ଦିଗନ୍ତର ଯାତ୍ରା ପଥେ
ଦିଗନ୍ତର ଯାତ୍ରା ପଥେ
ଖୋଜୁଛି ମଣିଷ ଦିଗନ୍ତ ବିସ୍ତାରୀ
ଗ୍ରହାନ୍ତର ଅନ୍ତରୀକ୍ଷ
ବୁଝିଅଛି କିଛି ଅବୁଝା ଅନେକ
ସୃଷ୍ଟି କାରଣ ରହସ୍ୟ ।
ଦିଗନ୍ତର ଯାତ୍ରା ଅସୀମ ଅନନ୍ତ
ସୀମିତ ମନୁଷ୍ୟ ଜ୍ଞାନ
ତଥାପି ବିଜ୍ଞାନ କରେ ଉଦ୍ଭାବନ
ସତ୍ୟ କରେ ଉନ୍ମୋଚନ ।
ପୁରାଣ ଦର୍ଶନ ପ୍ରଯୁକ୍ତି ବିଜ୍ଞାନ
ହୁଏ କ୍ରମେ ସମନ୍ୱିତ
ବଢେ ଅଭିଜ୍ଞତା କର୍ମ ନିପୁଣତା
ସନ୍ଧାନ ହୁଏ ଅବ୍ୟର୍ଥ ।
ଭୟଙ୍କର ଅତି ଜ୍ଞାନ ବିଜ୍ଞାନର
ଅଯଥା ଦୁରୁପଯୋଗ
ହିତ ନୁହେଁ ଖାଲି ଅଟେ କ୍ଷତିକର
ଧ୍ୱଂସ ମୁଖେ ଆଜି ବିଶ୍ୱ ।
ବହୁ ମାରାତ୍ମକ ରୋଗବ୍ୟାଧି ଆଜି
ହୋଇଅଛି ନିୟନ୍ତ୍ରଣ
ରୋଗର ଚିକିତ୍ସା ସଠିକ ନିଦାନ
କରଇ ହିତ ସାଧନ ।
ନୂତନ ଆୟାମ ସୁବିଧା ସୁଯୋଗ
ହେଉଅଛି ଉପଲବ୍ଧ
ଦିଗନ୍ତର ଯାତ୍ରା ଚାଲେ ଅବିରତ
ଉନ୍ମୁକ୍ତ ପଥ ବିସ୍ତୃତ ।
