(୫). *ଗଙ୍ଗା ପୁତ୍ର ଭୀଷ୍ମ *
(୫). *ଗଙ୍ଗା ପୁତ୍ର ଭୀଷ୍ମ *
ରାତ୍ରିର ଅନ୍ଧକାରରେ ବିଶ୍ରାମରତ ହସ୍ତିନାପୁର । ଏ କି ପରିହାସ ସମୟର? ହଁ ବୋଧହୁଏ ସେ କଡ଼ ବଦଳାଉଛି । ଭବିଷ୍ୟତ ବଦଳିବ ଭାରତବର୍ଷର । ଲେଖାହେବ ନୂଆ ଇତିହାସ । ଗୋଟିଏ ମହାଯୁଗର ଶୁଭାରମ୍ଭ ହେବ। ପୁଣି ଜଣେ ଯୋଗଜନ୍ମାକୁ ଦୁନିଆ ଦେଖିବ। ସମଗ୍ର କ୍ଷତ୍ରିୟ ସମାଜ ଚିହ୍ନିବ ତାକୁ, ପୂଜିବ ତାକୁ । ସମ୍ମାନର ସହିତ, ହୁଏତ ସମଗ୍ର ପୃଥିବୀରେ ମାନବର ସତ୍ତା ଥିବା ପର୍ଯ୍ୟନ୍ତ ।
କିନ୍ତୁ ଏ କ'ଣ? କାହିଁକି ଅସ୍ଥିର ବିଚଳିତ ମହାରାଜ ଶାନ୍ତନୁ ଆଜି ହସ୍ତିନା ପୁରରେ। ହଁ ସେ ମର୍ମାହତ ମହାଦେବୀ ଗଙ୍ଗାଙ୍କ ନିର୍ଦ୍ଦୟ କାର୍ଯ୍ୟଶୈଳୀରେ । ସେ ପୀଡା ଅସହନୀୟ । ଆଖି ଆଗରେ ନିଜର ସାତ ପୁତ୍ରର ହତ୍ୟା ଦେଖି ସେ ବାକ୍ ଶୂନ୍ୟ । ତଥାପି ସେ ଲାଚାର । ତ୍ରିବାର ସତ୍ଯ କରି କଥା ଦେଇଛନ୍ତି ମହାଦେବୀଙ୍କ କୌଣସି କାର୍ଯ୍ୟରେ ନା ବାଧକ ହେବେ ନା ପ୍ରଶ୍ନ ପଚାରିବେ । ଅନ୍ୟଥା ଦେବୀ ଗଙ୍ଗା ତାଙ୍କୁ ସବୁଦିନ ପାଇଁ ପରିତ୍ୟାଗ କରିବେ ।
ଅଷ୍ଟମ ପୁତ୍ରର ଜନ୍ମ ପରେ, ଶାନ୍ତନୁଙ୍କର ଧୈର୍ଯ୍ୟ ଚ୍ଯୁତି ଘଟିଛି । ସେ ମୁହଁ ଖୋଲିଛନ୍ତି ଏବଂ ସର୍ତ୍ତ ଅନୁସାରେ ଗଙ୍ଗା ତାଙ୍କୁ ପରିତ୍ୟାଗ କରିଛନ୍ତି । ସମୟ କ୍ରମେ ସେ ନିଜ ଅଷ୍ଟମ ପୁତ୍ର ଦେବବ୍ରତକୁ ଫେରାଇବା ପାଇଁ ଆସିଛନ୍ତି ମହାରାଜ ଶାନ୍ତନୁଙ୍କ ନିକଟକୁ ଏବଂ ମାଆର କର୍ତ୍ତବ୍ୟ ସାରି ବାହୁଡ଼ି ଯାଇଛନ୍ତି ଗଙ୍ଗା ନଦୀର ଗର୍ଭକୁ । ସମୟ ଆଗକୁ ବଢିଛି । ମା'ର ସ୍ନେହରୁ ବଞ୍ଚିତ ହୋଇ ରାଜକୁମାର ଦେବବ୍ରତ ଯୁବକ ହୋଇଛନ୍ତି । ରାଜବଂଶର ପ୍ରଥା ରୀତି, ନୀତି ଅନୁସାରେର ଦିନେ ସେ ସର୍ବ ସମ୍ମତି ସହ ମହାନ୍ ରାଜ୍ୟ ହସ୍ତୀନାପୁରର ଯୁବରାଜ ଘୋଷିତ ହୁଅନ୍ତି ଏବଂ ପିତାଙ୍କ ଅନ୍ତେ ରାଜ୍ୟର ଉତ୍ତରାଧିକାରୀ ।
ହଠାତ୍ କିନ୍ତୁ ଦିନେ ସବୁକିଛି ହୋଇଯାଏ ଓଲଟ ପାଲଟ । ପିତାଙ୍କୁ ସୁଖି ଦେଖିବାକୁ ଯାଇ ଯୁବରାଜ ଦେବବ୍ରତ, କେଉଟ ରାଜା ଦାସରାଜଙ୍କ ଦୁହିତା ସତ୍ୟବତୀଙ୍କ ସହ ନିଜ ପିତାଙ୍କ ବିବାହ ଠିକ୍ କରି ପକାନ୍ତି ଏବଂ ଦାସରାଜଙ୍କ ଆଶଙ୍କାକୁ ନିଃସନ୍ଦେହ କରିବାକୁ ଯାଇ କରିବସନ୍ତି ଆଜୀବନ ବ୍ରହ୍ମଚାରୀ ରହିବାର ଭୀଷଣ ପ୍ରତିଜ୍ଞା । ଯାହା ପରେ ପୈାରାଣିକ ଇତିହାସରେ ଭୀଷ୍ମ ପ୍ରତିଜ୍ଞା ନାମରେ ସାଦରେ ପରିଚିତ ।
ସେହି ମୂହୁର୍ତ୍ତଠାରୁ ଦେବବ୍ରତ ଭୀଷ୍ମ ନାମେ ସମଗ୍ର ବିଶ୍ୱରେ ପରିଚିତ । ପିତା ଏବଂ ରାଷ୍ଟ୍ରର ସ୍ବାର୍ଥ ପାଇଁ ପୁତ୍ର ଆଜୀବନ ବ୍ରହ୍ମଚାରୀ ରହିବାର ଏଭଳି ଭୀଷଣ ପ୍ରତିଜ୍ଞା ଭାରତବର୍ଷର ଇତିହାସରେ କ'ଣ ସମଗ୍ର ମାନବ ଇତିହାସ ରେ ମଧ୍ୟ ବିରଳ ଘଟଣା? ଏପରି ପ୍ରତିଜ୍ଞା କେବଳ ଗଙ୍ଗା ପୁତ୍ର ଦେବବ୍ରତ ହିଁ କରିପାରେ । ପିତା ପାଇଁ ପୁତ୍ରର ଏ ତ୍ୟାଗ, ଏ ବଳିଦାନ ଭୀଷ୍ମଙ୍କୁ ଜଗତରେ ଅମର କରି ରଖେ । ପିଢ଼ି ପରେ ପିଢ଼ି ତାଙ୍କୁ ନତମସ୍ତକ ହୋଇ ଦେଖେ । ସଦା ସ୍ଥିର ଅବିଚଳିତ, କର୍ମ ପଥରେ କର୍ତ୍ତବ୍ୟ ରତ, ସେ ହିଁ ଗଙ୍ଗା ପୁତ୍ର ଦେବବ୍ରତ ଭୀଷ୍ମ ।
ନିଶ୍ଚିତରେ ସେ ଜଣେ ସେ ସମୟର ସେ ପିଢିର ଦ୍ଵାପର ଯୁଗର କାଳଜୟୀ ପୈାରାଣିକ ଚରିତ୍ର । ଏକା ଧାରରେ ଜଣେ ଆଦର୍ଶ ପୁତ୍ର, ସ୍ନେହ ବତ୍ସଳ ପିତାମା, ମହାନ୍ ଯୋଦ୍ଧା, ଅଜେୟ ସେନାପତି ଏବଂ ପୂଜ୍ଯାସ୍ପଦ ବ୍ୟକ୍ତି୍ତ୍ବ । ପୈାରାଣିକ ଇତିହାସ ସବୁବେଳେ ତାଙ୍କ ବିନା ଅସମ୍ପୂର୍ଣ୍ଣ । କୁରୁକ୍ଷେତ୍ରର ରଣସଜ୍ଜା ତାଙ୍କୁ ନେଇ ଉଜ୍ଜିବିତ । ସେ ଆଦି ସେ ଅନ୍ତ । ଲୀଳାମୟ ଶ୍ରୀକୃଷ୍ଣଙ୍କୁ ଛାଡ଼ି କେହି ନଥିଲେ ସେ ରଣକ୍ଷେତ୍ରେ ଯେ କରିପାରିଥାନ୍ତା ତାଙ୍କୁ ପରାସ୍ତ । ସେ ତ ଥିଲେ ଅଜର, ଅମର, ମୃତ୍ୟୁଞ୍ଜୟୀ । ଇଛାମୃତ୍ୟୁର ଅଧିକାରୀ । ତଥାପି ସମ୍ମାନ ରଖିଲେ ଅମ୍ବାର । ଯେହେତୁ ଶିଖଣ୍ତି ତା' ଅବତାର । କିନ୍ତୁ ନା କେବେ ତାଙ୍କର ଥିଲା ସିଂହାସନର କାମନା ନା ଜୀବନର ମୋହ । ହସ୍ତୀନାପୁର ପାଇଁ ହିଁ ଥିଲା କେବଳ ଆଖିରେ ଲୁହ । ସେ ମହାଭାରତରେ ଅଶ୍ବତଥ୍ ବୃକ୍ଷ ସଦୃଶ୍ୟ । ତାଙ୍କରି ଛତ୍ରଛାୟା ତଳେ ସବୁରି ବାସ । ହୋଇପାରେ ସେ କୈାରବ ଅବା ପାଣ୍ତବ । ତାଙ୍କ ଠାରେ ହିଁ ସବୁରି ଭାବ ।
ଧାର୍ଯ୍ୟ ନିର୍ଘଣ୍ଟ ଯେବେ ଉପନୀତ ହେଲା । ସମୟ ଇଶାରା କଲା। ଜାଣିଗଲେ ସେ ସବୁ ଶେଷ । ମାଧବ ପାଶେ ତାଙ୍କ ହସ । ବିଶ୍ରାମ ନେଲେ ଶରଶର୍ଯ୍ଯାରେ, ଜୀବନ ସରିଲା ମହୀରେ ।
ଭୀଷ୍ମ ପରି ଯୋଗଜନ୍ମା କ୍ଵଚିତ ଜନ୍ମନିଅନ୍ତି ଏ ଧରାରେ । ସମ୍ପନ୍ନକରି ନିଜ ଦାୟିତ୍ୱ, ମିଶିଯାଆନ୍ତି ପୁଣି ଅନ୍ତରୀକ୍ଷରେ । କର୍ତ୍ତବ୍ୟ ବୋଧର ଚର୍ମ ପରାକାଷ୍ଠାରେ । ସୃଷ୍ଟିକୁ ଛାଡି ହୁଏତ ସ୍ରଷ୍ଟାର ଆତ୍ମାରେ ।
