STORYMIRROR

Gargi Mishra

Romance Classics Fantasy

4  

Gargi Mishra

Romance Classics Fantasy

ଉର୍ମି

ଉର୍ମି

1 min
342

କହିପାରିବ କେବେଠୁଁ ସମୁଦ୍ରେ ଉଠୁଛି ଉର୍ମି

ସିନ୍ଧୁ ଶରମୀଲେ ଚାନ୍ଦ କାହିଁଯାଏ ନରମି

ସୁଧାକର ହୁଏ କାହିଁ ସାଗର ମନସ୍ୟ 

ବେଳାଭୂମି ତୋର ରେଣୁ ରେଣୁରେ ରହସ୍ୟ ।


ଛାତିପରୁ ନୀଳ ନୀଳ ଚାଦର ଉତାରି

ଶୁଭ୍ର ଟଳ ଟଳ ଜୋଛନାରେ ଭରି 

ସୁକ୍ଷ୍ମ ତାରକସୀ ପିଆଲାଟିଏ ଯେ 

ସିନ୍ଧୁକୁ ପାତି ଦିଏ ।


ପିଆଲାଛୁଇଁ ଜୋତ୍ସ୍ନା ବହେ ଢଳି ଢଳି

ରହିଛି ଏ ରାତି କେତେ ଜଳି ଜଳି 

ସୁପ୍ତସିନ୍ଧୁପରେ ଗୁପ୍ତଖୁସିର

ତରଙ୍ଗ ସଞ୍ଚରି ଯାଏ ।


ଆକାଶବି ଦେଖ ଉଲ୍ଲସିତ ହୋଇ

ଇନ୍ଦ୍ରଧନୁ ଆଙ୍କେ ପୁଲକିତ ହୋଇ

ତାରାଫୁଲ ଶାଢ଼ୀ ଆଲଣାରୁ କାଢି 

ପଣତେ ସ୍ନେହ ଖେଳାଏ ।


ଆହାଃ କେଡେ ଅଦ୍ଭୁତ, କେଡେ ଅନୁପମ 

ସତ କହ...ସତ କହ ନା ଏ ଜହ୍ନ

ଦିବ୍ୟ ମୁଖକୁ କିଏସେ ତୋହର

ନିଦେ ଚୁମି ଚୁମି ଯାଏ ।


କହହେ ସାଗର କେଉଁ ନିଶାଖୋର

ମତ୍ତଗଜ ପରି ପାଖେବୁଲେ ତୋର

ବିନିଦ୍ର ରଜନୀ କଡ଼ ଲେଉଟାଏ 

କାହିଁ ଢେରରାତି ଯାଏ ।


ଫାନ୍ଦି ଫୁନ୍ଦି କରି ଶାମୁକାକୁ ଗୁନ୍ଥି

କଥାରେ କଥାରେ ଜଳରାଶି ମନ୍ଥି

ଆତ୍ମତୃପ୍ତିଟିଏ ଗଳାରେ ତୋହର

ବାନ୍ଧି ଛନ୍ଦି ଦେଇଯାଏ ।


ଚପା ଗୁଂଜରଣେ ହସୁଥାନ୍ତି ତାରା

ଉନ୍ମାଦନା ଉର୍ମି ଆକାଶଟା ସାରା

ଶିହରେ ସିନ୍ଧୁର ଶିରା ଓ ପ୍ରଶିରା

ଜରୁରୀ ତ କିଛି ନଥାଏ ।


ଲୁଚାଇ ରଖେ ସ୍ମୃତି ପାହାଡ଼ ଖୋଲରେ

ତରଳି ଯିବ କାଳେ ଗରମ ଝୁଲରେ 

ସୁରୁଜ ଦିନରେ ମୁରୁଜ ବୁଣିଲେ 

ଉର୍ମି ଅପସରି ଯାଏ ।


ବାଦଲ ଢାଙ୍କିଲେ ଶ୍ରୀମୁଖ ତୁମର

କାହିଁକି କେଜାଣି କୁହ ଶଶଧର

ଡାକି ଡାକି ବନ୍ଧୁ ଶୁଣେନାହିଁ ସିନ୍ଧୁ

କେତେଯେ ମୁହଁ ଫୁଲାଏ ।


ରୂପା ବିନ୍ଦୁଟିଏ ତୁମେ ଆକାଶର

ମାଡେ କାହିଁ ତେବେ ସ୍ନେହର ଜୁଆର 

ଚାନ୍ଦର ତେବେ ସିନ୍ଧୁ ଉପରେ 

କି ଅଧିକାର ଗୋ କି ଅଧିକାର ।


କେବେ କେବେ ଲାଗେ ଜହ୍ନଟାବି ବୋକା 

ପ୍ରତିଶୃତି ଲାଗେ ସୁଦୁ ଏକ ଧୋକା

ଲବଣାକ୍ତ ସିନ୍ଧୁ ପୂର୍ଣମୀରେ କାହିଁ 

ମିଠା ମିଠା ହୋଇଯାଏ ।


Rate this content
Log in

Similar oriya poem from Romance