ଯୋଗଜନ୍ମା ଉତ୍କଳମଣି
ଯୋଗଜନ୍ମା ଉତ୍କଳମଣି
ଉତ୍କଳ ଆକାଶେ ଅମଳ ଚନ୍ଦ୍ରମା ଗୋପବନ୍ଧୁ ଯୋଗଜନ୍ମା,
ଧନ୍ୟ କରିଥିଲ ସୁଆଣ୍ଡୋ ଗ୍ରାମର ମାଟି ତୁମେ ମହାତମା।
ଅଠରଶ ସତସ୍ତରି ମସିହାର ନଅ ଅକ୍ଟୋବର ଦିନ,
ସ୍ବର୍ଣ୍ଣମୟୀ ଦେବୀ କୋଳେ ଜନ୍ମହୋଇ କରିଥିଲ ତାଙ୍କୁ ଧନ୍ୟ।
ପିତା ଦଇତାରୀ ଦାସଙ୍କର କୁଳରତ୍ନ ହେ ଉତ୍କଳମଣି,
ତୁଳସୀ ସଦୃଶ ବାଲ୍ୟକାଳୁ ତୁମ ଗୁଣ ହୋଇଥିଲା ଜାଣି।
ଯେ ସମୟେ ପୁରୀ ରଥଯାତ୍ରା ବେଳେ ବ୍ୟାପିଗଲା ମହାମାରୀ,
କଲେରା ଆକ୍ରାନ୍ତ ହୋଇ ଟଳିଗଲେ ଦୁଃଖୀ ଭକ୍ତ ଅସୁମାରୀ।
ସରକାରୀ କଳ ଥିଲାତ ଅଚଳ ଉଦାସୀନ ସରକାର,
ଗୋରା ସରକାର କାହିଁବା ବୁଝିବ ଦୁଃଖ ଦୁଃଖୀ ଓଡିଆର?
ମରି ହଜିଗଲେ ରାସ୍ତାକଡେ କେତେ ଔଷଧ ଅଭାବ ପାଇଁ,
କୋଳେ ଧରି ମୁଣ୍ଡ ପାଣିଟୋପେ ତୁଣ୍ଡପରେ କେ ଦେବାକୁ ନାହିଁ।
କାନ୍ଦିଲା ତୁମର ଅନ୍ତର ଏସବୁ ଦେଖି ଆହେ ଦୟାବନ୍ତ,
କରି"ପୁରୀ ସେବା ସମିତି'ପ୍ରତିଷ୍ଠା ସେବାରେ ହୋଇଲ ରତ।
କେବଳ ନଥିଲ ତୁମେ ଦୟାବନ୍ତ ଥିଲ ଶ୍ରେଷ୍ଠ କବିବର,
ସାହିତ୍ୟ ମାଧ୍ୟମେ ଆଣିଥିଲ ତୁମେ ସମାଜେ ବହୁ ସଂସ୍କାର।
ବିଦ୍ୟାଳୟ ଶିକ୍ଷାପରେ ରେଭେନ୍ସାକୁ ଗଲ ଉଚ୍ଚ ଶିକ୍ଷାପାଇଁ,
"କର୍ତ୍ତବ୍ୟ ବୋଧିନୀ" ନାମରେ ସମିତି ପ୍ରତିଷ୍ଠା କରିଲ ତହିଁ।
ସମାଜର ରାଜନୀତି ଅର୍ଥନୀତି ସମସ୍ୟା ବିଚାର ପାଇଁ,
ସାଥୀ ବନ୍ଧୁଗଣେ ପ୍ରବର୍ତ୍ତାଇ ଥିଲ ତହିଁ ଯୋଗ ଦେବାପାଇଁ।
ଏ ସମୟେ ଦୈବୀ ଦୁର୍ବିପାକେ ଦେଶେ ପଡିଥିଲା ଘୋର କାଳ,
ବନ୍ୟାଜଳେ ଘର ଦ୍ବାର ଭାସିଗଲା ଲୋକେ ମଲେ ମାଳମାଳ।
ମହାନଦୀ ବୈତରଣୀ ଖରଶ୍ରୋତା ସୁବର୍ଣ୍ଣରେଖାର ଜଳ,
ବିକଟାଳରୂପେ ଗାଁ ଗଣ୍ଡା ଗ୍ରାସି ସବୁ କଲା ସମତଳ।
ମୁଣ୍ଡେ ନାହିଁ ଆଶ୍ରା ତୁଣ୍ଡେ ନାହିଁ ଭାଷା ଅଣ୍ଟାରେ ବସନ ନାହିଁ,
ପେଟରେ ଜଳନ୍ତା ନିଆଁ,ବସିଥିଲେ ଲୋକେ ସର୍ବସ୍ବାନ୍ତ ହୋଇ।
ସେମାନଂକ ମନେ ଦେବାକୁ ସାହସ,ତୁଣ୍ଡରେ ଦେବାକୁ ଦାନା,
ସେବାଦଳ ଧରି ଗାଁ ଗହଳରେ ବୁଲିଥିଲ ମହାମନା।
ପୁଅ ପଡିଥିଲା ରୋଗଶେଯେ ଘରେ ଗଲନାହିଁ ତାକୁ ଦେଖି,
ଉପେକ୍ଷା କରିଲ ଏକପୁତ୍ର ତୁମେ ଶତପୁତ୍ର ଦୁଃଖ ଦେଖି।
ତିଳ ତିଳ କରି ନିଜ ସୁଖଶାନ୍ତି ଦେଇଥିଲ ଜଳାଞ୍ଜଳି,
କଳିର ମଣିଷ ହେଲେବି ତୁମକୁ ଛୁଇଁପାରିଲାନି କଳି।
ପରମ ତ୍ୟାଗର ମୂର୍ତ୍ତିମନ୍ତ ଦେବ ତୁମ୍ଭେ ଉତ୍କଳ ଗୌରବ,
ସଂସାର ତ୍ୟାଗୀ ହେ କର୍ମଯୋଗୀ ! ତୁମେ ପରମାତ୍ମା ଦିବ୍ୟ ଭାବ।
ହେ ଲୋକନାୟକ ଏ ଦୁଃଖଦାୟକ ସଂସାର କଷଟିପରେ,
ଖାଣ୍ଟିସୁନା ତୁମେ ଦୀକ୍ ଦୀକ୍ ହୋଇ ଜଳୁଥିଲ ତେଜଭରେ।
ସାକ୍ଷୀଗୋପାଳ ର ପବିତ୍ର ପୀଠରେ ସୁଶାନ୍ତ ବକୁଳ ବନ,
ମିଳି ପଞ୍ଚସଖା ଶିକ୍ଷା ଦୀପଶିଖା କରିଥିଲ ପ୍ରଜ୍ବଳନ।
ଉଣେଇଶ ଉଣେଇଶିରେ ପ୍ରତିଷ୍ଠା କରିଥିଲ 'ସମାଜ'ର,
ଆଜି ମଧ୍ୟ ସେତ ଗାଁଗହଳର ଶ୍ରେଷ୍ଠ ସମ୍ବାଦ ପତର।
ସ୍ବାଧୀନତା ପାଇଁ କାରାବାସ ତୁମେ ଯାଇଛ ଅନେକବାର,
ବନ୍ଦୀଗୃହେ ରହି ଲେଖିଥିଲ ତୁମେ ଆତ୍ମକଥାଟି ବନ୍ଦୀର।
ଅସମୟେ ତୁମେ ଛାଡି ଚାଲିଗଲ ମାତ୍ର ବାଉନ ବରଷେ,
ଦୁଃଖୀ ରଙ୍କୀଙ୍କର ହୃଦୟ କାନ୍ଦିଲା ତୁମ ବିୟୋଗ ସନ୍ଦେଶେ।
