ଉତ୍ସବମୁଖର !
ଉତ୍ସବମୁଖର !
ମନ ଆନନ୍ଦିତ, ଖୁସି ଅପ୍ରମିତ
କାହିଁକି ନହେବ କୁହ !
ରଜ ମଉଜର ପରବ ଆସିଛି
ସଜବାଜ କିମ୍ପା ନୂହ ?
ହୁଅ ଶୀଘ୍ର ସାଜବାଜ,
ନୂଆ ପରିଧାନେ ହୁଅରେ ଭୂଷିତ
ସଖି ଡାକେ ରଜ ରଜ ।।
ସଂକ୍ରାନ୍ତିର ଆଜି ରଜ ପରବର
ନାରୀପୋଛେ ଘରଦ୍ଵାର,
ଶୁଭାରମ୍ଭ ପରା ମିଥୁନ ମାସର
ଅନ୍ଧାରରୁ ହରବର !
ଲକ୍ଷ୍ମୀପାଦ ଚିତା ତହିଁ,
ଦିଶୁଛି ସୁନ୍ଦର ଘରଟି ତାହାର
ଗୃହ ଧର୍ମ ପର୍ବେ ଯହିଁ ।।
ସକାଳୁ ସକାଳୁ ଆମ୍ବର ତୋଟରେ
ଶୁଭୁ ଅଛି ଦୋଳି ଗୀତ,
ସଜବାଜ ହୋଇ ଚାଲ ଯିବା ଭାଇ
ଭେଟିବା ମିତ୍ର ସଙ୍ଗାତ !
ଖେଳିବା ଦୋଳି ନିଶ୍ଚିତ,
ପୁରପଲ୍ଲୀ ପରା ଉତ୍ସବମୁଖର
ବାଜୁଛି ରଜର ଗୀତ ।।
ଜମିବ ମାହୋଲ ହସ ଖୁସି ଭରା
ଦୋଳି ଖେଳ ଆୟୋଜିତ,
ଯୁବା ଓ ଯୁବତୀ ଗାଉ ଥିବେ ଗୀତ
ନାଚିବା ହୋଇ ଜଡ଼ିତ !
ଚାଲରେ ଶୀଘ୍ର ସଙ୍ଗାତ,
ଘରେ ଘରେ ପରା ପିଠାପଣା ଆଜି
ଖାଇବା ହୋଇ ସଂଯୁକ୍ତ ।।
ବର୍ଷର ଅପେକ୍ଷା କରୁଛି କୃଷକ
ବୁଣି ଅଛି ଧାନ କ୍ଷେତେ,
ପୃଥିବୀ ଶୀତଳ ପ୍ରଥମ ବର୍ଷରେ
ନୂଆ ଶସ୍ୟ ଦିଶେ ନେତେ !
ରଜସ୍ଵଳା କୁହାଯାଏ,
ପୃଥିବୀ ମାତାର ଏହୁ ଅବସ୍ଥାକୁ
ନାରୀରେ ତୁଳନା ହୁଏ ।।
ରଜ ପାନ ଖିଆ ଦୋଳିରେ ଝୁଲିବା
ଲୁଡୁ, ତାସ୍ ,ଖେଳା ରଜ,
ବନ୍ଧୁ ଶୃଙ୍ଖଳାରେ ହେବା ଶୃଙ୍ଖଳିତ
ବାଜୁଥିବ ଦୋଳି ବାଜ !
ଚାଲ ଭାଇ ହୋଇ ସଜ,
ପରିବେଶ ଆଜି ଦିଶୁଛି ସୁନ୍ଦର
ବର୍ଷାଯେ ହୋଇବ ଆଜ ।।
