ଯା ରେ ଭାସି ଭାସି ଯା
ଯା ରେ ଭାସି ଭାସି ଯା
ବହିଯା ରେ ମୋର କାଗଜ ଡଙ୍ଗା
କଟକର କାନ୍ତି ପ୍ରାନ୍ତେ
ମହାନଦୀର ଜଳ ସାଥେ ଭାସି
କାଠଯୋଡ଼ିର କାନ୍ତେ
ଦେଖିବୁ ପଥରେ ମାୟାନଗରୀର
ମହିମ୍ନ ଶ୍ରୀ ରୂପକାନ୍ତି
ସମ୍ମୁଜ୍ବଳ ପୁଣି ସୌଧ ଅଟ୍ଟାଳିକା
ସ୍ୱର୍ଗଲୋକର ଭ୍ରାନ୍ତି
ଶତାବ୍ଦୀକ ସହରର ସ୍ବାକ୍ଷର
ବାରବାଟୀ ପ୍ରାଚୀରରେ
ଐତିହ୍ୟ ଗାଉଛି ନୌବାଣିଜ୍ୟ
ସଂଗ୍ରହାଳୟ ନାଚିରେ
ବାଟେ ତୁ ଦେଖିବୁ କେତେ ଦୀର୍ଘ ସେତୁ
ସୁସ୍ପଷ୍ଟ କିଛି ବିଶିଷ୍ଟ
ଚାଲିଯାଉଥିବେ ବାଷ୍ପୀୟ ଶକଟ
କରି ନୀରବତା ନଷ୍ଟ
ଦିନ ଥିଲା ଏହି ଦ୍ବୀପର ବୁକୁରେ
ତୋହ ଜ୍ୟେଷ୍ଠ ଭ୍ରାତାମାନେ
ଚଳୁଥିଲେ ନେଇ ଉତ୍କଳର କୀର୍ତ୍ତି
ଜାଭା ସୁମାତ୍ରା ଦର୍ଶନେ
ଆଜି ସେ କୀରତି ଲିପିବଦ୍ଧ ଖାଲି
କଟକର ମଥାପରେ
ଗରୀୟାନ ନଗ୍ର ଗର୍ବ ସାଜେ ମୋର
ସମ୍ପତ୍ତିର ପାରାବାରେ ।
