ତୁମେ ମୋ ଆଲୋକ
ତୁମେ ମୋ ଆଲୋକ
କବିସୌରଭ ଅନୁପ ସିଂହ ଦେବ
ରାଜା ଖଡ଼ିଆଳ
ଫିଙ୍ଗିଅଛି ଏଥି ମୋରେ ନିର୍ମ୍ମମ ନିୟତି,
ମାୟା-ମୋହ ବେଷ୍ଟନୀର ନିବିଡ଼ ବନ୍ଧନେ
ମୁଁ ଯେ ଆଜି ବନ୍ଧା,ସଜା ପୁଣି ମୋହ ପାଇଁ
ଘୋର ଅନ୍ଧାକାର-କାରା, ଯହିଁ ନ ପାରଇ
ଚିହ୍ନି ନିଜେ ମୁଁ ନିଜକୁ,ନ ପାରଇ ଜାଣି
ଅନ୍ଧାର ଆଲୋକ-ସେହୁ ଯାଏ ଆସେ କେବେ,
ନ ପାରଇ ଭାବି ପୁଣି ଭବିଷ୍ୟତ କଥା
ଥାଉଁ ଚକ୍ଷୁ, ଥାଉଁ ଜ୍ଞାନ, ଥିଲେହେଁ ବିବେକ ।
ସ୍ମରେ କିନ୍ତୁ ଯେବେ ପ୍ରିୟା-ପ୍ରଣୟଭାରତୀ
ପରବେଶେ ଦିବ୍ୟ ନେତ୍ରେ ବିଦ୍ୟୁତର ଜ୍ୟୋତି
ଅନ୍ଧକାର ମଧ୍ୟେ ଦେଖେ ଆଲୋକ ସ୍ଫୁଲିଙ୍ଗ
ଘୁଞ୍ଚିଯାଏ ଘନଘଞ୍ଚ ତାମସ ହିଆରୁ
ଦଶଦିଶେ ଦିଶେ ମୋରେ ଉକିଆ !ଉକିଆ !
ତିମିର ଆବୃତ ଏହି ଦୁର୍ଗମ ସଂସାରେ
ତୁମେ ଏକା ସଖି ! ମମ ପଥପ୍ରଦର୍ଶିନୀ
ଅନ୍ଧାର ଜଟିଳ ଏହି ଭବ-ରଙ୍ଗ-ଭୂମେ
ତୁମେ ମୋ ଆଲୋକ ପ୍ରିୟେ ! ତୁମେ ମୋ ଉକିଆ !
ତୁମ ଲାଗି ସ୍ପର୍ଶେ ନାହିଁ ମରଣବେଦନା
ତୁମ ଲାଗି ସତେ ମୁଁ ଗୋ ଭୁଲଇ ଯାତନା
ତୁମ ଲାଗି ସ୍ୱର୍ଗସୁଖ ଲଭେ ମୁଁ ମରତେ
ତୁମ ଖ୍ୟାତି ଗାଇ ହେବି ଅମର ଜଗତେ ।
ଆସ ସଖି ! ଘେନି ଦିବ୍ୟ ଉକିଆ ସ୍ୱହସ୍ତେ
ସୁପଥ ଦେଖାଇ ମୋତେ ନେଇଯାଅ ସାଥେ-
ତହିଁ,ଯହିଁ ନ ପାରିବ ସ୍ପର୍ଶି ତମ ଆଉ
ନ ପାରିବ ସହି ତୀବ୍ର ଉକିଆର ଦାଉ
ନ ପାରିବ ଖେଳା କରି ନିୟତିର ଯାଦୁ
ଭୁଞ୍ଜିବା ଗୋ ଦୁହେଁ ବସି ଅମିୟ ସୁସ୍ୱାଦୁ !
ସମାପ୍ତ