଲେ ସବୁ କିଛି ଧ୍ବଂସ ହୋଇଯିବ। ମିଲି କାନ୍ଦିଛି, ଚିତ୍କାର କରିଛି, ପ୍ରତିବାଦ କରିଛି, ହାତ ଯୋଡି ନେହୁରା ହୋଇଛି ଜନାର୍ଦ୍ଦନଙ୍କ ଆଗରେ ; ତାକୁ ଅନୁଶାସନର ଶିକୁଳିରେ ନ ବାନ୍ଧିବା ପାଇଁ। ରାଗିଛି,ଅଭିମାନ କରିଛି, ରାତି ରାତି ଓପାସ ଶୋଇଛି- - ସ୍ବାଧୀନତାର ସ୍ବାଦ ଟିକେ ଚାଖିବାକୁ। କିନ୍ତୁ ସେ କେମିତି ବା ବୁଝାଇବ ସ୍ବାଧୀନତାର ଅର୍ଥ, ଏପରି ଏକ ଲୋକକୁ, ଯାହାପାଇଁ ସମଗ୍ର ବ୍ରହ୍ମାଣ୍ଡ ଅବିଶ୍ବାସ,ଚଞ୍ଚକତା ଓ ବିଶ୍ବାସଘାତକତାର ଏକ ଜ୍ବଳନ୍ତ ଅଗ୍ନିପିଣ୍ଡୁଳା ସଦୃଶ।

   ଜନାର୍ଦ୍ଦନଙ୍କୁ ପିତା ଭାବରେ ମିଲି ଯେତିକି ଭଲପାଏ ଓ ସମ୍ମାନ କରେ, ତା ଅପେକ୍ଷା କାହିଁ କେତେ ଗୁଣ ଅଧିକ ଘୃଣାକରେ ଏକ ଭୀରୁ,କାପୁରୁଷ ଓ ନାରୀ-ସ୍ବାଧୀନତା ବିରୋଧୀ ବ୍ଯକ୍ତି ଭାବରେ । ପିଲାଦିନରୁ ମିଲି ଜନାର୍ଦ୍ଦନଙ୍କ ଦେହରେ ଅନେକ କଟା ଦାଗ ଦେଖି ଉତ୍ସୁକତାର ସହ ପ୍ରଶ୍ନ କରେ। ସବୁଥର ସେଇ ଗୋଟିଏ ଉତ୍ତର ମିଳେ; ଗାଈ ଭୁଷି ଦେଇଥିବାରୁ ସେ କ୍ଷତ ସବୁ ହୋଇଥିଲା। ତା ବାପାଙ୍କ ପରି ଭୟାଳୁ ଲୋକ କାହିଁକି ଯେ ଗାଈ ପାଖକୁ ଯାଇ ଭୁଷା ଖାଇଲେ ଭାବି ମିଲି ମନେମନେ ବହୁତ ହସେ। ବେଳେବେଳେ ଭାବେ ତା ବାପାଙ୍କର ନିହାତି ଘନିଷ୍ଠ ବନ୍ଧୁ ସଲିମ୍ ଚାଚାଙ୍କୁ ଏ ବିଷୟରେ ପଚାରିବାକୁ, କିନ୍ତୁ ପାରେନି। ଏତେ ବଡ ଦୁନିଆରେ ତା ବାପାଙ୍କର କେବଳ ସେଇ ସଲିମ୍ ଚାଚା ହିଁ ଏକ ମାତ୍ର ବନ୍ଧୁ,ସଖା ସହୋଦର। ସୁଖଦୁଃଖ,ପର୍ବପର୍ବାଣୀରେ ସେଇ ଜଣିଏ ଲୋକର ଉପସ୍ଥିତି ନିହାତି ଅନିବାର୍ଯ୍ଯ। ମିଲିର ଦରକାର ବେଳେ ସଲିମ୍ ଚାଚାଙ୍କ ସାହାଯ୍ଯଟା ଆଗ ମିଳେ। ସଲିମ୍ ଚାଚା ଓ ସବନମ୍ ଚାଚି ମିଲିକୁ ନିଜ ଝିଅ ପରି ଭଲ ପାଆନ୍ତି। ତାଙ୍କ ଘରକୁ ଗଲେ ସଲିମ୍ ଚାଚା ଓ ଜନାର୍ଦ୍ଦନ ଅନେକ ସମୟ ବସି ରୁହନ୍ତି ଓ ସବନମ୍ ଚାଚି ମିଲିକୁ ସ୍ବାଦିଷ୍ଟ ବ୍ଯଞ୍ଜନ ଖୁଆଇବାରେ ଲାଗି ଯାଆନ୍ତି।

   ସେଦିନ କଲେଜରୁ ବାହାରିବା ସମୟରେ ଚାରିଜଣ ଯୁବକ ମିଲିକୁ ଦେଖି ଅଶ୍ଳୀଳ ଟୀପ୍ପଣୀ ଦେବାରେ ଲାଗିଲେ। କିଛି ସମୟ ବରଦାସ୍ତ କରିବା ପରେ ମିଲି ପ୍ରତିବାଦ କରିବାକୁ ମନସ୍ଥ କଲା ଓ ସେମାନଙ୍କୁ ଚାପୁଡା ମାରିବାକୁ ହାତ ଉଞ୍ଚାଇଲା। ସେତେବେଳକୁ ଜନାର୍ଦ୍ଦନ ସ୍କୁଟର ଧରି ପହଞ୍ଚିଲେ ଓ ମିଲିକୁ ବସିବାକୁ କହିଲେ। ହଠତ୍ ସେହି ଯୁବକ ମାନେ ମିଲି ପାଖକୁ ଲାଗି ଆସିଲେ ଓ ତା ଶରୀରକୁ ଛୁଇଁବାକୁ ଚେଷ୍ଟାକଲେ। ଲଜ୍ଜା ଅପମାନରେ ତା ଆଖିରୁ ଲୁହ ଝରିଗଲା। କିନ୍ତୁ ଜନାର୍ଦ୍ଦନ ନୀରବ ରହିଲେ ଓ ସେ ସ୍ଥାନରୁ ଯିବାକୁ ବାହରିଲେ।      ତାଙ୍କ ନୀରବତା ଯୁବକ ମାନଙ୍କର ଔଦ୍ଧତ୍ଯତା କାହିଁ କେତେ ଗୁଣରେ ବଢାଇଦେଲା। ଜଣେ ଚିତ୍କାର କରି କହିଲା- - ଆରେ ଭାଇ ମାନେ, ଏ ଜଙ୍ଗଲୀଭାଲୁ ପାଖରୁ ଏ ମୟୁରୀଟା କେମିତି ଜନ୍ମ ନେଲା, କିଛି ଅଲଗା ଖେଳ ହୋଇଥିବ ନିଶ୍ଚୟ। ଭାଲୁ ଜଙ୍ଗଲରେ ବୁଲୁଥିଲା ବେଳେ ନିହାତି ଏ ମୟୁରୀର ମାଆ କିଛି ଜଘନ୍ଯ ଖେଳ କରିଥିବ ନାଁ........ସେମାନଙ୍କର ବିଷାକ୍ତ ହସରେ ସ୍ଥାନଟି କମ୍ପମାନ ହେବା ପରି ଲାଗିଲା।

   ଏହାପରେ ମଧ୍ଯ ଜନାର୍ଦ୍ଦନଙ୍କ ନୀରବତା ଦେଖି ମିଲି ସମ୍ଭାଳି ପାରିଲାନି। ଅଭିମାନରେ ଜର୍ଜରିତ ହୋଇ କହିଲା- - ଚାଲ ବାପା, ଜଲଦି ଘରକୁ ଚାଲ। ତୁମ ସାମନାରେ ସେମାନେ ମୋ ସହ ଏମିତି ବ୍ଯବହାର କରୁଛନ୍ତି  ଆଉ ତୁମେ ନୀରବ ହୋଇ ତାମସା ଦେଖୁଛ। ସେମାନଙ୍କୁ ଦୁଇ ଚାପୁଡା ମାରିବା ସ୍ଥାନରେ ମୁହଁ ପୋତି ଛିଡା ହୋଇଛ? ତୁମ ପରି ଲୋକ ସାମନାରେ ଯଦି ସେମାନେ ମୋର ବଳାତ୍କାର କରିଦେବେ , ତେବେ ବି ତୁମର କିଛି ପ୍ରତିକ୍ରିୟା ହେବନି। ଛି ଛି, ଧିକ୍ ତୁମ ବାପାପଣିଆକୁ। ମୋ ଜନ୍ମ ଉପରେ ଘୃଣା ଲାଗୁଛି ମୋତେ......

   ଜନାର୍ଦ୍ଦନଙ୍କ ହାତମୁଠା ଆକ୍ସିଲେରେଟର ଉପରେ ଶକ୍ତ ହୋଇଗଲା ଓ ସେ ଦ୍ରୁତଗତିରେ କଲେଜ ପରିସରରୁ ମିଲିକୁ ବସାଇ ବାହାରି ଆସିଲେ।

   ମିଲି ସେତେବେଳକୁ କାନ୍ଦିକାନ୍ଦି ଅସ୍ତବ୍ଯସ୍ତ ହୋଇ ପଡୁଥିଲା ଓ ଗାଳି ଦେଇ ଚାଲିଥିଲା ଜନାର୍ଦ୍ଦନଙ୍କୁ। ଅଚାନକ ସେ ଯୁବକ ମାନେ ସ୍କୁଟର ସାମନାରେ ସେମାନଙ୍କ ଜିପ୍ କୁ ଛିଡା କରିଦେଲେ। କୌଣସି ମତେ ଗାଡି ଅଟକାଇର ପ୍ରୟାସ କରି ଜନାର୍ଦ୍ଦନ ବିଫଳ ହୋଇ ତଳେ ପଡିଗଲେ। ଉଠିବା ବେଳକୁ ସେ ଯୁବକ ମାନେ ମିଲିର ହାତଧରି ଟଣାଓଟରା କରିବା ଆରମ୍ଭ କରିଦେଇଥିଲେ। ମିଲି ଆକୁଳ ହୋଇ ସେମାନଙ୍କୁ ପ୍ରାର୍ଥନା କରି ଚାଲିଥାଏ ତାକୁ ଛାଡି ଦେବାପାଇଁ। ପାଖ ଲୋକଙ୍କୁ ସାହାଯ୍ଯ ପାଇଁ ଚିତ୍କାର କରି ଡାକି ଚାଲିଥାଏ, ମାତ୍ର ଦେଖଣାହାରୀ ମାନେ କିଛି ନ ଦେଖିବା ପରି ମୁହଁମୋଡି ଚାଲି ଯାଉଥା'ନ୍ତି। ଜନାର୍ଦ୍ଦନ ସେ ଯୁବକ ମାନଙ୍କ କବଳରୁ ଝିଅକୁ ଛଡାଇବାର ପ୍ରୟାସ କଲେ। ମାତ୍ର ସେ ମଦ୍ଯପ,ଉଦଭ୍ରାନ୍ତ ଯୁବକ ମାନଙ୍କ ଶକ୍ତ ପ୍ରହାରରେ ଭୂପତିତ ହେଲେ। ଯୁବକ ମାନେ ମିଲିକୁ ଟଣାଓଟରା କରି ଜିପ୍ ରେ ଟେକି ନେଇ ଯିବାକୁ ବାହାରିଲେ। ଜଣେ ଯୁବକ ମିଲିକୁ କାନ୍ଧରେ ଟେକି ଜିପ୍ ଆଡକୁ ଅଗ୍ରସର ହେଉଥିଲା ଓ ଅନ୍ଯ ଯୁବକ ମାନେ ଛୁରୀ ଦେଖାଇ ଜନାର୍ଦ୍ଦନ ଓ ଦେଖଣାହାରୀ ମାନଙ୍କୁ ଡରାଇ ଚାଲିଥିଲେ। ବିକଳରେ କାନ୍ଦିକାନ୍ଦି ମିଲିର ତଣ୍ଟି ପଡିଯିବା ପରି ଲାଗୁଥିଲା। ସେହି ଉଦଭ୍ରାନ୍ତ ପଶୁମାନେ ତା ସହିତ ଯାହା କରିବାକୁ ଯାଉଛନ୍ତି ସେ ଜାଣି ସାରିଥିଲା ଓ ସେମିତି କିଛି ଘଟିଲେ ସେ ଆତ୍ମହତ୍ଯା କରିବାର ନିଷ୍ପତ୍ତି ମଧ୍ଯ ନେଇ ସାରିଥିଲା। ଜନାର୍ଦ୍ଦନ ମିଲିକୁ ଉଠାଇନେଇ ଯାଉଥିବା ଯୁବକର ଗୋଡତଳେ ପଡି କାନ୍ଦିକାନ୍ଦି ମିଲିକୁ ଛାଡିଦେବାକୁ ପ୍ରାର୍ଥନା କରିଚାଲିଲେ। ଜନାର୍ଦ୍ଦନଙ୍କର ଅସହାୟତା ସେ ଯୁବକ ମାନଙ୍କର ସାହାସକୁ ବହୁଗୁଣିତ କରି ଦେଇଥିଲା। ସେମାନେ ଅଟ୍ଟହାସ୍ଯ କରି କହିଲେ- - ଆରେ ବୁଢା, ତୋ ଝିଅର ଭାଗ୍ଯ କେତେ ଭଲ ଥରେ ଭାବି ଦେଖ୍। ବିଧାୟକଙ୍କ ପୁଅ ପାଖରେ ତୋ ଝିଅ ଭୋଗ ଲାଗିବ, ଖର୍ଚ୍ଚପାଣି ବି ଦିଆଯିବ। ଏ ମାସରେ ଚଉଦ ଜଣଙ୍କ ଶିକାର ସରିଲାଣି ତୋ ଝିଅକୁ ମିଶାଇଲେ ପନ୍ଦର ହେବ। ବାକି ଚଉଦଜଣ ଜାଣିଥିଲେ ଯେ ପୋଲିସ୍, କୋର୍ଟକଚେରି ଆମର କିଛି କରିପାରିବେନି, ତେଣୁ ସେମାନେ ଚୁପ୍ ରହିଲେ। ଯଦି ତୁମେ ମାନେ ବେଶି ଉତ୍ପାତ ହେବ, କାମ ସରିଲା ପରେ ତୋ ଝିଅର ଲାସ୍ ଧରି ତୋତେ ଘରକୁ ଫେରିବାକୁ ହେବ। ଏତେ ଭାବୁଛୁ କଣ? ଚୁପଚାପ୍ ଚାଲିଯା', ତୋ ଘରେ ଝିଅକୁ ପହଞ୍ଚାଇ ଦିଆଯିବ। ସେତେବେଳକୁ ମିଲିକୁ ସେମାନେ ଜିପ୍ ଉପରକୁ ଚଢାଇ ସାରିଥିଲେ।


-ତୁମ ମାନଙ୍କୁ ଶେଷଥର ପାଇଁ କହୁଛି, ମୋ ଝିଅକୁ ଛାଡିଦିଅ ଓ ତା ଗୋଡ ତଳେ ପଡି କ୍ଷମାପ୍ରାର୍ଥନା କର। ନହେଲେ ତୁମ ମାନଙ୍କର ଅବସ୍ଥା ଯାହା କରିବି ତୁମେ ସ୍ବପ୍ନରେ ବି କଳ୍ପନା କରିନଥିବ। ସିଂହ ହୁଂକାର ଦେବା ପରି ନିଜର ସମସ୍ତ ଶକ୍ତି ଖଟାଇ ଜନାର୍ଦ୍ଦନ ଗର୍ଜନ କଲେ। ଯୁବକ ମାନଙ୍କର ବିଷାକ୍ତ ଅଟ୍ଟହାସ୍ଯ ଅଚାନକ ନୀରବିଗଲା ଓ ସେମାନେ ଆଶ୍ଚର୍ଯ୍ଯ ହୋଇ ଜନାର୍ଦ୍ଦନଙ୍କୁ ଦେଖିଲେ। ମିଲି ଭାବି ପାରୁନଥିଲା ଯେ ତା ବାପା ଏତେ ରାଗି ପାରନ୍ତି ଓ ଏପରି କଥା କହିପାରନ୍ତି। ଯୁବକ ମାନେ କିଛି ସମୟ ପାଇଁ ତଟସ୍ଥ ହୋଇ ଛିଡା ହୋଇଗଲେ। ସେହି ଅବସରରେ ମିଲି ଜିପ୍ ରୁ ବାହାରି ଜନାର୍ଦ୍ଦନଙ୍କ ପାଖକୁ ଦୌଡି ଆସିଲା ଓ ମିଲିକୁ ସ୍କୁଟରରେ ବସାଇ ଜନାର୍ଦ୍ଦନ ଦ୍ରୁତ ଗତିରେ ସେ ସ୍ଥାନରୁ ଚାଲିଗଲେ।

   ମାତ୍ର ଜିପ୍ ଟି ତାଙ୍କ ପଛରେ ଅନୁସରଣ କରିବାକୁ ଲାଗିଲା। କିଛି ସମୟ ମଧ୍ଯରେ ସେମାନେ ସଲିମ୍ ଚାଚା ଗ୍ଯାରେଜ୍ ରେ ପହଞ୍ଚିଲେ ଓ ମିଲି କାନ୍ଦିକାନ୍ଦି ତାଙ୍କ ଘର ଭିତରକୁ ଦୌଡିଗଲା। ଜିପ୍ ଭିତରୁ ଯୁବକ ମାନେ ଅସଭ୍ଯଭାଷାରେ ଗାଳିଗୁଲଜ କରି ମିଲିକୁ ଉଠାଇ ନେବେ ବୋଲି ଚିତ୍କାର କରୁଥାଆନ୍ତି। ଜନାର୍ଦ୍ଦନ ଗ୍ଯାରେଜ୍ ଭିତରେ ପଶିଗଲେ। ସଲିମ୍ ଚାଚା ମିଲିକୁ ଧରି ବାହାରକୁ ଆସିଲେ ଓ ସେ ଯୁବକ ମାନଙ୍କ ଉଦେଶ୍ଯରେ କହିଲେ- – ଯଦି ଭଲ ଗତି ଅଛି ସାଙ୍ଗେସାଙ୍ଗେ ଏ ସ୍ଥାନରୁ ଚାଲିଯାଅ। ନୋହିଲେ ତୁମ ମାନଙ୍କର କଣ ଯେ ହେବ ଏ କଥା କହିବା ମୁସ୍କିଲ୍। ତୁମେ ମାନେ ଆମ ମିଲି ଦେହରେ ହାତ ଲଗାଇ ବହୁତ ବଡ ଭୁଲ କରିଦେଲ। ଆଜି ବହୁ ବର୍ଷରୁ ଶୋଇ ରହିଥିବା ଆଗ୍ନେୟଗିରି ବିଷ୍ଫୋରଣ କରିବ,ସବୁ ଜାଳିପୋଡି ଛାରଖାର କରିଦେବ। ସ୍ବୟଂ ଭଗବାନ ଚାହିଁଲେ ବି ଆଜି ତୁମକୁ ରକ୍ଷା କରିପାରିବେନି। 

   ଜଣେ ଯୁବକ ତାଚ୍ଛଲ୍ଯ କରି କହିଲା- - ଆରେ ହେ ବୁଢା, କୋଉ ଆଗ୍ନେୟଗିରି କଥା କହୁଛୁ ବେ ? ଆମେ ମାନେ କିଏ ଜାଣିଛୁ ତ? ଖୋଦ୍ ବିଧାୟକଙ୍କ ପୁଅ ଜିପ୍ ର ଷ୍ଟିୟରିଙ୍ଗ ଧରିଛି। ସେ ମୟୁର ଶିକାରଟା ସେ କରିବ ବୋଲି ଶପଥ ନେଇ ସାରିଛି। ତୁମେ ବୁଢାମାନେ କଣ କରିବ ଦେଖିବା।ଯଦି ଭଲଗତି ଅଛି ସେ ଝିଅକୁ ଆଣି ଗାଡିରେ ବସେଇଦିଅ, ଆମେ ଚାଲିଯିବୁ। କାମ ସରିବା ପରେ ଟଙ୍କା ସହିତ ତାକୁ ଏଇ ଯାଗାରେ ଛାଡି ଦେଇଯିବୁ। କଥା ନ ମାନିଲେ ଘରେ ପଶି ଉଠେଇନେବୁ। ସହରର କାହାକୁ ବି ଆମ ବିଷୟରେ ପଚାର୍ ସେ କହିଦେବ। ଶିକାର ପଛରେ ଥରେ ପଡିଛୁ ମାନେ ପଛକୁ ହଟିବାର ନାହିଁ। ସେମାନଙ୍କ କଥା ଶୁଣି ସଲିମ୍ ଚାଚା ହୋଃ ହୋଃ ହୋଇ ହସିଲେ। କହିଲେ ଠିକ୍ ଅଛି ତେବେ ସମ୍ଭାଳିବାକୁ ପ୍ରସ୍ତୁତ ହୋଇଯାଅ।

   ବୁଲେଟ୍ ର ଗୁରୁଗମ୍ଭୀର ନାଦରେ ସ୍ଥାନଟି ପ୍ରକମ୍ପିତ ହେବାପରି ଲାଗିଲା। ବଜ୍ରସମ କଣ୍ଠରେ କେହି ଜଣେ ଘୋଷଣା କରି କହିଲା- - ମାଆ କାଳୀଙ୍କ ଶପଥ ଖାଇ କହୁଛି, ମୁଁ ଆଜି ତୁମ ମାନଙ୍କ ରକ୍ତରେ ଗାଧୋଇବି।

   ମିଲି ଚମକି ପଡି ପଛକୁ ଦେଖିଲା, ନାଲି ରଙ୍ଗର ବୁଲେଟ୍ ରେ ତାର ଅତି ପରିଚିତ ଲୋକକୁ। ବୁଲେଟର ରୂପ ଦେଖିଲେ ଆଖି ଖୋସି ହୋଇଯିବା ପରି ଲାଗୁଥିଲା। ସମ୍ମୂଖ ଭାଗରେ ପାଟି ଆଁ କରି ଛିଡା ହୋଇଥିଲା ଏକ ପିତ୍ତଳ ନିର୍ମିତ ସିଂହ ଓ ବୁଲେଟର ଅର୍ଦ୍ଧାଧିକ ଅଂଶ ପିତ୍ତଳ ଦ୍ବାରା ଆଚ୍ଛାଦିତ ହୋଇ ରହିଥିଲା। ଚାଳକ ପିନ୍ଧିଥିଲା ଛୁରୀ,ଭୁଜାଲୀରେ ସଜ୍ଜିତ ଏକ ଲେଦର୍ ଜ୍ଯାକେଟ୍ , ହାତରେ ଥିଲା କଙ୍କଣ ଓ ବେକରେ ଝୁଲିଥିଲା ସୁନାର ମୋଟା ଚେନ୍। ଚାଳକ ଆଖିରେ ଜଳୁଥିଲା ପ୍ରତିଶୋଧର ବହ୍ନି ଓ ମୁହଁରୁ ବିଚ୍ଛୁରିତ ହେଉଥିବା ଅସମ୍ଭବ ରୁକ୍ଷତା। ମିଲି ପାଟିରୁ ଅଜାଣତରେ ବାହାରି ପଡିଲା …. ବା....ପା !!

   ସଲିମ୍ ଚାଚା ମିଲିକୁ କହିଲେ ଝିଅ ଭଲରେ ଦେଖ୍ ଏ ଲୋକକୁ। ତୁ ଜନ୍ମ ହେବା ପରଠାରୁ ଏ ଲୋକର ସତ୍ତା ନିଶ୍ଚିହ୍ନ ହୋଇ ଯାଇଥିଲା। ଇଏ ସେଇ ଲୋକ, ଯାହାକୁ କେବେ ଦେଖିଲେ ବଡ ବଡ ଗୁଣ୍ଡାମାନେ ଲୁଚି ଯାଉଥିଲେ, ଯିଏ ରାସ୍ତାରେ ଯିବା ବେଳେ ସିଂହ ମଧ୍ଯ ବାଟ ଛାଡି ଦେଉଥିଲା। ତା ସାମନାରେ ଛିଡା ହୋଇ କଥା କହିବାର ସାହାସ ସହରରେ କାହାର ନ ଥିଲା। ଦୁଷ୍ଟ,ଗୁଣ୍ଡା ବଦମାସଙ୍କର ଜେଜେ ବାପା ଥିଲା ଏ ଲୋକ। ଭଲରେ ଦେଖ୍ ତାକୁ। ତା ପାଟି କମ୍ ଖୋଲେ ହାତ ହତିଆର ବେଶି ଚାଲେ। ଏକା ବେଳକେ କୋଡିଏ ଲୋକଙ୍କୁ ଧୂଳି ଚଟାଇ ଦେଇପାରୁଥିବା ସହରର ଏକମାତ୍ର ଡନ୍ ଥିଲେ ତୋ ବାପା। ସହରରେ ତାକୁ ସବୁ  "ଜନ୍” ନାମରେ ଚିହ୍ନୁଥିଲେ। ସେ କାହାଣୀ ବହୁତ ଲମ୍ବା ତୋତେ ମୁଁ ପରେ କହିବି। କିନ୍ତୁ ଏତିକି ଜାଣିଥାଆ ଯେ-- ତୋତେ ଜନ୍ମ ଦେବାପାଇଁ ଜନ୍ ତୋ ମାଆକୁ ନେଇ ମେଡିକାଲ ଯିବା ବାଟରେ ବିରୋଧୀ ଗୋଷ୍ଠୀ ଅଚାନକ ଆକ୍ରମଣ କଲେ। ବହୁ କଷ୍ଟରେ ସେମାନଙ୍କ କବଳରୁ ତୋ ମାଆକୁ ବଞ୍ଚାଇ ଜନ୍ ଆମଘରକୁ ନେଇ ଆସିଲା ଓ ବିରୋଧୀ ମାନଙ୍କର ନିପାତ ପାଇଁ ବାହାରିଗଲା। ସେମାନଙ୍କୁ ସେ ନିମିଷକରେ ଶେଷ କରିଦେଲା। ଫେରିଲା ବେଳକୁ ତୁ ଜନ୍ମ ହୋଇ ସାରିଥିଲୁ, ମାତ୍ର ତୋ ମାଆକୁ ବହୁ ଚେଷ୍ଟା ପରେ ବି ବଞ୍ଚାଇ ହେଲାନି। ମୃତ୍ଯୁଶଯ୍ଯାରେ ତୋ ମାଆ ଜନ୍ ବେକରେ ଶପଥର ଶିକୁଳି ବାନ୍ଧିଦେଇ କହିଥିଲା , ସାଧାରଣ ମଣିଷ ଭାବରେ ବଞ୍ଚି ତୋତେ ବଡ କରିବା ପାଇଁ। ସେହି ଶପଥରେ ସେ ବାନ୍ଧି ହୋଇ ରହିଥିଲା। ତା ଦେହରେ ଥିବା ପ୍ରତ୍ଯକଟି କଟା ଦାଗ ଏକାଧିକ ଘମାଘୋଟ ଯୁଦ୍ଧର କାହାଣୀ ନିଜ ଭିତରେ ସାଇତି ରଖିଛି। ତା ଜିନିଷ ମୋ ପାଖରେ ସାଇତା ହୋଇ ରହିଥିଲା ସେଦିନରୁ। ଏ ବୁଲେଟ୍ କୁ ସେ ନିଜ ପ୍ରାଣରୁ ଅଧିକ ଭଲ ପାଉଥିଲା। ତେଣୁ ବୁଲେଟ୍ କୁ ନିଜ ପିଲା ପରି ଯତ୍ନରେ ରଖିଛି ମୁଁ।

   ଭୀଷଣ ପାଟିତୁଣ୍ଡ ଶୁଣି ମିଲି ରାସ୍ତା ଆଡକୁ ଦେଖିଲା। ସେତେବେଳକୁ ଜନ୍ ଜିପ୍ ଭିତରେ ପଶି ସେ ଯୁବକ ମାନଙ୍କୁ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲା। ପ୍ରାଣ ବିକଳରେ ସେ ଯୁବକ ମାନେ ପଳାୟନ କରିବାକୁ ଲାଗିଲେ ଓ ତାଙ୍କ ପଛରେ ବୁଲେଟ୍ ଟି ରକେଟ୍ ବେଗରେ ଦୌଡିବାକୁ ଲାଗିଲା। ସଲିମ୍ ଚାଚା ତା ମୋଟର ସାଇକଲରେ ମିଲିକୁ ବସିବାକୁ ଇସାରା ଦେଇ ସାମାନଙ୍କର ପିଛା କଲା। ମିଲି କୁ ଜଣାଇଦେଲା ଯେ ଜନ୍ କୁ ଆୟତ୍ତ କରିବା ଅସମ୍ଭବ। ତାକୁ ରୋକା ନ ଗଲେ ନିଶ୍ଚିତ ଭାବରେ ଚାରି ଜଣଙ୍କ ମୁଣ୍ଡ ରାସ୍ତାରେ ଗଡିବ। ସେମାନଙ୍କୁ ଦୂର ଦୂର ଯାଏ ଜିପ୍ ବା ବୁଲେଟ୍ ର ସ୍ଥିତି ଦୃଶ୍ଯ ହେଉ ନ ଥିଲା।

   ସେପଟେ ଜନ୍ ସେ ଯୁବକ ମାନଙ୍କୁ ବାଟରେ ଅଟକାଇବାରେ ସଫଳ ହେଲା। ତା ପରର ଘଟଣା ଅବର୍ଣ୍ଣନୀୟ। ଜନ୍ ର ଭୀଷଣ ଆକ୍ରମଣକୁ ପ୍ରତିହତ କରିବାର କ୍ଷମତା ସେ ଯୁବକ ମାନଙ୍କ ପାଖରେ ନ ଥିଲା। ପ୍ରହାର ପରେ ପ୍ରହାର ଖାଇ ସେମାନେ ପ୍ରାଣ ବଞ୍ଚାଇବାକୁ ଜନ୍ ପାଖରେ ନେହୁରା ହେବାରେ ଲାଗିଥିଲେ। ଦେଖଣାହାରି ମାନେ ନୀରବରେ ଛିଡା ହୋଇ ଚଳଚିତ୍ରସମ ଦୃଶ୍ଯ ଉପଭୋଗ କରି ଚାଲିଥିଲେ। ଜନ୍ ଏଥର ଭୁଜାଲି କାଢି ସେମାନଙ୍କୁ ହାଣିବାକୁ ବାହାରିଲା। ସେତିକି ବେଳେ ସଲିମ୍ ଓ ମିଲି ସେ ସ୍ଥାନରେ ପହଞ୍ଚିଗଲେ। ନିଜର ସମସ୍ତ ଶକ୍ତି ଖଟାଇ ସଲିମ୍ ଜନ୍ କୁ ରୋକିବାକୁ ଚେଷ୍ଟା କଲା। ମାତ୍ର ଗୋଟିଏ ଧକ୍କାରେ ସେ ଛିଟିକି ପଡିଲା। ସତେକି ଜନ୍ ଦେହରେ ଶତ ସିଂହର ବଳ ଆସି ଯାଇଥିଲା। ସେ ଚିତ୍କାର କରି କହୁଥିଲା- - ତୁମ ମାନଙ୍କର ଏତେ ସାହାସ୍ , ମୋ ଝିଅ ଦେହରେ ହାତ ଲଗାଇବାର ସାହାସ କଲ। ମୋ ଫୁଲ ପରି କୋମଳ ଝିଅ ଆଖିରୁ ତୁମ ପାଇଁ ଲୁହ ବୋହିଲା...ତୁମ ମାନଙ୍କୁ ଆଜି ଭଗବାନ ବି ବଞ୍ଚାଇ ପାରିବେନି।

   ମିଲି ଜନ୍ ର ଗୋଡକୁ ଜାବୁଡି ଧରି କହିଲା- - ସେମାନଙ୍କୁ ଛାଡିଦିଅ ବାପା। ବହୁତ ଦଣ୍ଡ ଦେଇ ସାରିଲଣି। ସେମାନଙ୍କର କିଛି ହୋଇଗଲେ ଆମେ ସମସ୍ତେ ଅସୁବିଧାରେ ପଡିଯିବା। ତୁମକୁ ପୋଲିସ୍ ବାନ୍ଧି ନେଲେ ମୋର କଣ ହେବ? 

   ମିଲିର କଥା ଶୁଣି ହଠାତ୍ ଜନ୍ ସ୍ଥାଣୁ ହୋଇ ଛିଡା ହୋଇଗଲା। ତା ଶକ୍ତ ହାତ ମୁଠାରୁ ଭୁଜାଲି  ତଳେ ଖସି ପଡିଲା। ସେ ଯୁବକ ମାନଙ୍କ ଉପରେ ଛେପ ପକାଇ କହିଲା- - ମୋ ଝିଅ ଗୋଡତଳେ ପଡିି ଭୁଲ ମାଗ ନେହେଲେ.......

   ଯୁବକମାନେ ମିଲି ଗୋଡ ତଳେ ଲମ୍ବତମ୍ବ ହୋଇ ଶୋଇଗଲେ ଓ କ୍ଷମାପ୍ରାର୍ଥନା କରି ଜନ୍ କବଳରୁ ବଞ୍ଚାଇବାକୁ ନେହୁରା ହେଲେ। ମିଲି ସେମାନଙ୍କୁ କ୍ଷମା ଦେବା ସହିତ ଚେତାବନୀ ଦେଇ କହିଲା- - ଯଦି ଭବିଷ୍ଯତରେ କୌଣସି ନାରୀ ପ୍ରତି ଏପରି ବ୍ଯବହାର କରିବ, ସେହିଦିନ ତୁମ ମାନଙ୍କ ଜୀବନର ଶେଷ ଦିନ ବୋଲି ଜାଣିନେବ। ଯୁବକ ମାନେ ପ୍ରାଣ ବଞ୍ଚାଇ ସେ ସ୍ଥାନରୁ ନିମିଷକରେ ଅନ୍ତର୍ଦ୍ଧ୍ଯାନ ହୋଇଗଲେ।

   ମିଲି ଦୌଡିଆସି ତା ବାପାଙ୍କୁ କୁଣ୍ଢାଇ କାନ୍ଦିକାନ୍ଦି କହିଲା- - ମୋତେ କ୍ଷମା କରିବ ବାପା, ତୁମକୁ କେତେ କଣ କହିଗଲି।


   ଜନାର୍ଦ୍ଦନ ମିଲିର ମୁଣ୍ଡ ଥାପୁଡାଇ କହିଲେ - - ସେମିତି କହନିରେ ମାଆ। ତୋର କିଛି ଭୁଲ ନାହିଁ, କିନ୍ତୁ ତୋତେ ମୁଁ କେମିତି ବୁଝାଇଥାନ୍ତି ଯେ ମୁଁ ଶପଥର ଶିକୁଳିରେ ବନ୍ଧା । ତୁ ମୋତେ ବହୁତ କଥା ପଚାରିଛୁ, ମାତ୍ର ମୁଁ ନୀରବ ରହିଛି, କାରଣ ମୋ ଅତୀତ ବହୁତ ଭୟଙ୍କର ଥିଲା। ମୁଁ କେବେ ମୋ ଅତୀତକୁ ଫେରିବାକୁ ଚାହୁଁନି, ମାତ୍ର ଯଦି ତୋ ଉପରେ କିଛି ବିପଦ ଆସିବ ଏ ଜନାର୍ଦ୍ଦନ ନିମିଷକରେ ଜନ୍ ରେ ରୂପାନ୍ତରିତ ହୋଇଯିବ।  

   ମିଲି ହସକାନ୍ଦ ମିଶ୍ରିତ ସ୍ବରରେ କହିଲା- - ଥାଉ ବାପା, ସେ ଡନ୍ ଜନ୍ ମୋର ଦରକାର ନାହିଁ। ମୋର ସେ ସାଧାସିଧା ବାପା ଦରକାର, ଯାହାକୁ ମୁଁ ଚିଡାଇ ପାରୁଥିବି, ମଫସଲିଆ କହିପାରୁଥିବି। ମୋ ବାପା ହିରୋ ପରି ହୁଅନ୍ତୁ ବୋଲି ଭାବିଥିଲି , କିନ୍ତୁ ଦେଖିଲା ବେଳକୁ ମୋ ବାପା ତ ଏକ ନମ୍ବର ଡନ୍ ବାହାରିଲେ। କିନ୍ତୁ ଜନ୍ ର ବୁଲେଟ୍ ଆଜି ପରଠାରୁ ଜନାର୍ଦ୍ଦନ ଚଳାଇବ। କଣ ରାଜି ତ?

   ହସିହସି ଜନାର୍ଦ୍ଦନ କହିଲେ- - ତୋର ସବୁ କଥାରେ ମୁଁ ରାଜି ରେ ମାଆ।

   ବୁଲେଟ୍ ରେ ବସି ଜନାର୍ଦ୍ଦନ ଓ ମିଲି ଘରକୁ ଫେରିଲେ। ବାପାଙ୍କୁ ଛିଗୁଲାଇ ମିଲି କହିଲା- - ଯାହାହେଉ, ଆଜି କଲେଜ୍ ରେ ଭଲ ନାଚିଲି ବୋଲି ମୋତେ କେତେ ପୁରସ୍କାର ଏକା ବେଳକେ ମିଳିଗଲା। ସଲିମ୍ ଚାଚା ଭାବୁଥିଲା ଯେ ଆଗ୍ନେୟଗିରିରୁ ଅଗ୍ନୀବର୍ଷା ହେବା ପୂର୍ବରୁ ବନ୍ଦ ହୋଇଗଲା, ନହେଲେ ଅବସ୍ଥା କଣ ଯେ ହୋଇ ଥାଆନ୍ତା ତାହା କଳନା କରିବା ମୁସ୍କିଲ।

                                          


Rate this content
Log in

More oriya story from Arabinda Rath

Similar oriya story from Drama