ଯୁଗଳ ବନ୍ଦୀ ସାହିତ୍ୟ
ଯୁଗଳ ବନ୍ଦୀ ସାହିତ୍ୟ
ଚପଳା ଚାତୁରୀ ଚଳାପାଙ୍ଗୀ ପରି
ଉତ୍କର୍ଷ ନିଷ୍କର୍ଷ କୋମଳାଙ୍ଗୀ ଭରି।।
ପ୍ରଣୟ ତନ୍ମୟ ଶୋଭାମୟ ଦିଶେ
ଯୁଗଳ କେବଳ ପରମ ବିଶ୍ବାସେ।।
ନିଳାମ୍ବୁ ଅମ୍ବରେ ପ୍ରତିବିମ୍ବଢାଳେ
ଭାରତେ ଭାରତୀ ପ୍ରତିପାଳେ ବଳେ।।
ଜଗତ ଭଗତ ସ୍ଥାବର ଜଙ୍ଗମ
ସଙ୍ଗମ ସଙ୍ଗୀତ ପ୍ରାଜ୍ଞ ପାରଙ୍ଗମ।।
ଉର୍ବୀରେ ଉର୍ବର ବର୍ବରତା ନାହିଁ
ଛବିଳ ଆବିଳ ଉଲସିତ ଯହିଁ।।
ଆଲୋକ ବର୍ତ୍ତିକା ସାହିତ୍ୟ ମୁକୁର
ବିଳାସ ଅଳସ ସତେ,କି ଚିକୁର।।
ମୋ,ଭାଷା ଭରସା ଉଷାର-ଉଷର
ମୁଁ,ଦାସ ଉଦାସ ବିଶ୍ବ କୋଷାଗାର।।
ତା,ଭାବ ଭାବନା ଧୀର ଉନ୍ମାଦନା
ବେଦନା ବିଧୂର ବିଭୁ ବଜ୍ରସେନା।।
ସ୍ପନ୍ଦିତ ବନ୍ଦିତ ବିନ୍ଧ୍ୟହିମାଚଳ
ଆହ୍ଲାଦିତ ଦୀପ୍ତ କବି କାବ୍ୟ ମାଳ।।
ଶରଣଦ ପଦ ପଦ୍ୟାମୃତ ଗଦ୍ୟ
ଅମୃତ ଭାରତୀ ଭାବ ବ୍ରହ୍ମ ବାଦ୍ୟ।।
ଶବ୍ଦବ୍ରହ୍ମ ଯେଣୁ ଶବଦେ ମିଶିଲା
ବିନ୍ଦୁ ବସାଣ ଏ ମାଳା ପ୍ରକାଶିଲା।।
ଭାଷା ମାଳମାଳ ବିଭାସ କେଦାର
ଛ,ରାଗ ଛତିଶ ରାଗିଣୀ ଆଦର।।
ତେଣୁ ଯୁଗଳରେ ପ୍ରଣୟ ମଳୟ
ପ୍ରାଣାୟମ ନାଦ ଅନାଦି ବଳୟ।।
ଯୁଗଳବନ୍ଦୀ ଏ ସାହିତ୍ୟ ପୀୟୁଷ
ବୋଲେ ଦତ୍ତ ଦାତା କର୍ତ୍ତା ଇତିହାସ।।