ଉତ୍କଳ ଦୀପିକା ଓ ଗୌରୀଶଙ୍କର
ଉତ୍କଳ ଦୀପିକା ଓ ଗୌରୀଶଙ୍କର
ନଅଙ୍କ ଦୁର୍ଭିକ୍ଷ ଦାଉ ସାଜିଥିଲା ଓଡିଶା ଭିତର,
ମେରୁଦଣ୍ଡକୁ ଦୋହଲାଇ ଦେଲା ସରବ ଓଡିଆର ।
ପରିଣତ କରି ଦେଇଥିଲା ଓଡିଶାକୁ ଶ୍ମଶାନରେ,
ମଣିଷ ରହୁଥିଲେ ଅଶିକ୍ଷା ଓ ଅନ୍ଧବିଶ୍ୱାସରେ ।
ଛିନ୍ନ ବିଛିନ୍ନ ହୋଇ ପଡିଥିଲା ଆମ ଧର୍ମ ଓ ଦର୍ଶନ,
ସାହିତ୍ୟ, କଳା, ସ୍ଥାପତ୍ୟ ଏବଂ ବାଣିଜ୍ୟ ଜାଣ ।
ଯୋଜନା ଥିଲା, ବିଲୋପ ପାଇଁ ଓଡ଼ିଆ ଭାଷାର,
ଧୂର୍ତ୍ତ ବଙ୍ଗାଳୀ, ତେଲେଙ୍ଗା ଓ ହିନ୍ଦିଭାଷୀ ନରଙ୍କର ।
ଏଇ ପରିସ୍ଥିତିରେ କିଏ ଉଦ୍ଧାରିବ ଓଡିଆ ଜାତିକୁ
ଏଇ ପରିସ୍ଥିତିରେ କିଏ ଉଦ୍ଧରିବ ଓଡିଆ ଭାଷାକୁ ।
କିଏ ଦେଖାଇବ ନୂତନ ଆଲୋକ ଆମ ଓଡିଆଙ୍କୁ
ଅନ୍ଧକାରରୁ ମୁକୁଳିବା ପାଇଁ କିଏ ଯୋଗାଇବ ପଥକୁ ।
ଦୋହଲାଇ ଦେଇଛି ଇତିହାସ ପ୍ରସିଦ୍ଧ ଜାତିର ମେରୁଦଣ୍ଡକୁ,
ଓଡ଼ିଆ ଜାତି ଖୋଜି ଚାଲି ଥିଲା ଜଣେ ଜନନେତାଙ୍କୁ ।
କିଛି ଦେଖୁଥିଲେ ଓଡ଼ିଶାରେ ନବଜାଗରଣର ସ୍ଵପ୍ନକୁ,
ଜାଣିଛ କି ସେଇ କେତେ ଜଣ ଭାଷାର ପ୍ରେମୀଙ୍କୁ ।
ସେହି ଦେଶପ୍ରେମୀ, ସାହିତ୍ୟ ଓ ସଂସ୍କୃତି ପ୍ରେମୀ ଗଣ,
ଚିନ୍ତା କରିଥିଲେ ମୋ ଜନ୍ମଭୂମିର କିଛି ଯୁବଓଡ଼ିଆ ଜାଣ ।
୨୬ ବର୍ଷୀୟ କର୍ମବୀର ଯୁବକ ଗୌରୀଶଙ୍କରଙ୍କ ଚେଷ୍ଟାରେ,
ବାହାରିଲା ଉତ୍କଳ ଦୀପିକା ୧୮୬୬ ଅଗଷ୍ଟ ୪ ତାରିଖରେ।
ଓଡିଶା ଭୁଖଣ୍ଡର ଆକାଶରେ ନୂତନ ସୁରୁଜଟିଏ ଉଇଁଲା,
ଶିକ୍ଷିତ, ମଧ୍ୟବିତ୍ତ ଶ୍ରେଣୀ, ସଂଘ ସମିତିର ଆବିର୍ଭାବ ହେଲା ।
ଗଢିଉଠିଲା ଅନେକ ଅନୁଷ୍ଠାନ ଓଡିଶା ଗାଁ ଗଳି ଭିତର
ଆରମ୍ଭ ହେଲା ଭାଷାପ୍ରୀତି, ଉତ୍କଳପ୍ରୀତି ରେନେସାଁ ଯୁଗର ।
