ତୁମେ ତ ଶ୍ରେଷ୍ଠ !
ତୁମେ ତ ଶ୍ରେଷ୍ଠ !
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ନିଆଁର ବି ଥାଏ ବୁନ୍ଦା ବୁନ୍ଦା ଲୁହ
ଲୁଚି ଲୁଚି ଝରିଥାଏ ।
ସେଇଥିପାଇଁ ତ ଅନ୍ୟର ଲୁହରେ
ଜଳୁ ଜଳୁ ଲିଭିଯାଏ ।।
ପ୍ରତାରଣା କ'ଣ ଏତେ ନିଦାରୁଣ
ଜାଣି ନଥାଏ ଯନ୍ତ୍ରଣା !
ନିଜେ ଅନ୍ଧ ହୋଇ ଅନ୍ୟକୁ ସଯାଏ
ଅବ୍ୟକ୍ତ ଅନ୍ଧାରକଣା ।।
ଅନୁତାପ ନିଆଁ ଧୂଆଁଳିଆ ହୋଇ
ଧୀରେ ଧୀରେ ଦହିଦିଏ,
ପାଶ୍ଚାତାପମୟ ପରିଧି ଭିତରେ
ଜୀଉଁ ଜୀଉଁ ମାରିଦିଏ ।
ଅନ୍ୟର ଦୋଷକୁ ଦେଖିବା ଅଭ୍ୟାସ
ମଣିଷର ଚିର ସାଥୀ,
ନିଜର ଦୋଷକୁ ଆନେ ଲଦି ଦେଇ
ପାଇଥାଏ ମିଛ ତୃପ୍ତି ।
ଅନୁତପାନଳ ବେଳେବେଳେ ହୁଏ
ମଣିଷର ପଥଦ୍ରଷ୍ଟା ।
ନିଜେ ଜଳେ ସିନା ଅନ୍ୟକୁ ଜାଳେନି
ଖୋଜେ ଆତ୍ମାର ପ୍ରତିଷ୍ଠା ।
ମଣିଷ ଜନମ ନେଇଛ ହେ ବନ୍ଧୁ
ଦୋଷ ତ୍ରୁଟି ତୁମ ସାଥୀ ।
ତଥାପି ଦୋଷର ମାର୍ଜନା ରହିଛି
ଯେମିତି ଘୃଣା ଓ ପ୍ରୀତି !
ଦୁଃଖ ସୁଖ ପୁଣି ଭଲ ଆଉ ମନ୍ଦ
ହସ କାନ୍ଦର ଜୀବନ ।
ଏଇତ ସଂସାର ସର୍ବାଙ୍ଗ ସୁନ୍ଦର
ଚାରିତ୍ରିକ ସମ୍ମିଶ୍ରଣ !
ନିଜର ଇଚ୍ଛାରେ ଜଳେ ନାହିଁ ନିଆଁ
ଲିଭେ ନାହିଁ ସ୍ୱଇଚ୍ଛାରେ,
ଜଳିବାରେ ଥାଏ ଆଦେଖା ଯନ୍ତ୍ରଣା
ଲିଭେ ନିଷ୍ପନ୍ନ ଲୁହରେ ।
ହେ ମଣିଷ ବନ୍ଧୁ ଜ୍ଞାନ-ମହାସିନ୍ଧୁ
ଦୋଷକୁ ଉପେକ୍ଷା କର ।
କରି ନ ପାରିଲେ ଅନୁତାପ ଜଳେ
କର ଦୋଷର ସଂହାର ।
ଜୀବନ ସୁନ୍ଦର ଜନମ ଭାସ୍ବର
ମଣିଷ,ତୁମେ ତ ଶ୍ରେଷ୍ଠ ।
ସୁଗମ ସଙ୍ଗୀତ ଗାଇ ଗାଇ ଚାଲ
ହୁଅ ନିଜେ ସତ୍ୟନିଷ୍ଠ !