Lalita Mohan Mishra

Drama Tragedy Others

3  

Lalita Mohan Mishra

Drama Tragedy Others

ଅବିଶ୍ବାସର ବାଲିଘର

ଅବିଶ୍ବାସର ବାଲିଘର

6 mins
234


କଥାରେ ଅଛି ବାଲିଘର ଘର ନୁହେଁ । ପୁଣି ଯଦି ସେହି ବାଲିଘର ଅବିଶ୍ଵାସର ସମ୍ପର୍କ ରୂପକ ବାଲିଘର ହୋଇଥିବ ତିଷ୍ଠିବ ବା କୁଆଡୁ ?  ସକାଳୁ ସକାଳୁ ପେପର ବାଲା ପେପର ଟି ପକାଇ ଦେଇ ଗଲା । ଦୁଆରେ ପଡିଥିବା ପେପର ଉଠାଇ ପଢିଲି । ପେପରରେ ନବେଭାଗ କରୋନାରେ ବିମଣ୍ଡିତ । ମଝି ପୃଷ୍ଠାରେ ଗୋଟିଏ ସ୍ଥାନରେ ଦୃଷ୍ଟି ପଡିଲା । ହେଡ୍ ଲାଇନ୍ ରେ ଲେଖା ଅଛି ଭାଉଜ ପ୍ରେମରେ ପଡି ହଟହଟ୍ଟା । ଏ ଭଳି ସମ୍ବାଦ ପଢିବା ପାଇଁ ସମସ୍ତଙ୍କର ଆଗ୍ରହ ଥାଏ । ମୁଁ ସେ ଲେଖାକୁ ଅଣ ଦେଖା କରି ପୃଷ୍ଠାଟିକୁ ଲେଉଟେଉ ଦେଉ ଥିଲି । ପୁଣି ଭାବିଲି କାଲି ଯେଉଁ କଥାବାର୍ତ୍ତା ହେଉଥିଲେ ସେ କଥା ନୁହେଁ ତ....


     ଆମ ଗାଁ ନାଥ ରାଙ୍କୁଡାରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ (GPEO) ଅଛି । ଦୁଇ ବର୍ଷ ତଳେ ନାଟୁଗାଁର ବିରଞ୍ଚିନାରାୟଣଙ୍କ ଝିଅକୁ ବିବାହ କରିଥିଲା । ବିରଞ୍ଚିନାରାୟଣ ବାବୁ ଷ୍ଟେଟ ବ୍ୟାଙ୍କରେ ମ୍ୟାନେଜର ଅଛନ୍ତି । ତାଙ୍କର ଝିଅ ପ୍ରାଚୀ ବ୍ରହ୍ମପୁର ନିଷ୍ଟ ରେ ଏମ୍ ବିଏ କରୁଥିଲା । ନାଥ ଉଚ୍ଚ ଶିକ୍ଷିତ ଏବଂ ଭଲ ପଦରେ ଥିବା ଯୋଗୁଁ ପ୍ରାଚୀ ସହିତ ବିବାହର କରାଇଥିଲେ । ପ୍ରାଚୀର କିନ୍ତୁ ବିବାହ କରିବାକୁ ଇଚ୍ଛା ନ ଥିଲା । ସେ ଚାହୁଁଥିଲା ମୁଁ ଏମ୍ ବିଏ ସାରିଲା ପରେ ସର୍ଭିସ୍ ପାଇଁ ଚେଷ୍ଟା କରିବି । ସର୍ଭିସ୍ ହେଲା ପରେ ନିଜ ଗୋଡ଼ରେ ନିଜେ ଠିଆ ହୋଇ ବିବାହ କଥା ଚିନ୍ତା କରିବି । ବିରଞ୍ଚି ବାବୁ କିନ୍ତୁ ସେ କଥା ବୁଝିବାକୁ ନାରାଜ । ଭଲ ପ୍ରସ୍ତାବ ଭାବି ବିବାହ କରାଇ ଦେଲେ । ବିବାହରରେ ଯୌତୁକ ବାବଦକୁ ତିନି ଲକ୍ଷ ଟଙ୍କା ଗାଡି ଘୋଡା ଆସବାବପତ୍ର ସବୁ ଦେଇଥିଲେ । ଗୋଟିଏ ଝିଅ ବୋଲି ଭୋଜିଭାତ ବ୍ୟାଣ୍ଡ୍ ପାର୍ଟି ସବୁ ଉଚ୍ଚ ଧରଣର କରିଥିଲେ । ପୁଅ ହର ପକ୍ଷର ଏବଂ ନିଜ ପକ୍ଷର ସମସ୍ତ ଲୋକଙ୍କ ପାଇଁ ଲୁଗା ପଟା । ଝିଅ ପାଇଁ ସୁନା ରୁପା ଏମିତି ବିଭାଘରରେ ପାଣି ପରି ପଇସା ଖର୍ଚ୍ଚ କରିଗଲେ ।


      ବିରଞ୍ଚି ବାବୁ ଜ୍ବାଇଁ ଙ୍କର ଯେମିତି କିଛି ଅସମ୍ମାନ ନ ହେବ । ସେଥିପାଇଁ ସବୁ ଜିନିଷ ଟିକ୍ ନିଖ୍ ବୁଝି ପରାମର୍ଶ ନେଇ କାର୍ଯ୍ୟ କରିଥିଲେ । ପ୍ରାଚୀ ପିଲାଦିନୁ ଗେହ୍ଲାରେ ବଢିଥିଲା । ନାଥ ଦେଖିବାକୁ ସାଧାରଣ । ଦେଖିଲେ ନିର୍ମାୟା ପୁରୁଷ ଲାଗେ । ମଲା ମାଛିକୁ ମ' ବୋଲି କହିବା ଲୋକ ନୂହେଁ । ଉପରକୁ ଭଲ ଦେଖାଯାଉ ଥିବା ସମସ୍ତ ଲୋକ ସମାନ ନୁହେଁ । "ହାତୀର ଦେଖାଇବା ଦାନ୍ତ ଅଲଗା, ଖାଇବା ଦାନ୍ତ ଅଲଗା" । ହିଂସ୍ରଜନ୍ତୁଙ୍କ ପରି ଜଘନ୍ଯ ପ୍ରକୃତି ତାଙ୍କର ହୃଦୟରେ ଛପି ରହିଥାଏ । ଅସଲ ଚେହେରା ଠିକ୍ ସମୟରେ ଧରାପଡେ ।


    ବିବାହ ବେଦିରେ ଦଶ ଦିଗପାଳଙ୍କୁ ସାଖି ରଖି ନାଥ ପ୍ରାଚୀର ହାତ ଧରିଥିଲା । ବିବାହର କେତେ ମାସ ପର୍ଯ୍ୟନ୍ତ ପ୍ରାଚୀ ସ୍ବାମୀର ଆବ ଭାବ ଉପରେ କିଛି ସନ୍ଦେହ କରି ନ ଥିଲା । ଜଣେ ବିବାହିତ ପୁରୁଷ ଘରେ ତାର ସ୍ତ୍ରୀ କୁ ଯଦି ଉପେକ୍ଷା କରେ ସ୍ତ୍ରୀ ର ସନ୍ଦେହ ବଢେ । ସ୍ତ୍ରୀ ପ୍ରଥମେ ପ୍ରଥମେ ଅନୁଧ୍ୟାନ କଲା । ସତ କ'ଣ ମିଛ କ'ଣ ପରଖିଲା । ଉପଯୁକ୍ତ ପ୍ରମାଣ ପାଇ ସାରିବା ପରେ କାର୍ଯ୍ୟ କଲା । ପ୍ରାଚୀ ପ୍ରଥମେ ଆଖିକୁ ବିଶ୍ବାସ କରି ପାରିଲା ନାହିଁ । ତାର ବିଶ୍ବାସର ବାଲିଘର ଅବିଶ୍ଵାସର ବାଲିଘର ରେ ପରିଣତ ହେବାକୁ ଯାଉଛି । କାହାକୁ କହିବ "ଅଜାଘା ଦେଖି ହୁଏନି କି ଦେଖେଇ ହୁଏନି" ।


    ନାଥର ବଡ ଭାଇ ମହେନ୍ଦ୍ର ଭାରତୀୟ ସୈନ୍ୟ ବିଭାଗରେ ଚାକିରୀ କରିଥାନ୍ତି । ଭାଉଜ ଘରେ ରୁହନ୍ତି । ମହେନ୍ଦ୍ର ଚାରି ମାସରେ ପାଞ୍ଚ ମାସରେ ଥରେ ଘରକୁ ଆସନ୍ତି । ମହେନ୍ଦ୍ରର ଅନୁପସ୍ଥିତିରେ ଦିଅର ଭାଉଜର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ବିବାହ ପୂର୍ବରୁ ଦେହର କ୍ଷୁଧା ମେଣ୍ଟାଉ ଥିଲା ଭାଉଜ ସାଥିରେ ନାଥ । ବିବାହ ପରେ ମଧ୍ୟ ସେ ଅଭ୍ୟାସ ଗଲା ନାହିଁ ନୂତନ ପ୍ରାଣପ୍ରିୟା ଥାଉ ଥାଉ । ଦିନେ ଦିନେ ନାଥ ନିଜ ଶୋଇବା ଘରକୁ ଆସେ ନାହିଁ । ଭାଉଜଙ୍କର ସମସ୍ତ କଥା ବୁଝେ ନାଥ । ଦୁଇ ଜଣଙ୍କ ଭିତରେ ହସଖୁସି ମଉଜ ମଜଲିସ ଚାଲେ । ଦୂରରୁ ପ୍ରାଚୀ ସବୁ ଦେଖେ ଅନୂଭବ କରେ । ନିଜକୁ ତାଙ୍କ ଆଗରେ ଛୋଟ ମନେ କରେ । କିଛି କହିପାରେ ନାହିଁ ଅଶାନ୍ତି ହେବ ବୋଲି । ନିଜକୁ ପ୍ରଶ୍ନ କରେ ; ପୁରୁଷ କାହିଁକି ଏମିତି ହୁଏ ?


    ଅବଶ୍ୟ ନାରୀ ମାଂସ ଲୋଭି ଦାନବ ଏମିତି କିଛି ସମାଜରେ ଅଛନ୍ତି । ଭାଉଜ ସହିତ ନାଥର ପ୍ରେମ ସମ୍ପର୍କକୁ ପ୍ରାଚୀ ଆଉ ସହ୍ଯ କରି ପାରିଲା ନାହିଁ । ନାରୀ ସବୁ ସହିପାରେ କିନ୍ତୁ ନିଜ ପୁରୁଷ ପର ସ୍ତ୍ରୀ ସହିତ ସମ୍ପର୍କକୁ ସେ କେବେ ବରଦାସ୍ତ କରିପାରେ ନାହିଁ । 


     ପ୍ରଶ୍ନ କଲା ସ୍ବାମୀକୁ - ମୋତେ ତୁମେ ବିବାହ କରି ମୋର ଜୀବନକୁ କାହିଁକି ଛାରଖାର କଲ ? ଭାଉଜ ସହିତ ତୁମେ ଖୁସିରେ ଥିଲ । ସେ ତୁମର ଦେହର କ୍ଷୁଧା ଆଉ ମନର କ୍ଷୁଧା ମେଣ୍ଟାଉଥିଲେ । ତୁମେ ମୋତେ ବିବାହ ବେଦିରେ ଅଗ୍ନିକୁ ସାକ୍ଷୀ ରଖି ମୁଣ୍ଡରେ ସିନ୍ଦୁର ଏବଂ ହାତରେ ଶଙ୍ଖା ପିନ୍ଧାଇ ଦେଲ । ତୁମେ ଜଣେ ନାରୀ ମାଂସ ଲୋଭି ରାକ୍ଷସ । ତୁମେ ଏତେ ଉଚ୍ଚ ଶିକ୍ଷିତ ହୋଇ ଉଚ୍ଚ ପଦବୀରେ ରହି ଏମିତି କେମିତି ହୋଇ ପାରିଲ ? ଶିକ୍ଷା ପ୍ରକୃତରେ ମଣିଷ ପଣିଆ କରି ଗଢି ପାରେ ନାହିଁ । କାରଣ ସେ ଯଦି ପରିବାରରୁ ସଂସ୍କାର ଜ୍ଞାନ ପାଇ ନ ଥାଏ । ସଂଜମତା, ଉତ୍ତମ ମାନବବୋଧ ଓ ବିବେକ ବିଚାର ଜ୍ଞାନ ଶିକ୍ଷା ସହିତ ପରିବାରରୁ ସେ ଜ୍ଞାନ ପାଇଥାଏ । ତୁମେ ଯଦି ଏତେ ଭାଉଜକୁ ଭଲ ପାଉଥିଲ ତେବେ ମୋତେ ଟାଣି ଓଟାରି ମୋ ଠାରେ ତୁମ୍ଭର କ୍ଷୁଧାକୁ କାହିଁକି ମେଣ୍ଟାଇଲ ? ଓଃ ତୁମେ ଗୋଟିଏ ନାରୀରେ ସନ୍ତୁଷ୍ଟ ନ ଥିଲ ।

    

      ପ୍ରତାରକ ତୁମେ ହେଲ, ଆଉ ମୁଁ ହେଲି ପ୍ରତାରିତା । ବିଶ୍ୱାସ ଘାତକ ତୁମେ ହେଲେ ମଧ୍ୟ ମୁଁ ତୁମଠାରେ ବିଶ୍ୱାସ ହରାଇ ନ ଥିଲି । ବୋଧ ହୁଏ ଏଥିପାଇଁ ମୁଁ ଅନ୍ଧ ବିଶ୍ୱାସ ଥିଲି ବୋଲି । ତୁମେ ମୋତେ ଠକି ଦେଇ ପାରିଲ ? ତୁମକୁ ସୀମାହୀନ ପ୍ରେମ କରୁଥିଲି ବୋଲି ମୁଁ ପ୍ରତାରିତା ହେଲି । ମୁଁ ତୁମକୁ ବିଶ୍ୱାସ କରୁଥିଲି । ପ୍ରେମ କରୁଥିଲି । ତୁମକୁ ଖାଲି ହୃଦୟ ଦେଇ ନୁହେଁ ଆତ୍ମା ଦେଇଥିଲି । ତୁମକୁ ଶରୀର ଦେଇ ନୁହେଁ ମନ ଦେଇଥିଲି । ହଁ ମୁଁ ତୁମକୁ ପ୍ରେମ କରୁଥିଲି..... । ତୁମର ଛାଇ କୁ ଜାବୁଡି ଧରି ତୁମର ସତ୍ତା କୁ ଭୋଗି ଚାଲୁଥିଲି । ଏବେ ଜାଣିଲି ତୁମର ନିଶ୍ୱାସ ମୋ ପ୍ରତି ଭେଜାଲ ଥିଲା । ତୁମର ପ୍ରେମ ମୋ ପ୍ରତି ନିରୁଦ୍ଧିଷ୍ଟ ଥିଲା। ମୋର ବିଶ୍ୱାସ ସବୁ ତୁମେ ଅବିଶ୍ୱାସ ର ବାଲିଘର ପରି ଉଜାଡି ଦେଲ । ତୁମେ ଯଦି ଭାଉଜକୁ ଏତେ ଭଲ ପାଉ ଥିଲ ? ତେବେ ମୋର ଜୀବନକୁ କାହିଁକି ଜାଳି ପୋଡି ଛାରଖାର କରିଦେଲ ? ନାଥ ସେଦିନ ପ୍ରାଚୀ କୁ ଶକ୍ତ ଚାପୁଡ଼ା ଟାଏ ଦେଇଥିଲା ।


      "ପ୍ରେମ" ଏକ ଛୋଟିଆ ଶବ୍ଦ ହେଲେ ମଧ୍ୟ ଏହା ଏକ ନିଚ୍ଛକ ସ୍ପର୍ଶକାତର ସଂପର୍କ । ଏଥିରେ ଦୁଃଖ,ହତୋତ୍ସାହ,ପ୍ରତାରଣା,ପ୍ରତ୍ୟାଖ୍ୟାନ ଆଉ ଯନ୍ତ୍ରଣା ଜର୍ଜରିତ ହୃଦୟ । ବିଛେଦରେ ପ୍ରତାରଣାରେ ଭାରାକ୍ରାନ୍ତ ହେବା କିଛି ନୂଆ କଥା ନୁହେଁ ନାଥ ପାଇଁ । ଗଭୀର ମନସ୍ତାପ ଓ ଆବେଗରେ ଘାଣ୍ଟି ଚକଟି ସନ୍ତୁଳି ହେଉଥାଏ ପ୍ରାଚୀ । ହତାସ ଓ ନିରାଶାର ମରୁଭୂମିରେ ପ୍ରାଚୀ ଭାବି ହେଉଥାଏ । ପ୍ରେମରେ ଅସଫଳ ହୋଇ ଗଭୀର ଦୁଃଖ ରେ ମାନସିକ ଭାରସାମ୍ୟ ହରାଇ ପରିଶେଷରେ କ'ଣ କରିବ ବିଚାରି ପ୍ରାଚୀ ? ହତ୍ଯା ? ନା ଆତ୍ମହତ୍ୟା ? ନା ଛାଡପତ୍ର ?


   ଏଭଳି ଏକ ବିଷମ ପରିସ୍ଥିତିରେ କାଶ୍ମୀରରେ ଆତଙ୍କବାଦୀଙ୍କ ସହିତ ଲଢେଇ ହୋଇଥିଲା । ସେହି ଆତଙ୍କବାଦୀଙ୍କ ଲଢେଇରେ ସାମିଲ ହୋଇ ମହେନ୍ଦ୍ର ସହିଦ ହୋଇଗଲେ । ଗ୍ରାମକୁ ସହିଦଙ୍କର ମର ଶରୀର ଆସିବାକୁ ଚାରିଦିନ ଲାଗିଲା । ଶୋକାକୁଳ ପରିବେଶରେ ଗ୍ରାମର ଶ୍ମଶାନରେ ସହିଦ ମହେନ୍ଦ୍ର ନାଥଙ୍କ ଅମର ଆତ୍ମାର ସଦ୍ ଗତି କରାଗଲା । 


     ସୁଖର ସାଥି ସମସ୍ତେ ହୋଇ ପାରନ୍ତି କିନ୍ତୁ ଦୁଃଖର ସାଥି କମ୍ ଲୋକ ହୋଇପାରନ୍ତି । ମହେନ୍ଦ୍ର ଚାଲିଯିବା ପରେ ନାଥର ଭାଉଜ ସମାଜ ଆଖିରେ ଏକାକିନୀ ହୋଇଗଲା । ପରିସ୍ଥିତି ପରିବେଶକୁ ଅପେକ୍ଷା କଲା ପ୍ରାଚୀ । ବର୍ତ୍ତମାନର ଦିଶା କେଉଁ ଆଡକୁ ଯାଉଛି ପ୍ରତୀକ୍ଷାରେ ରହିଲା। ନାଥ କିନ୍ତୁ ଭାଉଜର ସାଥି ଛାଡିଲା ନାହିଁ । ସବୁଦିନ ବଞ୍ଚି ମରିବା ଅପେକ୍ଷା ଏହାର ଏକ ସ୍ଥାୟୀ ସମାଧାନ କରିବାକୁ ଇଚ୍ଛା କଲା ପ୍ରାଚୀ ।


    ପ୍ରାଚୀ ଏ କଥାଟି ପ୍ରଘଟ କରିଦେଲା । ତେଣୁ ନାଥ ହଟହଟ୍ଟା ହେବାକୁ ପଡିଲା । ଚାକିରୀ କରୁଥିବା ହେତୁ ନାଥକୁ ଚାରିଆଡୁ ପ୍ରଶ୍ନ ପଚରା ଗଲା । ନାଥ କଥାକୁ ଆଡେଇ ଆଗକୁ ଚାଲିଲା । ଜୀବନ ସାରା ସନ୍ତୁଳି ମରିବା ଅପେକ୍ଷା ବିଜ୍ଞତାର ପରିଚୟ ସୃଷ୍ଟି କଲା ପ୍ରାଚୀ । 


ନାଥ ଭାଉଜକୁ ଭଲ ପାଉଛି । ତେଣୁ ଭାଉଜ ସହିତ ନାଥର ଦ୍ବିତୀୟ ବିବାହ ପାଇଁ ଏକ ପ୍ରକାର ଜିଦିରେ ଅଟଳ ରହିଲା ପ୍ରାଚୀ। ମାତ୍ର ପରିବାର ତରଫରୁ ଏହାକୁ ତୀବ୍ର ବିରୋଧ କରାଯାଇଥିଲା । ମାତ୍ର ଯେଉଁ ସତ୍ୟ ର ସନ୍ଧାନ ଲାଗି ପରିବାର ଲୋକ ବ୍ଯାକୁଳ ଥିଲେ ତାହା ପ୍ରକାଶ କରି ସନ୍ଦେହ ମୁକ୍ତ କରିଦେଲା ପ୍ରାଚୀ । ଆହୁରି ମଧ୍ୟ କହିଲା ଏବେ ବି ସେ ଭାଉଜଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଛନ୍ତି । 


ପ୍ରାଚୀର କଥା ଶୁଣି ସେଦିନ ସ୍ତମ୍ଭୀଭୂତ ହୋଇ ଯାଇଥିଲେ ପରିବାର ଲୋକେ । ପ୍ରାଚୀ ମନରେ ତା'ର ଅନେକ ଚିନ୍ତାର ମେଘ ଭାସି ଯାଉଥିଲା । କେଉଁଟା ଠିକ୍ କେଉଁ ଟା ଭୁଲ୍ ସ୍ଥିର କରିବା ତା ପାଖରେ ଅସମ୍ଭବ ହୋଇପଡିଥିଲା । କାହା ଆଗରେ ପ୍ରକାଶ କରିବ ତା ଦୁର୍ଭାଗ୍ୟର କାହାଣୀ ? ତା ସୁଖମୟ ଦାମ୍ପତ୍ୟ ଜୀବନ ଓ ନାଥ ପ୍ରତି ଥିବା ତା'ର ଗଭୀର ଭଲପାଇବା ? ଆଉ ନାଥର ତା ପ୍ରତି ଅବିଚାର । ଏ ସବୁ ସ୍ମରଣ କରି ପ୍ରାଚୀର ଚକ୍ଷୁ ଲୋତକାପ୍ଳୁତ ହୋଇ ଉଠିଲା । କିନ୍ତୁ ଅନ୍ଯ ଜଣେ ସ୍ତ୍ରୀ କୁ ଏକଦା ମନ ହୃଦୟ ଅର୍ପଣ କରିଛି ନାଥ । ବାହାଘର ପରେ ବି ତାକୁ ଅହେତୁକ ଭଲ ପାଇଛି । ପତି ପାଖରେ ଥାଇ ଅଶାନ୍ତି ଅସହାୟ ଭାବରେ ଜିଇଁଛି ପ୍ରାଚୀ । ନିଜେ ପ୍ରତିଦିନ ମରିବା ଅପେକ୍ଷା ତା'ର ସେହି ଭାଉଜ ସହ ମିଳନ କରାଇଦେବା ବରଂ ଶତ ଗୁଣରେ ଭଲ । ଏହା ଭାବି ପ୍ରାଚୀ ଦୃଢ ନିଷ୍ପତ୍ତି ନେଇଥିଲା । ଏବଂ ଏ ବିଷୟରେ ପ୍ରଥମେ ନାଥର ମତାମତ ନେବା ପାଇଁ ସ୍ଥିର କରିଥିଲା ।


ପ୍ରାଚୀର ଉଦାସୀନତା ଲକ୍ଷ୍ଯକରି ନିର୍ଜୀବ ପ୍ରାଣୀ ଟିଏ ପରି ଖଟ ଉପରେ ବସିଥିବା ନାଥ ନିରବ ରହିଲା । ଅନୁତାପ ଆଉ ଅନୁଶୋଚନା ଅନ୍ତରାଳରେ ବ୍ୟତିବ୍ୟସ୍ତ ହୋଇ ପ୍ରାଚୀ ନାଥକୁ କହିଲା - ଏବେ ବି ସମୟ ଅଛି ,ତୁମେ ଚାହିଁଲେ ମୋତେ ପ୍ରତ୍ୟାଖ୍ୟାନ କରି ତୁମର ସେଇ ଭାଉଜଙ୍କ ପାଖକୁ ଯାଇପାର । ପ୍ରାଚୀ ର କଥା ଶୁଣି ପ୍ରଥମେ ବିସ୍ମୟ ର ଏକ ମୃଦୁ ଆଘାତରେ ବିଚଳିତ ହୋଇଗଲା ନାଥ। କିଛି ନ କହି ନୀରବ ରହିଲା । କିନ୍ତୁ ପରେ ଯେତେବେଳେ ପ୍ରାଚୀ କହିଲା - ମୁଁ ଫାଇନାଲି ଡିସାଇଡ୍ କରିସାରିଛି ତୁମକୁ ତୁମର ସେହି ଭାଉଜଙ୍କ ହାତରେ ସମର୍ପି ଦେବା ପାଇଁ , ସେତେବେଳେ ନାଥ ମନରେ ଏକ ପ୍ରକାର ଶିହରଣ ଖେଳିଗଲା । ତା'ର ସେଇ ଦୋଳାୟିତ ଦୁଇ ଭୀତ ସଂତ୍ରସ୍ଥ ଆଖିର ନୌକାରେ ବୋଝେଇ ହୋଇଗଲା ସ୍ତୁପ ନୀଳ ସ୍ବପ୍ନ ।


      ପ୍ରାଚୀ ତାର ମହାନତାର ପରିଚୟ ଦେଇ ଚାଲିଗଲା ସଦାସର୍ବଦା ନିଜ ବାପ ଘରକୁ । ବିରଞ୍ଚିନାରାୟଣ ବାବୁ ପ୍ରାଚୀ ଠାରୁ ସମସ୍ତ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ ଏବଂ ଭାଙ୍ଗି ପଡିଲେ । ନାରୀ କଣ ନ କରି ପାରେ ? ତେଣୁ ତ କୁହାଯାଇଛି ନାରୀ ଜାୟା ଜନନୀ ଭଗିନୀ  । ପ୍ରାଚୀ ନିଜର ମନୋବଳ ଭାଙ୍ଗିଲା ନାହିଁ । ନିଜ ଗୋଡ଼ରେ ଠିଆ ହେବାକୁ ଚେଷ୍ଟା କଲା ।

ଏବେ ଶୁଣୁଛି ପ୍ରାଚୀ ୟୁକୋ ବ୍ୟାଙ୍କରେ ସର୍ଭିସ୍ କରୁଛି । ବ୍ୟାଙ୍କର ଫିଲଡ୍ ଅଫିସର ସାମଲ ବାବୁ ପ୍ରାଚୀ କୁ ବିବାହ କରି ସୁଖରେ ଅଛନ୍ତି ।


Rate this content
Log in

Similar oriya story from Drama