ଉଜୁଡା ମନର ଗୀତ
ଉଜୁଡା ମନର ଗୀତ
ସପନ ଜଳିଛି ଶବଟିଏ ହୋଇ
ପଡ଼ିଛି ପାଉଁଶ ଖାଲି
ପାଉଁଶ ଗଦାର ପାଖେ ବସି ଦେଖ
ଉଦାସ ପଡ଼ୁଛି ଉଛୁଳି ।
ଉଜୁଡ଼ା ମନର ଗୀତ ଶୁଭୁଅଛି
ଚାଷୀର ଉଜୁଡା କ୍ଷେତେ
ନିଃଶବ୍ଦ କାନ୍ଦଣା ଛାତି ଧରା କୋହେ
ହିଡ ମୁଣ୍ଡେ ମଥା ପିଟେ ।
ଫସଲ କିଆରୀ ଶୂନ୍ୟ ହୋଇ ଅଛି
ଶ୍ରୀହୀନ ସବୁଜ କ୍ଷେତ
ଆଶା ବୈତରଣୀ ଶୁଖି ଯାଇଅଛି
ଶୁଭୁଛି ଉଜୁଡା ଗୀତ ।
ଉଜୁଡ଼ା ମନର ଗୀତ ଶୁଭୁଅଛି
ଦାଦନ ଖାଦାନ ପାଶେ
ସଂସାର ର ଭାର ବୋହି ନ ପାରି ସେ
ଆଶ୍ରୟ ଖୋଜେ ସାହସେ ।
କେତେ ଅପମାନ କେତେ ଅସମ୍ମାନ
କେତେ ଯେ ଟାହି ଟାପରା
ଉଜୁଡ଼ା ମନର ବ୍ୟଥା କେ ବୁଝିବ
ଆଜି ସିଏ ଘରଛଡା ।
ଉଜୁଡା ମନର ଗୀତ ଶୁଭୁଅଛି
ବୈଧବ୍ୟର କାରୁଣ୍ୟ ରେ
ହଜି ଯାଇଛି ତା ଶଙ୍ଖା ଓ ସିନ୍ଦୁର
ମନେ ମନେ ଝୁରି ମରେ ।
ବାହାବେଦୀ ସ୍ୱପ୍ନ ଶ୍ମଶାନେ ଝୁଲଇ
ପାଉଁଶ ସାଉଁଟି ଖୋଜେ
ସବୁ ରଙ୍ଗ ଆଜି ବେରଙ୍ଗ ହୋଇଛି
ଲୁହରେ ଅଗଣା ଭାସେ ।
ଉଜୁଡ଼ା ମନର ଗୀତ ଶୁଭୁଅଛି
ଦୁର୍ଘଟଣା ସ୍ଥଳେ ସ୍ଥଳେ
ପିତା ମାତା ଆଗେ ସନ୍ତାନ ପଳାଏ
କାନି ଭିଜେ ଆଖି ଜଳେ ।
ସନ୍ତାନର ସ୍ଵର ଆଉ ଶୁଣିବନି
ଶୁଣିବନି ତାର ଅଳି
ବାପା ପାଶେ ଅଳି କରି କହିବନି
ବାପା ମନ ଯାଏ ଜଳି ।
ଉଜୁଡ଼ା ମନର ଗୀତ ଶୁଭୁଅଛି
ପ୍ରେମ ନଦୀ ତୀର ଧାରେ
ପ୍ରତାରିତ ହୋଇ ପ୍ରେମ ଯମୁନାର
ବେଦନାର ଲୁହ ଝରେ ।
ଉଜୁଡ଼ା ମନର ଗୀତ ଶୁଭୁ ଅଛି
ବୃଦ୍ଧାଶ୍ରମ ବାରଣ୍ଡାରୁ
ଫଳନ୍ତି ସମୟ ଚାଲି ଯାଇଅଛି
ଝୁରୁଛି ଯେ ହୃଦୟରୁ ।
ଆଶାବାଡି ତାକୁ ନିରାଶା କରିଛି
ମମତା ଗୁମୁରି କାନ୍ଦେ
ଯନ୍ତ୍ରଣା ଦଗ୍ଧ ତା ବ୍ୟଥିତ ପରାଣ
ସ୍ମୃତିରେ ନିଜକୁ ଛନ୍ଦେ ।
ନିଜ ପେଟ କାଟି ଦେଉଥିଲା ସିନା
ଆଜି ତା ପେଟ ଅପୋଷା
ଗୋଟେ ପେଟ ପାଇଁ ଅସମର୍ଥ ବୋଲି
ମିଳେ ତାକୁ କଟୁ ଭାଷା ।
ଯେ ଦିଗେ ଚାହିଁବ ସେ ଦିଗେ ଶୁଭୁଛି
ଉଜୁଡା ମନର ଗୀତ
ଉଜୁଡ଼ା ମନକୁ ସଜାଡିବା ପାଇଁ
ନେବା ଟିକେ ପଦକ୍ଷେପ ।
ଅର୍ଥ ନଥିଲେ ବି ସାଥ ଦେଇକରି
ଦୁଃଖ କିଛି ବାଣ୍ଟି ନେବା
ମନୋବଳ ଦେଇ ବିଶ୍ୱାସ ଜଗାଇ
ଜୀବନ ଗୀତି ଗାଇବା ।
ଜୀବନ ଗୀତିର ଛନ୍ଦରେ ଛନ୍ଦରେ
ମନୋଭୂମି ଚଷି ନେବା
ପାଖେ ଛିଡା ହୋଇ ପିଠି ଥାପୁଡେଇ
ସାହସ ଯେ ଭରି ଦେବା ।
ଉଜୁଡା ମନଟି ସଜାଡି ହୋଇବ
ସପନ ଜାଗି ଉଠିବ
ଆତ୍ମସନ୍ତୋଷର ସୁଖ ସାଉଁଟିବା
ଜୀବନ ସାର୍ଥକ ହେବ ।
