ଆତ୍ମୀୟତା
ଆତ୍ମୀୟତା


ଏଇ ଏବେ ଏବେ ପହଞ୍ଚିଲି ପୋଷ୍ଟିଂ ହେଇଥିବା ନୂଆ ସହରରେ। ଏଠି କାହାକୁ ବି ଜାଣିନି। ପୂରାପୂରି ନୂଆ। ସହର ନାଁ ଖାଲି ଯାହା କେବେ ବହିରେ ପଢିଥିଲି। ଏବେ ସମୟ ଚାରିଟା ବାଜିଛି। ଆଖପାଖ ରେ ଲୋକଙ୍କୁ ପଚାରି ଲଜ୍ ଟିଏ କୋଉଠି ଅଛି ଠିକ୍ କରିବାକୁ ହେବ। ସ୍ତ୍ରୀ ସୁମି କହିଲା-ଶୁଣୁଛ, ଭୋକ ଲାଗିଲାଣି। ଚାଲ କୋଉଠି କଣ ଟିକିଏ ଖାଇଦେବା, ତାପରେ ରହିବା ବ୍ୟବସ୍ଥା କରିବା।
ମୋତେ ବି ଭୋକ ଲାଗୁଥାଏ। ସେଥିପାଇଁ କହିଲି -ହ ଉ ଚାଲ। ସାମନାରେ ଥିବା ଖାଇବା ଦୋକାନ ଭିତରକୁ ପଶିଗଲି। ଖାଇ ସାରିବା ପରେ ଦୋକାନୀ ପିଲାଟି ସହ ଦୁଃଖ ସୁଖ ହେଉ ହେଉ ମୋ ନାଁ ସେ ମୋତେ ପଚାରି ଦେଲା। ମୁଁ କହିଲି -ମୋ ନାଁ ରାକେଶ ଛୋଟରାୟ। ହଠାତ୍ ସେ କହିଲା-ଆପଣଙ୍କ ଘର ରାଉରକେଲା ରେ କି?
ସେ ଯେତିକି ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ ଟି ପଚାରିଲା ମୁଁ ସେତିକି ଆଶ୍ଚର୍ଯ୍ୟ ହେଇ ହଁ ବୋଲି ଉତ୍ତର ଦେଲି। ତାପରେ ସେ ଅନର୍ଗଳ ଗପି ଚାଲିଲା। ଆପଣଙ୍କ ର ଜଣେ ସାଙ୍ଗ ଥିଲା ବିକାଶ ମହାନ୍ତି। ସେ ଆପଣଙ୍କ ର ଖୁବ୍ ପ୍ରିୟ ସାଙ୍ଗ। ଆପଣ ମିଶି ବହୁତ ପିଜୁଳି ଚୋରି କରନ୍ତି ଖରାବେଳ ସାରା ମାଳତୀ ନାରୀର ବାଡିରୁ। ସ୍କୁଲ ନଯାଇ ବେଳେ ବେଳେ ଫିଲ୍ମ ଦେଖି ଯାଆନ୍ତି। ଘରେ ବହୁତ ଗାଳି ଶୁଣନ୍ତି। ତଥାପି ଯୋଉ କଥାକୁ ସେଇ କଥା।
ଏମିତି କେତେ କଥା। ମୋ ପିଲାଦିନ ର ସବୁ କାହାଣୀ ଟିକିନିଖି ଔପନ୍ୟାସିକ ପରି ଉତ୍ତାରି ରଖିଦେଲା ମୋ ସାମନାରେ। ମୁଁ କାଠ ପାଲଟିଗଲି ମୁହୂର୍ତ୍ତକ ପାଇଁ। ମୋ ସ୍ତ୍ରୀ ମୋତେ ହଲେଇ ଦେଇ କହିଲା-ସେ ପିଲା ତମ ବିଷୟରେ ଏତେକଥା କେମିତି ଜାଣିଲା? ତମେତ କହୁଥିଲ ଏ ଜାଗା ଏ ସହର ନୂଆ।
ଆରେ ମୁଁ ବି ସେଇକଥା ଭାବୁଛି। ଭାଇ, ତମେ ମୋ ବିଷୟରେ ଏତେ କଥା କେମିତି ଜାଣିଲ?
ପିଲାଟି କହିଲା -ବାବୁ, ଏ ଦୋକାନ ର ମାଲିକ ହେଉଛନ୍ତି ଆପଣଙ୍କ ସାଙ୍ଗର। ଯେତେବେଳେ କାମ ନଥାଏ ସେ ଆପଣଙ୍କ ବିଷୟରେ ବସି ଗପନ୍ତି। ଏବେ ଏବେ ଆସୁଥିବ ଯେ କହି ଆଗକୁ ଦେଖିଲା ବେଳକୁ ସତରେ ବିକାଶ ଆସିଲାଣି। ବିକାଶ ରାକେଶକୁ ଦେଖି ଖୁସି ରେ ଜାବୁଡି ଧରିଲା। ସମୟ ମୋଡରେ ସିନା ଆମେ ଅଲଗା ହେଇଯାଇଥିଲେ। ହେଲେ ଆଜି ଭାଗ୍ୟ ପୁଣିଥରେ ଆମକୁ ଏକାଠି କରେଇଦେଲା। ଦୀର୍ଘ ବାରବର୍ଷ ପରେ ଏ ଦେଖା ସତରେ ମୋ ପାଇଁ ଅବିସ୍ମରଣୀୟ। ମନେମନେ ତତେ ବହୁତ ଖୋଜୁଥିଲି। ତତେ ଦେଖିବାକୁ ଇଚ୍ଛା ହେଉଥିଲା। ପିଉସୀ ମରିଗଲା ବୋଲି ଆମ ଘରକୁ ପଳେଇ ଆସିଲି। ନହେଲେ ଆଜି ଯାଏଁ ସେଇଠି ଥାଆନ୍ତି ତୋରି ପାଖରେ। ଆରେ ଏକଣ ମୁଁ ତତେ ଏଇଠି ଏମିତି ଠିଆ କରି ଗପି ଚାଲିଛି। ଘରକୁ ଚାଲ। ମାନ ଦେଖିଲେ ତତେ ବହୁତ ଖୁସି ହେବ। ମୁଁ ତୋ ବିଷୟରେ ତାକୁ ସବୁବେଳେ କୁହେ।
ସେଦିନ ମୁଁ ଆଉ ମୋ ସ୍ତ୍ରୀ ବିକାଶ ଘରେ ରହିଲୁ। ଖୁବ୍ ଚର୍ଚ୍ଚା କଲା ନାନାପ୍ରକାର ଖାଇବା ପିଇବା ଦେଇ। ଅନେକ ରାତି ଯାଏଁ ଗପର ଆସର ଜମିଲା। ପୁଣିଥରେ ପିଲାଦିନ ର ସବୁ ସ୍ମୃତି ତାଜା ହେଇଗଲା। ସକାଳୁ ଆମକୁ ଗୋଟିଏ ଭଡା ଘରର ବନ୍ଦୋବସ୍ତ ମଧ୍ୟ କରିଦେଲା। ସତରେ! ବିକାଶ ପରି ସାଙ୍ଗ ଭାଗ୍ୟ ରେ ଥିଲେ ମିଳନ୍ତି।