STORYMIRROR

Gargi Mishra

Abstract Drama Inspirational

4  

Gargi Mishra

Abstract Drama Inspirational

ଆଶ୍ରମ

ଆଶ୍ରମ

5 mins
403

ଆଶ୍ରମ ରାସ୍ତାର ଅପର ପ୍ରାନ୍ତରେ ଠିଆ ହୋଇ ମୁଁ ଦେଖୁଥିଲି ଛୋଟିଆ ଧଳା ରଙ୍ଗର ଘରଟିକୁ। ଆଜି କାହିଁ ମୋ ଭିତରେ ଆଶ୍ଚର୍ଯ୍ୟଜନକ ପୁଲକ। ଘରର ନାଁ କାହିଁକି କେଜାଣି ଆଶ୍ରମ ରଖିବାକୁ ଭାବିଲି? ମା' ହେବାର ସୌଭାଗ୍ୟ ମୋର ନାହିଁ, ହେଲେ ସବୁ ମା'ମାନେ ଅସହ୍ୟ ଗର୍ଭବେଦନା ପରେ ଶିଶୁର ନମକରଣ ବେଳେ ଠିକ ଏମିତି ପୁଲକିତ ହେଉଥିବାର ମୁଁ ଅନୁମାନ କରୁଥିଲି। ଘର ତିଆରି ସରିବା ପରେ ମୋ ଭିତରେ ଏକ ନିଷ୍କାସିତ ଆକାଶର ଶାନ୍ତପଣ।


ଆଜି ମୁଁ ଜୀବନର ଅପରାହ୍ନରେ। ମୋ ଜୀବନାକାଶରେ ଘନ ଘନ ଗର୍ଜୁଥିବା କଳା ବାଦଲମାନେ ଏବେବି କିଛି ମାତ୍ରାରେ ଭାଷମାନ। ମନେପଡେ ଘଡଘଡି ବିଜୁଳି ଶବ୍ଦ ଶୁଣି ବୋଉ ପଣତ କାନିରେ କେମିତି ପିଲାଦିନେ ମୁଁ ଡରିମରି ଗୁଡେଇ ହେଇପଡେ! ବୟସମାନେ ଆଞ୍ଜୁଳା ଆଞ୍ଜୁଳା କରି ଅନେକ ଆଷାଢ଼ମାନଙ୍କୁ ପି'ଗଲା ପରେ ହୁଏତ ବଜ୍ରପାତ ଏତେଟା ଶ୍ରୁତିକଟୁ ହୁଏନାହିଁ । କି ଖରା କି ବର୍ଷା କି ଶୀତ କି ବସନ୍ତ? ସବୁରଙ୍ଗ ଲୁହରେ ଧୋଇ ଧଳା ହୋଇଯାଏ। ବାର୍ଦ୍ଧକ୍ୟର ଅଯତ୍ନ କେଶପରି।



 ସହରକୁଲାଗି ଜାଗାଟି। ମନ୍ଦିର, ବଜାର, ମୁଲ ମଜୁରୀ ଆଦିନେଇ ଗାଁ ଲୋକଙ୍କ ଯିବା ଆସିବା ଲାଗି ରହିଥାଏ। ଘର ଆଖ ପାଖରେ ଗଣି ଗଣି ଆଉ ଆଠ ଦଶଟି ଘର। ଚାରିପଟେ ଅନାବାଦୀ ପଡିଆ। ଅନତିଦୂରରେ କେବଳ ଏକ ଝଙ୍କାଳିଆ ଆମ୍ବଗଛ। କୋଇଲିଟିଏ ତା' ଡାଳରେ ବସି ତା' ମନକଥା ଶୁଣିଲା। କିଛିସମୟ ପରେ ସେ ବି ଫୁରକି ଉଡିଗଲା।ଏଥର ନିଛାଟିଆ ସାମ୍ରାଜ୍ୟର ସେ ରାଣୀ, ନିଜ ପ୍ରଜା ସେ ନିଜେ। ବଂଚିଥିବା ଯାଏ ତା' ସମୟର ସମସ୍ତ ବୃତ୍ତାନ୍ତ କେବଳ ସେ କହିବ ଆଉ ସେ ହିଁ ଶୁଣିବ। ଚିନ୍ତା ନାହିଁ। ବର୍ଷା ତୋଫାନ ଆସିଲେ ହୁଏତ କେଉଁ ପକ୍ଷୀ ମାନଙ୍କ ପାଇଁ ଆଶ୍ରୟ ହୋଇପାରେ। ଘରଠୁ ଅଢେଇ କିଲୋମିଟର ପରେ ମେନ ରୋଡ଼। ମୋ ଭାଗ୍ୟପରି ଅନାବାଦୀ ସରୁରାସ୍ତାଟି ରାଜରାସ୍ତାରେ ପହଂଚିବା ଯାଏ କିପରି ଅଙ୍କେଇ ବଙ୍କେଇ ମାଡିଚାଲିଛି। କାର ଚାବିମୋଡି ରାସ୍ତା ର ଗତିପଥରେ ଧୀରେ ଧୀରେ ଯିବାକୁ ଆରମ୍ଭ କଲି।




 ଅନେକ ଦିନର ଜମା ପାରିବାରିକ ଅଶାନ୍ତି ଓ ପରେ ସିଦ୍ଧାନ୍ତଙ୍କ ଠାରୁ ବିବାହବିଚ୍ଛେଦ...ଜୀବନର ସବୁଠୁ ବଡ଼ ପ୍ରତିରୋଧ ପାର କରି ଆସିଛି ଯେତେବେଳେ ଏକା ଏକା ବଢିବାକୁ ଆଉ ଡରନାହିଁ। ଫେରିବା ବାଟରେ ମାଇଲଖୁଣ୍ଟ ସବୁ ପଛକୁ କ୍ରମାଗତ ଭାବେ ଧାଇଁବା ପରି ଘଟଣାସବୁ ଲେଉଟି ଯାଉଥିଲେ ମୋ ଆଗରେ ଗୋଟେ ପରେ ଗୋଟେ। ନିଜସହ ନିଜ ଦୁଃଖ, ଯନ୍ତ୍ରଣା ସବୁକୁ ବଖାଣିବାର ନାଁ ନିସ୍ତବ୍ଧତା।


ଏକୁଟିଆ ବେଳେ ସ୍ମୃତି ଫେରି ଯାଉଥିଲା କିଛି ବର୍ଷ ତଳ ଲୁହ, ଯନ୍ତ୍ରଣା ଜର୍ଜରିତ ଅତୀତ ଆଡକୁ। ଘଟଣା ଆରମ୍ଭ ହୋଇଥିଲା ହୁଏତ ସାତବର୍ଷ ପୂର୍ବେ। ମୋର କ୍ଲାଏଣ୍ଟ ମୋତେ କିଛି ପ୍ରଶ୍ନ କରୁଥିଲେ ଓ ମୁଁ ଏକ ସାଇକୋଥେରାପିସ୍ଟ ରୂପେ ତାଙ୍କୁ ଉତ୍ତର ଦେଉଥିଲି। ମୋ କର୍ତ୍ତବ୍ୟ ମୁଁ କରୁଥିଲି। ସିଦ୍ଧାନ୍ତ ଅଚାନକ ଆର ପଟଘରୁ କର୍ଡଲେସ ଯୋଗେ ଶୁଣୁଥିଲେ ଆମ ଦୁହିଁଙ୍କ କଥା।



କ୍ଲାଏଣ୍ଟ କହୁଥିଲେ, " ଜାଣନ୍ତି ମ୍ୟାଡ଼ାମ...ଅସହାୟତା ମଣିଷକୁ ଭାଙ୍ଗିଦିଏ। ଗହଳି ଭିତରେ ଲାଗେ ଏକା ଏକା। ଡିପ୍ରେସନ କିଛି ଏମିତି ରୋଗ ଯେଉଁଠି ମାନସିକ ରୂପେ ମଣିଷ ସମାଜ ଠାରୁ ଅଲକ୍ଷ୍ୟରେ ଦୁରେଇ ଯାଏ... ଏକ ଅନ୍ଧାରୁଆ ଗୁମ୍ଫା ଭିତରକୁ। ମଣିଷ ନିଜେ ନିଜେ ରାସ୍ତା ପାଏନାହିଁ, ଜଣେ କାହାକୁ ପ୍ରଦୀପର ଶିଖା ଜାଳିବା ପାଇଁ ହୁଏ.. ଏ ସମୟରେ ହାତ ଛାଡିଦେଲେ ପରିଣତି ଖୁବ ଭୟାବାହ ହୋଇପାରେ.. ଦୁର୍ଦ୍ଦଶା ଆଉ ନୈରାଶ୍ୟ ଛଡା କିଛି ଆଉ ଜୀବନରେ ବଞ୍ଚେନି "


 ମୁଁ ବୁଝିନେଲି କ୍ଲାଏଣ୍ଟ ଜଣଙ୍କ ମାଗୁଥିଲେ ମୋ ଠାରୁ ଏକ ନିସର୍ତ୍ତ ବନ୍ଧୁତ୍ତ୍ୱର ପ୍ରତିଶୃତି। ଏକ ସର୍ତ୍ତହୀନ ବନ୍ଧୁତା ଯାହା ଜଣଙ୍କୁ ଆସନ୍ନ ମୃତ୍ୟୁରୁ ବଞ୍ଚାଇ ପାରିବ... କର୍ତ୍ତବ୍ୟକୁ ଭିତ୍ତି କରି ମୁଁ ଏ ବନ୍ଧୁତା ନିଭେଇବାକୁ ଆଜୀବନ ପ୍ରସ୍ତୁତ ବୋଲି ହୃଦୟରୁ କହିଦେଲି । ବାସ କେବଳ ଏତିକି କଥା, ସିଦ୍ଧାନ୍ତଙ୍କ ଭୂଲ ବୁଝାମଣା ଓ ଲାଇନ କାଟି ଯୁକ୍ତି ପରେ ଯୁକ୍ତି। ସିଦ୍ଧାନ୍ତଙ୍କୁ ମୋର ପେସେଣ୍ଟ ମାନଙ୍କ ପାରିବାରିକ ପରିସ୍ଥିତି, ମାନସିକ ସଂଘର୍ଷର ବୃତ୍ତାନ୍ତ ଶୁଣିବା ଓ ତର୍ଜମା କରିବା -ଏସବୁ ଅସହ୍ୟ ଲାଗୁଥିଲା। ଏସବୁ ନୂଆ ନୁହେଁ। ମୋର ବୃତ୍ତିକୁ ନେଇ ପାରିବାରିକ ରୂପେ ଅନେକଥର ମୁଁ ଅସୁବିଧାର ସମ୍ମୁଖୀନ ହୋଇସାରିଥିଲି।



 ଗୋଟେ ରାତିର ସର୍ଗରମ ପରିସ୍ଥିତି ଓ ଶେଷରେ ସିଦ୍ଧାନ୍ତ କହିଲେ, -ତୁମେ ଏ ଫାଲତୁ ଚାକିରୀରୁ ବାହାର ନଚେତ ମୋ ଜୀବନରୁ । ସବୁତ ମୁଁ ଦେବାକୁ ରାଜି, କଣ ଦରକାର ତୁମର ଅଯଥା ଚାକିରୀ କରିବା ?



 ସତକଥା, ଭଗବାନଙ୍କ ଦୟାରୁ ସବୁକିଛିତ ହାତ ମୁଠାରେ...ତଥାପି କେଜାଣି କାହିଁକି ପରିଶ୍ରମ ବିନା କାହା ଉପରେ ନିର୍ଭରଶୀଳ ହେବାକୁ ମୋ ଆତ୍ମସମ୍ମାନ ମୋତେ ରୋକେ? ତାଙ୍କ ସତର୍କବାଣୀ ମୋତେ ଅଟକାଇବାକୁ ଚେଷ୍ଟା କରୁଥିଲେ। ଗୋଟେ ଝଡ଼ରାତି ଯାଇ ସକାଳ ହେଲା। ତୁମୁଳବର୍ଷା ପରେ ସକାଳର କିରଣ କାହିଁ କେଜାଣି ମଳିନ ନ ହୋଇ ଆହୁରି ତୀବ୍ର ହୋଇପଡେ? ମୋ ଆଗରେ ଏକ ବର୍ଷା ଧୌତ ରାସ୍ତା ଜକଜକ କରି କର୍ତ୍ତବ୍ୟପଥରେ ଆଗକୁ ଯିବାକୁ ପ୍ରେରଣା ଦେଉଥିଲା। ମୁଁ ମନ କଥା ଶୁଣି ଗତି ବଢ଼େଇଲି। ମନ ଠିକ ତ ଦୁନିଆରେ ସବୁ ଠିକ। ଶେଷରେ ସମାଧାନ ପାଇଁ କୋର୍ଟ କଚେରୀ ହେଲା।

 ନିତାନ୍ତ ବ୍ୟକ୍ତିଗତ ଓ ଅନ୍ତରଙ୍ଗ ଶବ୍ଦମାନେ କୁରୁସଭାରେ ଦୁଃଶାସନ ଦ୍ୱାରା ନିବସ୍ତ୍ର ହେବାପରି ସର୍ବସମକ୍ଷରେ ଉନ୍ମୋଚିତ ହେବାକୁ କିଏଚାହେଁ? କେତେ ପାଦ ତଳେ ପଡି କଥାସବୁକୁ ସହଜରେ ନେବାକୁ ଓ ମାଲି ମୋକଦ୍ଦମାରୁ କ୍ଷାନ୍ତ ରହିବାକୁ ନିବେଦନ କରିଥିଲି, ହେଲେ... ସମସ୍ତେ ପରିସ୍ଥିତିର ଦାସ। ଏକ ସ୍ତ୍ରୀର ଅନୁଭୁତି,ତାର ବିଶ୍ୱାସ ଫୁଲର ପାଖୁଡାଠୁଁବି କୋମଳ। ତାକୁ କେବଳ ଏକ ଗଣନାଟ୍ୟର ରୂପଦେଇ କୋର୍ଟ ଆଗରେ ଲଜ୍ଜିତ କରିବା ସହଜ, ତାକୁ ମର୍ଜଦା ଦେଇ ତାର ଗଭୀରତାର, ତାର ସୁବାସର ଆକଳନ କରିବାପାଇଁ ବ୍ୟକ୍ତି ପରିପକ୍ୱ ଏବଂ ସ୍ଥିରଚିତ୍ତ ହେବା ଦରକାର। ସିନ୍ଧାନ୍ତଙ୍କ ଠୁଁ ପାଇଲି ନାହିଁ।


ଏପଟେ ବାପଘର କଥା ଆଉ ଆଗପରି ନଥିଲା। ସେମାନେ ଫେରିଯିବାକୁ ବାଧ୍ୟ କରୁଥିଲେ ସେଇ ଘରକୁ ଯେଉଁଠି ସମ୍ପର୍କର ସଂଜ୍ଞା ଅସନ୍ତୁଳିତ। ସିଦ୍ଧାନ୍ତଙ୍କୁ ମୁଁ ବୁଝେଇବା ପାଇଁ ସତଚେଷ୍ଟା କରି ଅକ୍ଷମ ହେଲି। ନ ବୁଝିବାକୁ ନିଶ୍ଚିତ କରିଦେଲେ ଦୁନିଆର ସମସ୍ତ ଶକ୍ତି ବ୍ୟର୍ଥ। ଦୁଇଟି ପୃଥକ ସ୍ଵଭାବର ପ୍ରାଣୀ ଗୋଟିଏ ଗୋଠରେ ରହିବା ଅସମ୍ଭବ। ମୁଁ ଚାହୁଁ ନଥିଲି ଦୁନିଆ ମୋ ନାଁ ଦୁଃଖୀ,ବିଚାରୀ ମାନଙ୍କ ଭିତରେ ନେଉ। ନା' ପିଲା ନା ଛୁଆ.. କଷ୍ଟଡି ନେବାର ଦାୟିତ୍ୱରୁ ଆମେ ଦୁହେଁ ମୁକ୍ତ। ବାସ, ଦେଖୁ ଦେଖୁ ଅଲଗା ହୋଇଗଲୁ।



ମାମୁଁଙ୍କ ଘରେ କିଛିଦିନ ଆଶ୍ରୟ ନେଲାପରେ ୱର୍କିଙ୍ଗ ଓମେନ୍ସ ହଷ୍ଟେଲକୁ ସିଫ୍ଟ କଲି। ନାନା ଲୋକେ ନାନା କଥା ବଖାଣିଲେ। କବିତା, ବନିତା ଓ ଲତା...


 ବିନା ସାହାରାରେ ବଞ୍ଚିବା କାଳେ ଅସମ୍ଭବ। ଆଗରୁ ଏସବୁ ଶୁଣି ଭିତରେ ଭିତରେ ଭାବୁଥିଲି ଏକା ଏକା ଏତେବଡ ଜୀବନ କାଟିବି କିପରି? ଭଗବାନ ମୋତେ ଏକା ପୃଥିବୀକୁ ପଠାଇ ଛନ୍ତି ଯେତେବେଳେ କଣ ମୋ ଜୀବନ ମୁଁ ନିଜେ ଜୀବନ ବଂଚିବାକୁ ଅସମର୍ଥ? କେତେବର୍ଷ ଯାଏ ସ୍ତ୍ରୀ ଲୋକ ଟିଏ ନିଜ ବାପା, ଭାଇ, ସ୍ୱାମୀ ବା ପୁଅଙ୍କୁ ମାର୍ଫତ ରଖି ନିଜ ଠିକଣା ଲେଖିବ? ସେମାନଙ୍କ ଠିକଣାକୁ ନିଜର ବୋଲି ସଗର୍ବେ ଆମେ ସମାଜ ଆଗରେ କହୁ ସିନା କିନ୍ତୁ ସେମାନେ ସମୟପଡିଲେ ଚାରିକାନ୍ଥକୁ ଘର କରିବାରେ ନାରୀର ଅବଦାନ କଥା ଭୁଲିଯାଆନ୍ତି। ଅଫିସରେ ଏମିତି ଅନେକ ଭଉଣୀ ମାନଙ୍କ ସହ ମୋର ପ୍ରତିଦିନ କଥାବାର୍ତ୍ତା। ସମସ୍ତେ ସମାଜ କିମ୍ୱା ପରିବାର ଲୋକଙ୍କ ଉତ୍ପୀଡ଼ନର ଶିକାର ହୋଇ ଏଠି ସେଠି ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଥାନ୍ତି।



ଶେଷରେ ନିଶ୍ଚିତ କରିନେଲି ଯେ ଆବାସ ଖୋଜି ବୁଲିବା ବଦଳରେ ଘରଟିଏ ବନେଇବା ଠିକହେବ। ତା'ପୂର୍ବରୁ ଡେଣା ମାନଙ୍କୁ ଶକ୍ତକଲି ଓ କାନ୍ଧ ମାନଙ୍କୁ ସବଳ। ଅକ୍ଲାନ୍ତ ପରିଶ୍ରମ କରି ମୋ ନିଜର ନିଡ଼ ନିଜେ ନୀଡ଼ ବନେଇବା ପ୍ରାୟସରେ ମୁଁ ମଗ୍ନ।



କିଞ୍ଚିତ ଆତ୍ମବିଶ୍ୱାସ, ଅଦମ୍ୟ ଇଛା ଶକ୍ତି ଓ ଅନେକ ପରିଶ୍ରମ ପରେ ଗଢିଉଠିଥିବା ମୋ ଘର, ଯେଉଁଠି ମୁଁ ଓ ମୋ ପରି ଆଉ କିଛି ଭଉଣୀମାନଙ୍କୁ ନେଇ ମୁଣ୍ଡ ଟେକିଛି ଆମ 'ଆଶ୍ରମ' - ଏକ ଠିକଣା ଯେଉଁଠିକୁ ଫେରିବା କଥା ମନରେ ଆଣୁଥିବ ଏକ ଖୁସିର ଅନୁଭୁତି , ଶାନ୍ତିର ଅନୁଭବ, ଏକ ଐଶ୍ୱରୀକ ଆଭାସ.... ମୋ ମତରେ ଘର ଏମିତି ଏକ ଠିକଣା ହେବା ଦରକାର ଏବଂ ଘରଲୋକେ ବୁଝାମଣାର ରଜ୍ଜୁ ରେ ବନ୍ଧା। ଭାବୁଥିଲି ସେମିତି ହେଲେ କାହାକୁ ଘରୁ ଗୋଡ଼ କାଢ଼ି ଅନ୍ୟ ଏକ ଘର ଖୋଜିବା ହୁଏତ ଦରକାର ପଡ଼ନ୍ତାନି। ପ୍ରତିଟି ଘର ପାଲଟି ଯାଆନ୍ତା ଗୋଟେ ଗୋଟେ ଆଶ୍ରମ।           


Rate this content
Log in

Similar oriya story from Abstract