ଉର୍ମି
ଉର୍ମି
କହିପାରିବ କେବେଠୁଁ ସମୁଦ୍ରେ ଉଠୁଛି ଉର୍ମି
ସିନ୍ଧୁ ଶରମୀଲେ ଚାନ୍ଦ କାହିଁଯାଏ ନରମି
ସୁଧାକର ହୁଏ କାହିଁ ସାଗର ମନସ୍ୟ
ବେଳାଭୂମି ତୋର ରେଣୁ ରେଣୁରେ ରହସ୍ୟ ।
ଛାତିପରୁ ନୀଳ ନୀଳ ଚାଦର ଉତାରି
ଶୁଭ୍ର ଟଳ ଟଳ ଜୋଛନାରେ ଭରି
ସୁକ୍ଷ୍ମ ତାରକସୀ ପିଆଲାଟିଏ ଯେ
ସିନ୍ଧୁକୁ ପାତି ଦିଏ ।
ପିଆଲାଛୁଇଁ ଜୋତ୍ସ୍ନା ବହେ ଢଳି ଢଳି
ରହିଛି ଏ ରାତି କେତେ ଜଳି ଜଳି
ସୁପ୍ତସିନ୍ଧୁପରେ ଗୁପ୍ତଖୁସିର
ତରଙ୍ଗ ସଞ୍ଚରି ଯାଏ ।
ଆକାଶବି ଦେଖ ଉଲ୍ଲସିତ ହୋଇ
ଇନ୍ଦ୍ରଧନୁ ଆଙ୍କେ ପୁଲକିତ ହୋଇ
ତାରାଫୁଲ ଶାଢ଼ୀ ଆଲଣାରୁ କାଢି
ପଣତେ ସ୍ନେହ ଖେଳାଏ ।
ଆହାଃ କେଡେ ଅଦ୍ଭୁତ, କେଡେ ଅନୁପମ
ସତ କହ...ସତ କହ ନା ଏ ଜହ୍ନ
ଦିବ୍ୟ ମୁଖକୁ କିଏସେ ତୋହର
ନିଦେ ଚୁମି ଚୁମି ଯାଏ ।
କହହେ ସାଗର କେଉଁ ନିଶାଖୋର
ମତ୍ତଗଜ ପରି ପାଖେବୁଲେ ତୋର
ବିନିଦ୍ର ରଜନୀ କଡ଼ ଲେଉଟାଏ
କାହିଁ ଢେରରାତି ଯାଏ ।
ଫାନ୍ଦି ଫୁନ୍ଦି କରି ଶାମୁକାକୁ ଗୁନ୍ଥି
କଥାରେ କଥାରେ ଜଳରାଶି ମନ୍ଥି
ଆତ୍ମତୃପ୍ତିଟିଏ ଗଳାରେ ତୋହର
ବାନ୍ଧି ଛନ୍ଦି ଦେଇଯାଏ ।
ଚପା ଗୁଂଜରଣେ ହସୁଥାନ୍ତି ତାରା
ଉନ୍ମାଦନା ଉର୍ମି ଆକାଶଟା ସାରା
ଶିହରେ ସିନ୍ଧୁର ଶିରା ଓ ପ୍ରଶିରା
ଜରୁରୀ ତ କିଛି ନଥାଏ ।
ଲୁଚାଇ ରଖେ ସ୍ମୃତି ପାହାଡ଼ ଖୋଲରେ
ତରଳି ଯିବ କାଳେ ଗରମ ଝୁଲରେ
ସୁରୁଜ ଦିନରେ ମୁରୁଜ ବୁଣିଲେ
ଉର୍ମି ଅପସରି ଯାଏ ।
ବାଦଲ ଢାଙ୍କିଲେ ଶ୍ରୀମୁଖ ତୁମର
କାହିଁକି କେଜାଣି କୁହ ଶଶଧର
ଡାକି ଡାକି ବନ୍ଧୁ ଶୁଣେନାହିଁ ସିନ୍ଧୁ
କେତେଯେ ମୁହଁ ଫୁଲାଏ ।
ରୂପା ବିନ୍ଦୁଟିଏ ତୁମେ ଆକାଶର
ମାଡେ କାହିଁ ତେବେ ସ୍ନେହର ଜୁଆର
ଚାନ୍ଦର ତେବେ ସିନ୍ଧୁ ଉପରେ
କି ଅଧିକାର ଗୋ କି ଅଧିକାର ।
କେବେ କେବେ ଲାଗେ ଜହ୍ନଟାବି ବୋକା
ପ୍ରତିଶୃତି ଲାଗେ ସୁଦୁ ଏକ ଧୋକା
ଲବଣାକ୍ତ ସିନ୍ଧୁ ପୂର୍ଣମୀରେ କାହିଁ
ମିଠା ମିଠା ହୋଇଯାଏ ।

