ଉଠିଲୁ ଏଡ଼େ ବେଗି କାହିଁକିରେ
ଉଠିଲୁ ଏଡ଼େ ବେଗି କାହିଁକିରେ
ଭକ୍ତକବି ଗୋପାଳକୃଷ୍ଣ ପଟ୍ଟନାୟକ
ଉଠିଲୁ ଏଡ଼େ ବେଗି କାହିଁକିରେ ଦୁଃଖିଧନ !
ଦଧି ମନ୍ଥାଇ ଦେବୁ ନାହିଁ କି ରେ ! ।ପଦ ।
ଦେହ ପାଶୋରି ଦଣ୍ଡେ ନିଦ ନ ଗଲୁ ଏଡ଼େ
ବିଟୋଳ ହେଲୁ ମୋର ପାଇଁ କି ରେ ।।
ଖେଳିବୁ ରାମ ତୁଲେ ପଛେ ରାତି ପାଇଲେ
ଶୁଆଇ ଦେବି ଗୀତ ଗାଇ କି ରେ ।।
ମନ୍ଥିବି ମୁଁ କେମନ୍ତ ଖୂଆ ଦଣ୍ଡରୁ ତାତ
ଛାଡ଼ ଦେଉଛି ସର ଖୋଇ କି ରେ ।।
ଆହା ଏ କି ପ୍ରମାଦ ଛନ୍ଦନା ବାବୁ ପାଦ
ଡାକ ଯା ବଳରାମ ଭାଇ କି ରେ ।।
ମନ୍ଥନ ଘଟେ ହାତ ପୂରାଇ ନବନୀତ
କାଢୁ ବୋଲନ୍ତି ହେଲୁ ବାଇ କି ରେ ।।
ତୁଚ୍ଛା ହାତଟା ଖାଇ ନାଚୁଛୁ କାହିଁ ପାଇଁ
ଶୁଖି ଯିବୁ ନ ଚାହାଁ ଛାଇ କି ରେ ।।
ଗୃହ କୃତ୍ୟ ପକାଇ ବସିଥିବି ଏକାଇ
ନିଶିଦିନ ତୋତେ କାଖେଇ କି ରେ ।।
ପଣନ୍ତରେ ବଦନ ପୋଛି ଦେଲେ ଚୁମ୍ବନ
ଗୋପାଳକୃଷ୍ଣ ଚିନ୍ତେ ଦୁହିଁଙ୍କି ରେ ।।
ସମାପ୍ତ
