ମନ ଯାହା ଚାହେଁ
ମନ ଯାହା ଚାହେଁ
ଭୋର ଚାରିଟାରୁ ଉଠି ନିତ୍ୟକର୍ମ ସାରି କର୍ମ ଚଞ୍ଚଳ ହୋଇ ଯାଉଥିବା ବାପା, ଚାଷକର୍ମକୁ ଆଦରି ପରିବାରର ଭରଣ ପୋଷଣ କରି ଭଲ ଭାବରେ ଚଳାଇ ନେଉଥିବା ବାପା, ଚାଷ କାମରେ ହାତ ବଢାଇଲେ ଢେର ଖୁସି ଓ ପଢ଼ ପଢ଼ ବୋଲି ତାଗିଦ କରୁନଥିବା ସେଇ ଏକା, ଗୋଟିଏ ହାତରେ ସାଇକେଲ ହେଣ୍ଡେଲ ଓ ଆର ହାତ ସିଟରେ ରଖି ଡାହାଣ ଗୋଡ ଡାହାଣ ପେଡାଲରେ ରଖି ସାଇକେଲ ସିଖାଇଥିବା ବାପା। ନିଜ କାମ ନିଜେ କର ବୋଲି ଉପଦେଶ ଦେଉଥିବା ବାପା । ବଡ ତଥା ଗୁରୁଜନଙ୍କ ନମସ୍କାର କରିବା, ଗାଆଁ ରାସ୍ତା କଡରେ ଲଗାଇଥିବା ଆମ୍ବ ଗଛରେ ପାଣି ଦେବାପାଇଁ କହିବା, ଗାଈ ଗୋରୁକୁ ଘାସ ପାଲ ଦେବାକୁ କହୁଥିବା ସେଇ ମସିଣାରେ ଚକା ପାରି ବସି ଖାଇବା ସିଖାଇଥିବା ବାପା। "ବାପା" ସମ୍ମୋଧନ ଶବ୍ଦଟି କେତେ ଆଶ୍ଵାସନା ଦିଏ ସତରେ !
ବାପାଙ୍କ ଆଖିରେ ନଜର ରଖି କହି ପାରୁନଥିବା ପୁଅଙ୍କ ସାହାରା ମା। ଦୂର ବା ପାଖ ସମ୍ମନ୍ଧୀୟ ଗାଆଁକୁ ଯିବା କଥା ହେଲେ ବାପା ଯିବାପାଇଁ କହନ୍ତି । ଲୋକଙ୍କ ସାଙ୍ଗରେ ପରିଚିତ ହେବା, ଉଠିବା ବସିବା ଆଦି, ହେଲେ ପୁଅର ଉତ୍ସାହ ନାହିଁ ଯିବାପାଇଁ, ମା କହିବେ, ପିଲାଟା ଯିବିନି କହୁଛି, କାହିଁକି ତାକୁ ବାଧ୍ୟ କରୁଛ ? କାହା ଘରୁ ଆଣି ଥିବା ଜିନିଷ ଠିକ୍ ସମୟରେ ଫେରାଇବାକୁ କହିଲେ, ମାଙ୍କ ଜରିଆରେ ସବୁ କୋହଳ ହୋଇଯାଏ।
ବାପା ଯେତିକି କଠିନ ମା ସେତିକି କୋମଳ!
ଭାଇ ଭଉଣୀ ଓ ବାପା ମା, ଛୋଟ ପରିବାର। ପୁଅ ଶୁଭେନ୍ଦୁ ଚାକିରୀ କରିବାର ଦୁଇବର୍ଷ ପରେ ଭଉଣୀ ଶିକ୍ଷକ ଚାକିରୀ ପାଇଲା। ଶିକ୍ଷକ ଜଣକୁ ବାହାହୋଇ ଘର ସଂସାର ଭଲରେ ଚାଲିଛି ତାଙ୍କର। ପାଖ ନହେଲେ ବି ଦୂରରେ ନୁହେଁ, ବାଇକରେ ପଇଁଚାଳିସ ମିନିଟର ରାସ୍ତା।
ବାପା ଅସି ବର୍ଷରେ ପଦାର୍ପଣ କଲେ ଏବଂ ମା'କୁ ସତୁରୀ। ଦେହ ପା ଠିକ ଠାକ ଓ ନିରୋଗୀ ରହିବା ଯାଏଁ କିଛି ଅସୁବିଧା ନାହିଁ। ଘରେ ଗାଈଟିଏ ଅଛି କେବଳ। ଅନେକ ବର୍ଷରୁ ଚାଷ ଛାଡିଲେଣି। ଜମି ଛଅ ଏକର ଭାଗ ଚାଷରେ ଦେଇ ଟଙ୍କା ଆକାରରେ କର ସଂଗ୍ରହ କରନ୍ତି ଶୁଭେନ୍ଦୁର ବାପା ଦଇତାରୀ।
ଏଥର ଶୁଭେନ୍ଦୁ ସପରିବାର ଗାଁକୁ ଆସିଛି। ଷୋହଳ ସହ କିଲୋମିଟର ଦୂର ବେଙ୍ଗାଲୁରୁ ସହରରେ ବଡ ଚାକିରୀ କରେ। ବାପା ହୃଦୟ ରୋଗୀ ହେଲେ ମା'କୁ ମଧୁମେହ।
ଭଉଣୀ ବି ଆସିଛି। ରାତିରେ ସମସ୍ତେ ବସି କଥା ବାର୍ତ୍ତା ହେଲେ। ସମସ୍ୟା ହେଲା ବାପା ମା'ଙ୍କୁ ଦେଖା ରେଖା କରିବା ପାଇଁ ଜଣଙ୍କୁ ରଖିଥିଲେ ଭଉଣୀ ସୁଷମା କିନ୍ତୁ ଆଶା ଅନୁରୂପ ସେବା ଶୁଶ୍ରୁଷା ହେଇ ପାରୁନି। ପିଲାଟା ମଦ ପିଇ ପଇସା ଚୋରୀ କରିବା, ବାସନ ବର୍ତ୍ତନ ପାର କରିବା ଆଦି ଜଣା ପଡ଼ିଲା। ସହଜରେ ଆଜି କାଲି ଆଉ ଲୋକ ମିଳୁ ନାହାନ୍ତି। ଯାହାକୁ ରଖିଲେ ସେ ହିଁ ନିଜେ ସମସ୍ୟା ପାଲଟି ଯାଉଛି, ବୁଢା ବୁଢ଼ୀକୁ ଆଉ କ'ଣ ସେବା କରିବ ? ସ୍ଥିର ହେଲା ବାପା ମା'ଙ୍କୁ ବେଙ୍ଗାଲୁରୁ ନେଇକି ଯିବ ଶୁଭେନ୍ଦୁ।
କଥାଟା ମନକୁ ପାଉନଥାଏ ଦଇତାରୀଙ୍କର। ମା'ଙ୍କର କିନ୍ତୁ ଅସୁବିଧା ନାହିଁ। ସେ କହିଲେ ଯେଉଁଠିଥିଲେବି କ'ଣ ହେଲା, ଖୁସିରେ ଦି ମୁଠା ଖାଇ ରହିଲେ ହେଲା।
ଅନୁସୋଚନାରେ ଡୁବି ଯାଇଥିଲେ ବାପା।
ଗାଈ ବାଛୁରୀକୁ କେମିତି କରିବା ପଚାରିଲେ ମା। ସୁଷମା କହିଲା କାକା ଘରକୁ ସମର୍ପି ଦିଅ। କଥାଟା ସଭିଙ୍କ ମନକୁ ପାଇଲା।
ବାପା ମନେ ମନେ ଭାବୁଥିଲେ ଶରୀର ଯଦି ଠିକ ଠାକ ରହୁଥାଆନ୍ତା କେବେ ବି ସେ ଜନ୍ମ ମାଟିକୁ ଛାଡନ୍ତେ ନାହିଁ !
ତଥାପି ତାଙ୍କ ମନରେ ଗୋଟିଏ ପ୍ରଶ୍ନ ଘାଣ୍ଟୁଥିଲା, ପର ଭୂଇଁର କ୍ୱାଟର ଭଳିଆ ଘରରେ କେଜାଣି କେତେ ଦିନ ରହିପାରିବେ !
