Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଉତ୍କର୍ଷ କଳା

ଉତ୍କର୍ଷ କଳା

2 mins
229



କୋଣାର୍କ କାନନେ ଚନ୍ଦ୍ରଭାଗା ତୀରେ

      ଶିବିର ଥାପିଲେ ଦିନେ l

ଉତ୍କଳ ନରେଶ ଲାଙ୍ଗୁଳା ନୃସିଂହ

       କରି ବିହାର ବିଜନେ ll

ସଙ୍ଗେ ଥିଲେ ତାଙ୍କ ଶିବେଇ ସାନ୍ତରା

         ଉତ୍କଳର ମହାମନ୍ତ୍ରୀ l

ଉଷା ଉପଗତ ମହୋଦଧି କୂଳେ

       ପାହି ଆସୁଥିଲା ରାତି ll

ନରେଶ ଦେଖାଇ ମନ୍ତ୍ରୀଙ୍କୁ କହନ୍ତି

      ଦେଖୁ ଅଛ କି ଶିବେଇ l

ସାଗର ବୁକୁରୁ କି ସୁନ୍ଦର ଆହା

       ସବିତା ଆସନ୍ତି ଉଇଁ ll

ଏହା ଦେଖି ମୋର ମନେ ମନ୍ତ୍ରୀବର

        ଜାଗୁଅଛି ଏକ କଥା l

ଦେଉଳ ଗୋଟିଏ ନିର୍ମାଣ କରିବି

     ପୂଜିବି ସୂର୍ଯ୍ୟ ଦେବତା ll

ସୂର୍ଯ୍ୟ ରଥ ସମ ସେ ଦେଉଳ ହେବ

       ବିଶ୍ୱରେ ଅପୂର୍ଵ କଳା l

ଯାଅ ମନ୍ତ୍ରୀବର ଆୟୋଜନ କର

     ତିଳେ କର ନାହିଁ ହେଳା ll

ଶିଳ୍ପୀକୂଳେ ଡାକି ପରାମର୍ଶ କରି

      ଶିବେଇ କରିଲେ ସ୍ଥିର l

ଚନ୍ଦ୍ରଭାଗା ଗର୍ଭେ ପଦ୍ମତୋଳା ଗଣ୍ଡେ

      ଗଢ଼ିବେ ଦିବ୍ୟ ମନ୍ଦିର ll

ପଥର ଆଣି ସେ ଗଣ୍ଡ ପୋତାଇଲେ

        ଘଟିଲା ବଡ଼ ପ୍ରମାଦ l

ଶିବେଇ ଦେଖନ୍ତି ଭାସିଯାଏ ସବୁ

   ପଥର ଯେହ୍ନେ ବୁଦବୁଦ ll

ଅନେକ ପ୍ରୟାସ କରି ମହାମନ୍ତ୍ରୀ

      ନ ପଡ଼ି ପାରିଲା ଭିତ୍ତି l

ଶିବେଇ ବୁଲନ୍ତି ଇତସ୍ତତଃ ହୋଇ

   ଯେସନେ ପାଗଳ ହାତୀ ll

ବୁଲି ବୁଲି ଯାଇ ଏକ ବୃଦ୍ଧା ଘରେ

      ମନ୍ତ୍ରୀ ହୋଇଲେ ଅତିଥି l

ଭୋକିଲା ଅତିଥି ଯାଉ ବାଢ଼ିଦେଲେ

       ବୃଦ୍ଧା ଯତନରେ ଅତି ll

ପେଟ ଜଳୁଥିଲା ତରବର ହୋଇ

      କିଛି ନ ଚିନ୍ତି ଶିବେଇ l

ହାତ ପୋଡ଼ିଗଲା ଯହୁଁ ଦେଇଛନ୍ତି

    ଜାଉର ମଧ୍ୟେ ପୁରେଇ ll

ପାଶେ ଥିଲେ ବୃଦ୍ଧା ହସି ଦେଲେ ଅଧା

        କହନ୍ତି ମଧୁର ବାଣୀ l

ଶିବେଇ ସାନ୍ତରା ପ୍ରାୟେ କଲୁ ବାବୁ

      କିଛି ନ ପାରିଲୁ ଜାଣି ll

ଉତ୍କଳର ମନ୍ତ୍ରୀ ଗଣ୍ଡ ପୋତିବାକୁ

       ନଦୀ ମଝିରେ ପଥର l

କୂଳରୁ ବାନ୍ଧିଲେ ସିନା ପୋତା ହେବ

         ପଥର ରହିବ ଥିର ll

ସେହି ପ୍ରାୟ କଲୁ ଗରମ ଯାଉର

     ମଧ୍ୟେ ହାତ ଦେଲୁ ଭରି l

ବିଞ୍ଚି ଦେଉଅଛି ଖାଅ ଯାଉ ଏବେ

    ପାଶୁ ଧୀରେ ଥିରି ଥିରି ll

ଯାଉ ଖାଇ ସାରି ଶିବେଇ କହନ୍ତି

     ମାଆ ଦେଲୁ ମହାଶିକ୍ଷା l

ମୁହିଁ ସେହି ମୂର୍ଖ ଶିବେଇ ସାନ୍ତରା

    ଲଭିଲି ତୋଠାରୁ ଦୀକ୍ଷା ll

ଯାଉଖାଇ ଫେରି ଗଣ୍ଡ ସେ ପୋତିଲେ

       ଛିଡ଼ା ହୋଇଗଲା ଭିତ୍ତି l

ସୂରୁଜ ମନ୍ଦିର ଗଢ଼ା ହେଲା ତହିଁ

      ସଂସାରେ ଅତୁଳ କିର୍ତ୍ତୀ ll

କେତେଶ ବରଷ ବିତିଛି ସେ ଦିନୁ

      ଉତ୍କଳେ ଉତ୍କର୍ଷ କଳା l

ଚାରୁକଳା ବିଶୁ, ଧରମା, ଶିବେଇ,          

ସୂଚୀମୁନେ ଆଙ୍କି ଦେଲା l

ସୂରୁଜ ଦେବତା ଉଡ଼ି ଯାଆନ୍ତି କି

      ଗଗନେ ଚଢ଼ି ସେ ରଥ l

ସାତ ଗୋଟି ହୟ ଟାଣି ନେଉଛନ୍ତି

     କୋଣାର୍କ ବିଶ୍ୱ ବିଖ୍ୟାତ ll

ପଦ୍ମକ୍ଷେତ୍ରେ ରାଜେ ଶିଳାପଦ୍ମ ସେହି

       ସପ୍ତାଶ୍ଚର୍ଯ୍ୟ ମଧ୍ୟେ ଗଣା l

ଉତ୍କର୍ଷ କଳାର ଦେଶ ଉତ୍କଳ ମୋ

      ବିଶ୍ୱେ ବାଜଇ ବାଜଣା ll

             


Rate this content
Log in

Similar oriya poem from Inspirational