ଆଧ୍ଯାତ୍ମିକ ଚେତନାର ଉତ୍ସ କୁପାରୀ
ଆଧ୍ଯାତ୍ମିକ ଚେତନାର ଉତ୍ସ କୁପାରୀ
ଆଧ୍ଯାତ୍ମିକ ଚେତନାର ଉତ୍ସ କୁପାରୀ ଶୂନ୍ଯ ମଣ୍ଡପ-:
ଶାଳବଣ ଘେରା ବୌଦ୍ଧ କୀର୍ତ୍ତି ବିରାଜିତ ନୈସର୍ଗୀକ ଧର୍ମ ପୀଠ । ଯେଉଁଠି ଅବଧୂତ ସନ୍ଯାସୀମାନଙ୍କର ମୂଳମନ୍ତ୍ର ଜୀବ ଓ ପରମର ଅପୂର୍ବ ମିଳନ । ହିଲ୍ଲୋଳିତ ମୃଦୁ ସମୀରଣରେ ଯେଉଁଠି ଝଙ୍କୃତ ହୁଏ ଆଧ୍ଯାତ୍ମିକ ଚେତନାର ସ୍ବର । ଅବଧୂତଙ୍କ ସୁମଧୁର କଣ୍ଠରୁ ନିସୃତ କମନୀୟ ସ୍ନେହ ବୋଳା ଡାକରେ ଯେଉଁଠି ରୁଣ୍ଡିଭୂତ ପକ୍ଷୀ ମାନଙ୍କ କିଚିରି ମିଚିରି ନାଦରେ ନିନାଦିତ ହୁଏ ଏହି ମହିମା ମୟ ପୀଠର ସବୁଜ ବନାନୀ । ଆଉ ବାବାଙ୍କ ଅମୀୟ ବୋଳା ହାତରେ ପରଶି ଦେଉଥିବା ଅମୃତ ପଶରାରୁ ପକ୍ଷୀ ଶାବକମାନେ ଥଣ୍ଟ ମୂନରେ ନିଜର କ୍ଷୁଧା ନିବାରଣ ପାଇଁ ଖାଦ୍ଯନେଇ ପୁଣି ଉଡି ଯାଆନ୍ତି ନୀଳ ଆକାଶକୁ ଭେଦ କରି ଦୂରକୁ....ବହୁ ଦୂରକୁ ।
ବାଲେଶ୍ବର ଜିଲ୍ଲାର ଖଇରା ବ୍ଲକ ଅନ୍ତର୍ଗତ କୁପାରୀ ହେଉଛି ମହିମା ବିମଣ୍ଡିତ ବୌଦ୍ଧ କୀର୍ତ୍ତିକୁ ବହନ କରିଥିବା ଏକ ପ୍ରାଚୀନ ସଂସ୍କୃତି ଭରା ଅଞ୍ଚଳ । ପଶ୍ଚିମରେ କେନ୍ଦୁଝର , ଦକ୍ଷିଣରେ ଭଦ୍ରକ ଓ ଉତ୍ତରରେ ମୟୂରଭଞ୍ଜ । ଏହି ତିନି ଜିଲ୍ଲାର ସଂଗମ ସ୍ଥଳରେ ଅବସ୍ଥିତ ଏହି ସ୍ଥାନ । ଯାହାର କିରିଟା ସମ ଶୋଭାପାଏ ଶାରୀଶୁଆ ପାହାଡ଼ । ସବୁଜ ବନାନୀ ପରିପୂର୍ଣ୍ଣ ଶାଳବଣ ଭିତରେ ଏ ସ୍ଥାନ ବିଭିନ୍ନ ସ୍ମୃତି ବିଜଡିତ । ବାର ମାସରେ ତେର ଭଳି ଏଠାରେ ବିଭିନ୍ନ ସମୟରେ ବିଭିନ୍ନ ପର୍ବ ପାଳନ ହୋଇଥାଏ । ତେବେ ଏହି ସ୍ଥାନରେ ପ୍ରତିଷ୍ଠିତ ଶୂନ୍ଯମଣ୍ଡପର ରାହାସ ପୂର୍ଣ୍ଣିମା ସର୍ବ ଜନ ମାନସରେ ସ୍ମୃତିର ରେଖା । ୧୯୨୬ ମସିହାରେ ଏହି ସ୍ଥାନରେ ଜଣେ ପ୍ରଥମେ ଏକ ପତ୍ର କୁଡିଆ ତିଆରି କରିଥିଲେ । ସେତେବେଳେ ଲୋକମାନେ ଭାବିଲେ କେହି ଜଣେ ନିରାଶ୍ରୟ ପତ୍ରକୁଡିଆଟିଏ ତିଆରି କରି ଆଶ୍ରୟ ନେବ । ମାତ୍ର ପରବର୍ତ୍ତୀ ସମୟରେ ସବୁ ସମ୍ଭାବନାକୁ ଭୁଲ୍ ପ୍ରମାଣିତ କରି ଏଠି ଆବିର୍ଭାବ ହେଲେ ଜଣେ ଗୃହତ୍ଯାଗୀ ସନ୍ନ୍ୟାସୀ । ତାଙ୍କର ନାମ ପ୍ରଭାକର ଜେନା । ଘର ମଧ୍ଯ ଶୂନ୍ଯମଣ୍ଡପ ନିକଟରେ । ନିଜର ଗୃହ ଜଞ୍ଜାଳର ମାୟା ମୋହକୁ ତ୍ଯାଗ କରି ତ୍ଯାଗୀ ସନ୍ନ୍ୟାସୀ ଜୀବନଯାପନ କରି ଏହି ପତ୍ରକୁଡିଆରେ ଜୀବନଯାପନ କଲେ । ଧାରା ଶ୍ରାବଣର ଆବାରିତ ବର୍ଷାଧାରାରେ ଓ ମାଘ ମାସ ଶୀତର ସୋପାନରେ ନିଜର ଫୁଙ୍ଗୁଳା ଦେହକୁ ହଜେଇ ଦେଇଥିବା ବେଳେ ବୈଶାଖର ପ୍ରଚଣ୍ଡ ରୌଦ୍ର ତାପ ଭିତରେ ନିଜ ଦେହର ମାଂସ ପିଣ୍ଡୁଳାକୁ ଗଡେଇ ଦେଇ ସେ ଏକ ଲୟରେ ଅବିନାଶୀ ପରମ ପୁରୁଷର ସାନ୍ନିଧ୍ୟ ଲାଭ କରିବାକୁ ନିଜର ଚେତନାକୁ ହଜାଇ ଦେଇଥିଲେ । ତାଙ୍କର ଏହି ସାଧନା ତାଙ୍କୁ ଆସ୍ତେ ଆସ୍ତେ ଲୋକ ମାନସରେ ଏକ ସ୍ବତନ୍ତ୍ର ସ୍ଥାନରେ ପ୍ରତିଷ୍ଠିତ କରାଇଥିଲା । ପ୍ରଭକର ଜେନାରୁ ପାଲଟିଗଲେ ପ୍ରଭାକର ଦାସମହାରାଜ । ସାଧନା ବଳରେ ସେ ତାଙ୍କ ପାଦୁକା ପାଣିରେ ଅନେକ ଦୁରାରୋଗ ଭଲ କରିବାକୁ ଲାଗିଲେ । ଆସ୍ତେ ଆସ୍ତେ ତାଙ୍କର ଏ ଅଲୌକିକ ପ୍ରତିଭା ଚାରିଆଡେ ବ୍ଯାପିଗଲା । କୁପାରୀ ଶୂନ୍ଯ ମଣ୍ଡପ ପାଲଟିଗଲା ଏକ ତୀର୍ଥଭୂମି । ବର୍ତ୍ତମାନ ଏହି ମଣ୍ଡପରେ ଅବସ୍ଥିତ ବାବାଙ୍କ ମତରେ ସେତେବେଳେ ପୁରୀରୁ କଲିକତା ପର୍ଯ୍ୟନ୍ତ ବିଭିନ୍ନ ପ୍ରାନ୍ତରରୁ ଭକ୍ତମାନେ ଏହି ଅବଧୂତ ବାବାଙ୍କ ଅଲୌକିକ ପ୍ରତିଭାରେ ଆକୃଷ୍ଟ ହୋଇ ଏଠାକୁ ଛୁଟି ଆସୁଥିଲେ । ବାବାଙ୍କର ଆହୁରି ଅଲୌକିକ
ପ୍ରତିଭା ମଧ୍ଯ ସମସ୍ତଙ୍କ ଦୃଷ୍ଟିଗୋଚର ହୋଇଥିଲା । ଗ୍ରୀଷ୍ମ ଦିନରେ ହଜାର ହଜାର ଭକ୍ତ ଯେତେବେଳେ ରୌଦ୍ର ତାପରେ କଷ୍ଟ ଅନୁଭବ କରୁଥିଲେ ସେତେବେଳେ ବାବା ଉପରକୁ ହାତ ଟେକି ଆ ଆ ଆ ତିନିଥର ଉଚ୍ଚାରଣ କଲେ ଧୀର ସମୀରଣ ଶାଳବଣର ସବୁଜ ପତ୍ରକୁ ଧିରେ ଧିରେ ହଲେଇ ହଲେଇ ଭକ୍ତ ମାନଙ୍କର କଷ୍ଟ ଦୂର କରେ । ସେହିଭଳି ବାବା ଯେତେବେଳେ ପକ୍ଷୀମାନଙ୍କୁ ହାତ ଠାରି ଡାକନ୍ତି ଶହ ଶହ ପକ୍ଷୀ ଉଡିଆସି ବାବାଙ୍କ ହାତରୁ ନିଜର ଖାଦ୍ଯ ନେଇ ପୁଣି ଉଡିଯା'ନ୍ତି ଶାଳଗଛ ଉପରକୁ । ଯେ କେହି ବ୍ଯକ୍ତି ନିଜ ବାଡିରେ ଲଗାଇଥିବା ପରିବା ଗଛରେ ଫୁଲ ନ ଝଡିବା ପାଇଁ ଓ ଅଧିକ ଫଳ ହେବା ପାଇଁ ବାବାଙ୍କଠୁ ପାଦୁକା ପାଣି ନେଇ ଭକ୍ତ ଗଛରେ ସିଞ୍ଚନ କଲାପରେ ତାଙ୍କର ଇଛା ପୂର୍ଣ୍ଣ ହୁଏ । ତେଣୁ ମାନସିକ କରିଥିବା ପ୍ରଥମ ଫଳଟି ଶୂନ୍ଯ ମଣ୍ଡପକୁ ଅର୍ପଣ କରନ୍ତି । ଏହି ଭଳି ଶୂନ୍ଯ ମଣ୍ଡପର ମାହାତ୍ମ୍ୟ ପ୍ରଚାରିତ ହେବା ବେଳକୁ ବାବାଙ୍କ ବୟସର ପ୍ରବଲ୍ଯତା ଦେଖା ଦେଇଥିଲା । ଝାଡଖଣ୍ଡ ରାଜ୍ଯର ବିଜୟ ତରଣ ଆଶ୍ରମକୁ ସାଧୁ ଦର୍ଶନ କରିବାକୁ ଯାଇଥିବା ୨୦ ବର୍ଷର ଯୁବକ ଆଧ୍ଯାତ୍ମିକ ଚେତନାରେ ଛନ୍ଦି ହୋଇ ସନ୍ନ୍ଯାସ ଜୀବନ ଯାପନ କରୁଥିବା ଅବଧୂତ ମହାରାଜ ବାବାଙ୍କୁ ଏହି ଶୂନ୍ୟ ମଣ୍ଡପର ଦାୟିତ୍ୱ ବହନ କରିବାକୁ ସ୍ବପ୍ନାଦେଶ ହୋଇଥିଲା । ସେ କୁପାରୀ ଶୂନ୍ୟ ମଣ୍ଡପରେ ପହଞ୍ଚିବା ପରେ ୨୦୦୩ ମସିହା ଅକ୍ଟୋବର ମାସ କୁମାର ପୂର୍ଣ୍ଣିମା ଦିନ ପ୍ରଭାକର ବାବା ତାଙ୍କୁ ଶୂନ୍ୟ ମଣ୍ଡପ ପରିସରକୁ ନେଇ ଉକ୍ତ ମଣ୍ଡପର ଉତ୍ତରାଧିକାରୀ ଭାବେ ଅଭିଷିକ୍ତ କରାଇଥିଲେ । ତାପରେ ତାଙ୍କର ସମସ୍ତ ଦାୟିତ୍ୱରେ ପୂର୍ଣ୍ଣଛେଦ ପଡିଲା । ୧୮୯୪ ମସିହା ଶ୍ରାବଣ ମାସରେ ଇହଧାମକୁ ସ୍ପର୍ଶକରିଥିବା ଏହି ମହାନ ଆତ୍ମା ୨୦୦୪ ମସିହା ଜାନୁୟାରୀ ୧ ତାରିଖ ଦିନ ସମସ୍ତଙ୍କର ଆଶାକୁ ନିରାଶରେ ପରିଣତ କରି ବ୍ରହ୍ମଲୀନ ହୋଇଯାଇଥିଲେ ।
ଏହି ଶୂନ୍ଯ ମଣ୍ଡପରେ ବର୍ଷକୁ ୬ ଟି ପର୍ବ ପାଳିତ ହେଉଥିବା ବେଳେ ରାହାସ ପୂର୍ଣ୍ଣିମା ହେଉଛି ଶ୍ରେଷ୍ଠ ପର୍ବ । ଏହି ପୂର୍ଣ୍ଣିମା ଦିନ ହଜାର ହଜାର ଭକ୍ତ ଏଠାରେ ଉପସ୍ଥିତ ହେଉଥିବା ବେଳେ ବାବାଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ ହେଉଥିବାରୁ ପ୍ରଶାସନ ପକ୍ଷରୁ ପୋଲିସର ବ୍ଯବସ୍ଥା ହୋଇଥାଏ । ଏଥି ସହିତ କିଛି ସମାଜସେବୀ ଓ କିଛି ସ୍ବେଚ୍ଛାସେବୀ ସଂଗଠନର ସଭ୍ଯ ଏବଂ ଶୂନ ମଣ୍ଡପ କମିଟି ତରଫରୁ ସୁରକ୍ଷା ବ୍ଯବସ୍ଥା ମଧ୍ଯ କରାଯାଇଥାଏ । ପାନୀୟ ଜଳ ବ୍ଯବସ୍ଥା ସହ ପରିବେଶକୁ ପରିଷ୍କାର ରଖିବା ପାଇଁ ମଧ୍ଯ ବିଶେଷ ଧ୍ଯାନ ଦିଆଯାଇଥାଏ ବୋଲି ଅବଧୂତ ମହାରାଜଜୀ ପ୍ରକାଶ କରିଛନ୍ତି । ତାଙ୍କର ଧର୍ମର ମୂଳ ତତ୍ତ୍ବ କ'ଣ ପଚାରିବାରୁ ସେ କହିଥିଲେ ଯେ ଏହା ହେଉଛି ତତ୍ତ୍ବ ଭିତ୍ତିକ ଭେଟ,ଜୀବ ଓ ପରମର ସଂଯୋଗ ସ୍ଥଳ । ତାଙ୍କର ଶେଷ ଇଛା କ'ଣ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ ସମାଜର କଲ୍ଯାଣ ହେଉ ଜୀବେଦୟା ହେଉଛି ମୋର ଶେଷ ଇଛା । ବାବାଙ୍କ ଅମର କୀର୍ତ୍ତି , ସାଧନା ଗୃହ , ବ୍ରହ୍ମ ଆଶ୍ରମ , ଭଜନ ମଣ୍ଡପ , ମଧୁ ସାଗର ଓ ପାଦୁକା କୁଣ୍ଡ ହେଉଛି ଏହି ପରିସରରେ ଦର୍ଶନୀୟ ସ୍ଥାନ । ସବୁ ଧର୍ମର ସମନ୍ବୟରେ ସ୍ଥାପିତ ଏହି ଶୂନ୍ଯ ମଣ୍ଡପ ହେଉଛି ଶୂନ୍ୟ ବ୍ରହ୍ମର ଏକ ଅପରିବର୍ତ୍ତନୀୟ ସଂଯୋଜନା ।