ଉତ୍ତର ନ ପାଇଥିବା ପ୍ରଶ୍ନ
ଉତ୍ତର ନ ପାଇଥିବା ପ୍ରଶ୍ନ
ଝିଅ ଜନମ ମୁ କାହିଁକି ପାଇଲି?
ଗରିବ ଘରେ କାହିଁକି ଜନମ ହେଲି ?
ଝିଅ ବୋଲି ମୋତେ ପଢାଇଲେ ନାହିଁ,
ପଢି କଣ କରିବ ଭାବନ୍ତି ସେଥିପାଇଁ |
ଏକୁଟିଆ ଯିବାକୁ ଭୟ ଲାଗୁଥାଏ ,
ସମସ୍ତଙ୍କ ଆଖି ମୋ ଉପରେ ଥାଏ |
ବାପାଙ୍କ ବଂଶ ଆଗେ ବଢାଇବା ପାଇଁ ,
ଅବଦାନ ମୋର ନାହିଁ ସେଥିପାଇଁ |
ପକ୍ଷୀ ପରି ଉଡିବା ମୋ ଭାଗ୍ୟରେ ନାହିଁ ,
କୌଣସି କଥାରେ ସ୍ଵାଧୀନତା ନାହିଁ |
ବୟସ ବଢିବାରୁ ବାହା ହୋଇଗଲି,
ଅଜଣା ପରିବାରରେ ପ୍ରବେଶ ହୋଇଲି |
ଯାନୀ ଯୌତୁକ ଦେଇ ପାରିଲେନି,
ସେଥିପାଇଁ ଗଞ୍ଜଣ ସହିଲି ମୁ ଜାଣି|
ବାପାଙ୍କ ଇଜ୍ଜତ ରଖିବାକୁ ଯାଇ ,
ଶାଶୁଘରେ ରହିଲି ମଉନ ହୋଇ |
ସନ୍ଧ୍ଯା ସକାଳେ ପୂଜା କଲାବେଳେ ,
କାହିଁକି ମୁ କାହିଁକି ମୁ ପଚାରି ଚାଲେ |
ବାପଙ୍କୁ ପଚାରେ ସଂସାରକୁ କାହିଁକି ଆଣିଲ?
ଅଲୋଡା ଅଖୋଜା କରି ଦୂରେଇ ଦେଲ |
ପଢାଲେଖା ନ ହେବାରୁ ଯୋଗ୍ୟ ବର ପାଇଲିନି ,
ଗରିବୀ ମୋ ପିଛା ଏ ଜୀବନରେ ଛାଡିଲାନି |
ମୋ ଆଗରେ ଭାଇକୁ ସବୁ ସୁବିଧା ଦେଲ ,
ପଇସା ନ ଥିଲେ ବି ତାକୁ ପାଠ ପଢାଇଲ |
ସବୁ ସ୍ନେହମମତା ତାକୁ ହିଁ ଦେଲ ,
ଲାଗୁଥିଲା ମୋତେ ମାଗିକି ଆଣିଥିଲ |
ଏମିତି ଜୀବନ ତ ମୁ ମାଗି ନ ଥିଲି ,
କି ଦୋଷ ପାଇଁ ଏ ସବୁ ଭୋଗିଲି ?
ପ୍ରଭୁଙ୍କ ଠାରୁ କିଛି ଉତ୍ତର ପାଇଲିନି ,
ବାପମା ମଧ୍ୟ ରହିଲେ ମଉନ ହୋଇ |
