STORYMIRROR

Manjurani Mishra

Classics

4  

Manjurani Mishra

Classics

ବଉଳକୁ ଚିଠି

ବଉଳକୁ ଚିଠି

1 min
402

ବଉଳ ଲୋ

ଆ ଥରେ ଖୋଜି ହେବା ସପନଟେ

ଦିଗହଜା ଧାନକ୍ଷେତ ପାହାଡ଼ ସେପଟେ

ମୁଠା ମୁଠା ଆଲୁଅରେ

ଆ ପୁଣି ହଜି ଯିବା

ବଣୁଆ ଫୁଲର ଗନ୍ଧେ

ଛନ୍ଦାୟିତ ରାତ୍ରୀର କମ୍ପନ

ଏଇତ ଜୀବନ ଭିନ୍ନ ବୃନ୍ଦାବନ

ସଜନୀଲୋ ଆ ଟିକେ ପାଖକୁ ପାଖକୁ

କିଛି ଦୁଃଖ ବାଣ୍ଟିଦେବି ତୋର

ସିକ୍ତ ପାଟ ପଣତରେ ମୋ ଭିତରେ ନିବୁଜ ଖୁସିଟେ

ସ୍ନେହ ଆଉ ପ୍ରତ୍ୟୟର

କିଛି ବାସ୍ନା ଫୁଲ ଫଗୁଣର

ଜହ୍ନ ଆଲୁଅରେ ପଢ଼ିନେବା

ତୋ ଠିକଣା ମୋ ଠିକଣା

ହଜାଇଲା ଅନୁଭୂତି

ଆଉ କିଛି ଉଷ୍ଟ ଉତ୍ତେଜନା

ଆ ପୁଣି ଖୋଜିହେବା

ଆଷାଢ଼ର ମେଘୁଆ ଆକାଶ

ନୀଳ କଇଁ ଶରତ ସକାଳ

ଆଶ୍ୱିନର ଅପରାହ୍ନ

ପଉଷ ମଧାହ୍ନ

ଫଗୁଣର ଅବିର ବିମାନ

ଏଇତି ବାଜୁଛି ବଂଶୀ

ବସନ୍ତର ହୋରୀ ଖେଳ

ଚଇତାଳି ଉଷ୍ମ କୋଳାହଳ

ଲାବଣ୍ୟରେ ଛଳ ଛଳ

ପ୍ରେମରେ ପାଗଳ

ଜୀବନରୁ ସ୍ଵପ୍ନ କେତେ ବ୍ୟବଧାନ

ଶୂନ୍ୟରୁ ଆବର୍ତ୍ତ ଯାଏ ବିବିଧ ସୋପାନ

ଭୁଲ ହିସାବର ଫେନିଳ ଧୂଆଁରେ

ଅସ୍ତବ୍ୟସ୍ତ ଜୀବନର ନକ୍ସା

ଚିହ୍ନିବାକୁ ଭାରି କଷ୍ଟ ମନର ଭୂଗୋଳ

ବଉଳ ଲୋ ସବୁ ସ୍ଵପ୍ନ ଲିଭିଯାଏ

କେମିତି ଯେ ରାତିଟିଏ ପାଲଟେ ସକାଳ

ଆ ଟିକେ ଭିଜିଯିବା ଶିଶିର ସ୍ପର୍ଶରେ

ପ୍ରାପ୍ତିର ଚୁମ୍ବନ କିଛି ଭରିଦେବା

ଫୁଲଙ୍କର ଚିବୁକ ଓଠରେ

ସଜାଡ଼ିବା ସ୍ତୁପ ସ୍ତୁପ

ସ୍ମୃତି ଆଉ ସ୍ବୀକୃତି ସଂଳାପ

ଭୁଲିଯିବା ସବୁ ଦୁଃଖ

ବନସ୍ପତି ଶ୍ୟାମଳିମା ନିବିଡ଼ ବାସ୍ନାରେ

ଆକାଶର ନୀଳ ନୀଳିମାରେ

ଭାଦ୍ରବର ଭରା ନଦୀ

ଚନ୍ଦନ କୁଙ୍କୁମ ନେଇ

ଆ ପୁଣି ସ୍ନାହାନ ସାରିବା

ଶିବ ପୂଜା କରିବା ଲୋ ସହଚରୀ

ଦୀପଟିଏ ଜାଳିଦେବା ଶୁଭ ମନାସିବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics