ଊର୍ମୀ ସହ ଜୀବନ ଦର୍ଶନ
ଊର୍ମୀ ସହ ଜୀବନ ଦର୍ଶନ
ମନ ପାରାବାରେ ଊର୍ମୀ ମାଳା ସବୁ
ଉଛୁଳି ଉଠିବା ପରେ
ହୃଦୟେ କମ୍ପନ ସୃଷ୍ଟି ହୁଏ ଆପେ
ତରଙ୍ଗ ମୂର୍ଚ୍ଛନା ଧାରେ
ଜଳ ସ୍ରୋତ ସମ ମଣିଷ ଜୀବନ।
ହେଉଅଛି ପ୍ରବାହିତ
କୂଳ ସନ୍ଧାନରେ କୁଳୁକୁଳୁ ନାଦେ
ଗାଏ ଜୀବନ ସଙ୍ଗୀତ
ଦୀର୍ଘ ପଥ ଅତିକ୍ରମ କରି ଊର୍ମୀ
ପହଞ୍ଚେ ଯେବେ କୂଳରେ
ସବୁ ଊର୍ମୀ ମାଳା କୂଳ ର ଆଘାତେ
ବିଛାଡ଼ି ଯାଆନ୍ତି ଦୂରେ
ସମୁଦ୍ର କୂଳରେ ଊର୍ମୀ ମାଳା ଯେବେ
ନିଜ କାହାଣୀ ଶୁଣାଏ
ନିଷ୍ଟୁର ହୃଦୟେ ଶୁଣିବା ବଦଳେ
କୂଳ ଦୂରେ ଠେଲି ଦିଏ
ଉତ୍ଥାନ ପତନ ଜୀବନ ଯାତ୍ରାରେ
ଊର୍ମୀ ଯେପରି ସାଗରେ
ଧୈର୍ଯ୍ୟ ନିଷ୍ଠା ପୁଣି ସାହସ ସହିତ
ଲକ୍ଷ୍ୟ ପ୍ରାପ୍ତିର ଆଶାରେ
ଦର୍ଶକ ମନରେ ଲୁଚକାଳି ଭ୍ରମ
କେବେ ପାଖେ କେବେ ଦୂରେ
ପୁଣି ଅଚାନକ ହୁଅଇ ବିଲୀନ
ସାଗର ଗୁପ୍ତ ଗର୍ଭରେ
ପର୍ଯ୍ୟଟକ ଖୁସି ଦେଖି ଊର୍ମୀ-ମାଳା
ବସି ବାଲୁକା ଶଯ୍ୟାରେ
ସୋନ୍ଦର୍ଯ୍ୟ ପୂଜାରୀ ସମ ଦାର୍ଶନିକ
ଭାବ ଚିନ୍ତା ଚେତନାରେ
କୂଳ ଲଙ୍ଘିବାକୁ ମନରେ ସାହସ
ଊର୍ମୀ ମନରେ ରହିଛି
ଅଚାନକ ଝଡ ,ସୁନାମି ର ଆଶା
ମନେ ଉଜ୍ଜୀବିତ ଅଛି
ମଣିଷ ଜୀବନ ଅବଶ୍ୟ ଲଭିବ
ବିରତି ଯାତ୍ରା ପଥରେ
ଊର୍ମୀ ସମ କୂଳ ଭେଟ ଅନାୟସେ
ହେବ ଯଥା ସମୟରେ
ଜୀବନ ଦର୍ଶନ ଶିକ୍ଷା ହୁଏ ପ୍ରାପ୍ତ
ଊର୍ମୀ ମାଳା ଗତି ଧାରେ
କୁଳ ଲଙ୍ଘିବାକୁ ଅହରହ ଚେଷ୍ଟା
ଜାରି ପ୍ରତି ମୁହୂର୍ତ୍ତରେ
ଜୀବନର ଲକ୍ଷ୍ୟ ସାଧନ ପଥରେ
ଆସୁ ଯେତେ ବାଧା ବିଘ୍ନ
ଊର୍ମୀ ସମ ଚାଲୁ ରହିଲେ ପ୍ରୟାସ
ଇପ୍ସିତ ହେବ ପୂରଣ ।
