Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Gouranga Patel

Others

4.4  

Gouranga Patel

Others

ଚାଷ କାମ ଯାହାର

ଚାଷ କାମ ଯାହାର

7 mins
84


ନଟବର କିଷାନ ର ପୁଅ ଧୀରଜ ଦୂର ସହର ରାୟପୁର ରେ ମିସ୍ତ୍ରୀ କାମ କରେ। ଧୀରଜ ର ଗାଆଁ ଓ ତା ଆଖପାଖର ଗାଆଁ ରୁ ମିସ୍ତ୍ରୀ, ଇଲେକ୍ଟ୍ରିସିଆନ୍, ପ୍ଲମ୍ବର, କୁଲି ଏମିତି ମିସିକି ପ୍ରାୟ କୋଡିଏ ଜଣଙ୍କୁ ଠୁଳ କରି ଠିକାଦାର ଆଣିଥିଲା ଏଠି ନୂଆ ରାୟପୁର କୁ। କାମରୁ ଫୁରସତ ନାହିଁ। ଦିନରେ କାମ କରିବା ସଙ୍ଗେ ରାତ୍ରିରେ ବି କାମ କରିବାକୁ ପଡେ। ନଗଦ ପେମେଣ୍ଟ। ଭଲା, ରୋଜଗାର ପାଇଁ ଏତେ ଦୂରକୁ ଆସିଛନ୍ତି, ଓଭର ଟାଇମ ରୁ ଭଲ ରକମ ମିଲିଯାଏ, କିଏ ଛାଡ଼ୁଛି ! ଅଣ୍ଡର୍ କନଷ୍ଟ୍ରକସନ ବିଲ୍ଡିଙ୍ଗ ତଳେ ରହିବାର ବ୍ୟବସ୍ଥା। ରନ୍ଧାବଢା ପାଇଁ ଗାଆଁ ରୁ ପିଲାଟିଏ ସାଙ୍ଗରେ ନେଇକି ଆସିଛନ୍ତି। ବାକି କିଛି ଅସୁବିଧା ହେଲେ ଠିକାଦାର ବୁଝନ୍ତି। ଟାଣୁଆ କଥା କହନ୍ତି ହେଲେ ହେଲପିଙ୍ଗ ନେଚର୍ ଲୋକ। 

ସବୁ ଠିକଠାକ ଚାଳିଥିଲା। ଲକ ଡାଉନ ଯୋଗୁଁ କାମ ବନ୍ଦ ହେବାରୁ ଠିକାଦାର ମନାକରିବା ସତ୍ୱେ, କାମ ଆରମ୍ଭ ହେଲେ ପୁଣି ଆସିବୁ ବିଶ୍ୱାସ ଦେଇ, ଦୁଇଟି ବୋଲେରୋ ଭଡାକରି ରତାରାତି ଗାଆଁ ଅଭିମୁଖେ ବାହାରିଲେ। ଗାଆଁ ତ ପହଞ୍ଚିଗଲେ ହେଲେ ଘରକୁ ନୁହଁ, ନାମ ପଞ୍ଜିକରଣ ପରେ ସ୍କୁଲଠାରେ କ୍ବାରେଣ୍ଟାଇନ ରେ ରହିଲେ। ଏଇତ ଧୀରଜ ର ଛୋଟ ସମୟର ୟୁ.ପି. ସ୍କୁଲ। ବହି ବସ୍ତାନୀ ତଥା ପ୍ଲାଷ୍ଟିକ ବ୍ୟାଗରେ ସପ ମସିଣାକୁ ଛନ୍ଦି ପୁଅ ଝିଅ ଉଭୟେ କାନ୍ଧରେ ବ୍ୟାଗ ପକାଇ ସ୍କୁଲ ଆସୁଥିଲେ। ଘଣ୍ଟି ବାଜିଲେ ପ୍ରାର୍ଥନା ଆରମ୍ଭ ତାପରେ ପାଠ ପଢା। ସିମେଣ୍ଟ ଭୁଇଁରେ ସପ ପକାଇ ଝିଅ ପିଲାମାନେ କ୍ଲାସ ରୁମର ବାମ କଡରେ ଏବଂ ପୁଅ ପିଲାମାନେ ଡାହାଣ ପଟେ ଧାଡି କୁ ଧାଡି ଅଳ୍ପ ଅଳ୍ପ ବ୍ୟବଧାନ ରେ ବସୁଥିଲେ। ଟାଇମ ଟେବୁଲ ଅନୁସାରେ ଭିନ୍ନ ଭିନ୍ନ ବିଷୟ ପଢା ହେଉଥିଲା ଏବଂ 'ଖେଳ' ପିରିୟଡ଼ ସବା ଶେଷକୁ। ଖେଳ ପ୍ରତିଯୋଗିତାର ଅଭ୍ୟାସ ବେଳେ 'କୁକୁଡ଼ା ଲଢେଇ' ଖେଳରେ ନିଜ କହୁଣି କୁ ସାମ୍ନା ସାମ୍ନି ହେଉଥିବା ଆରଜଣକର କହୁଣି ସହ ମାଡ ଦେଉ ଦେଉ ରାଗିଯିବା ଏବଂ ଯେମିତି ହେଉ 'ଅଖା ଦୌଡ଼' ରେ ସେ ଫାଷ୍ଟ କିମ୍ବା ସେକେଣ୍ଡ ହେବା ନିଶ୍ଚିତ। ପିଲା ଦିନର ସେସବୁ କଥା ମନେ ପଡିଗଲା। ଏହି ଚତୁର୍ଥ ଶ୍ରେଣୀ କୋଠରୀରେ ଥରେ ପଣକିଆ ଭୁଲ ହୋଇଥିବାରୁ ଗଣିତ ଆଜ୍ଞା ପଚିଶ ଥର ଉଠ ବସ ହେବାପାଇଁ ଦଣ୍ଡ ଦେଇଥିଲେ ତାହା ସେ ଜମା ଭୁଲି ପାରିନି। ଏବେ ସିନା ମିଡ-ଡେ-ମିଲ ର ବ୍ୟବସ୍ଥା ଅଛି, ତାଙ୍କ ସମୟରେ ରିସେସ ବେଳକୁ ଗହମ ଖାଦ୍ୟ ମିଳୁଥିଲା। ଗଣେଶ ପୂଜା, ସରସ୍ବତୀ ପୂଜା କେବେ ହେବ ବୋଲି ମା'କୁ କେତେଥର ପଚାରୁଥାଏ। ସିଏ ଜାଣେ, ତାଙ୍କୁ ପୂଜାକଲେ ଭଲ ପାଠ ଦିଅନ୍ତି। ପ୍ରସାଦ ସେବନ ସମୟରେ ଥାଳିକୁ ହଲେଇ ହଲେଇ ଉତ୍କଣ୍ଠାରସହ ଅପେକ୍ଷା କରିବାରେ ସେ ସମୟର ମଜା ଆଉ କିଛି ଥିଲା। ସେସବୁ ଅଭୁଲା ସ୍ମୃତି। ଜାନୁଆରୀ ୨୬, ଅଗଷ୍ଟ ୧୫ ଦିନ ପ୍ରଭାତ ଫେରି ପରେ ପତାକା ଉତ୍ତୋଳନ ଦେଖିବା, ଆଜ୍ଞାମାନଙ୍କର ଦରମା ପାଇବା ଦିନ ସ୍କୁଲ ଛୁଟି ହେବା, ସବୁ କଥା ମନେ ପଡୁଛି। ସେତେବେଳର ଖପର ଘର ଆଉ ନାହିଁ, ସମସ୍ତ ରୁମରେ ସିମେଣ୍ଟ ଛାତ ପଡିଛି। 

ସ୍ୱାସ୍ଥ୍ୟ ପରୀକ୍ଷା ରିପୋର୍ଟ ନେଗେଟିଭି ଆସିଛି ଧୀରଜ ର। କ୍ବାରେଣ୍ଟାଇନ ସେଣ୍ଟରରୁ ରିଲିଜ ହୋଇ ଖୁସି ଖୁସିରେ ତା ଘରକୁ ପହଞ୍ଚିଲା। ବାପା, ମା'ଙ୍କ ସହ ଭାଇ ଓ ଭଉଣୀ ତାକୁ ଘେରିଗଲେ। ବାପା ସାଙ୍ଗେ ସାଙ୍ଗ କହିଲେ "ନାଇଁରେ ବାପା, ଆଉ ଯିବାର ନାହିଁ ଦୂର ରାଇଯକୁ। ଯାହା ହେଉ ପଛକେ ନିଜ ଗାଆଁ ମାଟି ହିଁ ନିଜର ସ୍ୱାଭିମାନ, ଗର୍ବ, ସବୁକିଛି"। ସମସ୍ତଙ୍କ ନଜର ଧୀରଜ ଉପରେ। ସତେ ଯେମିତି ସେ କିଛି ଜବାବ ଦେବ ସେଇ ଆଶାରେ ଚାହିଁ ରହିଛନ୍ତି ! କ୍ବାରେଣ୍ଟାଇନରେ ଚଉଦ ଦିନ ତାକୁ ଚଉଦ ମାସ ବିତାଇବା ଯେମିତି ଅନୁଭୂତି ହୋଇଛି। ମା'ଙ୍କ ଆଖିରୁ ଅଶ୍ରୁ ବାହାରି ଆସିଲା। ଧୀରଜ ର ମୁହଁରୁ କିଛି କଥା ବାହାରିଲା ନାହିଁ। ଚାଲ ଉଠ, ହାତ ମୁହଁ ଧୋଇ କିଛି ଟିକିଏ ଖାଇଦେବୁ କହିଲେ ମା। ଭଲ ମନ୍ଦ ହବାପାଇଁ ସମୟ ପଡିଛି। ପୁଅଟା ଘରକୁ ପହଞ୍ଚିଛି କି ନାଇଁ ମନର କୋହ କହି ଶୁଣେଇଦେଲେ। ଖାଇ ସାରିବା ଉତ୍ତାରୁ ଖଟରେ ଟିକିଏ ଗଡ଼ିଲା ଧୀରଜ ହେଲେ ମଟ ମଟ ଅନେଇ ଥାଏ ଚାଲ ଛପରକୁ ଏବଂ ବିସ୍ଲେସଣ କରି ଚାଲିଥାଏ ଯାହାସବୁ ବାପା କହିଗଲେ। ତାକୁ ଲାଗିଲା ଯେମିତି, ବାପାଙ୍କ ଦି ପଦ କଥା ଭିତରେ ଅନେକ ମହତ୍ଵ ଲୁଚି ରହିଛି। ସତରେ, ଗାଆଁ ଘର ଛାଡ଼ି ସେ ବାହାରକୁ ଗଲା, ମେସିନ ପରି ଖଟିଲା, ଶେଷକୁ ଫେରିବାକୁହିଁ ପଡିଲା। ସେ ଯଦି ଯାଇନଥା'ନ୍ତା କଣ ହୋଇଥା'ନ୍ତା ? ଭଲ ରୋଜଗାର ହେଲେ ମଧ୍ୟ ମନ ସବୁବେଳେ ବାପା, ମା, ଭାଇ, ଭଉଣୀଙ୍କୁ କେନ୍ଦ୍ରକରି ଘାଣ୍ଟି ହେଉଥିଲା। ପରଘରେ ମୂଳ ଲାଗନ୍ତି ତା ବାପା, ମା। ଭାଇ ଭଉଣୀ ଦିହିଙ୍କର ପାଠପଢ଼ା ସମ୍ଭବ ହୋଇ ପାରିନଥା'ନ୍ତା ସେ ଯଦି ଘରୁ ଗୋଡ କାଢିନଥା'ନ୍ତା। ଭଉଣୀ ମିନତୀ (ମିନି) ଅଷ୍ଟମ ଶ୍ରେଣୀରେ ପଢେ, ଅବଶ୍ୟ ତାପାଇଁ ଚିନ୍ତା ନାହିଁ କିନ୍ତୁ ଅଜୟ (ଅଜୁ) କେମିତି ୨ ପାଠ ଶେଷ କରିଥା'ନ୍ତା ! 

ଏମିତିତ ଲକ ଡାଉନ ଚାଲିଛି, ବାହାରକୁ ବାହାରିଲେ ମଧ୍ୟ କୌଣସି ସାଙ୍ଗସାଥି ସହିତ ଦେଖା ହୋଇପାରିବନାହିଁ। ସନ୍ଧ୍ୟା ହେଉଣୁ ଘର ଅଗଣାରେ ପାଞ୍ଚଟା ଖଟ ପଡିଲା। କେଉଁ ଖଟରେ କିଏ ଶୋଇବ ସେଥିରେ ବିବାଦ ଚାଲିଛି ଭାଇ ଭଉଣୀ ଦ୍ୱୟର। ଉଭୟକୁ ଦେଖି ହସିଦେଲା ଧୀରଜ। ମିନି ଦୌଡ଼ିଆସି କହିଲା, ଦାଦା କହୁନ ଭାଇକୁ ମୋ ଖଟଟା ଛାଡ଼ିଦେବାପାଇଁ। ଏ ଭିତରେ ଅଜୁ କୁଆଡେ ଗାୟବ। ରାତ୍ରିରେ ଖାଇସାରିବାପରେ ଧୀରଜ ଦେଖିଲା ମଝିମଝିକିଆ ଦୁଇଟି ଖଟ ଆବୋରିଛନ୍ତି ଅଜୁ ଏବଂ ମିନି। ପ୍ରଥମେ ବାପାଙ୍କ ଖଟ, ତାପରେ ମା, ସେଠୁ ଦି'ଟା ଖଟ ପରେ ପାଞ୍ଚନମ୍ବରରେ ଧୀରଜର ଖଟ। ଧୀରଜର ଖଟକୁ ଲାଗି କିଏ ଶୋଇବ, ସେଥିପାଇଁ ଟଣାଓଟରା ଚାଲିଥିଲା। ଭାଇ ଭଉଣୀଙ୍କ ଲଜିକ ହେଲା, ବଡଭାଇଙ୍କ ପାଖରେ ଯାହାର ଖଟ ପଡିବ ସିଏ ତାଙ୍କର ବେଶିପ୍ରିୟବୋଲି ସାବିତ ହେବ। ଆଉ ସେଇ ଅନୁସାରେ ଧୀରଜଠୁ ବକ୍ସିସ ପାଇବେ। ଜାଣିବାହେଉ, ଧୀରଜର ପାଖଖଟ ମିନି ଆବୋରିଛି।

ମା ରନ୍ଧା ଘରର ବାକି କାମ ସାରି ଖଟକୁ ଆସିଲେ। କେହି କଥା ହେଉନଥିବା ଦେଖି ତାଙ୍କୁ ଅଡୁଆ ଲାଗିଲା। ଧୀରଜ କୁ ପଚାରିଲେ, ତୁ'ତ ଚୁପହୋଇ ରହିବା ପିଲା ନୁହଁ, କଣ ଚିନ୍ତା ଧରିଛିଯେ ? କହ ମା, ମୁ କ'ଣ କଲେ ଠିକହେବ, ଧୀରଜ ପଚାରିଲା। ଯାହା ତୋ ବାପା ଓ ତୁ ଠିକ ଭାବିବ ହେଲେ ମୋ ମନରେ ପ୍ରଶ୍ନ ଉଠୁଛି ଗାଆଁରେ ଚାଷବାସ କରି ରହିଲେ ହୁଅନ୍ତାନିକି ? କଣ ଦି ଏକର ଚାଷଜମିରୁ ଘରର ହାନିଲାଭ, ଅଜୁ ଓ ମିନିର ପାଠପଢା ଖର୍ଚ୍ଚ ତୋଳାଇହେବ, ଧୀରଜ ପ୍ରଶ୍ନକଲା ମା'କୁ ?

ବାପା ସମାଧାନର ବାଟ ବତାଇଲେ। ଆଉ ଚାରି ପାଞ୍ଚ ଏକର ଜମି ଭାଗଚାଷ କରିବେ। ଆମ ଗାଆଁ ନାଏକ ବାବୁଙ୍କ ଦଶ ଏକର ଜମି ଏମିତି ପଡିଛି, ତିନିବର୍ଷ ହେଲା ଚାଷ ହେଉନି। ମାଷ୍ଟର ବୁଢା ଆଉ ପାରୁ ନାହାନ୍ତି, ହାତ ଟେକିଦେଲେଣି। ପୁଅମାନେ ରହିଲେ ସହରରେ, ଚାଷ କରିବ କିଏ। ଆଗପରି ଆଉ ଲୋକ ମିଳୁ ନାହାନ୍ତି ଆଜିକାଲି ଚାଷପାଇଁ। ଆଜିକାଲିର ପିଲାମାନଙ୍କର ଚାଷରେ ରୁଚି ନାହିଁ, ବରଂ ଘରେ ବସି ରହିବେ। ଚାକେରି କରିବେ ହେଲେ, ଚାକେରି ମିଳୁଛି କୁଆଡୁ ! ଏହି କାରଣରୁ ଭେଣ୍ଡା ଟୋକାମାନେ ସହର ଅଭିମୁଖେ ପଳାୟନ କରୁଛନ୍ତି, ଦାଦନ ଖଟୁଛନ୍ତି, ସେଥିରେ ତାଙ୍କୁ ଖୁସି ଲାଗେ କି ? ବାହାରେ ଏତେ କଷ୍ଟସହି ମାସ ବର୍ଷ ବିତିଯାଏ। ମାସକୁମାସ ଯାହାକିଛି ଟଙ୍କା ପୁଅ ପଠାଇବ ସେଥିରେ ଆମପରି ପରିବାରର ଗୁଜୁରାଣ ମେଣ୍ଟେ। ନିଜ ଗାଆଁରେ ଖଟିବାରେ ଭାରି ଲାଜ, ମାନ ମର୍ଯ୍ୟାଦା ର ହାନି ଘଟେ। ଧୀରଜର କାନରେ ବାପାଙ୍କର କଥାସବୁ ଟାଇଁ ଟାଇଁ ବାଜିଲା ଭଳିଆ ଲାଗୁଥାଏ। ସତକଥାବି, ଏହାହିଁତ ଘଟୁଛି। ପ୍ରତି ଗାଆଁର ଦୃଶ୍ୟ ଏକା ପ୍ରକାରର।

କିଛି ସମୟ ଚୁପ ରହିବା ପରେ ବାପାଙ୍କୁ ପଚାରିଲା ଧୀରଜ, ହେଲେ ବାପା କଣ କଲେ ଭଲ ହେବ ଉପାୟ କିଛି ଅଛି ? ସେଠୁ କହିଲା, ଚାଷ ପାଇଁବିତ ପଇସା ଲାଗିବ, ହଳ ବଳଦ ଦରକାର। ମାନିଲି, ଆମେ ସବୁମିସି ବିଲରେ କାମକରିବା। ମୁ ଆଉ ରାୟପୁର ଜିବିନି, ନିଜ ଗାଆଁରେ ରହି ଚାଷକାମରେ ତୁମକୁ ସାହାଯ୍ୟ କରିବି। ରାତି ଗଡିଯାଉଛି, ପୁଅ ଶୋଇପଡ ଆଭାସ ଦେଇ ବାପା ହାଇ ମାରିଲେ। କେତେବେଳେ ନିଦ ଆସିଲା ଧୀରଜ କୁ ଜଣା ନାହିଁ କିନ୍ତୁ ସକାଳେ ଉଠିବା ବେଳକୁ ବାପା ଘରେ ନଥିଲେ। ସେ ମା କୁ ପଚାରିଲା, ବାପା କୁଆଡେ ? ଖୋଜୁଛୁ କିଆଁ, କୁଆଡେ ଯାଇଥିବେ, ଆସିବେନି ଭଲା କହିଲେ ମା। ଟିକିଏ ଡେରି ପରେ ବାପା ଆସିଲେ। ପ୍ରସନ୍ନ ଚିତ୍ତର ଆଭା ଉଙ୍କି ମାରୁଥିଲା। ମା କହିଲେ ପୁଅଟା ପଚାରୁଥିଲା, ଏ ତାଲାବନ୍ଦ ଘଡିକୁ ଏତେ ସମୟ କୁଆଡେ ଥିଲ ? କହିବି କହିବି, ପ୍ରଥମେ ମୋ ପୁଅର କଥା ବୁଝେ, ଜବାବ ଦେଲେ ବାପା।

ଚାହା ପିଉ ପିଉ ଧୀରଜ କହିଲା, ବାପା ବଳଦ ହଳକ ପାଇଁ ମୋଠି ଟଙ୍କା ଅଛି। ବାକି ଅଳ୍ପକ ରଖିବା ଅଜୁ ଓ ମିନି ର ପଢାଖର୍ଚ୍ଚ ପାଇଁ। ପୁଅର ଯୁକ୍ତିଯୁକ୍ତ ମନ୍ତବ୍ୟ ଶୁଣି ବାପା, ମା ଉଭୟଙ୍କ ମନ କୁଣ୍ଡେମୋଟ ହୋଇଗଲା। ଖୁସିର ଦୁଇ ଧାର ଲୁହ ମା ଆଖିରୁ ଆପେ ଆପେ ନିଗିଡି ପଡିଲା। ତାହେଲେ, କାମ ହୋଇଯିବ କହିଲେ ବାପା। କଥା କଣ କି ବାପା, ବାହାରକୁ ଯାଇଥିଲ କିଛି ଭଲ ଖବର ଅଛିକି ? ହଁ, ମୁ ଯାଇଥିଲି ନାଏକ ବାବୁଙ୍କ ଘର ଏବଂ ନେହୁରାହୋଇ ମୋ ମନକଥା ଖୋଲିକି କହିଲି। ଭାଗଚାଷ ପ୍ରସ୍ତାବରେ ସେ ରାଜି ଅଛନ୍ତି। ଖାଲି କହିଲେ, ତାଙ୍କ ଦି ପୁଅଙ୍କୁ ପଚରା ଅଚରା କରି ଟିକିଏ ପରେ ଫୋନ କରିବି କହିଛନ୍ତି। ମୁ ତୋ ମୋବାଇଲ ନମ୍ବର ଦେଇକି ଆସିଛି। ଦେଖାଯାଉ। 

ମା'ଙ୍କ ମନ ଖୁଶ ଦେଖାପଡୁଛି କାରଣ ତା ପୁଅ ଏବେ ପାଖରେ ରହିବ। ଦୁଃଖରେ ହେଉ କି ସୁଖରେ। ପୁଣି ବିବାହ ବୟସ ପାଖେଇ ଆସୁଛି, କିଛି ବାହା ପ୍ରସ୍ତାଵ ବି ହାତରେଅଛି। ମହାପ୍ରଭୁଙ୍କ ଦୟା, ଧୀରେ ଧୀରେ ସବୁ ଠିକହେବ। ପୂର୍ବପରି ଗାଆଁ କର୍ମମୁଖର ହୋଇ ଉଠିବ।  

ମିନି ଭାରି ଲାଡ଼ଲି। ବଡଭାଇ ଧୀରଜ ସହ ଆଦର ସହକାରେ ମିନି କିଛି କଥା ହେବାର ଲକ୍ଷ୍ୟ କଲା ଅଜୁ। କାନ୍ଥ ସେପଟୁ କାନଡେରି ଶୁଣିବା ଠିକ ହେବ ଭାବିନେଲା ଅଜୁ। ଠିକ ଏତିକି ବେଳେ ରିଙ୍ଗ ଆସିଲା ଧିରଜର ମୋବାଇଲରେ। ହେଲୋ କଲା, ପରିଚୟରୁ ଜାଣିପାରିଲା ସେଇ ଏକା ନାଏକ ବାବୁ। ଧୀରଜ ଜୁହାର ହେଲା। ନାଏକ ବାବୁ କହିଲେ 'ପୁଅ, ଭଲରେ ଥା'। ବାପାଙ୍କ କଥା ପଚାରିବାରୁ ଧୀରଜ ଫୋନ ବାପାଙ୍କୁ ଦେଲା। କଥା ଭାଷାରୁ ସଭିଏଁ ବୁଝିଗଲେ, ନାଏକ ବାବୁ ଘର ଏକମତ। ନଟବର କିଷାନ ପରିବାର ଏବେ ସମ୍ପୂର୍ଣରୂପେ ମନପ୍ରାଣ ଢାଳି ଭବିଷ୍ୟତ କୁ ଆଖି ଆଗରେ ରଖି ବିଲବାଡ଼ିକାମ ଆତ୍ମବିଶ୍ୱାସର ସହ ଆପଣେଇବାକୁ ପଡିବ।

ନାଏକ ବାବୁଙ୍କୁ ଅଶେଷ ଧନ୍ୟବାଦ କହି ବାପା ଫୋନ ରଖିଲେ। ଦିପହର ଖିଆ ସାରିବାପରେ ବାପା ମାଙ୍କ ସାଙ୍ଗେ ଧୀରଜର କଥାବାର୍ତା ଚାଲିଲା, ଚାଷକାମପାଇଁ କେମିତି ଗୋଟାଏ ପରେ ଅନ୍ୟ କାମ ହାତକୁ ନେବାକୁ ପଡିବ। ଗାଆଁର ଚାଷବାସ କାମରେ ବାପା ମା'ତ ଅନେକ ବର୍ଷରୁ ମୂଳ ଲାଗି ଆସୁଛନ୍ତି ହେଲେ ଏବେ ନିଜେ ମାଲିକ ହିସାବରେ କର୍ମକଷଣ କରିବାକୁ ପଡିବ। ନିଜେ କାମକରିବା ସହ ଦରକାର ଅନୁସାରେ ଦିନ ମଜୁରୀ ଡକାଇ କାମ କରିବେ। ପରିବର୍ତ୍ତନ ଅବଶ୍ୟମ୍ଭାବି।

ସମୟ ଶିଖାଇ ଦିଏ ଜୀବନଜାପନର ରୀତି। ଲମ୍ବା ଅବଧିର ତାଲାବନ୍ଦ ଦୂର ଦୁରାନ୍ତକୁ ପେଟ ପାଟଣା ସକାଶେ ଯାଇଥିବା ହଜାର ହଜାର ଲୋକଙ୍କୁ ଗାଆଁ ଅଭିମୁଖୀ କରିଛି। ସ୍ଥିତି ସାଧାରଣ ହେବା ପରେ କେଜାଣେ କେତେ ଲୋକ ପୁଣି ପ୍ରତ୍ୟାବର୍ତ୍ତନ କରିବେ ତଥାପି କିଛି ରହିଯିବେ, ନିଜ ମା'ମାଟିକୁ ଜାବୁଡି ଧରିରଖିବେ। ନିଜ ପରିବାର ସହ ରହି କୌଣସି ପ୍ରକାରର କାମ ଧନ୍ଧା ଶିଖିବାକୁ ପଡିବ। ଗୁଜୁରାଣ ମେଣ୍ଟାଇବା ପାଇଁ କାମ କରିବାକୁହିଁ ପଡିବ। କାମ ନକଲେ ଖାଇବେ କ'ଣ। ସରକାରଙ୍କ ଅନେକ ବ୍ୟବସ୍ଥା ରହିଛି ଗରିବ ଲୋକଙ୍କ ଉତଥାନ ପାଇଁ। ଏବର ପରିସ୍ଥିତିକୁ ସମ୍ମୁଖରେ ରଖି ସରକାରଙ୍କୁ ମଧ୍ୟ ବେକାରରେ ବସିରହୁଥିବା ଯୁବକ ଯୁବତୀ ମାନଙ୍କ ପାଇଁ ନୂଆ ନୂଆ ପ୍ରୋଜେକ୍ଟ ଆରମ୍ଭ କରିବାକୁ ପଡିବ। ଯାହା ଦ୍ୱାରା ଯେଉଁ କାମ ହୋଇପାରିବ କରିବା ଆରମ୍ଭକଲେ ନିଜର ମଙ୍ଗଳହେବ ତଥା ଦେଶରେ ଉନ୍ନତି ହେବ ବୋଲି ବିଶ୍ୱାସ।

ଦାଦନ ଚାଲାଣ କୁ ନିୟନ୍ତ୍ରଣ କରିପାରିଲେ, ଦୈନନ୍ଦିନ କାମରେ ଲୋକ ମିଳିବା ସମ୍ଭବ ହୋଇପାରେ। ଗ୍ରାମୀଣ କ୍ଷେତ୍ରରେ ବିଲଵାଡି କାମରେ ଲୋକମାନଙ୍କର ଉତ୍ସାହ ବଢିବ। ଜନସଂଖ୍ୟା ଅନୁରୂପ କୃଷିରୁ ଉତ୍ପାଦନ ବଢିବା ନିହାତି ଜରୁରୀ। ଗ୍ରାମାଞ୍ଚଳରେ କର୍ମୀଲୋକଙ୍କ ଅଭାବ କ୍ରମେ କୃଷିର ଅବନତି ଘଟିଛି। ବର୍ତ୍ତମାନର ପରିସ୍ଥିତି ଶିଖାଇ ଦେଉଛି ନିଜକୁ ଆତ୍ମନିର୍ଭର ହେବାକୁ ପଡିବ। ଏଣୁ ଏହି ପରିପ୍ରେକ୍ଷୀରେ ଚାଷୀ ନିଜେହିଁ ଆତ୍ମନିର୍ଭରଶୀଳ। ନିଜ ପରିବାରର ଭରଣପୋଷଣ ସହ ଚାଷୀ ସମାଜ ସମଗ୍ର ଦେଶକୁ ସୁଷମ ଖାଦ୍ୟ ଯୋଗାଉଛି। ଦେଖିବାକୁ ଗଲେ ଏହି ସମୟର କରୋନା ମହାମାରୀ ରୂପୀ ଘୋର ଅସୁବିଧା ସମୟରେ ସହର ଅପେକ୍ଷା ଗାଆଁ ବେଶୀ ନିର୍ଭରଯୋଗ୍ୟ। 

"ଜୟ କିଷାନ" 



Rate this content
Log in