STORYMIRROR

Gouranga Patel

Romance Others

4  

Gouranga Patel

Romance Others

ଜୀବନ ସାଥି

ଜୀବନ ସାଥି

2 mins
313


ମନ ହେଉନି କିଛି କରିବାକୁ ତଥାପି କେତକୀ ନିର୍ବାକ ହୋଇ ଯନ୍ତ୍ରବତ କାମ କରି ଚାଲିଛି।


ଆଜି ସାବିତ୍ରୀ ଅମାବାସ୍ୟା। ଯେମିତି ହେଉ ସେ ପୂଜା କରିବ।


କୋଭିଡ ୱାର୍ଡ ରେ ତାପସ ଚିକିତ୍ସାଧୀନ। ଭେଣ୍ଟିଲେଟର ରେ ଅଛନ୍ତି। ଗତକାଳି କେତକୀ ହସ୍ପିଟାଲ କୁ ଯାଇଥିଲା। ଲନରେ ଥିବା କୃଷ୍ଣଚୁଡା ଗଛତଳେ ବସି ବସି ଏମିତି ଦେଢ଼ ଘଣ୍ଟା ବିତିଯାଇ ଥିଲା। କିଛି ନହେଲେବି ଟିକିଏ ଦୂରରୁ ସେ ଦେଖି ପାରନ୍ତାକି ତାପସ କୁ, ସେଇ ଆଶାରେ। କେମିତି ବା ସମ୍ଭବ ହେବ ? ତା ଆଶା ବିନ୍ଦୁସବୁ ଝରାଫୁଲ ସମ ବୃନ୍ତଚ୍ୟୁତହୋଇ ଝରିପଡୁଥିବା କୃଷ୍ଣଚୁଡା ଫୁଲପରି ଅକାମି ଜଣା ପଡୁଥିଲା। ଯୋଗକୁ କୌଣସିମତେ, ଶିଫ୍ଟ ଚେଞ୍ଜ ସମୟରେ ଅର୍ପିତା ନାମ୍ନୀ ନର୍ସ ସହ କଥାହୋଇ ଏତିକି ମିନତୀ କରିଥିଲା, ଅର୍ପିତା ତା ମୋବାଇଲ୍ ଫୋନରେ ତାପସଙ୍କ ଫଟୋ ଟିକିଏ ଦେଖାଇଦେଵ।


ଫେରିବା ବାଟରେ କେତକୀ କିଛି ଫଳମୂଳ ସହ ପୂଜା ସାମଗ୍ରୀ କିଣିକି ଆଣିଥିଲା।


ଝିଅ ପାଇଁ ଜଳଖିଆ ତିଆରି କଲା। ଗାଧେଇସାରି ସଜବାଜ ହେଲା ପୂଜା ପାଇଁ। 'ସାବିତ୍ରୀ ବ୍ରତ' ବହି ପଢି ପୂଜା ସମାପନ କଲା। ତାପସ ଓ ତାର ଯୁଗ୍ମ ଫଟୋରେ ସ୍ବାମୀଙ୍କ ମୁଖ ମଣ୍ଡଳକୁ ଦେଖି, ଭଗବାନଙ୍କୁ ସାକ୍ଷୀରଖି, ତାପସଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରି ପ୍ରଣିପାତ ହେଲା।


ଦିପହର ସାରା ଶୋଇ ଶୋଇ ଭାବୁଥାଏ, ତାପସ ଥାଇ ନଥିବାର ଦୁଃଖଦ ଅନୁଭୂତିକୁ। ଗଲାବର୍ଷ କେତେ ଆନନ୍ଦର ସହ ସେ ପୂଜା ସମାପନ କରିଥିଲା। ଦିନଟା ସାରା ତାପସ ପ୍ରତ୍ୟେକ କାମରେ ସହଯୋଗ କରିଚାଲିଥିଲେ। ବ୍ରତରେ ଉପବାସ ଥାଏ ତଥାପି ଚା ଟିକିଏ ପିଇଦେ କହି କେତେ ଭୁଲାଉ ଥିଲେ। ଫିକ କିନା ହସି ପକାଇଲା କେତକୀ। ଯା'ହେଉ ନିରସ ମନରେ ସରସ ଭାବର ଉଦ୍ରେକ ହେଲା।


ଠିକ ଏତିକିବେଳେ ଗାଆଁରୁ ଫୋନ ଆସିଲା। ତାପସଙ୍କ ଭଉଣୀ ତପସ୍ୟା ର ଫୋନ ଆସିଲା। ଭାଇଙ୍କ ହାଲ ଚାଲ କଥା ପଚାରିଲେ। ତାପରେ ପୂଜା କେମିତି କଲ ପଚାରିଲେ ତପସ୍ୟା। ସହରରେ କାମଚଳା ଢ଼ଙ୍ଗର ପୂଜା କଥା ବଖାଣିଲା କେତକୀ। ସେପଟୁ ନଣନ୍ଦ କହିଚାଲିଲେ, ଭାଉଜ ଏ ବର୍ଷ ସବୁ ଫଳ ମୂଳ ସୁବିଧାରେ ମିଳିଗଲା। ଅବଶ୍ୟ ସମସ୍ତେ ନିଜ ନିଜ ଘରେ ପୂଜାକଲେ କରୋନା ଯୋଗୁ ବାରଣ ଲାଗି।


ସନ୍ଧ୍ୟା ହେଲା, କେତକୀ ସନ୍ଧ୍ୟାବତୀ ଦେଇ ମୁଣ୍ଡିଆ ମାରିଲା। ଭଗବାନଙ୍କୁ ଗୁହାରୀ କଲା ତାପସଙ୍କ ମଙ୍ଗଳ ସକାଶେ। ହାତଯୋଡ଼ି ବସି ରହିଥାଏ। ଝିଅର ଫୋନ ବାଜିବା ଶବ୍ଦରେ ପ୍ରକୁସ୍ଥିତ ହେଲା। ଯାଇ ଦେଖିଲା ଝିଅ ସଲୋନୀ କଲ ଆଟେଣ୍ଡ ନକରି କାଟି ଦେଇଛି। କେତକୀ ଦେଖି ପାରିଲା ଝିଅର ଆଖିରୁ ଧାର ଧାର ହୋଇ ଅଶ୍ରୁ ନିଗିଡି ପଡୁଛି। ବୁଝିଗଲା କେତକୀ, ଝିଅକୁ କୁଣ୍ଡାଇ ପକାଇଲା ଜୋର ରେ, ଦିହେଁ କାନ୍ଦି ଉଠିଲେ।

 

ସହରି ଜୀବନ। ଚାକିରୀ ଯୋଗୁଁ ନିଜ ଗାଆଁ ଘର ଛାଡ଼ି ଏଠି ଭଡା ଘରର ଜିନ୍ଦେଗି ସିନା ! ତିନି ପ୍ରାଣୀର କୁଟୁମ୍ବ। ଏକକୁ ଆରେକ ଘନିଷ୍ଠତା ସ୍ୱାଭାବିକ। ଏମିତିବି ବାପାମାନଙ୍କ ପାଇଁ ଝିଅ ଗୁଡା ନିହାତି ଗେଲ୍ହା। ସଲୋନୀ ତା ବାପାକୁ ମିସ କରୁଛି। କହିପାରୁନି ସିନା, ସହି ବି ପାରୁନି।


ପୁଣି କଲ ଆସିଲା। ଏଥର କେତକୀ ର ଫୋନ ବାଜୁଛି। କେତକୀ ଧାଇଁକି ଗଲା ଡ୍ରଇଂ ରୁମ କୁ। ଭିଡିଓ କଲ ଆସିଛି ନର୍ସ ଅର୍ପିତାଠୁ। ତାପସ ବାବୁ ଙ୍କୁ ସେ ଠିକ ଭାବେ ଦେଖି ପାରୁଥିଲା କେତକୀ। ଝିଅର ରୁମକୁ ଯାଇ ଇସାରା ଦେଲେ କେତକୀ, ସଲୋନୀ ତା ବାପାଙ୍କୁ ଚାହିଁ ରହିଥାଏ। ଅକ୍ସୀଜେନ ମାସ୍କ ଲାଗିଛି। ଠିକ ଠାକ ଜଣା ପଡୁଛନ୍ତି।


ନର୍ସ ଅର୍ପିତା ଆଶ୍ୱାସନା ଦେଇ କହିଲେ, ମେଡମ ଇମପୃଭମେଣ୍ଟ ଅଛି। 


କେତକୀ ଅର୍ପିତାକୁ ତାର ଯଥାସମୟ ସହଯୋଗ ପାଇଁ ଅଜସ୍ର ଧନ୍ୟବାଦ ଦେଇ କହିଲେ "ଥ୍ୟାନ୍କସ୍ ଏ ଲଟ ସିଷ୍ଟର, ଥ୍ୟାନ୍କସ୍ ଏ ଲଟ"।


କହୁ କହୁ କେତକୀ ପୂଜା ସ୍ଥାନକୁ ଆସି ସାରିଥିଲେ। ଢଳ ଢଳ ଆଖିରେ ତାର ନଜର ଲାଖିରହିଥିଲା ଜଗନ୍ନାଥଙ୍କ ଚକା ଚକା ଆଖିକୁ ଏବଂ ଘିଅ ଦୀପର ସ୍ଥିର ପ୍ରଜ୍ବଳନକୁ।



Rate this content
Log in

Similar oriya story from Romance