STORYMIRROR

Gouranga Patel

Classics

3  

Gouranga Patel

Classics

ଆଶା

ଆଶା

4 mins
188


ଖରା, ବର୍ଷା, କାକର ଆଉ ବସନ୍ତ।

ଖାଲି ପାଦ, ତତଲା ବାଲି, ନଦୀ, ଡଙ୍ଗା, ମାଟି ଗୋଡି ମିଶା ସରୁ ରାସ୍ତା ଆଉ ହାତ ଭରା ଖାତା ବହି।ରମେଶ ତା ଆଖୁ କିଆରୀରୁ ଲମ୍ବା ଆଖୁଟିଏ ଭାଙ୍ଗିକି ଆଣିଛି। ନଦୀ ଖଣ୍ଡିରେ ଆଖୁ, ଆଳୁ ଓ ବୁଟ ଡାଲି ଚାଷ ହୁଏ ଫି ବର୍ଷ। ଗାଆଁ ରେ ସମସ୍ତେ ଅଳ୍ପ ବହୁତେ ଚାଷ କରନ୍ତି। ଏଇତ ଖରା ପଡିଛି। ଘାସ ଉପରେ ପଡିଥିବା ଶିଶିର ବିନ୍ଦୁ ଉଭାନ ହେଲେଣି। ହୁଳୁ ହୁଳିଆ ଶୀତୁଆ ପବନ ବହି ଚାଲିଛି। ଗୋଟିଏ ବଡ ପଥର ଉପରେ ବସି ରମେଶ ଆଖୁ ଭାଙ୍ଗିବା ଆରମ୍ଭ କରିଦେଇଛି। ଏକ୍ସମାସ ଛୁଟୀ, ଫୁରୁସତ ଅଛି, ନହେଲେ ଏତିକି ବେଳକୁ ସେ ସ୍କୁଲ ପହଞ୍ଚି ସାରିଥାଆନ୍ତାଣୀ।

ତା ନଜର ଆବଦ୍ଧ ଥାଏ ନଦୀ ଆର ପଟର ଦନ୍ତୁରିତ ଖସଡା ଚଢ଼ାଣୀ ରାସ୍ତା ଉପରେ। ସାଙ୍ଗ ସାଥୀଙ୍କ ସହ ସ୍କୁଲ ଯିବା କଥା ମନେ ପଡୁଛି ତା'ର। ନଦୀ ମଝିର ମୋଟା ବାଲି, ତାପରେ ସରୁ ବାଲି, ତା ପରକୁ ସରୁ ବାଲି ମିଶା ପଙ୍କୁଆ ମାଟି, ସେଠୁ ଧୀର ପାଦରେ ଉପରକୁ ଉଠିବାକୁ ପଡେ। ପାଦରେ ଲାଗିଥବା ବାଲିସବୁ ଛାଏଁ ଝଡି ଝଡି ଯାଏ। ଆରମ୍ଭ ହୁଏ ପାଦଚଲା ରାସ୍ତା। ଏଠି ସେଠି ସାନ କିସମର ବୁଦା ବୁଦା ବରକୋଳି, ଖଜୁରୀ ତଥା ନିରୀଗୁଣି, ଅମ୍ବରି, ପଳାସ, କଣ୍ଟା ମାଳତୀ, ଅପାମାରଗ, କଣ୍ଟା ଝନ୍ଟା ଆଦି ସବୁ ଦିନର ପରିଚିତ ପଥ।ସେଇ ଗ୍ରାମପଥ, ଋତୁଚକ୍ର ର ତାଳେ ତାଳେ ପରିବର୍ତ୍ତିନଶୀଳ କେବେ ଶୁଷ୍କ ଘାସରେ ବାରି ହେଉଥିବା ପାଦ ଚଲା ବାଟ ତ ବାକି ସମୟର ସବୁଜ ମିସ ମିସ ଧାନ ଗହଳ ଦେଇ ଅଙ୍କା ବଙ୍କା ପାଦଚଲା ସରୁ ରାସ୍ତା।ରାସ୍ତା ପ୍ରଶସ୍ତ ହେଇ ହେଇ ଯାଏ। ତଳ ସାହିର ପୁଞ୍ଜ ପୁଞ୍ଜ କିଛି ଘର ପାରି ହେଲାପରେ ଆସିଯାଏ ସ୍କୁଲ ପରିସର। ରମେଶ ର ମୁଖ ମଣ୍ଡଳରେ ମୁରୁକି ହସଟେ ଖେଳିଗଲା, ସେମାନେ ଦୂରରୁ ଆସୁଥିଲେ ବି ଗାଆଁ ପିଲାଙ୍କଠୁ ଆଗରେ ହାଜିର ହେଇଯାଉଥିଲେ। ଏକଥା ମନେ ପଡିଗଲା ତା'ର।

ବର୍ଷା ସମୟରେ କିନ୍ତୁ ଯାତାୟାତର ଏତେ ସୁବିଧା ନଥିଲା। ନାଉରୀଆ ଅଜା ଦିନେ ଦିନେ ବାଉଁଶ ବାହୁଙ୍ଗାକୁ ପିଲାଙ୍କ ହାତରେ ଥମାଇ ଦେଇ ଡଙ୍ଗାର ପଟ୍ଟାରେ ବସିପଡେ। ଆହୁଲା ମାରୁ ମାରୁ କେତେ କଥା ଶୁଣାଉଥିଲା। ଭଲ ମନ୍ଦ, ଖୁସି ମଜା, ଅନେକ କଥା କହୁଥିଲା। ନଦୀ ଆର ପଟରୁ ଲୋକେ ଡାକ ଦେଉଥିଲେ ଭାଲୁ ବବା, ସଅଳ ସଅଳ ଆସ। ବବା ହଁ ହଁ ଆସୁଛି କହୁ ଥିଲେ। ଏତିକିରେ ମଙ୍ଗ କୂଳକୁ ଲଗାଇ ଦେଉଥିଲେ ବହଙ୍ଗର ପିଲାଏ। ପୁଅ ପିଲା, ଝିଅ ପିଲା ସମସ୍ତେ ପାରନ୍ତି ଡଙ୍ଗା ବାହିବା। ସମୟ ଗଡି ଚାଲିଛି। ରମେଶ ତା ପୁଅ ଶ୍ରେୟଶ ର ଆଡ୍ମିସନ ସହରରେ ବଡ ସ୍କୁଲରେ କରିଛି। ନଦୀ ଉପରେ ନୂଆ ବ୍ରିଜ ତିଆରି ସରିଛି। ଗାଆଁ କୁ ସ୍କୁଲ ବସ ଆସେ। ଜୋତା, ଟାଇ, ସ୍କୁଲ ବ୍ୟାଗ, ଟିଫିନ ବକ୍ସ, ପାଣି ବୋତଲ ସାଙ୍ଗକୁ ପକେଟ ମନି। ରମେଶ ମନେ କହି ହେଲା, ଷ୍ଟାଣ୍ଡର୍ଡ ଟୁ ରେ ଶ୍ରେୟଶ ର ଆଡ୍ମିସନ ଲାଗି ଯେତେ ପଇସା ଲାଗିଥିଲା, ସେ ନିଜେ ବି. ଏ. ପଢିବା ଯାଏ ସେତିକି ଖର୍ଚ୍ଚ ହେଇନଥିବ!

କେତେ ଭାଗ୍ୟଶାଳୀ ଆଜି କାଲିର ଛୁଆ ମାନେ! ଯାହା ଦରକାର ବାପା ମାଙ୍କଠୁ ଆଗତୁରା ମିଳିଯାଉଛି ଛୁଆଙ୍କୁ। ତା ସମୟରେ ଗୋଟାଏ ଯୋଡି ପେଣ୍ଟସାର୍ଟ। କାହା କାହାତ କେବଳ ଗୋଟିଏ ପେଣ୍ଟ ଆଉ ଗୋଟିଏ ସାର୍ଟ। ଅଗଷ୍ଟ ପନ୍ଦର କି ଛବିଶ ଜାନୁଆରୀର ପୂର୍ବଦିନ ସ୍କୁଲରୁ ଆସୁ ଆସୁ, ସାର୍ଟ ପେଣ୍ଟ ପୋଖରୀରୁ ଧୋଇକି ଆଣୁଥିଲେ ମା। ନିଲି ଚଢ଼ାଇ ଶୁଖାଇ ଦେଉଥିଲେ। ସେୟା ହିଁ ସକାଳେ ପିନ୍ଧା ହେଉଥିଲା। ଥରେ ତ ଏମିତି ହେଲା, ପେଣ୍ଟର ବେଲ୍ଟ ଅଂଶ ଓଦା ରହିଯାଇଥିଲା। ତାକୁହିଁ ପିନ୍ଧି ପ୍ରଭାତଫେରି ପାଇଁ ଯାଇଥିଲା। ମାଟ୍ରିକ ପଢିବା ଯାଏଁ ଖାଲି ପାଦରେ ସ୍କୁଲ ଯାଉଥିଲେ। କଲେଜରେ ଯାଇ ସାରେ ଚପଲ କିଣାହେଲା। ସାଇକିଲ ରେ ଯିବା ଆସିବା କରୁଥିଲା ସେ। ଗୋଟା ପଟକୁ ଚଉଦ କିଲୋମିଟର ରାସ୍ତା।ଜୀବନ ସେତେ ସରଳ ନଥିଲା। ଖାସ ନ ହେଲେ ବି ଠିକ ଠାକ ପଢୁଥିଲା। ବି. ଏଡ. କଲା। ଏବେ ସିଏ ପାଖ ଗାଆଁ ହାଇସ୍କୁଲ ରେ ସାହିତ୍ୟ ମାଷ୍ଟର।

ପ୍ରକାରେ ତାର ଜୀବନ ଜଞ୍ଜାଳ ସୁରୁ ଖୁରୁରେ ଚାଲିଛି। ପୁଅ ଟେ ଝିଅଟେ, ପୁଅ ନବମ ଓ ଝିଅ ପଞ୍ଚମ ଶ୍ରେଣୀରେ ପଢ଼ନ୍ତି। ପୁଅ ପଢ଼ିବାରେ ମଧ୍ୟମ। ଆଜି କାଲିର କଂପିଟିସନ ଯୁଗରେ ପୁଅର ଭବିଷ୍ୟତ କଣ ହେବ, ଏହି ଚିନ୍ତା ଘାରିଥାଏ ରମେଶ ଓ ତା ସ୍ତ୍ରୀ ପ୍ରଣାଳୀ କୁ। ନିଦ ଆସେନା। ରମେଶ ର ମାନସ ପଟଳ ରେ ଅତୀତର ସ୍ମୃତି ଖିଅ ସବୁ ସଂଜୀବିତ ହେଇଯାଉଠିଲା। ରମେଶ ନିଜ ମନରେ ଯାହା ପଢ଼ିଛି, ପଢ଼ା ସାଙ୍ଗକୁ ହଳ ଲଙ୍ଗଳରେ ଜମି ଚାଷ କରିଛି। ବାପା କି ମା କେବେବି ତାଗିଦ କରୁନଥିଲେ ପାଠ ପଢ଼ାନେଇ। ହେଲେ ଆଜି କାଲି କଥା ଓଲଟା। ପିଲାଙ୍କ ପାଠ ପଢ଼ିବା ସହ ବାପା ମାଙ୍କର ବି କାମ ରହିଥାଏ ପ୍ରୋଜେକ୍ଟ ର ସରଞ୍ଜାମ ଯୋଗାଇବାରେ। ଖାଇବା ପିଇବା ପୁଣି ଅଲଗା। ବାଇଗଣ, ସାରୁ, ଲକୀ, ଶାଗ ବାଢ଼ିଲେ ମୁହଁ ମୋଡିଦେବେ। ଫାଷ୍ଟ ଫୁଡ ର ଜମାନା, ସେଥିପାଇଁତ ଏବେ ଗାଆଁରାସ୍ତା କଡରେ ବି ମେଗି, ଚୌମିନ ଠେଲାରେ ବେଶ ଭିଡ ଜମୁଛି। ପିଜ୍ଜା ବର୍ଗର ହୋମ ଡେଲିଭରି ହେଲାଣି।

ଅଚାନକ ଶୀତ ବଢ଼ି ଯାଇଛି। ସନ୍ଧ୍ୟା ସମୟରେ ବରଣ୍ଡାର ଚୁଲ୍ହା ଜଳାହେଉଛି ପ୍ରତିଦିନ। ଜେଜେ, ଜେଜେମା, ରମେଶ ହାତ ସେକୁଛନ୍ତି। ପ୍ରଣାଳୀ ଚା ନେଇକି ଆସିଲେ। ରମେଶ ପଚାରିଲେ ଛୁଆ ଦୁଇଟା କୁଆଡେ ? ଯାଅ ଦେଖିବ, କାନରେ ହେଡଫୋନ ଲଗାଇ ଦିହେଁ ବସିଛନ୍ତି, ପ୍ରଣାଳୀ ଜବାବ ଦେଲେ। ଓ ସେଥିପାଇଁ ଡାକିଲେ କେହି ଶୁଣୁନାହାନ୍ତି, ଜୋର ରେ ହସିଲେ ରମେଶ ବାବୁ। ଜେଜେ ଦିହେଁ ବି ହସି ହସି ବେଦମ ହୋଇଗଲେ।

ରମେଶ କହିଲେ, ଶ୍ରେୟଶ କଥା ତ କହି ହେବନି ହେଲେ ଝିଅ ଟା ଠିକ ପଢୁଛି। ହୁସିଆର ବି ଅଛି।

ବଡ ହେଲେ ଡାକ୍ତରୀ ପଢ଼ାଇବୁରେ ରମେଶ, ରମେଶ ର ମା କହିଲେ।ସାଙ୍ଗକୁ ଜେଜେ କହିଲେ, ଆମର ଜମି ବାଡି ଅଛି, ଯଦି ପାଠରେ ଭଲ ନକଲା ତାହେଲେ ଚାଷର ବାଟ ଦେଖାଇବୁ। ଟ୍ରାକ୍ଟର୍ ଟେ କିଣିଦେବା ସୁବିଧା ହେବ ଚାଷବାସ ଲାଗି।ଛୋଟ ଛୁଆ ବା ଏବେଠୁ ଏତେ କଥା ଭାବିଲଣି ! ବଡ ଜୁଆନ ଟେ ହେଉ, ତା ରାସ୍ତା ସେ ନିଜେ ଫିଟାଇବନି କି ? ହଁ ସମୟ ତ ଅଛି ମା, ହେଲେ ଆଗକୁ କଣ ହେବ କିଏ କହି ପାରିବ ?

ଏକା ଝିଅ ସୁଶ୍ରୀତା ଯାହା କରିବ ଆଗକୁ।



Rate this content
Log in

Similar oriya story from Classics