କାହିଁଗଲ ହେ ମଣ୍ଡୁକି
କାହିଁଗଲ ହେ ମଣ୍ଡୁକି
ଆଗମନୀ ବାର୍ତ୍ତା ଦେଲାଣି ସେ ବର୍ଷା
ବିଧି ଡୋରେ ହୋଇ ବନ୍ଧା,
ଜଗତ ପ୍ରାଣୀଙ୍କ ଦୁଃଖ ହରିବାକୁ
ତେଜି ସେ ସକଳ ଫନ୍ଦା ।।
ଭାବିଥିଲି ବର୍ଷା ଦେଇକରି ବାରି
ମୋହିବ ପ୍ରାଣୀଙ୍କ ମନ,
ଅସରାଏ ଜଳ ସମସ୍ତଙ୍କୁ ଦେଇ
ରହିଲା କିମ୍ପା ମଉନ ।।
ସତେ ଅବା ସେହି ଭୟଭୀତ ଆଜି
ଦେଖି ପ୍ରାଣୀଙ୍କର ଗତି,
ଶ୍ରେଷ୍ଠ ଜୀବ ପୁଣି କେଉଁ ନିଶା ଖାଇ
କୁକର୍ମେ ଯାଇଛି ମାତି ।।
ବୋଧେ ସେଥି ପାଇଁ ବରଷାରାଣୀଲୋ
ମନ ସଙ୍କୋଚ କରଇ,
କରୁଣ ସ୍ୱରରେ ଯେତେ ଡାକ ଦେଲେ
ମାଟିକୁ ସେ ଛୁଉଁ ନାହିଁ ।।
ଶୁଣିଥିଲି ମୁହିଁ ମଣ୍ଡୁକି ସ୍ୱରରେ
ଅଛଇ ବଜ୍ର ଶକତି,
ତାର ଡାକ ଶୁଣି ପୃଥିବୀକୁ ବର୍ଷା
ମାଡ଼ିଆସଇ ଝଟତି ।।
ସବୁ ପ୍ରାଣୀଠାରୁ ଭରଷା ସରାଇ
ଧାଇଁଲି ମୁଁ ଭେକ ପାଶେ,
ଜଳଧାର ପାଇଁ ପ୍ରାଣ ଛିଣ୍ଡୁ ଥାଏ
ସେହୁ ଗଲେ କେଉଁ ଦେଶେ ।।
ଦୁର୍ବିସହ କିବା ହୋଇଲା ଜୀବନ
ମଣ୍ଡୁକି ଜାତିର ଆଜି,
କିବା ଏ ମଣିଷ ଛଡ଼ାଇ ନେଲା ହେ
ତୁମରି ଜୀବନ ଜ୍ୟୋତି ।।
କାହିଁ ଚାଲିଗଲ ହେ ମଣ୍ଡୁକି ଆଜି
ତୁମେ ବାରେ କୃପାକର,
ବିଶ୍ୱର କଲ୍ୟାଣେ ବରଷାରାଣୀକୁ
ନିବେଦନ ଟିଏ କର ।।
ମଣିଷ ଡାକକୁ ଶୁଣୁନାହିଁ ଆଉ
ବଧିର କିବା ଶ୍ରବଣ,
ତୁମେ ନ ଡାକିଲେ ଦୁଷ୍ଟଜନ ବଞ୍ଚି
ନିରୀହ ଛାଡ଼ିବେ ପ୍ରାଣ ।।
ଚତୁର୍ଦ୍ଦିଗେ ଆଜ ହାହାକାର ଶୁଭେ
ବର୍ଷା ବିହୁନେ ଧରା,
ବେଙ୍ଗୁଲି ଡାକଲୋ ସଭିଙ୍କ କଲ୍ୟାଣେ
ବରଷାକୁ ବାରେ ତ୍ବରା ।।