ଉତ୍କଳ ଜନନୀ ଗୀତିକା
ଉତ୍କଳ ଜନନୀ ଗୀତିକା


ଭାଷା-ଭୂମି-କଳା ଆମ ପରିଚୟ,,
ପ୍ରଥମେ ଓଡ଼ିଆ ପରେ ଭାରତୀୟ ।
ଆମରି ସଂସ୍କୃତି ଆମ ପରମ୍ପରା,
ମହାନ-ପ୍ରାଚୀନ ସୁରଭିରେ ଭରା ।
ବିଶ୍ୱ ତଡ଼ାଗର ଭାରତ କମଳ,
କମଳ ମଧ୍ୟରେ କେଶର ଉତ୍କଳ ।
ମାତୃଭୂମି ଆଉ ମାତୃଭାଷା ଦୁହେଁ,
ମାଆଠାରୁ କେହି ବଡ଼ ସାନ ନୁହେଁ ।
ସୂର୍ଯ୍ୟର କିରଣ ପ୍ରଥମେ ଯେଉଁଠି,
ପଡ଼େ ସେ ପବିତ୍ର ଓଡ଼ିଶାର ମାଟି ।
ଉଡ୍ରଦେଶ ଯିଏ ଆଜିର ଓଡ଼ିଶା,
ଉଡ୍ର ମୂଳ ଜାତି ଉଡ୍ର ମୂଳଭାଷା ।
ଜାତି ବଞ୍ଚେ ମାଟି ଭାଷାକୁ ବଞ୍ଚାଇ,
ଜାତି ଗର୍ବ କରେ ଅତୀତକୁ ନେଇ ।
ପ୍ରାଚୀନ କଳିଙ୍ଗ ସାହସୀ ଓଡ଼ିଆ,
ପ୍ରାଚୀନ ଉତ୍କଳ କଳାରେ ଆଗୁଆ ।
p>
ଧନ ପ୍ରାଣ ଦେଇ କେତେ ସୁପୁରୁଷ,
ଓଡ଼ିଶା ମାଟିର ବଢ଼ାଇଲେ ଯଶ ।
ପ୍ରକୃତିର ଥିଲା କ୍ରୁର ପରିହାସ,
ଓଡ଼ିଶାର ଦୁଃଖ ବଢ଼ିଲା ଅଶେଷ ।
ବନ୍ୟା ବାତ୍ୟା ପୁଣି ମରୁଡ଼ି ମଡ଼କ,
ଦୁର୍ଯୋଗକୁ ଥିଲେ ଦୁର୍ବଳ ଶାସକ ।
ଭାଷା ଦୋହଲିଲା ଭୂମି ଚାଲିଗଲା,
ଗରିବ ଓଡ଼ିଆ ଅନାଥ ହୋଇଲା ।
ଗୋଦାବରୀ ଯାଏ ଥିଲା ଏ' ଉତ୍କଳ,
ଯେମିତି ମହାନ ସେମିତି ବିଶାଳ ।
ଆମ ଭାଷା ଥିଲା ଅତ୍ୟନ୍ତ ପ୍ରାଚୀନ,
ଥୋକାଏ କହିଲେ ତୁମେ ଅର୍ବାଚୀନ ।
ପ୍ରାଚୀନତା ତା'ର ହୋଇଲା ପ୍ରମାଣ,
ଶେଷରେ ମାନିଲେ ଦେଶର ବିଦ୍ୱାନ ।
ଆମରି ସଂସ୍କୃତି ଆମ ପରମ୍ପରା,
ଆମ କଳାକୃତି ରୂପ ଅପାଶୋରା ।