ୟୁକ୍ରେନର ଆର୍ତ୍ତନାଦ
ୟୁକ୍ରେନର ଆର୍ତ୍ତନାଦ
ରହି ଉର୍ଦ୍ଧ୍ୱେ ଦେଖୁଛକି ପ୍ରଭୁ ପରାତ୍ପର l
ଛାରଖାର ହୁଏ ତୁମ୍ଭ ସୁନ୍ଦର ସଂସାର ll
କୃଷ୍ଣ ସାଗରର ଜଳ ହୋଇଲା ଲୋହିତ l
ନେପରନଦୀ ସରିତେ ବହେ ଲାଲରକ୍ତ ll
ୟୁକ୍ରେନର ବକ୍ଷୁ ଶୁଭେ ନର ଆର୍ତ୍ତନାଦ l
ଆକାଶେ କଳାବାଦଲ ଘୋର ବଜ୍ରନାଦ ll
ଦାନଵ ସାଜିଛି ଆଜି ବିଜ୍ଞାନୀ ମାନବ l
ନରରକ୍ତେ ହୋଲିଖେଳି ରଚିଛି ତାଣ୍ଡବ ll
ଧରାଶାୟୀ ରମଣୀୟ କ୍ୱିଇଭ ନଗରୀ l
ବାସ,ବାସ୍ତୁହରା ଆଜି ଶିଶୁ,ନର,ନାରୀ ll
ଚତୁର୍ଦିଗେ ଶୁଭେ ଖାଲି ନର ହାହାକାର l
ୟୁକ୍ରେନଦେଶ ଗୋଟିକ ଆଜି ଛାରଖାର ll
କି ଲାଭ ମିଳିବ ଯୁଦ୍ଧେ ନାହିଁ କିଛି ଜଣା l
ଆମେରିକା,ଋଷିଆର ମନେ କି କଳ୍ପନା ll
ଲାଗେ ସତେ ଏହି ଯୁଦ୍ଧ ବିଶ୍ୱ ଯିବ ଗ୍ରାସି l
ଠୁଳ ହୋଇଲେଣି ଦେଶ ପ୍ରାୟ ସଂଢୁଆସି ll
ଢମ୍ ଢମ୍ ବୋମା ମାଡ଼ ଶସ୍ତ୍ରର ପ୍ରହାର l
ବିଲ,ବନ,ପ୍ରାନ୍ତରରେ ଢେଉ ବୈଶ୍ୱାନର ll
ନଭଶ୍ଚୁମ୍ଭି ଅଟ୍ଟାଳିକା ଭୂମେ ଯାଏ ମିଶି l
ମୃତ୍ୟୁର ତାଣ୍ଡବଲୀଳା ନାହିଁ ଦିବା ନିଶି ll
କ୍ଷମତା ଲଢ଼େଇ ସିନା ନର ଅହଂକାର l
କ୍ଷଣିକେ ଭଷ୍ମ ହୋଇବ ଯଥା ଭସ୍ମାସୁର ll
ହେ ଈଶ୍ୱର ଦୟାକର ବାରେ ଦୟାମୟ l
ଚିର ଦିନ ପାଇଁ ଯାଉ ବିଶ୍ୱେ ଯୁଦ୍ଧ ଭୟ ll
ୟୁକ୍ରେନବାସୀ ଡ଼ାକୁଛୁ ଉର୍ଦ୍ଧ୍ୱେ ଟେକି କର l
ନିରେଖ ହୋଇଲୁ ରଖ ଆହେ ଚକ୍ରଧର ll
