ଯମ ତର୍ପଣ
ଯମ ତର୍ପଣ
ସୂର୍ଯ୍ୟଙ୍କର ପୁତ୍ର ମୃତ୍ୟୁର ଦେବତା
ନର୍କର ସେ ଅଧୀଶ୍ଵର
ସଂଜ୍ଞା ଦେବୀ ସୁତ ନ୍ୟାୟର ପ୍ରତୀକ
କରନ୍ତି ଧର୍ମ ବିଚାର ।
ପାତର ଅନ୍ତର ନୀତିଟି ନ ଥାଏ
ରଖନ୍ତି ତୀକ୍ଷ୍ଣ ନଜର
ପାପ ଅନୁସାରେ ଦଣ୍ଡ ଦେଉଥାନ୍ତି
ବିଚାର କରି ପାପୀର ।
ତାଙ୍କ ନଜରରେ ସଭିଁଏ ସମାନ
ନ ଥାଏ ଆପଣା ପର
ପାତର ଅନ୍ତର ସହି ନ ପାରିଣ
ଛାୟାଙ୍କୁ କଲେ ପ୍ରହାର ।
କୋପିତ ହୋଇଣ ଦେଲେ ଅଭିଶାପ
ଗୋଦରା ହେଉ ପୟର
ସୂର୍ଯ୍ୟ ଦେବ ଶୁଣି ବିସ୍ମିତ ହୋଇଲେ
ନୁହେଁ ଏ ମାତା ତୁମର ।
ଛାୟାଦେବୀ ନିଜ ପରିଚୟ ଦେଲେ
ପୁତ୍ର ତାଙ୍କ ଶନିଶ୍ଚର
ସୂର୍ଯ୍ୟ ନାରାୟଣ ଦେଲେ ଆଶୀର୍ବାଦ
ହୁଏ ଗ୍ରହ ଅଧୀଶ୍ଵର ।
ନ୍ୟାୟ ଜ୍ଞାନବନ୍ତ ଧର୍ମ ପରାୟଣ
ଯମକୁ ନର୍କର ଭାର
ଆଶୀର୍ବାଦ ଦେଲେ ସେ ପୁତ୍ର ଯମକୁ
କରିବୁ ନ୍ୟାୟ ବିଚାର ।
ଚିତ୍ରଗୁପ୍ତ ପାଞ୍ଜି ଦେଖି କହୁଥାଏ
ଛପନ କୋଟି ଜୀବର
କର୍ମ ଅନୁସାରେ ଫଳ ଭୋଗୁଥାନ୍ତି
ଜୀବ ଯମ ନର୍କ ପୁର ।
ନର୍କ ଚତୁର୍ଦ୍ଦଶୀ ଦିନ ଯମ ପୂଜି
ତର୍ପଣ କରଇ ନର
ବିକଳେ ପ୍ରାର୍ଥନା କରି କହେ ଯମ
ନର୍କୁ କରିବ ଉଦ୍ଧାର ।
ଭକତି ଭାବରେ ପବିତ୍ର ମନରେ
ସ୍ନାହାନ କରି ଜଳର
ଆଞ୍ଜୁଳାରେ ଜଳ ଯମକୁ ତର୍ପଣ
କରି କରଇ ଜୁହାର ।
ଯମକୁ ତର୍ପଣ କରି ଯିଏ ମନେ
ଭକତି ରଖି ଅପାର
ନର୍କ କୁଣ୍ଡରୁ ସେ ଉଦ୍ଧାର ପାଇଇ
ଯଦି ଧର୍ମେ ଥାଏ ନର ।
ଯମକୁ ତର୍ପଣ କରେ ଯିଏ ଜଳ
ନୀରୋଗ ହୁଏ ଶରୀର
ସତ୍ୟ ଧର୍ମ ନ୍ୟାୟ ଧର୍ମିକ ଦେଖିଲେ
ଯମ ଯୋଡି ଦ୍ୟନ୍ତି କର ।
