ନବଦିନେ ନଅ ସ୍ବରୂପ
ନବଦିନେ ନଅ ସ୍ବରୂପ
ଶରତେ ଶାରଦ ଅତି ଆମୋଦିତ
ସ୍ବର୍ଗସମ ମର୍ତ୍ତ୍ୟପୁରୀ,
କାଶତଣ୍ଡି କରେ ସ୍ବାଗତ ଗୁଞ୍ଜନ
ମାତା ଆବାହନୀ କରି ।
ନଅଟି ଦିବସେ ନଅଟି ସ୍ବରୂପେ
ଉଭାହେବେ ଜଗଧାତ୍ରୀ
ପର୍ବତ ରାଜନ ହିମାଳୟ କନ୍ୟା
ତେଣୁ ନାମ ଶୈଳପୁତ୍ରୀ ।
ଦିତୀୟ ଦିବସେ ବିଜେ ଏ ମରତେ
ନାମ ତ ବ୍ରାହ୍ମଚାରିଣୀ,
କମଣ୍ଡଳୁ ସାଥେ ରୁଦ୍ରାକ୍ଷର ମାଳା
ଦର୍ଶନେ ତପଚାରିଣୀ ।
ନାଶି ଅହଂକାର ଦୁର୍ଗୁଣ ବିକାର
ଖୋଲିବେ ଜ୍ଞାନର ମୁଣି,
ଫେଡିବେ ଯାତନା ହରିବେ ବେଦନା
ସେଇ ମା' ବିଶ୍ବକଲ୍ୟାଣୀ ।
ତୃତୀୟ ସ୍ବରୂପେ ଚନ୍ଦ୍ରଘଣ୍ଟା ରୂପେ
ଉଭା ଜଗତ ଜନନୀ
ଲଲାଟ ପଟଳେ ଅର୍ଦ୍ଧ ଚନ୍ଦ୍ର ଖେଳେ
ଉଗ୍ରରୂପି ନାରାୟଣୀ ।
ଦଶ ହସ୍ତେ ଦଶ ଅସ୍ତ୍ରଶସ୍ତ୍ର ଧରି
ସଂହାରିବେ ମାତା ପାପି
ହୃଦତଳେ ଭକ୍ତି ରଖି ସାଧୁମତି
ତପି ଯିବେ ପାଇ ମୁକ୍ତି ।
କୁଷ୍ମାଣ୍ଡା ସ୍ବରୂପେ ଚତୁର୍ଥ ଦିବସେ
ମଣ୍ଡପରେ ମାତା ବିଜେ
ଅମୃତ କଳସ, ଜପାମାଳା,ଗଦା
କମଳ ଓ ଧନୁ ସାଥେ ।
କାର୍ତ୍ତିକେୟ ମାତା ନାମ ସ୍କନ୍ଦମାତା
ପଞ୍ଚମ ଦିନ ସ୍ବରୂପା
କୋଳେ ପୁତ୍ର ଧରି ଜଗତ ଆବୋରି
ହୋଇଥାନ୍ତି ଆବିର୍ଭୂତା ।
ଶିବ-ପାର୍ବତୀଙ୍କ ବିବାହର ପରେ
ସ୍କନ୍ଦପୁତ୍ର ହେଲା ଜାତ
ସେଇଦିନୁ ଦେବୀ ସ୍କନ୍ଦମାତା ନାମେ
ଜଗତେ ହୋଇଲେ ଖ୍ୟାତ ।
କାତ୍ୟାୟନ ଋଷି ଭକତିରେ ଫସି
ମହାମାୟୀ ଭଗବତୀ
ଷଷ୍ଠ ସ୍ବରୂପରେ କାର୍ତ୍ତ୍ୟାୟିନୀ ନାମେ
ଉଭା ସେଇ ଶକ୍ତିଦାତ୍ରି ।
ଆମେ ଯେତେ ମୁଢମତି
ଅର୍ଥ, କର୍ମ, ମୋକ୍ଷ ଲଭିବାଟି ଭଲେ
ସାହା ସେଇ ଭଗବତୀ ।
ସପ୍ତମ ସ୍ବରୂପ କାଳରାତ୍ରି ବେଶ
କାଳରୂପୀ ଅବତାର
ଚତୁଃର୍ଭୁଜା ମାତା ଭ୍ରମଣ କରନ୍ତି
ଗଧରେ ହୋଇ ସବାର ।
ଦୁଷ୍ଟଜନଙ୍କର ମୃତ୍ୟୁର କାରଣ
ଶିଷ୍ଟଙ୍କର ଶୁଭଙ୍କରୀ
ଭକତ ଜନଙ୍କୁ ରକ୍ଷା କରୁଥାନ୍ତି
ଛତ୍ରଛାୟା ଟିକୁ ଧରି ।
ଅଷ୍ଟମ ସ୍ବରୂପେ ମହାଗୌରୀ ନାମେ
ବୃଷଋଢା ମହାମାୟୀ
ଅଭୟ ମୁଦ୍ରାରେ ଡାହାଣ ହସ୍ତରେ
କୃପାବାରି ଢାଳୁଥାଇ ।
ନବମ ସ୍ବରୂପ ସିଦ୍ଧିଦାତ୍ରି ବେଶ
ଲିଆ ଭୋଗ ଶ୍ରଦ୍ଧା ତାର
ହସ୍ତେ ଧରି ଶଙ୍ଖ, ଚକ୍ର, ଗଦା,ପଦ୍ମ
ଆପାର ମହିମା ତାର ।
ନବଦିନାତ୍ମକ ପୂଜାଯେ ସଂପୂର୍ଣ୍ଣ
ଶେଷ ଏଇ ଅବତାର
ଶାନ୍ତି ପ୍ରଦାୟିନୀ ଶକ୍ତି ସ୍ବରୁପିଣୀ
ଚରଣେ ତୋର ଜୁହାର ।