ତୁମେ ସଖୀ ତୁମେ କବିତା
ତୁମେ ସଖୀ ତୁମେ କବିତା
ହୃଦୟର ଯେତେ ଭଲ ପାଇବା ମୁଁ
ସମର୍ପି ଦେଇଛି ତୁମକୁ ସଖୀ
ତୁମପାଇଁ ମୋର ହସ ହସ ମୁହଁ
ସପନରେ ମୋର ଭରିଛି ଆଖି
ତୁମେ ସଖୀ ଏକ ପ୍ରୀତିଭରା ଗୀତ
ସରଗ ଭୂବନ ଚମକ ତୁମେ
ତୁମପାଇଁ ଅବା କି ସ୍ୱର ମୁଁ ଦେବି
ତୁମ ପ୍ରେମେ ମୋର ମରମ ଝୁମେ
ପ୍ରେମ ମନ୍ଦାକିନୀ ବୁହାଇ ଦେଇଛି
ତୁମ ପାଇଁ ସଖୀ ହୃଦୟେ ମୋର
ଜହ୍ନ ଉଇଁନାହିଁ କୁମୁଦିନୀ କାନ୍ଦେ
ମୋ କାନରେ ପଡେ ହସ ତୁମର
ଅନ୍ଧାର ରାତିର ଅନ୍ଧାରୀ ସପନ
ପୁଲକିତ ହେଲେ ମନଟି ମୋର
କବିତାରେ ମୋର ସ୍ୱର ଦିଅ ତୁମେ
ଉଚ୍ଚାଟିତ ମନ ହୁଅଇ ସ୍ଥିର
ତୁମରି ପ୍ରେମରେ ହଜିଛି ମୁଁ ସଖୀ
ତୁମ ଛଡା ଆଉ ଦିଶେନି କିଛି
ନିର୍ମଳ ଆକାଶେ ଜହ୍ନଟିଏ ତୁମେ
ଜୋଛନା ଦେହରେ ଲେଖିବ ଚିଠି
ତୁମ ଭାବନାରେ କବିତା ଉଛୁଳେ
କବିତା ଭିତରେ ତୁମେ ହିଁ ଥାଅ
ତୁମେ ସଖୀମୋର ତୁମେ ହିଁ କବିତା
ତୁମକୁ ଛାଡି ମୁଁ କିଛିବି ନୁହଁ