ତୁମକୁ ଚାହିଁଛି
ତୁମକୁ ଚାହିଁଛି
ଅଳସୀ ଆଖିରେ ତୁମକୁ ଚାହିଁଛି
କଳସେ ସପନ ବୁଣି .
ମୁରୁକି ହସିଲ ନାଲିଆ ଅଧରେ
କରିଦେଲ ପ୍ରଭୁ ଗୁଣୀ ।
ଭୁଲିଗଲି ମୋର ବନ୍ଧୁ ପରିଜନ
ଭୁଲିଲି ମୋ ପରିବାର.
ନିଜଠୁ ନିଜର ଲାଗିଲ ପ୍ରଭୁ ହେ
ତୁମେ ମୋର ଆପଣାର ।
ଆହେ ପରଂବ୍ରହ୍ମ ତୁମେ ଅନୁପମ
ସର୍ବ ସୁଷମା ବାନ୍ଧି ରଖିଛ.
ଅଧା ଗଢ଼ା ସିନା ଶରୀର ତୁମର
ଲାବଣ୍ୟରେ ପୁରି ଉଠୁଛ ।
ସୁନ୍ଦର ଠାରୁ ତ ଆହୁରି ସୁନ୍ଦର
ତୁମ କମଳ ଆନନ .
ଲକ୍ଷେ ଶତଦଳ ଝାଉଁଳି ପଡନ୍ତି
ଦେଖିଲେ ତୁମ ବଦନ ।
କଳା ମେଘ ଠାରୁ ଆହୁରି କାଳିଆ
ନୀଳ ନବଘନ ରୂପ
ନୀଳୁ ନୀଳତର ସେ ରୂପ ସମ୍ଭାର
ନିଷ୍ପ୍ରଭ ହୁଅଇ ଦୀପ ।
ଅଧା ଚାନ୍ଦ ହସ ରଙ୍ଗ ଅଧରରେ
ଜବା ପୁଷ୍ପ ସରି ନୁହେଁ
ଭ୍ରୂଲତା ସୁନ୍ଦର କାମଦେବ ଧନୁ
ଦେଖିଲେ ଲାଜେଇ ଯାଏ ।
ନାସାରେ ବସଣୀ କପାଳେ ଅଳକା
ଜକଜକ ଦିଶୁଥାଏ
ଇନ୍ଦ୍ର ନୀଳମଣି ସୁବର୍ଣ୍ଣ ଚିତାରେ
ହୀରକ ଝଟକୁଥାଏ ।
କଞ୍ଚା ହଳଦୀକୁ ନିନ୍ଦିଛି ବସନ
ପିତାମ୍ବରୀ ଶୋଭାପାଏ
କି ଉପମା ଦେବି ତୋତେ ରେ କାଳିଆ
ଭାଷା ମୋର ହଜିଯାଏ ।
ସର୍ବାଙ୍ଗ ସୁନ୍ଦର କେଡେ ମନୋହର
ଫେରୁନି ମୋର ନୟନ
ତୋତେ ମୁଁ ଚାହିଁଛି ଚାହିଁ ରହିଥିବି
ଯିବା ଯାଏଁ ମୋ ଜୀବନ ।
