ଅଭିନୟରୁ ପ୍ରେମ
ଅଭିନୟରୁ ପ୍ରେମ
ବାଦଲ ସହିତ ବର୍ଷା ଚଳଚିତ୍ରରେ ମିଛ ଅଭିନୟ କରି କରି ସତେ ସଂସାରେ ସମସ୍ତଙ୍କ ହୃଦୟ କିଣି ନେଇଥିଲା । କିନ୍ତୁ ଯେତେବେଳେ ନିଜର ପରିଣତ ବୟସରେ ବାଦଲର ସତ ସତିଆ ପ୍ରେମ ଭିକ୍ଷାକୁ ମନା କରିପାରି ନ ଥିଲା। ସେ ଦିନ ଦର୍ଶକମାନଙ୍କ ଉତ୍ସାହ ଓ ଉଦ୍ଦୀପନ ଆଗରେ ବର୍ଷା ହାର ମାନି ଯାଇଥିଲା। ଅଭିନୟରୁ ପ୍ରେମ ପୁଣି ସତସତିଆ ବିବାହ କିଛି କମ କଥା ନୁହେଁ । ବର୍ଷାଟା ବାଦଲ ଭିତରେ କେଉଁଠି ଲୁଚି ରହିଗଲା ଖୋଜିଲେ ବି କେହି ତାର ଟେର ପାଇଲେ ନାହିଁ ।
କିଛି ଦିନ ବିରତି ପରେ ପୁଣି ଚଳଚ୍ଚିତ୍ରରେ ଅଭିନୟ । ଦର୍ଶକମଣ୍ଡଳୀ ପ୍ରଶଂସାରେ ଦୁହିଁଙ୍କୁ ପୋତି ପକାଇଲେ । ନିଜର ସତସତିଆ ଜୀବନ ସହିତ ଅଭିନୟରେ ଦୁହେଁ ଆଗକୁ ମାଡି ଚାଲିଲେ । ଦିନେ ଅଦିନ ଝଡ଼ ମାଡି ଆସିଲା । ବାଦଲଟା କଳା ମଚ ମଚ ହୋଇ ମାଡି ଆସି ବାଦଲ ଫଟା ବର୍ଷାରେ ତା ଦେହରୁ ବର୍ଷା ରାଣୀଟାକୁ ଅଲଗା କରିଦେଲା । ବିଚାରୀ ବର୍ଷା ଅଲଗା ହୋଇଗଲା । ଆଜି ତାର ଆଖିର ଲୁହ ଶୁଖି ଗଲାଣି । ସଂଗ୍ରାମ ଜାରି ରଖିଲା। କିନ୍ତୁ ତାର ସଂଯୋଗ ଆଉ ବାଦଲ ସହିତ ହୋଇପାରିଲା ନାହିଁ । ବାଦଲ କହୁଛି ତୁ ଆଜି ଅଲୋଡ଼ା ବର୍ଷାଜଳ। ତୁ ମୋ ଦେହରୁ ଖସି ଯାଇଛୁ। ମୋ ସହିତ ତୋର ସଂଯୋଗ ଅସମ୍ଭବ। ଇତି ମଧ୍ୟରେ ବାଦଲ ସବୁଦିନ ପାଇଁ ବର୍ଷାକୁ ଛାଡ଼ପତ୍ର ଦେଇ ଦେଇଛି । ବର୍ଷା ବି ତାର ସ୍ୱାଭିମାନକୁ ବଜାଇ ରଖିଛି । ବର୍ଷା ଜଳ ସରିତା ସହିତ ମିଶି ଯେତେବେଳେ ମହା ସିନ୍ଧୁରେ ମିଶି ଏକାକାର ହୋଇଯାଏ ଆଉ ତାକୁ କେହି ଚିହ୍ନି ପାରନ୍ତି ନାହିଁ ।
ଠିକ୍ ସେହିପରି ଆଜି ବର୍ଷା ବାଦଲ ଠାରୁ ଅଲଗା ହେଲା ପରେ ତାର ମହନୀୟତା ବଢ଼ି ବଢ଼ି ଯାଇଛି। ଯେପରି ବର୍ଷା ଜଳ ଧରିତ୍ରୀକୁ ସୁଜଳା ସୁଫଳା କରେ ଠିକ ଆଜି ଆମର ସମାଜ ବର୍ଷା ଆଗରେ ନତ ମସ୍ତକ ହୋଇଛି। ବର୍ଷା ଦେବୀ ଆଜି ଏକ ବଡ଼ ସମାଜ ସେଵୀ । ହଜାର ହଜାର ଅନାଥ ଶିଶୁଙ୍କର ମଉଡମଣୀ ମମତାମୟୀ ମାଆ ସାଜି ଦୁନିଆଁରେ ସମସ୍ତଙ୍କ ହୃଦୟ କିଣି ନେଇଛନ୍ତି। ତାଙ୍କ ଅନାଥାଶ୍ରମକୁ ସରକାରୀ ବେସରକାରୀ ଅନୁଦାନର ହିସାବ ନାହିଁ ।
ସ୍ୱାମୀ-ସ୍ତ୍ରୀ ମଧ୍ୟରେ ମଧୁର ସମ୍ପର୍କର ପଟ୍ଟାନ୍ତର ନ ଥାଏ । ଥରେ ହାତଗଣ୍ଠି ପଡ଼ିଲେ ଏହି ସମ୍ପର୍କର ଖିଅ କୁଆଡେ ସାତ ଜନ୍ମ ପର୍ଯ୍ୟନ୍ତ ଲମ୍ବିଯାଏ ବୋଲି ପୁରାଣରେ ବର୍ଣ୍ଣିତ । ଉଭୟଙ୍କ ମଧ୍ୟରେ ସ୍ନେହ, ଭଲ ପାଇବା ଏବଂ ଉତ୍ତମ ବୁଝାମଣା ଏକ ସୁନ୍ଦର ଜୀବନ ରଥକୁ ବାଟ କଢ଼ାଇ ଥାଏ । ହେଲେ ଆଜି ଯୁଗ ବଦଳିବା ସାଙ୍ଗକୁ ବଦଳି ଯାଇଛି ଏ ସମ୍ପର୍କର ସଂଜ୍ଞା । ପରକୀୟା ପ୍ରୀତିଠୁ ଆରମ୍ଭ କରି ବିଶ୍ୱାସ ଘାତକତା ଯେମିତି ଆଜି କାଲି ଘର ଘରର କଥା। ବାଦଲର ଆଜି ପରକୀୟ ପ୍ରୀତି ବର୍ଷା ଦେବୀଙ୍କୁ ଅଲଗା କରିଦେଲା । ବର୍ଷର ଅଭିନୟରୁ ପ୍ରେମ ଆଜି ଅଭିନୟରେ ରହିଗଲା । ବାଦଲର ଆଜି ସବୁପ୍ରକାର ଅଧୋପତନ। କୌଣସି ଲୋକ ପ୍ରିୟତା ନାହିଁ କି ଚଳଚ୍ଚିତ୍ରର ଆଉ ଅଭିନୟ ତା ପାଇଁ ସ୍ବପ୍ନ । କିନ୍ତୁ ଆଜି ବର୍ଷା ଦେବୀର ମହନୀୟତା ଆଜି ଚାରିଆଡେ ମହ ମହ ହୋଇ ବାସୁଛି । ଭାରତ ସରକାର ତାଙ୍କୁ ଅନେକ ସମ୍ମାନରେ ସମ୍ମାନୀତ କରିବା ସହିତ ରାଜ୍ୟ ସଭାରେ ଏକ ସଭ୍ୟ ପଦକୁ ମନୋନୀତ କିଛି କମ କଥା ନୁହେଁ ।