ଉତ୍କଳ ବ୍ୟାସ
ଉତ୍କଳ ବ୍ୟାସ
କବିତା - ଉତ୍କଳ ବ୍ୟାସ
ରଚନା - ପଞ୍ଚାନନ ଜେନା
ତାରିଖ -16-01-2026
++++++++++++++++
ହେ ! ମଲ୍ଲୀକାଶପୁର ମାଟିର ପୁଅ
ମୁକୁଟ ବିହୀନ ସାହିତ୍ୟ ସେନାପତି
ତୁମ ଚରଣ କମଳରେ ଭକତି ପ୍ରଣତି
ହେ ! ଉତ୍କଳର ବ୍ୟାସ
ଆଉଥରେ ଅବତରି ଆସ
ଦେଖିବାକୁ ଥରେ କର ହେ ପ୍ରୟାସ
ତୁମେ ଗଢିଥିବା ସେହି କାବ୍ୟ କୋଣାର୍କର
ଭଗ୍ନଶିଳା
ତଳେ ଚାପିଥିବା ଉଷ୍ମ ଅବଶୋଷ
ହେ ! ବ୍ୟାସକବି ପ୍ରଣମ୍ୟ ପ୍ରଣମାମୀ
ଭୂଷଣ୍ଡ କାକ ମୁଁହରୁ ଶୁଣିବ
ପ୍ରାଚୀନ କୁର୍ମ ପାଖରୁ ଜାଣିବ
ଆଜି ବି ରେବ ରେବି ରେବତୀ ବଞ୍ଚିଛି
ସମସ୍ୟା ଝୁଲଣାରେ ଝୁଲୁଛି ଯେ ଝୁଲୁଛି
ଜେଜେମା'ର ଗଞ୍ଜଣା ଓଲୁଗୁଣାରେ ସନ୍ତୁଳୁଛି
ପୁରୁଷ କୌନ୍ଦ୍ରିକ ସମାଜ ବ୍ୟବସ୍ଥାରେ
ଭାଷା ମୁଁହରେ ତୁଣ୍ଡି ପିନ୍ଧିବାକୁ ବାଧ୍ୟ ହେଉଛି
ହେ ! ସମର୍ଥ ସେନାପତି
ନାରୀ ପ୍ରାଧାନ ସୃଷ୍ଟିର ସ୍ରଷ୍ଠା ସ୍ଥପତି
ଘୋର ଅନୁତାପର ବିଷୟ
ବଦଳିନି ସେମାନଙ୍କର ଚିତ୍ର କତିପୟ
ନାରୀ ଥିଲା ଲାଞ୍ଛିତ ଉପେକ୍ଷିତ
ଆଜି ବି ନିଷ୍ପେଷିତ ଅସୁରକ୍ଷିତ
ଆଜି ବି ଛମାଣ ଆଠଗୁଣ୍ଠର ସାହୁ ମଙ୍ଗରାଜ
ଲୁଣ୍ଠନ କରୁଛି ସାରିଆ ଭଗିଆ ମାନଙ୍କୁ ଅତିଶୟ
ହେ ! ସାହିତ୍ୟ ସାରଥୀ
ଓଡିଆ ଭାଷା ଆନ୍ଦୋଳନର ଦଧିଚୀ
ତୁମ ଲେଖନୀ ଆଣିଥିଲା ବିପ୍ଳବର ସ୍ଫୁଲିଙ୍ଗ
ଓଡ଼ିଆ ଗୋଟେ ଭାଷା ନୁହଁ ବିରୁଦ୍ଧରେ ଜଗେଇଥିଲା
ନିଘୋଡ଼ ନିଦରେ ଶୋଇଥିବା ଓଡିଆ ଜାତି ପୁଙ୍ଗବ
ସମୟର ଗୁରୁ ଆହ୍ଵାନ
ବନ୍ଦେ ଉତ୍କଳ ଜନନୀର କରୁଣ କ୍ରନ୍ଦନ
ବିଦେଶୀ ଭାଷାର କବଳେ ପଡି ଛଟ ପଟ ଲହୁ ଲୁହାଣ
ଆଉ ଥରେ ଦରକାର
ବିଦ୍ରୋହ ବିପ୍ଲବ ନୂଆ ଉନ୍ମାଦ
ମନ ଚେତନାରେ
ଶବ୍ଦ ଚୟନରେ
ଭାଷା ବିନ୍ୟାସରେ
ଅର୍ଥ ବ୍ୟୁପତ୍ତିରେ
"ଗୋପାଳ " ମାନଙ୍କୁ ବାଟକୁ ଆଣିବାକୁ
ସମୟ କହୁଛି ଶ୍ରୀଗଣେଶ କର ହେ ଶଙ୍ଖନାଦ
