ସାଆନ୍ତ ଙ୍କୁ ଗୁହାରୀ
ସାଆନ୍ତ ଙ୍କୁ ଗୁହାରୀ
କାଳିଆ ଦର୍ଶନ ମନରେ ରହି ମୋ
ପୁରିଛି ବର୍ଷ ପଞ୍ଚଦଶ
କେଉଁ କର୍ମର କି ପାପେ ତୁହି
ରଖିଛୁ ମୋ ଠାରେ ଆକ୍ରୋଶ।।
ଲକ୍ଷ ଲକ୍ଷ ଜନ ଭକତ ପାଲଟି
ଦେଖନ୍ତି ଗୁଣ୍ଡିଚା ଯାତ
ତୋ ନାମ ବିହ୍ୱଳେ ଭଜି ଝୁମନ୍ତି
ଦେଖି ତୋ ପବିତ୍ର ନେତ।।
କେଉଁ ଦିନ କେଉଁ ପବିତ୍ର ଲଗନେ
ଯିବି ଲୀଳାକ୍ଷେତ୍ର ପୁରୀ
ଅତି ହୀନିମାନ କରିବୁ କି ମୋତେ
ତୋ ଦୟାରୁ ବଞ୍ଚିତ କରି।।
କୁମାରୀ ଦିନରୁ ଦର୍ଶନ ବାଞ୍ଛାରେ
ପାଲଟିଲି ଆଜି ବନିତା
ତୁ ତ ଆମରି ସଖା,ବନ୍ଧୁ,ପ୍ରଭୁ
ଦେ ଥରେ ଟିକେ ବାରତା।
ସପରିବାର ଦର୍ଶନ କରିବି
ରୂପ ତୋ ନବ ଯୌବନ
ଆନନ୍ଦ ବଜାରେ ଅବଢ଼ା ପାଇଣ
ତୃପ୍ତି ହେବ ଏ ପରାଣ।
ଜଗା ଜଗା ଭଜି ଦିନ ମୋ ବିତୁଛି
ହୃଦେ ବହେ ଦର୍ଶନ ତୃଷ୍ଣା
ଅନ୍ତରେ ବେଦନା ଆଖି ମୋ ଖୋଜୁଛି
ଜଗା,କାହ୍ନା ମୋ କ୍ରିଷ୍ଣା।
ସାଜି ଆଜି ତୋର ଦର୍ଶନ ଭିକ୍ଷୁ
କୃପା ବାରି କାଙ୍ଗାଳିନୀ
ତୋ କରୁଣାରୁ କାଣିଚାଏ ଝରି
ପୁରୁ ମୋ ପଣତ କାନି।
ହେଇକି ପାରିବି ଦାସିଆ ବାଉରୀ
ସାଜିବି କି ବନ୍ଧୁ ମହାନ୍ତି
ବିଚଳିତ ହୁଏ ପରାଣ ଆଜି
ନିଷ୍ଠୁର ହେଲା କି ନିୟତି।
ମାଗୁ ନାହିଁ ତୋ ରତ୍ନ ସିଂହାସନ
ଷାଠିଏ ପଉଟି ଭୋଗ
ଷୋଳକଲା କାଳେ ଯାଚି ପାଇଯିବି
ରଖିଛୁ କି ଦ୍ୱେଷ ରାଗ।।
କିଛି ଲୋଡ଼ା ନାହିଁକାଳିଆ ଧନ
ଇଚ୍ଛା ତୋର ଦରଶନ
କରିଛି ପ୍ରତୀକ୍ଷ୍ୟା କରିବି ଅପେକ୍ଷା
ଦେଖିବାକୁ ତୋ ଭୁବନ।।
ଏଇ ଆଶୀର୍ବାଦ ଦେରେ କାଳିଆ
ନିଶ୍ଚେ ଯିବି ରଥଯାତ
ମନସ୍କାମନା ମୋ କରିଦେ ପୂରଣ
ଏତିକି ଗୁହାରୀ ସାଆନ୍ତ।।।