STORYMIRROR

Anupama Sahu

Abstract

4  

Anupama Sahu

Abstract

ତୁଠ ପଥର

ତୁଠ ପଥର

1 min
241


କାଚ ପାଣି ଧାରେ  ତୁଠ ପଥର ମୁଁ 

   ପଡିଛି ବରଷ ମାସ 

କେତେ ଇତିବୃତ୍ତି  ଜାବୁଡି ଧରିଛି 

   ଅପାସୋରା ଇତିହାସ।୧।

ସାଇତିଛି କେତେ  ନହୁଲି ପାଦର 

   ନାଲି ଅଳତାର ଗାର 

ଶୁଣିଛି ମୁଁ କେତେ  ପ୍ରେମାଳାପ ପୁଣି 

   ସେନେହ ପ୍ରେମ ପତର। ୨।

କଅଁଳ ବୟସୀ  ପିଠିରେ ମୋ ବସି 

 ପ୍ରୀତିକାବ୍ୟ କେତେ ଲେଖେ 

କୁଆଁରୀ ଆଖିରେ  ସଜାଏ ସପନ 

   ନୀରବରେ ମୁହିଁ ଦେଖେ। ୩।

କୁଳବଧୂ ଦେହ  ପଖାଳୁ ପଖାଳୁ 

    କହେ ତା ହୃଦୟ କଥା

କାନ ନଥାଇ ବି  ଶୁଣିଛି ମୁଁ କେତେ 

    ଦରଦୀ ମନର ବ୍ୟଥା। ୪।

କେତେ ରାଗରୁଷା  ମାନ ଅଭିମାନ

    କେତେ ଯେ ମିଳନ ପ୍ରୀତି 

ବିରହ ଟା ପୁଣି    ବିଷର୍ଣ୍ଣ ବିବର୍ଣ୍ଣ 

     ମନେ ମୋ ଭରଇ ଭୀତି।୫।

କେତେ ସ୍ମୃତି ଏଇ   ମନରେ ରଖିଛି 

     କେହି ତ ଜାଣନ୍ତି ନାହିଁ 

ନିର୍ଜନରେ କେତେ   ଲୁହ ମୁଁ ଝରାଏ 

     କେବଳ ଜାଣିଛି ମୁହିଁ। ୬।

ସବୁ ମୁଁ ଶୁଣିଛି     ସବୁ ମୁଁ ଦେଖିଛି      

      ରହିଛି କେତେ ମୁଁ ସାକ୍ଷୀ 

ପ୍ରତିବାଦ କେବେ  କା' ଆଗେ କରିନି 

   ହୃଦୟେ ଦେଇଛି ରଖି ।୭।

ରାଗ ଅନୁରାଗ   ଯୋଗ ଅନୁଯୋଗ 

   ଲୀନ ହୁଏ ସମୟରେ 

ପଥର ହେଲେ ବି  ମନକୁ ମୋହର 

    କେହି ବୁଝିଲେନି ଥରେ। ୮।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract