STORYMIRROR

Upendra prasad Mahala

Romance Inspirational

4  

Upendra prasad Mahala

Romance Inspirational

ତୁମେ

ତୁମେ

1 min
263


ତୁମ କଣ୍ଠ ସ୍ବରରେ କି 
ଯାଦୁ ଥାଏ କେଜାଣି !!
ପୂର୍ବାଳି ପବନ ଭଳି
ମୋତେ ପାଗଳ କରେ
ଧାଇଁ ଆସି 'ଓ' କରେ।
ଆପଣାର ଭାବଟିଏ
ଆଉଁସି ଦିଏ ଦିହହାତ ।


ତୁମ ଓଠର ଦରଦୀ ଭାଷାରେ
କେତେ ମିଠା ଥାଏ କେଜାଣି !!
ଧ୍ବନି ତରଂଗ ଚହଟି ଉଠେ 
ଛାତିକୁ ଓଦାଓଦା କରେ
ଉଦାସୀ, ଶୁଖିଲା ମନକୁ
ମଧୁର ଭାବନାରେ ଭିଜାଏ,
ଶ୍ବେତା ଦିଶୁଥିବା ମୁହଁରୁ
ଝରୁଥିବା ଝାଳ ଶୁଖିଯାଏ
ଅଜଣା ସମ୍ମୋହନରେ ।


ସେ ସ୍ୱର ପ୍ରତିଧ୍ୱନି ତୋଳୁ
ଥାଏ ମୋ ଆତ୍ମାରେ ।
କେବେ କେବେ ସେ ସ୍ୱର
ଧ୍ୟାନ ଭାଙ୍ଗି ତପସ୍ୱୀରୁ
ସଂସାରୀ ସଜାଏ ମୋତେ
ସମ୍ମୋହିତ ନାଗ ଭଳି
ମୁଁ ଫଣାଟେକି ଶୁଣୁଥାଏ
ଭାବର ପଦ୍ମତୋଳା 
ହେତୁ ନ ଥାଏ !!


ମନର ଦୁଃଖକୁ ଲୁଚାଇ
ପାଦକୁ ପାଦ ମିଳାଇ 
ଚାଲୁଥାଅ ତୁମେ ସଖୀ 
ଜୀବନ ଅରମା ବାଟରେ ।
ଏତେ ଦୁଃଖରେ କେମିତି 
ହସିପାର ମନଖୋଲି ସ୍ବାନ୍ତନା 
ଦେବାକୁ ମୋତେ, କୁହନା ।


ସେ ହସରେ କି ଶକ୍ତି ଥାଏ 
କେଜାଣି !! ଶତ ଚନ୍ଦ୍ର ଉଇଁ
ଆସି ଜ୍ୟୋତ୍ସ୍ନା ଢାଳିଦିଏ
ଅନ୍ଧାରୀ ହୃଦୟ ଗୁମ୍ଫାରେ ।
ତୁମେ ହସିଦେଲେ କ୍ଷେତବାଡ଼ିକୁ
ଫେରେ ଜୀବନଜୀବିକା ।
ରଙ୍ଗ ବଦଳାଏ ଋତୁ
ନଈରେ ଭରିଯାଏ ପାଣି
ଭାସିଉଠେ ଜୀବନ ଡଙ୍ଗା ।
ଘର ବଗିଚାରେ କୁମାରୀ 
ଫୁଲକଡି ପାଖୁଡା ମେଲାଏ।


ତୁମ କଜ୍ୱଳ ଲଗା ଆଖିରେ
କି କିମିଆ ଥାଏ କେଜାଣି !!
ମୃଦୁ ପଲକରେ ଫୁଟିଉଠେ
ସଂସାରର ଅନିନ୍ଦ୍ୟ ଶୋଭା 
ମନକୁ ରୋମାଞ୍ଚିତ କରେ।
ମେଘ କୋଳେ ଚମକି ଉଠେ 
ନିଦ୍ରିତ ବିଜୁଳି । ମାଟିରେ 
ଫୁଲ ବର୍ଷା କରେ ଆକାଶ।
ଚାଷ ଲାଗି ମୁଁ ପାଗ ଭିଡେ।


କିଛି କହିବା ଆଗରୁ ତୁମ
ଆଖିର ନିରବ ଭାଷାକୁ
ପଢିପାରେ ସହଜରେ ।
ସହି ପାରେନା ସେ ଆଖିରେ
ଟୋପାଏ ଲୁହ, ଯାହା ମୋତେ 
ଭସାଇ ନିଏ ମଝି ସମୁଦକୁ 
ଭାରି କାନ୍ଦକାନ୍ଦ ଦିଶେ
ଗାଆଁର ଦୃଶ୍ୟମାନ ପୃଥିବୀ 
ନଈପଠା ଓ ବିଲବାଡି ।


ବହି ଆସେ ପୂର୍ବାଳି ବାଆ
ଝିପିଝିପି ବର୍ଷା ସାଥିରେ।
ଜାଲରେ ପଡୁଥାନ୍ତି ଇଲିସି
ତୁମ କାନ୍ଦ ବଦଳିଯାଏ 
ହସରେ, ହସରେ।
ଡଙ୍ଗା ଭାସୁଥାଏ ନଈରେ।
ମୁହାଣର ସୌନ୍ଦର୍ଯ୍ୟରେ 
ହଜୁଥାଅ ତୁମେ।


ତୁମ ଦେହର କାନ୍ତିରେ କି 
ଆକର୍ଷଣ ଥାଏ କେଜାଣି !! 
ବାପଘରୁ ଫେରିଥିବା
ନୂଆବୋହୂ ଭଳି ଅତର, 
ପାଉଡରରେ ମହକେ 
ଗାଁ ଦାଣ୍ଡ, ଘର ଅଗଣା ।
ସାଦାସିଧା ଫ୍ରକପିନ୍ଧା ଝିଅଟେ
ଭଳି ତୁମେ ଘୂରୁଥାଅ
ମୋ ଚାରିପାଖେ। 

ଦୂରରୂ ଦିଶେ ସବୁଜ ଧାନକ୍ଷେତ 
ପବନ ଢେଉରେ ଲହଢି 
ଭାଙ୍ଗୁଥାଏ ଗାଆଁ ବିଲରେ।
ମୁଁ ଅପେକ୍ଷାରେ ବସିଥାଏ ।
ମୁଣ୍ଡରେ ଭାତକଂସା,କାଖରେ
ପାଣି ନୋଟା ଧରି ତୁମେ
ଚାଲି ଚାଲି ଆସୁଥାଅ
ସରୁ ସରୁ ହିଡରେ ।
ଚାହିଁ ରହି ଧାନକ୍ଷେତ 
ତୁମ ଭଳି ହସୁଥାଏ।


*******



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance