ଉଠାଣି ରାସ୍ତା
ଉଠାଣି ରାସ୍ତା
ଜୋର୍ ଲଗାଇକି ଚଢ଼ିବାକୁ ହେବ
ପାହାଡ଼ ଉଠାଣି ରାସ୍ତା
ନୁହେଁ ସମତଳ ସଳଖ ସୁନ୍ଦର
ଲୋଡଇ ସାବଧାନତା ।
ବିପଦରେ ପୂର୍ଣ୍ଣ ଖାଲ ଖମା ଘାଟି
ଥାଏ ପଡ଼ିଯିବା ଭୟ
ହେଉ ପଥଚାରୀ ବାହନ ଚାଳକ
ମନ କରନ୍ତି ଏକାଗ୍ର ।
ସ୍ମରନ୍ତି ଈଶ୍ୱର ବନଦେବୀ ଦୁର୍ଗା
ତାରିଣୀ ବାଟ ମଙ୍ଗଳା
ଅରପନ୍ତି ପୂଜା ଶୁଭ ନାରିକେଳ
ପିଇ ପାଦୁକା ବା ପଣା ।
ଦୃଢ଼ ଇଚ୍ଛାଶକ୍ତି ଶୃଙ୍ଖଳା ବଳରେ
ଚଢାଣି ହୁଏ ସମ୍ଭବ
ଦୁର୍ଘଟଣା ଘଟେ ଅସତର୍କ ହେଲେ
ଜୀବନ ସଙ୍କଟାପନ୍ନ ।
ଦୁଃସମୟ କାଳ ରୋଗ ମହାମାରୀ
ଦୁର୍ବିପାକ ଅନାଟନ
ଲୋକଙ୍କ ମନରେ କୋକୁଆର ଭୟ
ଶୁଭେ ଖାଲି ହା ହା କାର ।
କଠିନ ସମୟେ ଲୋଡ଼ା ମନୋବଳ
ଦୁଃସାହସ ସାବଧାନୀ
ଧୈର୍ଯ୍ୟ ହରାଇଲେ ଯୁଦ୍ଧ ବା ବିପଦ
ପାରେ ନାହିଁ କିଏ ଜିଣି ।
ଆସନ୍ତୁ ସଭିଏଁ ହୋଇବା ସତର୍କ
ଧରାଧରି ହୋଇ ହାତ
ଉଚ୍ଚ ଉଠାଣିକୁ ଯିବା ଅତିକ୍ରମି
ଟାଳିବା ମହାବିପଦ ।
------
