ତୁମେ ଥରେ ବୁଝନ୍ତନି ? (କବିତା)
ତୁମେ ଥରେ ବୁଝନ୍ତନି ? (କବିତା)
ତୁମେ ଥରେ ବୁଝନ୍ତନି ? (କବିତା)
ମୁଁ ତ ପାଗଳି ଟେ ,
ମୋତେ ଭଲ ଲାଗେ ତୁମର ସବୁକିଛି !
ତୁମ ଅଇଁଠା ଥାଳି , ପାଲଟା ଲୁଗା , ତୁମ ବଗିଚାର ଶୁଖିଲା ପତ୍ର , ଆଉ ଅପେକ୍ଷାରତ ଏ ଦାଣ୍ଡ ଦୁଆର ଟା ବି ,
ସକାଳୁ ସଞ୍ଜ ଯାଏ ଏସବୁର ଖିଦମତ କଲା ବେଳେ ଭୁଲିଯାଏ ମୁଁ ସମୟକୁ ଯୋଡିବାକୁ ।
ହେଲେ ତୁମେ ତ ପକ୍କା ହିସାବୀ ,
ମୋ ପାଗଳାମିର ପାଉଣା ମୁଁ ଠିକ ଭାବେ ପାଏ କି ନା , ତୁମେ ଟିକେ ବୁଝନ୍ତନି ?
ମୁଁ ତ ବାୟାଣୀଟେ ,
ମୋତେ ଭଲ ଲାଗେ ତୁମର ସବୁକିଛି ,
ତୁମ ବାପା ବୋଉ , ଭଗ୍ନୀ ଭ୍ରାତା , ବନ୍ଧୁ ପରିଜନ , ଆଉ ସେ ଦାନ୍ତ ନିକୁଟୁ ଥିବା ପୋଷା କୁକୁର ଟା ବି ।
ସେମାନଙ୍କୁ ନିଜ ବାତ୍ସଲ୍ୟ ର ପରିଧି ରେ ବାନ୍ଧି ରଖିଲା ବେଳେ ଭୁଲିଯାଏ ମୁଁ ପାଦ ରଖିବାକୁ , ମୋ ବାପ ଘର ଅଗଣାରେ ।
ସେକଥା କଣ ,
ତୁମେ ଥରେ ବୁଝନ୍ତନି ?
ମୁଁ ପୁରାପୁରି ହୁଣ୍ଡି ଝିଅ ଟେ ।
ମୋତେ ଭଲ ଲାଗେ ତୁମର ସବୁକିଛି
ତୁମ ଦୁଃଖ , ତୁମ ସୁଖ , ହସ ଲୁହ , ମାନ ଅଭିମାନ ଆଉ କ୍ରୋଧ ଭରା ଚିତ୍କାର ଟା ବି ।
ସେସବୁ ଭିତରେ ହଜି ଯାଇ , ମୁଁ ପୀଡା ଭିତରୁ ବି ଖୋଜି ଆଣେ ତୁମ ପାଇଁ ସ୍ନେହ ଭରା ସନ୍ତକ ଟିଏ ।
ଏତିକି କଥା ,
ତୁମେ କଣ ବୁଝନ୍ତନି ?
ମୁଁ ତ ସ୍ନେହ ରଙ୍କୁଣୀ ଟେ ,
ମୋତେ ଭଲ ଲାଗେ ତୁମର ସବୁକିଛି ।
ତୁମ ଗାଁ , ତୁମ ସ୍ମୃତି , ତୁମ ପ୍ରେମ ତୁମ ପ୍ରୀତି ଆଉ ଅଳ୍ପ ଅଳ୍ପ ଘୃଣା ବି ।
କେମିତି ବୁଝେଇବି ,
ମୁଁ ତ ବାତ୍ସଲ୍ୟ ର ପିଣ୍ଡୁଳା ଟିଏ ।
କ୍ଷମା ର ପେଡି ଭିତରେ ହଜେଇ ଦେଇଛି ମୁଁ ନିଜ ପରାକ୍ରମକୁ ।
ତୁମେ ଥରେ ବୁଝନ୍ତନି ?
ସାଗରିକା ମହାନ୍ତି , ନଭି ମୁମ୍ବାଇ