STORYMIRROR

Gouranga Patel

Others

4  

Gouranga Patel

Others

ଶ୍ମଶାନ ଦର୍ଶନ

ଶ୍ମଶାନ ଦର୍ଶନ

3 mins
359


ପ୍ରଭାସ ବାବୁ ଦିଲ୍ଲୀ ଛାଡିବେ। ଦୃଢ଼ କରିଛନ୍ତି ସେ, ଫେରିଯିବେ ନିଜ ଜନ୍ମମାଟିକୁ। ପ୍ରଭାସଙ୍କ ସ୍ତ୍ରୀ ଶାଶ୍ଵତୀ ପ୍ରଥମେ ପ୍ରଥମେ ନା କହୁଥିଲେ କିନ୍ତୁ ଏବେ ହଁ ଭରିଲେଣି। ସେ ବି ଘର ମୁହାଣୀ ପ୍ରାୟ। ଯାହା ହେଲେବି ଓଡିଶା, ଓଡିଶା।

ଉଚ୍ଚ ପାହ୍ୟା ସରକାରୀ ସେବାରେ ଥିଲେ ପ୍ରଭାସ ବାବୁ। ସବୁ ମହାନଗରୀରେ ରହି ଆସିଛନ୍ତି, ଦିଲ୍ଲୀ କିନ୍ତୁ ଦିଲ୍ କୁ ଛୁଇଁ ଗଲା। ଦିଲ୍ଲୀରେ ପନ୍ଦର ବର୍ଷ ରହଣି ପରେ ଏବେ ଆଉ ମୋହ ନାହିଁ। ପୁଅ ଝିଅ ଉଭୟେ ଦିଲ୍ଲୀ ପାଣି ପବନକୁ ଆପଣେଇ ସାରିଛନ୍ତି। ଭଲ ଭଲ ପୋଷ୍ଟରେ ଅଛନ୍ତି। କ'ଣ ଆଉ ଚିନ୍ତା ତାଙ୍କର। କହିବାକୁ ଗଲେ ସୁଖୀ ଜୀବନ ଅତିବାହିତ କରୁଛନ୍ତି। 

ପଶ୍ଚିମ ଓଡିଶାର ସୁନ୍ଦର ସହର 'ସୁନ୍ଦରଗଡ' ର ପଶ୍ଚିମ ପଟେ ଈବନଦୀ ଉପରେ ପୋଲ ପାରହୋଇ ପନ୍ଦର କିଲୋମିଟର ପାଖାପାଖି ଦୂରତାରେ ନିରୋଳା ନିଛାଟିଆ ଗାଆଁଟିଏ। ପ୍ରାକୃତିକ ପ୍ରାଚୁର୍ଯ୍ୟ ଭରା ପରିବେଶ। ଗୋଟିଏ ପଟେ ପାହାଡ। ପାହାଡ ତଳେ ତଳେ କୁଳୁ କୁଳୁ ହୋଇ ବହିଯାଉଛି ଝରଣାଟିଏ। ବାକି ଯୁଆଡେ ଦେଖିଲେ ଅଳ୍ପ ଅଳ୍ପ ଜଙ୍ଗଲ। ସନ୍ଧ୍ୟା ଆଠଟା ହେଲେ ଗାଆଁଟା ଶୁନ୍ ଶାନ୍ ଜଣାପଡେ। ସକାଳ ଛଅଟା ହେଲେ ଗାଆଁଟା ହୋଇଉଠେ ଚଳଚଞ୍ଚଳ।

ଚନ୍ଦ୍ରଭାନୁ, ପ୍ରଭାସ ବାବୁଙ୍କ ସାନ ଭାଇ ଗାଆଁରେ ଚାଷବାସ ତଥା ଘର ସମ୍ଭାଳନ୍ତି। ପନିପରିବା ସହ ପ୍ରଧାନ ଫସଲ ଧାନ, ଗହମ ଚାଷ କରନ୍ତି। ଝରଣା କୁଳ ଦୋରସା ମାଟିରେ ଆଳୁ, ଚିନାବାଦାମ, ଆଖୁ ବି କରନ୍ତି। ଗଉନ୍ତିଆ ଘର। ଦୁଇ ପୁଅ ଗୋଟିଏ ଝିଅ। ବାହା ସାହା ସବୁ ସାରିଲେଣି। ଚନ୍ଦ୍ରଭାନୁ ଓ ବଡପୁଅ ମିସି ଚାଷ ଦେଖନ୍ତି ହେଲେ ସାନ ପୁଅ ଚାଷଖର୍ଚ୍ଚ ବୁଝେ। ସାନ ପୁଅ ଗାଆଁ ସ୍କୁଲରେ ମାଷ୍ଟର। 

ପ୍ରଭାସ ବାବୁଙ୍କ ଜମିଜୁମାର ଦେଖଭାଲ ଚନ୍ଦ୍ରଭାନୁ କରନ୍ତି ଭାଗ ଚାଷ ହିସାବରେ। ଚାଉଳ ଅଥବା ଟଙ୍କା ଯେମିତି ପ୍ରଭାସ ବାବୁ କହନ୍ତି ସେହି ପ୍ରକାରେ ପଇଠ କରନ୍ତି। ବଡ ଭାଇ ଦିଲ୍ଲୀରେ ଅଛନ୍ତି ବୋଲି, ଚନ୍ଦ୍ରଭାନୁଙ୍କ ପରିବାର ଆଗ୍ରା, ମଥୁରା, ଡେରାଡୁନ, ମସୁରୀ, ବୈସ୍ନୋଦେଵୀ, ୱାଘାବୋର୍ଡର, ଅମୃତସର, ସିମଳା ଦେଖି ସାରିଛନ୍ତି। ପ୍ରତିବର୍ଷ ନୂଆଁଖାଇ ସମୟରେ ପ୍ରଭାସ ବାବୁ ଏବଂ ଭାଇ ଜିନ୍ତିଆ/ଦୂର୍ଗାପୂଜା ସମୟରେ ଶାଶ୍ଵତୀ ଯେମିତି ହେଲେ ଆସନ୍ତି। ଏଣୁକରି ବାପ ଅଜା ଅମଳର ଖପର ଘରଟା ଭଲ ଅବସ୍ଥାରେ ଅଛି। ଆଉବି, ସାନଠୁ ବଡ ଯାଏ ପ୍ରଭାସଙ୍କୁ ଅଳ୍ପ ବହୁତେ ଜାଣନ୍ତି। ଯେବେବି ଗାଆଁକୁ ଗଲେ ଗାଆଁ ସାରା ବୁଲି ସମସ୍ତଙ୍କର ସାଙ୍ଗରେ ଭେଟ ହେବାପାଇଁ ଚେଷ୍ଟା କରନ୍ତି। ଥଟ୍ଟା ମଜାକ ବି କରନ୍ତି ସିଏ।

ଦିନେ କଥା ପ୍ରସଙ୍ଗରେ ପ୍ରଭାସଙ୍କୁ ପଚାରିଥିଲେ ଶାଶ୍ଵତୀ, ଗାଆଁରେ ସେ କେମିତି ସମୟ ଅତିବାହିତ କରିବେ ବୋଲି। ପ୍ରଭାସ ବାବୁ ଅନାୟାସରେ କହିଥିଲେ ଘର ଅଗଣାକୁ ଲାଗି ତାଙ୍କର ଯେଉଁ ପଢ଼ାଘର ଥିଲା ତାକୁ ଲାଇବ୍ରେରୀର ଆକାର ଦେବେ। ଏମିତିବି ତାଙ୍କ ପାଖରେ ଚାରି ପାଞ୍ଚସହ ବହି ଅଛି। ଖବର କାଗଜ, ମାଗାଜିନ୍ ଆସିବ। ପିଲାଙ୍କ ପାଇଁ ଗପ ବହି ଆସିବ। ଲୋକଙ୍କୁ ପଢ଼ିବାପାଇଁ ଉତ୍ସାହିତ କରିବାକୁ ପଡିବ। ସେ ଜାଣନ୍ତି ଅନେକଙ୍କର ପଢ଼ିବାର ଆଗ୍ରହ ଅଛି କିନ୍ତୁ ସୁବିଧା ନଥିବାରୁ ଇଚ୍ଛା ସବୁ ମରି ମରି ଯାଉଛି।

ଶାଶ୍ଵତୀ ଏସବୁ କଥନ ଶୁଣି ଆପ୍ୟାୟୀତ ହେଉ ହେଉ ନିଜ କଥା ଭାବିଲେ ସେ। ଘରକାମରୁ ଫୁରସତ ମିଳିଲେ ସେ ପେଣ୍ଟିଂ କରିବେ। ହେଇପାରେ ପିଲାବେଳୁ ଯାହା ଆଗ୍ରହ ଥିଲା, ଏ ପ୍ରୌଢ଼ ବୟସରେ ସାକାର କରିପାରିବେ।

ଦିଲ୍ଲୀ ଛାଡିବେ ପ୍ରଭାସ। ଧନୀ, ଗରିବ, ଆଡମ୍ବର, ସୌର୍ଯ୍ୟ, ପ୍ରଭାବି, ରାଜନୈତିକ, ସର୍ବ ସମ୍ପନ୍ନ, ଆଧୁନିକ ତଥା ଖାସ ଅଭିରୁଚି, ସବୁର ସମାହାର ଦିଲ୍ଲୀ ମହାନଗରୀ। ବେସ ଚିହ୍ନି ସାରିଛନ୍ତି ଦିଲ୍ଲୀର ହାବଭାବ ଲମ୍ବା ସମୟର ବାସିନ୍ଦା ହିସାବରେ। ରୋମନ୍ଥନ କରି ଚାଲିଥାନ୍ତି ଅତୀତର ସୁଖର ବେଳ ଓ ପ୍ରାଣ ଥରାଇଦେଇଥିବା କରୋନାର ବିଭୀଷିକା। 

ଅନେକ ବର୍ଷରୁ ମା ଓ ବାପା ଙ୍କୁ ସାଙ୍ଗରେ ରଖି ଆସୁଛନ୍ତି ପ୍ରଭାସ। ଶାଶ୍ଵତୀ କେବଳ ବର୍ତ୍ତି ଯାଇଥିଲେ କରୋନାର ପ୍ରଭାବରୁ। ବାପା, ମା ଓ ସେ ନିଜେ ଆକ୍ରାନ୍ତ ହୋଇଥିଲେ। ମହାମାରୀର ବିଭୀଷିକା କେତେ ଦୁର୍ବିସହ ଥିଲା, ଅହରହ ଚଲନ୍ତି ସହର କେମିତି ସୁନସାନ ପାଲଟି ଯାଇଥିଲା ସେ ଅଙ୍ଗେ ନିଭାଇଛନ୍ତି ! ବାପାଙ୍କୁ ଅକ୍ସିଜେନ୍ ଠିକ ସମୟରେ ଦେଇଥିଲେ ସୁଦ୍ଧା ଜୀବନଟା ଚାଲିଗଲା। ସେଇ ଅସୁସ୍ଥ ଅବସ୍ଥାରେ ସେ ଶ୍ମଶାନକୁ ଯାଇଥିଲେ। କଳା ପଲିଥିନ ଭିତରେ ଘୋଡାଇ ହୋଇଥିବା ବାପା ଅନ୍ୟସବୁ କଲା ପଲିଥିନ ଆବୃତ୍ତ ଗୋଟିଏ ଗୋଟିଏ କାଠଗଣ୍ଡି ସଦୃଷଙ୍କ ସାଥିରେ ଲାଇନ୍ ରେ ଥିଲେ କ୍ରମିକ ନମ୍ବର ଅନୁସାରେ। ନିଜ ଜନ୍ମମାଟିଠୁ ଦୂର ବହୁଦୂର ଦିଲ୍ଲୀର ସିମେଣ୍ଟ ପଲସ୍ତରା ବାଲା ଶ୍ମଶାନ ସ୍ଥଳରେ ଧରାଶାୟୀ ଥିଲେ ପାଉଁସରେ ପରିଣତ ହେବାର ଅପେକ୍ଷାରେ। ତାପରେ ଆସଂକ୍ଷ ଚିତାଗ୍ନୀର ଅଢୁଆଳରେ ହଜିଗଲେ। ନା, ବୋଧେ ଢ଼ଳ ଢ଼ଳ ଆଖିରେ ସେ ନିଜେ ବାରିପାରିନଥିଲେ ଜଳୁଥିବା ଯୁଇ ମାନଙ୍କଭିତରୁ ବାପାଙ୍କର କେଉଁଟା ? ଯୁଇର ଭିଡରେ ବାପାଙ୍କ ଅସ୍ତିତ୍ବ ଲୀନ ହୋଇଗଲା ଦିଲ୍ଲୀର ଆକାଶ ମଣ୍ଡଳରେ। ତାଙ୍କ ନଜରରେ ସେଇ ଦିନଠୁ ହଜିଗଲେ ବାପା। କାଠ ଖଣ୍ଡେ ବି ଦେଇ ପାରିଲେନି ବାପାଙ୍କ ଚିତାରେ। ଅବଶ୍ୟ ଏକାଦଶାହ ଉପଲକ୍ଷେ ଗାଆଁକୁ ଯାଇ ଅନ୍ତେଷ୍ଠୀ କ୍ରୀୟା ସମାପନ କରିଥିଲେ। ଆଖପାଖର ସବୁ ଲୋକ କଥା ହେଉଥିଲେ, କରୋନା ଯୋଗୁଁ ଅମୁକର ବାପା ଦିଲ୍ଲୀରେ ଦେହତ୍ୟାଗ କରିଥିଲେ।

ନିଜ ଗାଆଁ ହୋଇଥିଲେ କେତେ ପ୍ରସ୍ତୁତି କରାଯାଇଥାଆନ୍ତା ଶେଷ ଯାତ୍ରା ଲାଗି। ଧଳା କପଡାରେ ଢ଼ାଙ୍କିଦେଇଥିବା ମର ଶରୀର ଚାରି ଆତ୍ମୀୟ ଜଣଙ୍କ କାନ୍ଧରେ ଶେଷଯାତ୍ରା ହୋଇଥାନ୍ତା ଗାଆଁମୁଣ୍ଡ ଶ୍ମଶାନ ଭୂଇଁକୁ। 'ରାମ ନାମ ସତ୍ୟ ହୈ' ଉଚ୍ଚାରଣ ସହ ମୃଦଙ୍ଗ ମଜିରାର ଗୁଞ୍ଜରଣ ପୂର୍ବକ ଯାଇଥାନ୍ତା ବାପାଙ୍କ ଶେଷ ସବାରୀ। ପାଞ୍ଚ ଖଣ୍ଡ ମଉଜା ଜାଣିଥାନ୍ତେ, କହିଥାନ୍ତେ 'ଅମୁକ ବୁଢ଼ା ମରିଗଲା'। ଶବଦାହ ସ୍ଥାନ ନିକଟରେ ଇଟା ସିମେଣ୍ଟ ଯୋଡେଇ ମଠ ଉପରେ ଚୂନ ଘସାହୋଇ କଳା ଅକ୍ଷରରେ ବାପାଙ୍କ ନାମ ଲେଖା ହୋଇଥାନ୍ତା ୰ ମାନ ଭଞ୍ଜନ . . . , ଦେହାନ୍ତ ତାରିଖ . . . ।

ମନଟା ଅସ୍ଥିର ହେଉଥାଏ ପ୍ରଭାସ ବାବୁଙ୍କର। ଡାକିଲେ ଶାଶ୍ଵତୀଙ୍କୁ। ସ୍ତ୍ରୀଙ୍କୁ ଦେଖୁ ଦେଖୁ ପ୍ରଭାସ କହିଲେ, 'ବାପାଙ୍କ ଶେଷ ସ୍ଥଳୀ ଶ୍ମଶାନ ପଟୁ ଟିକିଏ ଆସୁଛି' ! ଶାଶ୍ଵତୀ ନିର୍ବାକ ହୋଇ ଅନାଇ ରହିଥାଆନ୍ତି ପ୍ରଭାସ ବାବୁଙ୍କ ଯିବା ବାଟକୁ।



Rate this content
Log in