ଯାଆ ଉଡିଯାଆ
ଯାଆ ଉଡିଯାଆ
ଯାଆ ଉଡିଯାଆ ଟିକି ଚଢେଇ ତୁ
ସଂଜକୁ ଆସିବୁ ଫେରି
ଚାହିଁ ବସିଥିବି ବାଟ ମୁଁ ତୋହରି
କରିବୁନି ଜମା ଡେରି ।
ଦୁନିଆ ଭିତରେ ମୋର ନାହିଁ ବୋଲି
ତୋତେ ମୁଁ କରିଛି ଭାଇ
ସୁଖଦୁଃଖ ନିତି ହେଉଛି ତୋ ସାଥେ
ପାଖେ ପାଖେ ତୋର ଥାଇ ।
ଆଜି ତୋ ଆଖିରେ ଛୋଟ ସିନା ମୁହିଁ
ବଡ ହୋଇଯିବି କାଲି
ଜରିକାମକରା ଓଢଣୀ ପକେଇ
ଶାଶୂଘର ଯିବି ଚାଲି ।
ଓଷା, ବରତରେ ନଡିଆ, ଉଖୁଡା
ନେଇ ଆସିବୁ ତୁ ଘରେ
ଆଉ ଯାହା ଯାହା ବାକି ଥିବ ସବୁ
ଆଣିଦେବୁ ପୁଣି ପରେ ।
ଭାଇ ହୋଇ ମୋର ଆସିବୁ ଯେବେ ତୁ
ଖୁସିରେ ନାଚିବି ମୁହିଁ
ପଡୋଶୀ ଜାଣିବେ ଜଗତ ଜାଣିବ
ଭାଇ ମୋ ଆସିଛୁ ତୁହି ।
ମୋ ଶାଶୂ, ଶଶୁର ମୋ ନଣନ୍ଦ, ଯାଆ
ଖୁଣ୍ଟା ଦେବେ ନାହିଁ ମୋତେ
ଭଲରେ ରଖିବେ ମୋ ମନ ବୁଝିବେ
ସତ କହୁଛି ମୁଁ ତୋତେ ।
ଗହ୍ମା ପୁନେଇଁରେ ତୋହରି ହାତରେ
ରାକ୍ଷୀ ବାନ୍ଧିଦେବି ଆଣି
ସେନେହ,ଶରଧା ଯାଚି ଦେବୁ ତୁହି
ମୋତେ ମୋର ଲୋଡା ଜାଣି ।
ମୋତି, ମାଣିକକୁ କିଏ ସେ ପଚାରେ
ଭାଇଟିଏ ଯେବେ ନାହିଁ
ଡେରି କରିବୁନି ସଅଳ ଫେରିବୁ
ବାଟ ତୋର ଥିବି ଚାହିଁ ।